Latest Odisha News

ଭାଷା-ସାହିତ୍ୟ ମୋ ପାଇଁ ଜୀବନ ସଦୃଶ : ତେଜସ୍ଵିନୀ ସାମଲ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ତେଜସ୍ଵିନୀ ସାମଲ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ତେଜସ୍ଵିନୀ ସାମଲଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ସାହିତ୍ୟ ପ୍ରେମରେ କେବେଠୁ ପଡିଲି ଏହା ମୋ ପାଇଁ ଏକ କଠିନ ପ୍ରଶ୍ନ। ଲେଖିବାର ସେମିତି କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ମୋ ଭାଷା ସାହିତ୍ୟକୁ ମୁଁ ଭଲ ପାଏ। ତାହା ମୋ ପାଇଁ ଜୀବନ ସଦୃଶ । ସବୁଠାରୁ ବଡ଼ କଥା ମୁଁ ଓଡ଼ିଆ ଭାଷା ସାହିତ୍ୟର ଜଣେ ଗବେଷିକା ତଥା ଅଧ୍ୟାପିକା । ମୋ ମନର ଅବ୍ୟକ୍ତ ଯନ୍ତ୍ରଣା, ଦୁଃଖ, ଆବେଗ ଓ ଖୁସି ସହ ବାସ୍ତବ ଜୀବନର ଘଟଣା ଅନୁଭୂତି ,ଉପଲବ୍ଧି ସବୁକୁ ଶବ୍ଦ ମାଧ୍ୟମରେ କଲମ ମୁନରେ ଉତାରି ଦେବାରେ ହିଁ ମୋର ଆନନ୍ଦ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ପ୍ରକୃତରେ ଅନେକ ଲେଖକ ଲେଖିକାଙ୍କ ସୃଷ୍ଟି ସର୍ଜନା ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଅଛି। ଯୁକ୍ତ ତିନି ପରେ ପରେ ରେଭେନ୍ସାରେ ପଢିବା ସମୟରେ ମୋର ବନ୍ଧୁମାନଙ୍କ ଲେଖା ପଢିଥିଲି ହୃଦୟକୁ ଛୁଇଁଥିଲା। ପରେ ପରେ ପରିବାର ଓ ସାଙ୍ଗସାଥୀଙ୍କ ଉତ୍ସାହରେ କବିତା ଗଳ୍ପ ଲେଖିବା ପାଇଁ ପ୍ରେରଣା ପାଇଥିଲି।ଏହାପରେ କ୍ରମାଗତ ଭାବରେ ଲେଖିବା ପାଇଁ ଆଗ୍ରହୀ ହେଲି।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୁଁ ପ୍ରଥମ କବିତା ‘ଖରା’ ଲେଖିଥିଲି। ପରେ ପରେ ‘ନାରୀ: କିଛି କଥା କିଛି ବ୍ୟଥା’ ପ୍ରକାଶିତ ହୋଇଥିଲା।ଏହି ଲେଖାଟି ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥିଲା ଯାହା ଦ୍ୱାରା ମୋର ଲେଖିବାର ନିଶା ଦ୍ଵିଗୁଣିତ ହୋଇଥିଲା। ସେବେଠୁ ମୋ ଚେଷ୍ଟା ଓ ସାଧନା ଜାରି ରଖିଛି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ ହେଉ ଅବା କଵିତା କିଛି ନୂତନତ୍ବ ରଖିବା ପାଇଁ ମୁଁ ଉଦ୍ୟମ କରେ‌। ସମାଜର ଚିରାଚରିତ ଘଟଣାବଳୀ ସହ ଭାଷା ପ୍ରୀତିର ବାର୍ତ୍ତା ରହିଛି ମୋର ଅଧିକାଂଶ କବିତାରେ। ଏହା ସହ ଯାହା ହୃଦୟକୁ ଛୁଇଁବା ଭଳି ହେଉଥିବ ତାହା ହିଁ ମୋର ଲେଖକୀୟ ବାର୍ତ୍ତା।

ତାଙ୍କ ରଚନାରୁ କବିତା : ନାରୀ

ଛୋଟିଆ ଶବ୍ଦଟିଏ ହେଲେ ବି
କେଡେ ସେ ବିରାଟ
ମହକାଇ ଦିଏ ସବୁଠି ହସର ଫୁଲ
କେବେ ସାଜେ ଅର୍ଦ୍ଧାଙ୍ଗିନି କେବେ
ସାଜେ ଝିଅ
କେବେ ପୁଣି ସାଜେ ଗେହ୍ଲୀ ଭଉଣୀ
ସେ ଭାଇର
ପ୍ରେମ ମନ୍ଦିରେ ଜାଳୁଥାଏ ସଦା
ଅଲିଭା ଦୀପ ।

