Latest Odisha News

ସାହିତ୍ୟ, ସାମୁହିକ ହିତ ସାଧନର ମାଧ୍ୟମ : ଗୌରପ୍ରିୟା ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଗୌରପ୍ରିୟା ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଗୌରପ୍ରିୟା ଦାଶଙ୍କ ସହ ‘ଅଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ସାହିତ୍ୟ ମୋ ଅନ୍ତରରେ ଥିବା ଏକ ଦୈବୀଶକ୍ତି, ଯାହା ଏନ୍ତୁଡ଼ିଶାଳରେ ମାଆ ବକ୍ଷରୁ ଅମୃତ ପାନକରିବା ସମୟରେ ମାଆର ମନରୁ ସଞ୍ଚରି ଆସିଛି ମୋ ମନକୁ। ବୟସ କ୍ରମେ ମାଆଙ୍କ ସାହିତ୍ୟ ସୃଜନୀ ପଢ଼ି ମୋ ମନରେ ଏକ ଗଭୀର ଭଲପାଇବା ଓ ଆକର୍ଷଣ ଆସିଥିଲା ସାହିତ୍ୟ ପ୍ରତି। ସାହିତ୍ୟରେ ଯେଉଁ ରସ ରହିଛି ତାହା ଅନ୍ୟତ୍ର ନାହିଁ, ଯାହା ଅସମୟରେ ମଧ୍ୟ ମନକୁ ଶାନ୍ତି, ତୃପ୍ତି, ଆନନ୍ଦ ଆଣିଦିଏ।
ସ – ହିତ ସାଧନ କରେ ଯାହା, ସେ ସାହିତ୍ୟ। ଏହା ସାମୁହିକ ହିତ ସାଧନର ମାଧ୍ୟମ ବୋଲି ମୁଁ ଭାବେ। ତେଣୁ ସାହିତ୍ୟକୁ ସମାଜର ତଥା ନିଜର ହିତ ସାଧନର ମାଧ୍ୟମ ବୋଲି ଭାବି ସାହିତ୍ୟ ସର୍ଜନାରେ ମନ ଦେଲି।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ପ୍ରଥମ ପ୍ରକାଶିତ ଲେଖାଟି ଏକ ଗଳ୍ପ ଥିଲା, ” ହିଂସ୍ର ମାଳି” । ଏହା ବାଲେଶ୍ଵରରୁ ପ୍ରକାଶିତ ଏକ ଖବରକାଗଜର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା, ଯଦିଓ ପୂର୍ବରୁ ଗଳ୍ପ, କବିତା ଅନେକ ଲେଖିଥିଲି। ଏହି ଗଳ୍ପଟି ଏକ ବାସ୍ତବଧର୍ମୀ କାହାଣୀ। ପ୍ରାୟ ପ୍ରତ୍ୟେକ ନାରୀ ଜୀବନରେ ଏମିତି ମୁହୂର୍ତ୍ତର ସମ୍ମୁଖୀନ ହୋଇଥିବେ, କିପରି ନାରୀଟି ଶିଶୁ ଅବସ୍ଥାରୁ ମଧ୍ୟ ଅସୁରକ୍ଷିତ ଥାଏ ବନ୍ଧୁ ବା ପରିବାରବର୍ଗଙ୍କ ଭିତରେ। ଗଳ୍ପଟି ପଢ଼ି ଅନେକ ପାଠକଙ୍କର ଶୁଭେଚ୍ଛା ବାର୍ତ୍ତା ଆସିଥିଲା ଫୋନ୍ ମାଧ୍ୟମରେ। ପାଠକଙ୍କ ଶୁଭେଚ୍ଛା ଓ ଶୁଭକାମନା ମୋତେ ପ୍ରେରଣା ଯୋଗାଇଥିଲା ଆଗକୁ ବଢ଼ିବାରେ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସମାଜରେ ଘଟୁଥିବା ଅନେକ ବିସଙ୍ଗତି ସତ୍ତ୍ୱେ ନିଜ ଜୀବନକୁ ସଠିକ୍ ମାର୍ଗରେ ଆଗେଇ ନେବାକୁ ବାଟଟିଏ ଥାଏ। ବିଶେଷତଃ ମହିଳାମାନେ, ସ୍ୱଭାବସୁଲଭ ଭାବେ ଅନେକ ଦୁଃଖକୁ ଚାପି ରଖି ଜୀବନ କାଟିଦିଅନ୍ତି। ସେମାନେ ନିଜ ପାଇଁ ନିଜେ ଖୁସିର କାରଣ ହୁଅନ୍ତୁ। ପରିପୂର୍ଣ୍ଣ ଜୀବନ ଜିଅନ୍ତୁ। ନାରୀପୁରୁଷ ପରସ୍ପରକୁ ବୁଝନ୍ତୁ। ଜୀବନକୁ ସରସ ସୁନ୍ଦର କରିବାକୁ ମିଳିତ ପ୍ରୟାସ ଜାରି ରଖନ୍ତୁ।

 

ତାଙ୍କ ରଚନାରୁ କବିତା : ପରିବ୍ରାଜକ
ମୃତ୍ୟର ଉପତ୍ୟକାକୁ ଅତିକ୍ରମ କରି ଆସିଥିବା
ପରିବ୍ରାଜକଟିଏ ମୁଁ।

