ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନ ହେଲେ ଅଭ୍ୟାସର ଦାସ
ଘଟିବ ଭାଷାର ବିକାଶ
ପ୍ରତ୍ୟହ ନୂତନ ପ୍ରୟୋଗ
ଭାଷାକୁ ଯୋଗାଏ ସୁଯୋଗ
ଶବ୍ଦର ଗମନାଗମନ
ଭାଷାରେ ଘଟେ ପ୍ରତି କ୍ଷଣ
ନୂଆ ଆସେ, ପୁରୁଣା ଯାଏ
ଭାଷାରେ ସ୍ଥିରତା ନ ଥାଏ
ଉଭୟ ବିଲୁପ୍ତି ଉତ୍ପତ୍ତି
ଯୋଗୁଁ ହିଁ ଭାଷାର ଉନ୍ନତି
ଘଟଇ ଯେଣୁ ନିରଂତର
ବର୍ଣକୁ କହଂତି ଅକ୍ଷର
ଭାଷାରେ ରହିଲେ ସ୍ଥିରତା
କ୍ରମଶଃ ଲୋପ ହୁଏ ସତ୍ତା
କିଛି ବି ନୁହେ ଚିରଂଜୀବୀ
ପ୍ରଭାବୀ ଅବା ଅପ୍ରଭାବୀ
ଭାଷାଧାରରେ ଥିଲେ ଭାବ
ନ ରହେ ଶବ୍ଦର ଅଭାବ
ନୂତନ ଶବ୍ଦର ଗଠନ
କରଇ ଲୋକଂକର ମନ
ଭାଷା ବି ହୋଇଥାଏ ରୁଗ୍ଣ
ଶୀଘ୍ର ବୁଝିଲେ ଜନଗଣ
ଲୋଡ଼ଂତି ତା’ର ଉପଚାର
ସମୟକ୍ରମେ ବାରଂବାର
ସ୍ବଭାଷା ସହିତ ସଂପୃକ୍ତି
ରହିଲେ ଭାଷାଭାଷୀ ବ୍ୟକ୍ତି
କରଂତି ପଠନ, ଲିଖନ
ଭାଷାଟେ ହୁଏନି ବିଲୀନ
ଅଧିକ ଭାଷଣ, ଆହ୍ବାନ
ଅନାବଶ୍ୟକ ବୋଲି ଜାଣ
ବ୍ୟକ୍ତି-ସ୍ତରୀୟ କାର୍ଯାବଳି
ରଖଂତି ସ୍ବଭାଷା ସଂଭାଳି
ସଂଘ, ସମାଜ, ଅନୁଷ୍ଠାନ
ଗୋଷ୍ଠୀ, ସାମ୍ମୁଖ୍ୟ, ପ୍ରତିଷ୍ଠାନ
କଲେ ହେଁ ସଭା ଆୟୋଜନ
ମିଳେନି ସ୍ପଷ୍ଟ ସମାଧାନ
ଜିଇଁରହି ଏ ଧରାଧାମେ
ସ୍ବେଚ୍ଛାରେ ଲାଗୁଁ ଏହି କାମେ
ଅଜଣା କେବେ କାଳକ୍ରମେ
ଶୁଦ୍ଧତାପ୍ରେମୀ ହେବା ଆମେ !
ଶବ୍ଦକୁ ହୀରା ବୋଲି ମାନି
ପାରିବା ସୂକ୍ଷ୍ମ ଭେଦ ଜାଣି
ତ୍ରୁଟି କରିବ ପଳାୟନ
ସ୍ବଲେଖା ହେବ ତ୍ରୁଟିଶୂନ୍ୟ
ଚେଷ୍ଟା ସହିତ ଗୋଳି ନିଷ୍ଠା
ଦେବା ଏ ଭାଷାକୁ ପ୍ରତିଷ୍ଠା
Comments are closed.