ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରସେନଜିତ ସେଠୀଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ପିଲା ଦିନୁ ସାହିତ୍ୟ ସର୍ଜନା ପ୍ରତି ଇଚ୍ଛା ସୃଷ୍ଟି ହୋଇଥିଲା । ସାହିତ୍ୟ ବହିରେ ଥିବା କବିତା ଗୁଡ଼ିକୁ ମନେ ରଖିବାକୁ ଭଲ ଲାଗୁଥିଲା । ଅନେକ ସମୟରେ ବାପା କବିତା ଲେଖିବା ପାଇଁ ପ୍ରେରଣା ଦେଉଥିଲେ । ବାପାଙ୍କର ଇଚ୍ଛା ଓ ସାହିତ୍ୟର ମାଧୁର୍ଯ୍ୟରେ ଅନୁପ୍ରାଣିତ ହୋଇ ସାହିତ୍ୟ ସର୍ଜନା ପ୍ରତି ଆଗ୍ରହୀ ହେଲି ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ସର୍ବ ପ୍ରଥମେ “ଉଦ୍ଦେଶ୍ୟ” ଶୀର୍ଷକରେ ଏକ କ୍ଷୁଦ୍ର କବିତା, କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କବିତାଟି ସୋସିଆଲ ମିଡ଼ିଆରେ ଅନେକ ସାଥିଙ୍କଠାରୁ ପ୍ରଶଂସା ଓ ଭଲ ପାଇବା ସାଉଁଟି ପାରିଥିଲା ଏବଂ ମୋତେ ଅଧିକ ଲେଖିବା ପାଇଁ ଉତ୍ସାହିତ କରିଥିଲା ।
ଗଳ୍ପ ଓ କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ଗଳ୍ପ ଓ କବିତା ମାଧ୍ୟମରେ ମୋ ନିଜ ଜୀବନରେ ଓ ଆମ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଅନୁଶୀଳନ କରିବାକୁ ଚେଷ୍ଟା କରିଥାଏ ।
ସଜ ସଜ ମୌସୁମୀର ଆଗମନ ହୋଇଥାଏ। ପ୍ରଚଣ୍ଡ ଉତ୍ତାପରୁ ସାମାନ୍ୟ ମୁକ୍ତି ମିଳିଥାଏ। ଶୀତଳ ଦକ୍ଷିଣା ପବନର ସ୍ପର୍ଶରେ ଆଖିରେ ନିଦ ମାଡ଼ି ଆସୁଥାଏ। ସବୁଦିନ ପରି ବିଜୟ ବାବୁ ଆଇ.ଆଇ.ସି ଚୌକିରେ ବସି ମାନସ ମନ୍ଥନ କରୁଥାନ୍ତି। ଜମିବାଡ଼ି ବିବାଦକୁ ନେଇ ନିଜ ବଡ଼ ଭାଇ ସହ ସକାଳେ ବହୁତ୍ ବାକ ବିତଣ୍ଡା ହୋଇ ଯାଇଥାଏ। ଖାକି ପୋଷାକର କ୍ଷମତା ପ୍ରଚୁର ହୋଇଥିଲେ ମଧ୍ୟ ଲୋକଲଜ୍ୟାକୁ ଆଖିରେ ରଖି ବଡ଼ ଭାଇ ଉପରେ ସେ ତାହା ପ୍ରୟୋଗ କରିବାରୁ ବିରତ ରହିଛନ୍ତି।
ସେସବୁକୁ ମନରୁ କାଢ଼ି ଶୀତଳ ପବନର ଆନନ୍ଦକୁ ଆପଣାଇ ଚୌକି ଉପରେ ଘୁମାଇବାକୁ ଲାଗିଲେ ବିଜୟ ବାବୁ। ନିଦ ଗାଢ଼ ହୋଇ ଆସୁଥାଏ। ଅଜଣା ସ୍ୱପ୍ନ ରାଇଜରେ ହଜି ଯାଉଥାନ୍ତି ସେ। ବହୁତ୍ ଦିନ ପରେ ଏଭଳି ନିଦ ହୋଇଛି, ନହେଲେ ପୁଲିସ୍ ଚାକିରୀରେ କାଇଁ କେବେ ନିଃଶ୍ୱାସ ନେବାକୁ ସମୟ ମିଳେ ଯେ!!
ଥାନାର ଅନ୍ୟ କର୍ମଚାରୀମାନଙ୍କର କୋଳାହଳ ବିଜୟ ବାବୁଙ୍କ ନିଦରେ ବ୍ୟାଘାତ ସୃଷ୍ଟି କଲା। ତଥାପି ସେ ଜାଣିଶୁଣି ଶୋଇ ରହିବାକୁ ପ୍ରୟାସ କଲେ। ଧିରେ ଧିରେ ଥାନା ପରିସର ଆହୁରି ଅଶାନ୍ତ ହେବାକୁ ଲାଗିଲା। ବିଜୟ ବାବୁ ବାଧ୍ୟ ହୋଇ ପରିସ୍ଥିତି ବିଷୟରେ ଜାଣିବାକୁ ନିଜ ଚାମ୍ବର୍ ରୁ ବାହାରକୁ ଆସିଲେ।
“କଣ ହେଇଛି କିରେ? ଏଠି କାହିଁ ସବୁ ଏମିତି ହାଉ ହାଉ ହେଉଛ। ସେଟା କିଏ? ସେ କାହିଁକି ଆସିଛି ଏଠାକୁ?”
“ସାର୍ ମୁଁ ସନ୍ତୋଷ କୁମାର। ମୋ ଘର ଶୋଭା ଗ୍ରାମରେ। ମୁଁ ମୋ ବଡ଼ ଭାଇକୁ ହତ୍ୟା କଲି। ଏବେ ଆସିଛି ସରେଣ୍ଡର କରିବାକୁ।”
“ଆବେ ଏଟା ଭଦ୍ର ଅପରାଧୀଟା ବେ। ଧରିକି ତାକୁ ହାଜତରେ ପୁରା। ଦାସ ବାବୁ ତମେ ଯାଅ ତା ଭାଇର ଶବଟା ଜବତ କରି ବ୍ୟବଛେଦ ପାଇଁ ପଠେଇବ। ମୁଁ ଥାନାରେ ତା କଥା ବୁଝୁଛି।”
” ତୋ ଭାଇକୁ କାହିଁକି ମାରିଲୁ କିରେ? ଆଉ ଏମିତି ଆପଣାଛାଏଁ କାହିଁକି ସରେଣ୍ଡର କଲୁ? ତୁ ଚାହିଁଥିଲେ ଖସି ଯାଇଥାନ୍ତୁ।”
” ଭାଇ ସାଙ୍ଗରେ ମୋର ପାଟି ତୁଣ୍ଡ ହେଉଥିଲା। ମୁଁ ରାଗିକି ତାକୁ ମାରିଦେଲି।”
“ତୋ ଘରେ ଆଉ କିଏ କିଏ ଅଛନ୍ତି? ତୁ ପେଟ ପୋଷିବା ପାଇଁ କଣ କରୁ?”
” ମୋ ଘରେ ଆଉ କେହି ନାହାଁନ୍ତି ସାର୍। ଆମେ ଦୁଇ ଭାଇ ମିଶି ଛୋଟ ଦୋକାନଟିଏ କରିଥିଲୁ। ଭାଇକୁ ତ ମାରିଦେଲି। ଏବେ ମୁଁ ଏକୁଟିଆ।” କଏଦୀ କାନ୍ଦିବାକୁ ଲାଗିଲା।
“ନିଜେ ତ ଭାଇକୁ ମାରିଦେଲୁ, ଏବେ ଆଉ କାନ୍ଦିଲେ କଣ ହେବ? କେମିତି ମାରିଲୁ ତୋ ଭାଇକୁ?”
