Latest Odisha News

ସାହିତ୍ୟ ମୋ ପାଇଁ ଜୀବନ ବଞ୍ଚିବାର ମାର୍ଗ : ଅମ୍ବୁଜା ମହାନ୍ତି

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅମ୍ବୁଜା ମହାନ୍ତିଙ୍କ ସହ ‘ସ୍ୱଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ମନ କଥା, ହୃଦୟର କଥାକୁ ଖୋଲି ଧରିବାକୁ ବେଳେବେଳେ ଭାଷାର ଅଭାବ ହୁଏ ଯାହା ଓଠରୁ ସ୍ଫୁରେ ନାହିଁ।ତେଣୁ ଲେଖନୀ ଦ୍ଵାରା ଏହା କିଛି ମାତ୍ରାରେ ହାଲୁକା ହୁଏ। ସାହିତ୍ୟ ହେଉଛି ଜୀବନ ବଞ୍ଚିବାର ମାର୍ଗ। ଅନୁସନ୍ଧିତ୍ସୁ ମନ ବେଳେବେଳେ କେଉଁ ଏକ ଅଜଣା ବଳୟ ଭିତରେ ହଜିଯାଏ। ଖୋଜିବୁଲେ ଅନେକ ପ୍ରଶ୍ନ ଓ ତା’ର ଉତ୍ତର। ସେହି ପ୍ରଶ୍ନ ଉତ୍ତର କେବଳ ଯେ ମୋର ମନରେ ଉଠେ ତାହା ନୁହେଁ ବରଂ ଅନେକଙ୍କ ମନରେ ସେହି ପ୍ରଶ୍ନ ଉଠେ ଯାହା ଅନେକ ବ୍ୟକ୍ତ କରି ପାରନ୍ତି ନାହିଁ।ମୋର ଲେଖା ମାଧ୍ୟମରେ ସେମାନଙ୍କ ମନର ସଂଶୟ ଦୂର ହୁଏ। ତେଣୁ ମୁଁ ଲେଖେ। ସମାଜକୁ ବାର୍ତ୍ତା ଦେବାକୁ, ଲେଖାରେ ହଜିଯିବାକୁ, ମଜ୍ଜି ଯିବାକୁ କିଛି ନୂଆ କରି ଗଢ଼ିବାକୁ ଓ ଓଡ଼ିଆ ସାହିତ୍ୟକୁ ଆଗେଇ ନେବାକୁ ଏକ ଛୋଟ ଚେଷ୍ଟା ପାଇଁ ମୁଁ ଲେଖେ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ଆମ ଘରେ ପିଲାଟି ଦିନରୁ ଅନେକ ଓଡ଼ିଆ ଓ ଇଂରାଜୀ ବହି ଓ ପତ୍ରିକାମାନ ଆସେ।ତା ସହିତ ମୋ ପିଉସୀ ଓ ବାପା ଉଭୟ ସାହିତ୍ୟ ସାଧକ। ଛୋଟ ଦିନରୁ ଅର୍ଥାତ ଦ୍ୱିତୀୟ ଶ୍ରେଣୀରୁ ମୁଁ ବହି ପଢ଼ିବା ପାଇଁ ଖୁବ୍ ଆଗ୍ରହୀ ଥିଲି। ଖାଲି ଏହା ନୁହେଁ ଏ ସବୁ ପଢ଼ି ମୋର କିଛି ନିଜେ ଲେଖିବାକୁ ଇଚ୍ଛା ହେଉଥିଲା। ଏମିତିକି କିଛି କାହାଣୀର ଅନ୍ତ ମତେ ଗୋଟିଏ ଚିନ୍ତାରେ ପକେଇ ଦେଉଥିଲା ଯେ ଏହା ଏଭଳି ନହୋଇ ଏଭଳି କାହିଁକି ହେଲା । ମୁଁ ନିଜେ ସ୍ରଷ୍ଟା ହେଇ ଉଠୁଥିଲି କିନ୍ତୁ ଏହା ସାହିତ୍ୟ ସାଧନା ବୋଲି ମୁଁ ନିଜେ ଜାଣି ନଥିଲି।ଏହି ଭଳି ଭାବରେ ବିଦ୍ୟାଳୟସ୍ଥରୀୟ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ ମୋର ଯୁକ୍ତି ଓ ରଚନାରେ ସାହିତ୍ୟର ଝଲକ ଖୁବ୍ ଭଲ ଭାବରେ ଉଙ୍କି ମାରୁଥିଲା।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିଭଳି ଆପଣଙ୍କୁ ପ୍ରେରିତ କରିଥିଲା ?

