ଓଡ଼ିଆ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସମ୍ଭାବନାମୟୀ ସ୍ମୃତିକଳା ମହାନ୍ତି ଏକ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଭାଷା ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । କଥା ନବ ପ୍ରତିଭା ପୁରସ୍କାର ଏବଂ ବ୍ଲାକ ଈଗଲ ପ୍ରଥମ ବହି ପୁରସ୍କାରର ବିଜୟିନୀ ସ୍ମୃତିକଳା ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସ୍ମୃତିକଳା ମହାନ୍ତିଙ୍କ ସହ ‘ସ୍ଵଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?
ପିଲାଟି ବେଳୁ ମୁଁ ଗୋଟିଏ ସାହିତ୍ୟିକ ପରିବେଶ ମଧ୍ୟରେ ବଡ଼ ହୋଇଛି । ଯେଉଁଠି ବାହାଘରରେ ମଙ୍ଗଳ ଗୀତିକାଠାରୁ ଆରମ୍ଭ କରି ଶ୍ରାଦ୍ଧ ଦିବସରେ ଶୋକ ଗୀତିକା ମଧ୍ୟ ଲେଖା ଯାଇଥାଏ। ହୁଏତ ସେଇ ପରିବେଶ ମୋତେ ସାହିତ୍ୟ ସର୍ଜନା ପାଇଁ ମୋ ଅଜାଣତରେ ଆକୁଷ୍ଟ କରିଦେଇଛି।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?
କଥା ‘ନବ ପ୍ରତିଭା ବିଶେଷାଙ୍କ ୨୦୨୩’ରେ ପ୍ରକାଶ ପାଇଥିବା ଗଳ୍ପ ‘ନିଷ୍ପତ୍ତି’ ହେଉଛି ମୋ ଜୀବନର ପ୍ରଥମ ଗଳ୍ପ ଏବଂ ମୋର ପ୍ରଥମ ପ୍ରକାଶିତ ଲେଖା।ଏହା ପ୍ରକାଶ ପାଇଲା ପରେ ପାଠକ ମାନଙ୍କର ଭଲ ପାଇବା ଏବଂ ସୁନ୍ଦର ମତାମତ ମୋ ଭିତରେ ଆତ୍ମ ବିଶ୍ବାସ ଭରି ଦେଇଥିଲା ଓ ମତେ ପ୍ରେରଣା ଯୋଗାଇଥିଲା ଆଗକୁ ଲେଖିବା ପାଇଁ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ସମସ୍ତ ଲେଖାରେ ହୁଏତ ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା ରହିନଥାଏ ; ହେଲେ ମୁଁ ଲେଖିଥିବା ଅଧିକାଂଶ କବିତା ବା ଗଳ୍ପରେ ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ରହିଥାଏ।ସକଳ ପ୍ରତିକୁଳତା ଭିତରେ ବି ମଣିଷ ବଞ୍ଚିବ ,ବିଶ୍ବାସ ବଞ୍ଚିବ,ସମ୍ପର୍କ ବଞ୍ଚିବ ଏଇଟା ମୋ ଲେଖାରେ ଏକ ବାର୍ତ୍ତା ପରି ରହିଥାଏ ।
ମୁଁ କାହିଁକି ଲେଖେ ?
କାହିଁକି ଲେଖେ ବୋଲି ପଚାରିଲେ ମୁଁ ତାର ନିର୍ଦ୍ଧିଷ୍ଟ ଉତ୍ତର ଦେବାକୁ ଅସମର୍ଥ, ହେଲେ ଅନେକ କଥା ଓଠ ଖୋଲି କହି ପାରେନି ବୋଲି ମୁଁ ତାକୁ କଲମରେ ରୂପ ଦେଇଦିଏ। ଦେଖିଥିବା ଘଟଣା, ଭୋଗିଥିବା ଯନ୍ତ୍ରଣା, ଅନୁଭବ କରିଥିବା ଦୁଃଖ ଓ କଷ୍ଟ ମନକୁ ଯେତେବେଳେ ଆନ୍ଦୋଳିତ କରିଥାଏ ସେତେବେଳେ ମୁଁ ଲେଖେ।
ତାଙ୍କ ରଚନାରୁ କବିତା : ସୂତ୍ର
ଜୀବନ ଖୁବ୍ ରୋମାଞ୍ଚକର
ଖାଲି ଯାହା
ଦୁଃଖ ଦେଉଥିବା ମଣିଷକୁ ଜୀବନରୁ ଦୂରେଇ ଦେଲେ ଗଲା ।
ଓଠର ହସ ଖୁବ୍ ସୁନ୍ଦର
ଖାଲି ଯାହା
ଲୁହ ଦେଉଥିବା କାରଣକୁ ମନରୁ ଭୁଲେଇ ଦେଲେ ହେଲା ।
ସ୍ବପ୍ନ ଖୁବ୍ ଚମତ୍କାର
ଖାଲି ଯାହା
ନିଦରେ ଆସୁଥିବା ଚରିତ୍ର ମାନଙ୍କୁ ଟିକେ ପରଖି ନେଲେ ହେଲା ।
ଅପେକ୍ଷା ଖୁବ୍ ସହଜ
ଖାଲି ଯାହା
ଅପେକ୍ଷା କରାଉଥିବା ମଣିଷ ପ୍ରତି ମାେହ ନଥିଲେ ହେଲା ।
ବଞ୍ଚିବାର ସୂତ୍ର ଖୁବ୍ ସରଳ
ଖାଲି ଯାହା
ଯନ୍ତ୍ରଣା ଭିତରୁ ଜୀବନକୁ ବାଛି ପାରିଲେ ହେଲା ।
Comments are closed.