“ତାକୁ ଠେଲିକି ତଳେ ପକେଇ ଦେଲି, ତା ମୁହଁରେ ତକିଆ ଥୋଇ ଅଣନିଃଶ୍ୱାସ କରି ମାରିଦେଲି।”
“ଯାହା କଲୁ ତ କଲୁ। ଏଥର କୋର୍ଟ ଫରୱାର୍ଡ ହେବୁ। ଜେଲ୍ ରେ ଚକି ପେଶିବୁ। ଭଲ ମଜା ବାହାରିବ। ଆରେ ଆକୁ ବାନ୍ଧି ପକା। ଅତି ଦୁର୍ଦ୍ଦାନ୍ତ ଅଛି। କେତେବେଳେ ଯଦି ମୁଡ଼ ବଦଳିଗଲା ଖସିଯିବ, ଆମେ ଅଯଥା ହଇରାଣ ହେବା।”
ଅପରାଧୀଟି ସୁନା ପିଲା ଭଳି ହାଜତ୍ ଭିତରକୁ ଚାଲିଗଲା। ତା ଭିତରେ ଚୁପ୍ ଚାପ୍ ବସି ରହିଲା। ଦାସ ବାବୁ ନିଜ ଟିମ୍ ସହିତ ଆସି ପହଞ୍ଚିଲେ।
“ସାର୍ ଡେଡ୍ ବଡ଼ିଟା ଜବତ କରି ପୋଷ୍ଟ ମର୍ଟମ୍ ପାଇଁ ପଠେଇ ଦେଇଛି। ସନ୍ଧ୍ୟା ବେଳକୁ ରିପୋର୍ଟ୍ ଆସିଯିବ।”
“ଠିକ୍ ଅଛି। ୱେଲ୍ ଡନ୍। ରିପୋର୍ଟ୍ ଟା ଆସିଲେ ଅପରାଧୀକୁ କୋର୍ଟ ଚାଲାଣ କରିଦେବା। ତା ଉପରେ କଡ଼ା ନଜର ରଖିଥାଅ, ଯେମିତି ଖସି ନଯାଏ।”
ସନ୍ଧ୍ୟା ବେଳକୁ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସି ପହଞ୍ଚିଲା। ବିଜୟ ବାବୁ ରିପୋର୍ଟ୍ ଦେଖି ଆଚମ୍ବିତ। ରିପୋର୍ଟ୍ ଆସିଥାଏ ନର୍ମାଲ ଡେଥ। ରୋଗୀର ବ୍ରେନ୍ ଟ୍ୟୁମର ଥିଲା। ସେଥିପାଇଁ ତାର ମୃତ୍ୟୁ ହୋଇଛି। ଏକ ବିଷମ ପରିସ୍ଥିତିରେ ପଡିଗଲେ ବିଜୟ ବାବୁ। ଅପରାଧୀକୁ କୋର୍ଟ ଚାଲାଣ କଲେ ଏଭିଡେନ୍ସ କଣ ଦେବେ। ପୋଷ୍ଟ ମର୍ଟମ୍ ରେ ତ ନର୍ମାଲ ଡେଥ ହୋଇଛି। ଅପରାଧୀ ବି ନିଜେ ନିଜେ ଆସି ସରେଣ୍ଡର କରିଛି। କଣ କରାଯିବ। ଘଟଣା କଣ ଜାଣିବା ପାଇଁ ଅପରାଧୀକୁ ଇଣ୍ଟେରୋଗେସନ୍ ଚାମ୍ବରକୁ ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଲେ।
ଅପରାଧୀଟି ଅତି ବିନମ୍ରତାର ସହିତ ଆସି ବସିଲା। ବିଜୟ ବାବୁଙ୍କୁ ଦେଖି ନମସ୍କାର କଲା।
” ଦାସ ବାବୁ ତା ହାତକଡ଼ି ଖୋଲିଦିଅ। ତାକୁ ଖଲାସ କରିଦିଅ। ସେ ଯାଉ ତା ଘରକୁ।”
“ନାହିଁ ଆଜ୍ଞା। ମୁଁ ମୋ ଭାଇକୁ ମାରିଛି। ମୁଁ ଜଣେ ଅପରାଧୀ। ମୋତେ ଦଣ୍ଡ ଦିଅନ୍ତୁ। ମୋତେ ଜେଲ୍ ପଠାଇ ଦିଅନ୍ତୁ।”
“ଆମେ କଣ ତୋ ଚାକର କିରେ। ତୁ କହିବୁ ଆଉ ଆମେ ତୋତେ ପଠେଇ ଦେବୁ। ଯାଆ ଭଲରେ ଭଲରେ ଏଠୁ ପଳା। ଅଯଥା ଆମ ସମୟ ନଷ୍ଟ କରନା।”
ଆଇ.ଆଇ.ସିଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଅପରାଧୀଟି କୁଆଡ଼େ ବି ଗଲା ନାହିଁ। ବେଡ଼ିମୁକ୍ତ ହୋଇ ସାରିଥିଲେ ବି ସୁନାପିଲା ଭଳି ସେମିତି ବସି ରହିଲା।
ବିଜୟ ବାବୁ ଉତ୍ତେଜିତ ହୋଇ ତାକୁ ଦୁଇ ପାହାର ବସେଇଲେ। ମାଡ଼ର କୋପ ସହି ନପାରି ସେ ଚିଲାଇବାକୁ ଲାଗିଲା।
“ଯିବୁ ନା ଆହୁରି ପାହାର ବସେଇବି?”