ଗୃହସ୍ଥ ଧର୍ମକୁ ତ୍ୟାଗି
ପାଦ ମୋର ଟପୁ ଥିଲା ଆଗକୁ ଆଗକୁ ,
ମନରେ ଅସୁମାରୀ ସ୍ବପ୍ନ ନେଇ
ଆଶା ଓ ଆକାଂକ୍ଷା ଉଙ୍କି ମାରୁଥଲା।

ସଂସାରର ମାୟା ଜାଲେ
ଛନ୍ଦି ହୋଇ
ଶ୍ୱାସ ରୁଦ୍ଧ ହୋଇ
ଆକ୍ତାମାକ୍ତା ହେଲାପରେ
ସଂସାର ଛାଡି
ସନ୍ନ୍ୟାସୀ ହେବାର ନିଶା ଘାରିଥିଲା।

ଅସହ୍ୟ, ଦୁର୍ବିସହ ହୋଇଥିଲା ଜୀବନ,
ଆୟବ୍ୟୟ, ଲାଭକ୍ଷତିର ଅଙ୍କ କଷି କଷି।
ଦାୟିତ୍ୱବୋଧର ବୋଝ ତଳୁ
ଚାପି ହୋଇ
ମଥା ପିଟି ସଂଘର୍ଷ କରୁଥିଲେ
ମୋ ଇଚ୍ଛା, ଅଭିଳାଷ ଓ
ସାରା ଦୁନିଆକୁ ଭ୍ରମିବାର ସବୁ ସ୍ବପ୍ନ।
ଦୁନିଆକୁ ନୂଆ କରି
ଉପଭୋଗ କରିବାକୁ ଚାହୁଁଥିଲା
ପାଗଳ ଏ ମନ ।

ମୋହମାୟାର ବୁଢିଆଣୀ ଜାଲରୁ
ନିଜକୁ ନିଜେ ମୁକ୍ତ କରି
ହୃଦୟର ଦୁର୍ବଳ କୋଠରୀକୁ
ପଥରରେ ଚାପି ଦେଇ
ମୁଁ ସାଜିଲି ସନ୍ନ୍ୟାସୀ,
ଭ୍ରମଣକାରୀ,
ତିଳେ ମାତ୍ର ପଛକୁ ନ ଚାହିଁ।

କୋଶ ପରେ କୋଶ ପାରି ହେବା ପରେ
ରାଜ୍ୟ ରାଜ୍ୟ ସବୁ ଭ୍ରମି ଯିବା ପରେ
ଭେଟି ପାରୁନଥିଲି ମୋ ଇଚ୍ଛାକୁ, ଅଭିଳାଷକୁ।

ସ୍ଵପ୍ନ ସବୁ ସାଜୁଥିଲେ ମରୁଭୂମିର ମରୀଚିକା,
ଅତୀତକୁ ଝୁରୁଥିଲି
ଚାଲୁ ଚାଲୁ ଏକା ଏକା।
ନା ଥିଲେ କେହି ଆପଣାର ଅବା ଚିହ୍ନା
ପଥ ଓ ପଥିକ ସବୁ ଅଜଣା ଅଚିହ୍ନା।

ଫେରିବାର ବାଟ ଖୋଜି ଖୋଜି
ବାରମ୍ବାର ହେଉଥିଲି ବାଟବଣା।
ଶେଷରେ ପହଞ୍ଚିଲି ଯେଉଁଠି
ତାହା ଥିଲା ମୃତ୍ୟୁର ଅନ୍ଧାରି ଅଗଣା।

ଯେଉଁଠି ଘୃଣା ଓ ହିଂସାର ଗଛ ସବୁ
ଆକାଶ ଛୁଉଁଥିଲା।
ଶବର ଗାଲିଚା ଥିଲା।
ସନ୍ଦେହ ଓ କ୍ରୋଧର ରକ୍ତ ସବୁ
ଧାର ଧାର ବୋହିଯାଉଥିଲେ
କାଳନଦୀ ସାଜିବାକୁ।

ବିଶ୍ୱାସଘାତକତାର ଆଇଁଷିଆ ଗନ୍ଧରେ
ଶ୍ୱାସରୁଦ୍ଧ ହୋଇ
ମୁଁ ଅଣନିଶ୍ୱାସୀ ପ୍ରାୟ ଧାଉଁଥିଲି
ଫେରିବାକୁ ମୋ ନୀଡକୁ।

ନୀଡ଼ ପୁଣି ସାଜିଥିଲା ମରୀଚିକା,
ପାଗଳ ପ୍ରାୟ ପ୍ରଳାପ କରୁଥିଲି ମୁଁ।

ଆଜି ଫେରିବାର ଠିକଣା ହଜେଇ ସାରିଥିବା
ପରିବ୍ରାଜକଟିଏ ମୁଁ।
ମୃତ୍ୟର ଉପତ୍ୟକାକୁ ଅତିକ୍ରମ କରି ଆସିଥିବା
ପରିବ୍ରାଜକଟିଏ ମୁଁ।

Comments are closed.