ଉଜୁଡିଯାଇଥିବା ସଂସାରକୁ
ସଜାଡିବାରେ ବ୍ୟସ୍ତ
ନିଜେ ଜଳିଜଳି ଅନ୍ୟକୁ
ଦେଖାଏ ଆଲୋକ
ଆରମ୍ଭରୁ ଶେଷ ଯାଏ ତା’ର
ଗୋଟାଏ ରାସ୍ତା
ଅନ୍ୟର ଜୀବନକୁ ମହକେଇ
ଦେବା।

ସମସ୍ତ କୋଳାହଳ ଭିତରେ
ପାଲଟିଯାଏ ସ୍ତବ୍ଧ
ଶିଖା ପରି ଜଳିଚାଲେ ସାକ୍ଷୀ
ଯୁଗ ଯୁଗ ଇତିହାସ
ଶତାବ୍ଦୀର ଶ୍ରେଷ୍ଠଫୁଲ ପରି
ଥାଏ ମୁକୁଳିତ
ସଭିଙ୍କ ହୃଦୟ ଜିଣିବାକୁ ଯାଇ
ହୁଏ ନିହତ ।

କେତେବେଳେ କାମନାର
ଦାବାଗ୍ନିରେ ହୋଇଯାଏ ଶେଷ
ନିହତ ହୋଇ ଦେହ ହୁଏ
ତାର ଦାହ
ଵିସ୍ତୀର୍ଣ୍ଣ ପ୍ରାନ୍ତର ଶୂନ୍ୟତା ଭରା
ପଥରେ କରେ ବିଳାପ
ଇଚ୍ଛା ସବୁ ଚାପିରଖି ପାଲଟିଯାଏ
ନିସ୍ତେଜ ।

ଅନ୍ଧାରର ପ୍ରତିରୂପ ପରି
ହୋଇଯାଏ ନିର୍ଲିପ୍ତ
ନିୟତିର ସ୍ପଟିକମାଳ ସାଜି
ପାଲଟେ ବେଗହୀନ ବିଜୟୀ ଵୀର
ମୃତ୍ୟୃପରି ତା ଜୀବନ ଲମ୍ବିଥାଏ
ସରଳରେଖାର
ନୂତନ ସମ୍ଭାବନା ସହଯୋଗରେ
କରିଚାଲେ କର୍ତ୍ତବ୍ୟ ।

ଅସର୍ତକ ନଈରେ ନାଆ ପାଲଟେ
ଆତ୍ମା ତା’ର
ନୁହେଁ ପକ୍ଷୀ ଅବା ନୁହେଁ ପାଷାଣ
ପଵନର ଧୁଆଁଣିଆ ଇସ୍ତାହାର
ପରି ତା ଗତିବେଗ
ଦିଗନ୍ତ ଆବୋରି ସ୍ମୃତିସବୁ ସଂଚାରି
ଦିଏ ଆୟୁ କାଳ

ଆକାଶ ପରି ନିର୍ବାକ ଓ ନିସ୍ତବ୍ଧ
ନିସ୍ତେଜ
ଭୂମି ପରି ହୋଇଯାଏ ସହନଶୀଳ
ବୀରଙ୍ଗନା ରୂପେ ଧରାରେ ନିଏ
ଜନମ
ହେଲେ ଏ ସମାଜ ତାକୁ ବାରଙ୍ଗନା
ସଜାଇବାରେ ରହେ ବ୍ୟସ୍ତ
ତଥାପି ଚଉରାମୂଳେ ପ୍ରଣତି
ଢାଳେ ଜାଳି ସଞ୍ଜ ଦୀପ
ଚରମ ମୂହୁର୍ତ୍ତର ଇଛାସବୁ
କରିବାକୁ ପୂର୍ଣ୍ଣ
ଦୁନିଆ ସାଜିଲେ ସାଜୁ ଯେତେ ପାଷାଣ ନିର୍ମମ
ବର୍ଷ ବର୍ଷ ଯାଏ ତା’ର ନାମ ରହିବ ଅକ୍ଷୁର୍ଣ୍ଣ ।

Comments are closed.