“ମୁଁ ଦୋଷୀ ଆଜ୍ଞା। ଆପଣ ପୁଲିସ୍ ହେଇ ଜଣେ ଦୋଷୀକୁ ଏମିତି କେମିତି ଛାଡ଼ି ପାରିବେ?”
“ତୁ କହୁଚୁ ଦୋଷୀ ବୋଲି। ହେଲେ ଏ ପୋଷ୍ଟ ମର୍ଟମ୍ ରିପୋର୍ଟ କହୁଛି ତୋ ଭାଇର ନର୍ମାଲ ଡେଥ ହୋଇଛି ବୋଲି। ସତ କହ ଘଟଣା କଣ, ନହେଲେ ବଜେଇବି ପାହାର।”
ବିଚରା ଅପରାଧିଟି ନିରୀହ ହରିଣୀଟିଏ ବାଘ ଆଗରେ ସମର୍ପଣ କଲା ଭଳି ଆଇ.ଆଇ.ସିଙ୍କ ପାଦ ଧରି ତଳେ ଗଡ଼ିଯାଇ କାନ୍ଦ କାନ୍ଦ ସ୍ଵରରେ କହିବାକୁ ଲାଗିଲା।
” ମୋର ମୋ ଭାଇ ଛଡ଼ା ଏ ଦୁନିଆରେ କେହି ନଥିଲେ ଆଜ୍ଞା। ଦୁଇ ଭାଇ ମିଶି ଯାହା ତାହା କରି ପେଟ ପୋଷୁଥିଲୁ। ହେଲେ ଏଇ କିଛି ବର୍ଷ ହେବ ଭାଇର ଦେହ ଖରାପ୍ ହେବାକୁ ଲାଗିଲା। ଭାଇକୁ ଠିକ୍ କରିବା ପାଇଁ ଯାହା ବି ସଞ୍ଚୟ ରାଶି ଥିଲା, ସବୁ ଖର୍ଚ୍ଚ ହେଇଗଲା। ଭାଇ ଆଉ ବଞ୍ଚିବାର କୌଣସି ସମ୍ଭାବନା ନଥିଲା। ଭାଇକୁ ଦେଖାଶୁଣା କରୁ କରୁ ନିଜେ ବି କିଛି କାମ ଧନ୍ଦା କରି ପାରିଲିନି। ଚିକିତ୍ସା ଅଭାବରୁ ଭାଇ କାଲି ରାତିରେ ମରିଗଲା। ମୋର ସବୁ କିଛି ସରିଗଲା ଭାଇକୁ ଶୁଦ୍ଧି ହେବା ପାଇଁ ବି ମୋ ପାଖରେ ପଇସା ନଥିଲା। ତେଣୁ ହଠାତ୍ ମୋ ମୁଣ୍ଡରେ ପଶିଲା ପୋଲିସ୍ ପାଖରେ ସରେଣ୍ଡର କରିବା ପାଇଁ। ଜେଲ୍ ଗଲେ ଅତି କମ୍ ରେ ଦୁଇ ତିନି ବର୍ଷ ପେଟକୁ ଗଣ୍ଡେ ଦାନା ମିଳିବ ତ!! ସେଇ ଆଶାରେ ସରେଣ୍ଡର କରିଥିଲି। ହେଲେ ପୋଷ୍ଟ ମର୍ଟମ୍ ରିପୋର୍ଟଟା ସବୁ ଭଣ୍ଡୁର କରିଦେଲା! ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଆଜ୍ଞା। ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।”
ଆଇ.ଆଇ.ସି ସବୁ ଶୁଣି ସାରିଲା ପରେ ତାଙ୍କ ହୃଦୟରେ ଏକ ଅହେତୁକ କୋହ ଉଠି ଆସୁଥାଏ। ପେଟର ଭୋକ ଯେ ମଣିଷକୁ କଣ ନାହିଁ କଣ କରିବାକୁ ବାଧ୍ୟ କରେ ତାହା ସେ ଅନୁଭବ କରି ପାରୁଥାନ୍ତି।।
Comments are closed.