Latest Odisha News

ସାହିତ୍ୟ ମତେ ଅହରହ ଆବେଗ ସିକ୍ତ କରେ : ଶିବାନନ୍ଦ ବାରିକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଶିବାନନ୍ଦ ବାରିକଙ୍କ ସହ ‘ସ୍ୱଳ୍ପ ଆଳାପ’

୧. ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ଉତ୍ତର – ପୃଥିବୀର ଅର୍ଦ୍ଧାଧିକ ଅବୟବ ସର୍ଜନା ଭିନ୍ନ ଅନ୍ୟ କିଛି ବୋଲି ମୁଁ ବିଶ୍ବାସ କରେନି। ଧୂଳିଝଡ଼ରୁ ବଳି ପଡ଼ିଥିବା ମୁଠାଏ ମାଟି ମତେ ଅହରହ ଜଡେଇ ଧରେ ମୁହୁଃର୍ମୁହୁ ଜଡ଼ସଡ଼ କରୁଥାଏ କାହାର ଗୋଟେ ମୃଦୁ ଆଘାତରେ। ନୀଳ ସାଗରର ଅସରନ୍ତି ଢେଉ ମୋତେ ଶୋଷିଲା କରନ୍ତି। ମୁଁହ ସଞ୍ଜରେ ଖୋଲା ଆକାଶରେ ମିଞ୍ଜି ମିଞ୍ଜି ତାରାମାନେ ମତେ ଠାର ଦିଅନ୍ତି। ବାଳକୋନିର ସିମେଣ୍ଟ ଧାର ଉପରେ ଠାଇଁ କରି ଖସି ପଡ଼ୁଥିବା କାକର ମୁକ୍ତା ଖଣ୍ଡରେ ଭାଗ ହୋଇ ମୋ ଦେହରେ ଛିଟିକି ପଡ଼ି ମୋତେ କ୍ରିୟାଶୀଳ କରନ୍ତି। ପ୍ରଥମ ଯୌବନରେ ହଷ୍ଟେଲରୁ ଗୋଟେଇ ଆଣିଥିବା ଦିନ ଗୁଡ଼ିକ ଏବେ ବି କଳା ଧଳା ଡାଏରୀର କେଉଁ ଏକ ପୃଷ୍ଠାରୁ ରାତି ବଢ଼ିଲେ ତ୍ରାହି ତ୍ରାହି ଡାକନ୍ତି, ଯାହା କବଳରୁ ନିଜକୁ ରକ୍ଷା କରି ନପାରି ଶେଷ ପୃଷ୍ଠା ଆଡ଼କୁ ସମୁଦ୍ରେ ଲୁହ ଧରି ହଳେ ଆଖି ମୋ ବସାକୁ ଫେରନ୍ତି ଅଥଚ ପରଦିନ ସକାଳୁ ସବୁ ସ୍ବପ୍ନ କିନ୍ତୁ ଅଭିଶାପ ପାଇ ଭସ୍ମ ହେଇଯାଆନ୍ତି। ଷ୍ଟେସନ ଭିତରେ ଅପର୍ଯ୍ୟାପ୍ତ ଭିଡ଼ରେ କୋଳାହଳ ତୀବ୍ର ଅଥଚ ଛାତି ତଳେ ମରୁଭୂମିର ବିସ୍ତୀର୍ଣ୍ଣ ଇଲାକାରେ ରୁଗ୍ ରୁଗ୍ କେହି ଜଣେ ଖୁବ୍ ଏକଲା ଖୁବ୍ ନିରୀହ। ଏମିତି କେତେ କଣ ଯାହା ମୁଁ ଭୋଗିପାରେ ଅଥଚ ଅତୃପ୍ତ ମନକୁ ସନ୍ତୁଷ୍ଟ କରିପାରେନି, ସେତେବେଳେ ଉଠେ କଲମ। କ୍ଷତାକ୍ତ ଆବେଗ ଉପରେ ସାଜନ୍ତି ମଲମ। ଅଜାଣତେ ମୋ କଷ୍ଟ ମୋ ଗପ ମୋ କାହାଣୀ ଯେ ପୃଥିବୀର ହଜାରେ ଜୀବନ ସହ ଅଳ୍ପ ବହୁତ ମେଳ ଖାଇଯାଏ। ଏମିତି ବ୍ୟାପାର ବୋଧେ ନିଜକୁ ଚିହ୍ନିବାର ବୟସରୁ ସମାନ୍ତରାଳ ଭାବେ ମୋ ଅଲକ୍ଷ୍ୟରେ ଗତିଶୀଳ , ଏଣୁ କହି ପାରିବି କଞ୍ଚା ବୟସରୁ କଲେଜ ଆଉ ସାହିତ୍ୟ ମୋତେ କବଳିତ କରିଛନ୍ତି।

୨. ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରଭାବିତ କରିଥିଲା ?

