Latest Odisha News

BREAKING NEWS

ଶିଶୁ କବିତା : ଆମ ପାଠାଗାର

ଗଦାଧର ସାହୁ

ଆମ ପାଠାଗାର
ଜ୍ଞାନ ଭଣ୍ଡାର,
ସଜା ହୋଇଥାଏ
ବହି ପତର,
ଆସରେ ଆସ
ହୋଇ ହରଷ
ପଢିବା ଆସ,
ପଢିଲେ ହୋଇବା
ଭଲ ମଣିଷ ।

ପାଠାଗାରେ ପାଠ
ଭଳିକି ଭଳି,
ପାଠ ପାଠ ମଧ୍ଯେ
ନଥାଏ କଳି,
ଭାଷା ସାହିତ୍ୟ
ପାଟି ଗଣିତ
ସଭିଙ୍କ ମିତ,
ଭୂଗୋଳ ଦେଖାଏ
ସାରା ଜଗତ ।

ବିଜ୍ଞାନ ଦୂରାଏ
ଅନ୍ଧ ବିଶ୍ବାସ,
ଇତିହାସ ଦିଏ
ଆତ୍ମ ବିଶ୍ୱାସ,
ସଭ୍ୟତା କଥା
ସଂସ୍କୃତି କଥା
ଅତିତ ଗାଥା,
ଜାଣିଲେ ଗର୍ବରେ
ଟେକିବା ମଥା ।

ସମାଜ ବିଜ୍ଞାନ
ସବୁଠୁ ସାର,
ସମାଜରେ ଆମେ
କରିଛେ ଘର,
ସଂପର୍କ ବଡ
ଭାଷା ନହୁଡ
ଆଗକୁ ବଢ,
ବାପା ମାଆଙ୍କଠୁ
ନାହିଁ କେ ବଡ ।

ଅର୍ଥନୀତି କରେ
ଅର୍ଥ ବିଚାର,
ରାଜନୀତି ହାତେ
ଶାସନ ଭାର,
ନୀତି ନିୟମ
ଠିକ୍ ନହେଲେ
ସମସ୍ତେ ମଲେ,
ଠକଙ୍କୁ ଠେକିବା
ପାଠ ପଢିଲେ ।

ଗଳ୍ପ, ଉପନ୍ୟାସ
କାବ୍ଯ, କବିତା,
ଭ୍ରମଣ କାହାଣୀ
ଜୀବନୀ କଥା,
ବ୍ଯଙ୍ଗ କବିତା
ବେତାଳ କଥା
ରୋମାଞ୍ଚ ବାର୍ତ୍ତା,
ଅନୁବାଦ ଲେଖା
ଥାଏ ସାଇତା ।

ଆମ ଘରେ ଯାହା
ଅଦରକାରୀ,
ପାଠାଗାରରେ ତାର
ଆଦର ଭାରି,
ନପୋଡି ତାକୁ
ନବିକି ତାକୁ
ନଫିଙ୍ଗି ତାକୁ,
ପାଠାଗାରାଦେଲେ
ଲାଭ ସଭିଙ୍କୁ ।

କୁନା ମୁନା ଧୁନା
ଓଲି ଟିକିନା,
ଗୋପାଳ ଗୋବିନ୍ଦ
ହୁଣ୍ଡା ସୁଗୁନା,
ଆସରେ ଆସ
ପଢିବା ଆସ
ବଢିବା ଆସ,
ଆମ ପାଠାଗାର
ଆମ ସାହସ।

Leave A Reply

Your email address will not be published.