ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୬
ଜ୍ଞାନାନୁଯାୟୀ କରୁଁ କର୍ମ
ସଂଭାଳି ରଖୁଁ ଜୀବଧର୍ମ
ଜ୍ଞାନ ନ ହେଉ ସ୍ମୃତିଧନ
କାମରେ ଲାଗୁ ପ୍ରତିଦିନ
ଗଚ୍ଛିତ ଜ୍ଞାନର ଭଂଡାର
କରେନି କାହା ଉପକାର
କେବଳ ବୌଦ୍ଧିକ ବିଳାସ
କରେ ବ୍ୟକ୍ତିର ସତ୍ତାନାଶ
ଯାହାକୁ ଥାଏ ଯାହା ଜଣା
ସ୍ବଜ୍ଞାନ ଅଥବା ଧାରଣା
କରିଲେ ତହିଁର ପ୍ରୟୋଗ
ଜୀବନୁ ହଟଇ ଦୁର୍ଯୋଗ
ସକାଳୁ ରାତି ଯାଏଁ କେହି
ଚଳିଲେ ନିଷ୍ଠାପର ହୋଇ
କରିଲେ ଜ୍ଞାନ ବ୍ୟବହାର
ପାଏ ନିଶ୍ଚୟ ଉପକାର
ଯେ କରେ ମନକୁ ବିଭକ୍ତ
ହୋଇ ନ ଥାଏ ଅନୁରକ୍ତ
ଭାଷା ସଂସ୍କୃତି କଳା ପାଇଁ
କାମରେ ଲାଗିପାରେନାହିଁ
ବ୍ୟକ୍ତିଟେ ହେଲେ ଜ୍ଞାନାଧାର
କରେ ସୃଷ୍ଟିର ଉପକାର
ତାହାର କୃତି ଯାଏ ବ୍ୟାପି
ହୁଏନି ନିର୍ମୂଳ କଦାପି
ଅଂଗପ୍ରତ୍ୟଂଗଧାରୀ ଜୀବ
ହେଲେ ହେଁ ପ୍ରତ୍ୟେକ ମାନବ
ଯେହେତୁ ଥାଏ ମନୋଭାବ
କରେ ସେ ସ୍ବପ୍ନକୁ ବାସ୍ତବ
ମନୁଷ୍ୟ ନୁହେ ତୁଳନୀୟ
ଅନ୍ୟ କୌଣସି ପ୍ରାଣୀ ସହ
ଯେଣୁ ସେ ବୁଦ୍ଧି ଜ୍ଞାନ ଯୁକ୍ତ
ହୁଅଇ ସବୁଠି ସଂପୃକ୍ତ
ତାହାର ଜାଣିବାର ଇଚ୍ଛା
କେବେ ଛାଡ଼େନି ତାର ପିଛା
ସ୍ବଭାବେ ହୁଏ ସେ ଜିଜ୍ଞାସୁ
ଏହି ସଂସାରେ ଆସୁ ଆସୁ
ତାହାର କୌତୂହଳୀ ମନ
ଅର୍ଜନ କରିଥାଏ ଜ୍ଞାନ
ଜ୍ଞାନର ଘଟେ ରୂପାଂତର
ବଦଳୁଥାଏ ଏ ସଂସାର
ଜ୍ଞାନବିହୀନ ଏହି ବିଶ୍ବ
ହୁଅଂତା ସତେ କେତେ ନିଃସ୍ବ
ଟିକିଏ କରିଲେ କଳ୍ପନା
ଜ୍ଞାନର ମୂଲ୍ୟ ପଡ଼େ ଜଣା
ଜ୍ଞାନକୁ ସ୍ମୃତିରେ ସାଇତି
ରଖିଲେ ହୁଏନି ଉନ୍ନତି
ଜୀବନେ କରିଲେ ପ୍ରୟୋଗ
ମିଳଇ ସମସ୍ତ ସୁଯୋଗ
Comments are closed.