କଲେଜରେ ପାଠ ପଢିଲା ବେଳେ ଦିନେ ଡିସେମ୍ବର ଅପରାହ୍ନରେ ନୋଟିସ୍ ବୋର୍ଡ ଉପରୁ ଛୁଟି ତାଲିକା ଖୋଜୁ ଖୋଜୁ ହଠାତ୍ ଛୁଟି ନୋଟିସ୍ ଉପରକୁ ଲାଗିଥିବା କବିତା ଆଉ ସୁନ୍ଦର ପାସପୋର୍ଟ ଆକାରର ଫୋଟୋଟି ଉପରେ ଆଖି ପଡ଼ିବାରୁ ଅଲଗା ଶିହରଣ ଖେଳି ଯାଇଥିଲା । କୌଣସି ସାଧାରଣ ନୁହେଁ ବରଂ ମୁଁ ବି ଜଣେ କବି ଏଇ ଭାବନା ମୋତେ ଦୀର୍ଘ ଦିନଧରି ଆଚ୍ଛନ୍ନ କରି ରଖିଥିଲା। ନୋଟିସ କାନ୍ଥରେ ଲାଗିଥିଲା ମୋର ପ୍ରଥମ କବିତା ” ଗାଆଁ ମୋର ସରଗପୁର”। ସେତେବେଳେ କଲେଜ ମାଗାଜିନରେ ପ୍ରଥମ କରି ପ୍ରକାଶ ପାଇଥିବା ମୋର କବିତା ନିର୍ବାଚିତ କବିତା ଭିତରେ ସ୍ଥାନ ପାଇଥିଲା ବୋଲି ଯେଉଁ ଖୁସି କହିଲେ ନସରେ। ତାହା ହିଁ ପରବର୍ତ୍ତୀ କାଳରେ ମୋତେ ଖୁବ୍ ପ୍ରେରଣା ଦେଇଛି। କ୍ରମରେ ମୋ ବୋଉ ହେଉଛି ମୋର ପ୍ରଥମ ପାଠକ। ବଢିଆ ତ ଲେଖୁଛୁ। ଆହୁରି ଲେଖ,,, ଏଇ ଧାଡ଼ି କେତୋଟି ହିଁ ମୋ ଭିତରେ ସାହିତ୍ୟ ପ୍ରତି ଏକ ଆକର୍ଷଣ ସୃଷ୍ଟି କରିଥିଲା।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଉତ୍ତର – ସର୍ଜନାର ବଳୟ ଏକଠୁ ଆରେକ ଭିନ୍ନ ଓ ଏହାର ପରିସର ସ୍ଵତନ୍ତ୍ର। ସାଧାରଣ ଫଳ ବିକାଳୀ, ଆକାଶରେ ଦିଗହରା ହୋଇ ଉଡ଼ି ବୁଲୁଥିବା ଚଢ଼େଇ, ତାଗିତର ଗନ୍ତାଘର ମୋ ବୁଢୀ ମା, ଆମ ମାଟି ଅଗଣାକୁ ଦୁଇଫାଳ କରି ଆକାଶକୁ ଛୁଇଥିବା ଶୀତଦିନିଆ କଖାରୁ ଲତା, ଖୁବ୍ ଅଗ୍ରେଶିଭ୍ ଆମ ଗଣିତ ଲେକ୍ଚର, ପୁଣି କେବେ ନିଜ ଭିତରକୁ ଉଙ୍କି ଦେଇ ଅଣ୍ଡାଳି ପାଉଥିବା ମୋତେ ମୋ ନିଜକୁ ମୋ ଇତିହାସକୁ , ଆଖିରେ ଜକେଇ ଆସୁଥିବା ଗୋଟେ ଖରାପ ପ୍ରେମର କରୁଣ ପରିଣତି, ସାଧାରଣ ପରିବାରର କଥା, ସାମାଜିକ ଚଳନିର ନିଷ୍ଠୁର ଉପସଂହାର, ଭୋଦେଇର ଖରା ଖିଆ ମୋ ନନାଙ୍କ କଳା ମଚ ମଚ ପିଠି, ସାତ ସିଆଁ ମୋ ବୋଉର ପଣତ କାନିରେ ବନ୍ଧା ମୁଗ ଭଜା ଏମିତି ଅନେକ ଚରିତ୍ର ଘଟଣାବଳୀ ଯାହା ମୋତେ ଆନ୍ଦୋଳିତ କରେ ଅହରହ ଆବେଗ ସିକ୍ତ କରେ ଆଉ ଚବିଶ ବର୍ଷର ଦେହ ମିନାରକୁ ଝିଙ୍କି ବିଦାରି ପକାଏ ସେସବୁ ହିଁ ହୁଅନ୍ତି ମୋ ଗଳ୍ପ ଆଉ କବିତାର ବୁନିୟାଦ । ସାହିତ୍ୟ ଏକ ବଳିଷ୍ଠ ସାଧନା । ଅସମ୍ଭବ ଅନେକକୁ ସମ୍ଭବର ଇତରତାରେ ପରିଣତ କରିପାରିବାର ଯାଦୁମନ୍ତ୍ର। ସମାନ୍ତରାଳ ଭାବେ ସାହିତ୍ୟ ହିଁ ମାନବ ସମାଜର ଉତ୍ଥାନ ଓ ପତ୍ତନର ମୁକସାକ୍ଷୀ ପୁନଶ୍ଟ ପର ପୀଢ଼ିକୁ ସଞ୍ଚରଣ କରିବାର ମାଧ୍ୟମ। ଜାତିର ଅସ୍ମିତା ଓ ସ୍ଥିତି ତଥା ସ୍ଥାୟୀତ୍ବ ନିର୍ଭର କରେ ସେଇ ଜାତିର ସାହିତ୍ୟ ଉପରେ।