ମୋର ପ୍ରଥମ ଲେଖାଟି ଷଷ୍ଠ ଶ୍ରେଣୀରେ ପ୍ରଗତିବାଦୀ ଖବରକାଗଜରେ ପ୍ରକାଶିତ ହେଇଥିଲା।ଏହା ଏକ ଶିଶୁ କବିତା ଥିଲା ଯାହାର ଶୀର୍ଷକ ଥିଲା ‘ବର୍ଷା ରାଣୀ’। ଏହା ପ୍ରକାଶ ପାଇବା ପରେ ମୁଁ ଉତ୍ସାହିତ ହୋଇ ଆଗକୁ ଲେଖିଥିଲି। କିନ୍ତୁ ପାଠ ପଢା ପାଇଁ ସମୟର ଅଭାବ ହେତୁ ମୋର ଲେଖାସବୁ ଡାଏରୀ ଭିତରେ ସୀମିତ ରହିଗଲେ। ଧୀରେ ଧୀରେ ବଡ଼ ହେବା ପରେ, ଚାକିରୀ କରିବା ପରେ ମୁଁ ପୁଣି ଏହି ଲେଖାକୁ ନୂଆ ରୂପ ଦେବାକୁ ଚେଷ୍ଟା କରିଲି। ବିଭିନ୍ନ ଗଳ୍ପ ଓ କବିତା ସଙ୍କଳନ ସହିତ ପ୍ରତିଲିପି ଓ ଷ୍ଟୋରୀମିରର ଭଳି ଡିଜିଟାଲ ପ୍ଲାଟଫର୍ମରେ ଲେଖିବା ଆରମ୍ଭ କରିଥିଲି। ପାଠକମାନଙ୍କ ଭଲ ପାଇବା ଓ ପ୍ରେରଣା ମତେ ଆଗକୁ ଲେଖିବାକୁ ଖୋରାକ ଯୋଗାଇଥିଲା। ଏହା ସହିତ ବିଭିନ୍ନ ପତ୍ରିକାରେ ମଧ୍ୟ ମୋ ଲେଖା ପ୍ରକାଶ ପାଇବା ସହିତ ପୁରସ୍କୃତ ହେବା ମତେ ଲେଖିବାକୁ ଆହୁରି ଅନୁପ୍ରାଣିତ କରିଥିଲା।

ଗଳ୍ପ /କବିତା ମାଧ୍ୟମରେ ଆପଣଙ୍କ କେଉଁ ବାର୍ତ୍ତା ରହିଥାଏ ?

ପ୍ରତ୍ୟେକ ମଣିଷର ଜୀବନ ବଞ୍ଚିବାର ଶୈଳୀ ନିର୍ଭୁଲ ଓ ସଠିକ କର୍ମ ମାର୍ଗରେ ପରିଚାଳିତ ହେବା ଆବଶ୍ୟକ।ବୟସ,ପାହ୍ୟା ଅନୁସାରେ ମଣିଷ ଠିକ୍ ହେଇଯାଏ ତାହା ନୁହେଁ ବରଂ ସଠିକ କର୍ମ ଓ ନ୍ୟାୟରେ ରହିଲେ ସେ କାଳଜୟୀ ହୁଏ।ଏହା ମୋର ଏକ ବାର୍ତ୍ତା ରହିବା ସହିତ ନାରୀ ଶକ୍ତିକୁ ମଧ୍ୟ ମୋର ରଚନା ଆବାହନ ଦିଏ।ନାରୀକୁ ସଶକ୍ତିକରଣ ଆବଶ୍ୟକତା ନାହିଁ । ନାରୀ ଆଦ୍ୟ ଶକ୍ତି ଓ ତା ପାଖରୁ ସୃଷ୍ଟିର ସଂରଚନା ହୁଏ।ତେଣୁ ନିଜକୁ ନ୍ୟୁନ ମନେ କରିବା ଆଦୌ ସ୍ବାଗତଯୋଗ୍ୟ ନୁହେଁ କିମ୍ବା ନାରୀ ଶକ୍ତିର ମିଛ ଅପଚୟ କରିବା ମଧ୍ୟ ଉଚିତ୍ ନୁହେଁ। ଏହା ସହିତ ମୋର ରଚନାରେ ଯୁଗକୁ ନେଇ ସାହିତ୍ୟ ସୃଷ୍ଟିର ବାର୍ତ୍ତା ମଧ୍ୟ ଥାଏ ଯାହା ପାଠକଙ୍କୁ ଆକୃଷ୍ଟ କରିବା ସାହିତ୍ୟ ଓଡ଼ିଆ ସାହିତ୍ୟକୁ କିଭଳି ଆଗକୁ ନେଇ ହେବ ତାହା ପାଇଁ ଚେଷ୍ଟା ଚଲେଇ ଥାଏ।