ତାଙ୍କ ରଚନାରୁ କବିତା : ଈଶ୍ୱର

ମଧୁ ବର୍ଣ୍ଣବୋଧ ବହିରେ ପଢ଼ିଛି
ତୁମେ ଈଶ୍ୱର ତୁମେ ମୂରବୀ
ନା, ଏ ଧାଡ଼ିତକ ଲିଭେଇଦେଲି ଅନିଚ୍ଛାରେ
ତେଣୁ ମୋତେ ଘେନି ଯାଇଛ
ଦେଉଳ ଦିଅଁ ସୁମରିବାକୁ ଠାରଦେଇ
ନିଜେ କିନ୍ତୁ ଯାଚି ଦେଇଛ ସବୁତକ ବର।

ଲୁଚାଇବାକୁ ମୋ ଅସ୍ତିତ୍ବର ଧର୍ଷଣ ଦାଗ
ଦୁଇହାତ ଖୋଲିଦେଇ ତୁମେ ସାଜିଛ କୃଷ୍ଣ
ପୃଥିବୀ ଛୁଇଁଲାରୁ ଗଢ଼ିଚାଲିଛ ମୋତେ ନିରନ୍ତର
ଦଲକାଏ ମାଟି ବତୁରିଲେ
ଯୋଡ଼ିଦେଇଛ ଦିହରୁ ମାଉଁସ।

ମୋ କଳା ଅକ୍ଷରର ଦସ୍ତଖତ ତଳେ
ନିଲାମ ତୁମ ଜୀବନ ଭୂଗୋଳର ଚାରିମାଣ ସର୍ବସ୍ବ
ଗଅଁନ୍ତିଆକୁ ବିକି ଖରାଖିଆ ତୁମ ମାଟିଆ ଚଷା ପିଠି
କିଣି ଆଣିଛ ମୋ କମ୍ପାସ , କଲମ ଆଉ ଜୀବନ

ତୁମ ମେରୁ ହାଡ଼ ଉତ୍ତର ଦକ୍ଷିଣ ଆବୋରି
ବାନ୍ଧିଛି କେତେ ଦାରିଦ୍ର୍ୟର ବତାସ
ହାଡ଼ୁଆ କପାଳର ଅଙ୍କାବଙ୍କା ନଈଧାର
ମେଣ୍ଟାଇ ଦେଇଛି ମୋର ତମାମ ଶୋଷ
ଶେଜରୁ ସକାଳ ସଳଖ ଅଣ୍ଟାରେ
ସାଜିଛ ଆମ ମେରିଖୁଣ୍ଟ, ଆମ ଦୀପଦଣ୍ଡୀ

ମୁଁ ଜାଣେନା କେତେ ମଜ୍ଜା ଧରିଛି ସେ ମେରୁ,
କେତେ ବନ୍ଧୁର ସେ ନଈର ଶେଯ
କେତେ ଗମ୍ଭୀର ସେ ବତାସର କୋପ
କେତେ ଶକ୍ତ ସେ ମେରିଖୁଣ୍ଟର ପବ
କେତେ ବିରାଟ ସେ ପେଜୁଆ ଆଖିର ସପନ
ମୁଁ କିନ୍ତୁ ପ୍ରତିଥର ଭୋଗୁଥାଏ ମୋ ଈଶ୍ୱର
ହାଡକୁ ହିଡ଼ କରି ଏ ଜୀବନ କ୍ଷେତରେ
ଥରେ ନୁହେଁ, ଶହଶହ ଥର।।

କବିସୂର୍ଯ୍ୟନଗର ଗଞ୍ଜାମ
୭୯୭୮୦୩୧୪୩୪

 

 

Comments are closed.