ତାଙ୍କ ରଚନାରୁ କବିତା : ପାରିଜାତ

ଦେଖିଛ କି ପାରିଜାତ କେବେ ତୁମେ ?
ଅଳସ ଦେହକୁ କାନ୍ଧରେ ମୋ ଆଉଜେଇ
ମନୋରମ ଶୀତ ସନ୍ଧ୍ୟାର ସେହି ବେଳାରେ
କହିଥିଲ ଚୁପି ଚୁପି ମୋ କାନରେ।।

କହିଥିଲବି,ଗୋଲାପି ଉଷ୍ମ ଓଠର ଛୁଆଁରେ
ହସି ଦେଇ ଫିକ କରି ଲାଜରେ ସରମି
ଇନ୍ଦ୍ରଙ୍କ ପୁରରେ କାଳେ ଫୁଟେ ପାରିଜାତ
ସବୁଠୁ ସୁନ୍ଦର ପରା,ମନ
ନିଏ ମୋହି”

ଶୁଣୁଥିଲି ….
କେତେ ନିଖୁଣ କରୁଥିଲ ପାରିଜାତ ବର୍ଣ୍ଣନା
ସତରେ ଭାଗ୍ୟବାନ ବୋଧେ ପାରିଜାତ
ବାରମ୍ବାର
ତୁମ ମୁଖେ ହୁଏ ଉଚ୍ଚାରିତ ଧନ୍ୟ ପାରିଜାତ।।

ତୁମେ ପୁଣି ପ୍ରଶ୍ନ କରୁଥିଲ,!!!
କେମିତି ଥିବ ତା ପ୍ରେମ,
ନିଜ ରୂପ ଭଳି ସୁନ୍ଦର ନା
ମହାକାଳ ଫଳ ଭଳି ଭୟଙ୍କର ?
ଇପ୍ସିତଙ୍କ ପୂଜନ ନିମନ୍ତେ
ଦେଉଥିବ ତ ସେ ଅଚିରେ ନିଜକୁ ସମର୍ପି??

ମୁଁ ହସି କହିଥିଲି ,ଗୁଣରେ ସେ ଶ୍ରେଷ୍ଠା ନିଶ୍ଚେ
ରଙ୍ଗ ରୂପରେ ତା ଥିବ ସମ୍ମୋହନ,
ଠିକ୍ ତୁମ ଭଳି ଲାଜେଇ ଗେହ୍ଲେଇ କେବେ
ଉଦାରତାରେ ପୂର୍ଣ୍ଣ ଥିବ ତା ମନ
ସ୍ଵାଭିମାନୀ, ଅଳସି, ସୁନ୍ଦରୀ
ହୋଇଥିବ ନିଶ୍ଚେ ଆଭା ପରିପୂର୍ଣ୍ଣ
ଦେବତାଙ୍କ ଚିତ୍ତ ବିନୋଦନ
ନିମନ୍ତେ ତ ତାର ଜନ୍ମ

ତୁମେ କିନ୍ତୁମୋ ପାରିଜାତ
ତା ଠାରୁ ଅଟ ବେଶୀ ଶ୍ରେଷ୍ଠ
ପ୍ରେମିକା ରୂପେ କାମିନୀ ମାନିନୀ,
ସୁନ୍ଦରୀ ଅଟ ତୁମେ ପୁଣି ଜ୍ଞାନୀ,ଗୁଣି
ହସି ସେ ଲୁଚାଇ ଥିଲା
ମୁଖ ଲାଜ ଜୁଡୁ ବୁଡୁ
ଚିବୁକ ତା ଅଭିର ଲେପନ
ବୁକୁରେ ମୋ ଲୋଟି ପଡିଥିଲା
ଅନୁଭୂତି ଆଃ…..
ଚନ୍ଦ୍ରର ଆଗମନ
ହଁ ଚନ୍ଦ୍ରର ଆଗମନ
ଶିତଳତା ପରିପୂର୍ଣ୍ଣ
ଏକ ଭିନ୍ନ ସମ୍ମୋହନ
ଏହି ଅଗଣାରେ
ପାରିଜାତ ନିଜେ ବିଦ୍ୟମାନ।।

Comments are closed.