ଓଡ଼ିଆ ସାହିତ୍ୟର କବିତା , ଗଳ୍ପ ଓ ଭ୍ରମଣ କାହାଣୀ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଶ୍ବେତପଦ୍ମା ପାଢ଼ୀଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?
ସଠିକ୍ ବୟସ ତ ଆଉ ମନେ ପଡୁନାହିଁ । ଗପ ଆଉ ଜହ୍ନମାମୁଁ କାହାଣୀ ପ୍ରତି ଆଗ୍ରହ ମନରେ ଜାତ ହୋଇଥିଲା ବୋଧହୁଏ ମୋ ଆଈ ଯୋଗୁଁ । ତା’ରି ପାଖରୁ ବାଇଅସୁରୁଣୀ, ରାଜାରାଣୀ, ଭୂତ ଗପ, ରାମାୟଣ, ମହାଭାରତ ସହ ପଞ୍ଚତନ୍ତ୍ର ଗପ ଶୁଣିଶୁଣି ବଡ଼ ହେଇଛି । ସେଇ ଗପ ଭିତରେ ହସ, ଲୁହ, ଡର, ଭୟ, ଅନୁଭବ, ଦୁଃଖ, ଯନ୍ତ୍ରଣା ସହ ମଜା ମଧ୍ୟ ରହୁଥିଲା । ଆଉ ଖାସ୍ ସେଥିପାଇଁ ମୁଁ ଗପ ପ୍ରେମରେ ପଡ଼ିଲି । ସେତେବେଳେ କିନ୍ତୁ ମାମିବାପାଙ୍କୁ ମୋର ଲେଖାଲେଖି ପସନ୍ଦ ନଥିଲା । ଲୁଚିଲୁଚି ଡାଇରୀରେ ଲେଖେ । ତେଣୁ କେଉଁଠି ପ୍ରକାଶିତ କରିବାକୁ ପଠେଇ ପାରୁ ନଥିଲି । ଅଷ୍ଟମ ଶ୍ରେଣୀରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗୀତାରେ ପୁରସ୍କାର ରୂପେ ତିନୋଟି ପୁସ୍ତକ ପାଇଥିଲି । ସେଥିରେ ପ୍ରତିଭା ରାୟଙ୍କ “ଯାଜ୍ଞସେନୀ” ଉପନ୍ୟାସ ଥିଲା । ତିନିଦିନ ଧରି ଭୋକ ଶୋଷ ଭୁଲି ଲୁଚିଲୁଚି ଉପନ୍ୟାସଟି ପଢିଥିଲି । ସେବେଠାରୁ ଲେଖା ପ୍ରତି ଏମିତି ମୋହ ଆସିଲା ଯେ, ତା’ପରେ ଆଉ ପଛକୁ ଚାହିଁନାହିଁ । ବେଶୀ ଗପ, ଉପନ୍ୟାସ ଏବଂ ଏକପଦୀ ଲେଖେ । କବିତା କେତେବେଳେ କେମିତି ହୃଦୟର ନିଭୃତ କୋଣରୁ ଝରି ଆସେ ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ଉତ୍ତର :- ଘରର ପାରିପାର୍ଶ୍ବିକ ସ୍ଥିତି ପାଇଁ ଲେଖା କୋଉଠି ପ୍ରକାଶିତ କରି ପାରୁ ନଥିଲି । କିନ୍ତୁ ଇଞ୍ଜିନିୟରିଂ ପଢ଼ା ସାରିବା ପରେ ଚାକିରୀ କଲି । ସେତେବେଳେକୁ ଓଡ଼ିଆ ଲେଖା ଅଭ୍ୟାସ କମି ଯାଇଥିବାରୁ ଇଂରାଜୀରେ ମୋର କ୍ଷୁଦ୍ରଗଳ୍ପ ଇନ୍ସିଡେଣ୍ଟ ହ୍ୟାପେଣ୍ଡ ଉଇଥ ମି ୨୦୧୦ ରେ ‘ୱିମେନ୍ସ ଏରା’ରେ ପ୍ରକାଶିତ ହେଇଥିଲା । ନିଜ ଘରେ ସିନା ପ୍ରୋତ୍ସାହନ ପାଇନଥିଲି । କିନ୍ତୁ ସେ ଲେଖାଟି ପଢି ମୋ ସ୍ବାମୀ ତନ୍ମୟ ତ୍ରିପାଠୀ ମୋତେ ଲେଖିବା ପାଇଁ ପ୍ରେରିତ କରିଥିଲେ । ପରେ ପରେ ଏମିତି ଛୋଟ ଛୋଟ ଲେଖା ଇଂରାଜୀ ଓ ହିନ୍ଦୀ ପତ୍ରିକାରେ ପ୍ରକାଶିତ ହେଇଥିଲା । ମୁଁ ନିଜର ଗୋଟେ ରାଇଟିଙ୍ଗ୍ ବ୍ଲଗ୍ ମଧ୍ୟ ଆରମ୍ଭ କଲି ୨୦୧୨ ରେ । କିନ୍ତୁ କିଛି ପାରିବାରିକ କାରଣ ବଶତଃ ୨୦୧୪ ରୁ ପାଖାପାଖି ୨୦୧୮ ପର୍ଯ୍ୟନ୍ତ ଲେଖା ବହୁତ ମାତ୍ରାରେ ଶିଥିଳ ପଡ଼ି ଯାଇଥିଲା । କିନ୍ତୁ ମାଆ ସରସ୍ଵତୀଙ୍କ କୃପାରୁ ୨୦୧୯ ପରଠାରୁ ଲେଖା ନିରନ୍ତର ଭାବେ ଚାଲିଛି । କହି ପାରନ୍ତି ଯେ ଜୀବନର ସେଇ ଚାରିବର୍ଷର ଦୁଃଖ ଓ ଯନ୍ତ୍ରଣା ମୋତେ ପୁଣିଥରେ ସାହିତ୍ୟ ମନସ୍କ କରେଇ ପାରିଲା । ଆଉ ନିଜ ମାତୃଭାଷା ପ୍ରତି ଥିବା ମମତା ମୋତେ ଏଥର ଇଂରାଜୀ ବଦଳରେ ଓଡ଼ିଆରେ ଲେଖିବାରେ ପ୍ରେରିତ କରିଲା । ତା’ପରେ ବିଭିନ୍ନ ପତ୍ରପତ୍ରିକାରେ ମୋର ଅନେକ ଗଳ୍ପ ସ୍ଥାନିତ ହେଇଛି । କିନ୍ତୁ କ୍ରାନ୍ତିଧାରାରେ ପ୍ରକାଶିତ ମୋ ଗଳ୍ପ “ଦେବୀ” ଏବଂ କଥା ପତ୍ରିକାରେ ପ୍ରକାଶିତ ଅଣୁଗଳ୍ପ ଦୁଇଟି ଢେର ପାଠକୀୟ ସ୍ଵୀକୃତି ସାଉଁଟି ପାରିଥିଲା । ମୋ ଜୀବନରେ ନୀରବତା ଏକ ଅଧୁରା ଶୂନ୍ୟତା , ଯେଉଁଠି ଅକୁହା କଥା ସବୁ ଅନାୟସରେ ଶବ୍ଦ ହେଇ ଝରିଆସନ୍ତି ।।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ଉତ୍ତର :- ବହୁତ ସୁନ୍ଦର ପ୍ରଶ୍ନଟିଏ ପଚାରିଛନ୍ତି । ଏଇ ପ୍ରଶ୍ନ ମୋତେ ବହୁତ ଜଣ ପଚାରିଲେଣି । କାରଣ ମୋର ପ୍ରଥମ ଉପନ୍ୟାସ ରହସ୍ୟ ଓ ରୋମାଞ୍ଚକର ବିଷୟବସ୍ତୁ ଉପରେ ଆଧାରିତ ଥିଲା । ପ୍ରାୟତଃ ମୋର ଗଳ୍ପ ସବୁ ପରିସମାପ୍ତି ସମୟରେ ରହସ୍ୟାତ୍ମକ ମୋଡ ନେଇଥାନ୍ତି । ତେଣୁ ଜ୍ଞାନୀ ଗୁଣୀଙ୍କ ମତରେ ସାମାଜିକ ବାର୍ତ୍ତା ବହନ କରିପାରେ ନାହିଁ । ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ମୋର ଗଳ୍ପଟିଏ ପଢି ମୋର ଜଣେ ପାଠକ ପୁରୀରୁ ମୋତେ ଫୋନ୍ କରି କହିଲେ, “ଭ୍ରମ ସୃଷ୍ଟି କରୁଥିବା ଆପଣଙ୍କ କଳ୍ପନା ଯଦି ଗପ, ତେବେ ଗପଟି ସତ୍ୟ ।” ତେଣୁ ମୋ ଲିଖିତ ଗଳ୍ପ ଅର୍ଦ୍ଧସତ୍ୟର ବାର୍ତ୍ତା ବହନ କରେ । ବାକି ରହିଲା କବିତା କଥା, ମୁଁ ଯେତେବେଳେ ବହୁତ ଦୁଃଖ ଓ ଯନ୍ତ୍ରଣାରେ ଥାଏ, ସେତେବେଳେ କବିତା ଆପେଆପେ କଲମରେ ଲେଖି ହୋଇଯାଏ ।
ତାଙ୍କ ରଚନାରୁ ଗଳ୍ପ – ସଉତୁଣି
ବହୁତ ଦିନ ହେଲାଣି ତା’ ସହ ଦେଖା ହେଇ ପାରୁନି । ରାଗିଛି ବୋଧେ ମୋ ଉପରେ କିମ୍ବା ଆଉ କିଏ ମୋ ଠାରୁ ତାକୁ ବେଶୀ ଭଲ ପାଇଗଲାଣି ବୋଧେ । ସେ ତ ସବୁବେଳେ ସ୍ନେହ କାଙ୍ଗାଳୁଣୀ ଥିଲା । ପଳେଇଛି ବୋଧେ ଆଉ କୋଉ ପାଗଳ ପ୍ରେମିକ ପାଖକୁ? ହଁ, ଏତେ କଳିକାଳ ପ୍ରେମ ; ଏଠି ସବୁ ଭେଜାଲ୍ !
ନିତି ସକାଳୁ ଗେଟ୍ ଖୋଲି ଖବରକାଗଜ ଆଣିଲା ବେଳେ ତା’ ସହ ମୋର ଭେଟ ହୁଏ । ପ୍ରେମଭରା ଚାହାଣୀରେ ତାକୁ ଦେଖି ଦେଲେ, ସେ ସବୁ ଅଭିମାନ ଭୁଲି ମୋ ପାଖକୁ ଚାଲିଆସେ । ତା’ ସୁଢଳ ନୟନ ଦ୍ବୟରେ ମୋ ପାଇଁ ସବୁ ଭଲପାଇବା ଲୁଚି ରହିଥାଏ । ତା’ର ସଚ୍ଚୋଟପଣ ଓ ନିଃସ୍ୱାର୍ଥପର ଭଲ ପାଇବା ଆଗରେ ମୁଁ ସ୍ବାର୍ଥପର ଦିଶେ । ଦିନେ ଦିନେ ମୁଁ ଡେରି ରାତିରେ ଅଫିସ୍ ରୁ ଫେରେ । ରାଗ ଓ କ୍ଷୋଭରେ ସେ ଅଖିଆ ଅପିଆ ଶୋଇ ପଡ଼ିଥାଏ । ଆଉ ମୁଁ ମୋ ଅଫିସର ଅସନ୍ତୋଷ ସବୁ ତାରି ଉପରେ ପରିପ୍ରକାଶ କରିଦିଏ । କିନ୍ତୁ ସେ ଥରୁଟିଏ ବି ପ୍ରତିବାଦ କରେ ନାହିଁ । ବରଂ ମୋ ରାଗକୁ କମ୍ କରିବା ପାଇଁ ମୋ ଛାତିରେ ଆସି ତା’ ମୁଣ୍ଡକୁ ଗୁଞ୍ଜିଦିଏ । ଅନେକ ସମୟରେ ତା’ର ସରଳତା ମୋ ମନରେ ତା’ ପ୍ରତି ଦୁର୍ବଳତା ଜାଗ୍ରତ କରିଥାଏ ।
ମାସେ ଉପରେ ହେଲାଣି, ସେ ଆଉ ଆସୁନାହିଁ । ସେ ମୋତେ ମନ ପକେଇ ବାହୁନୀ ହେଉଛି ନା ନାହିଁ ଜାଣିନି ! କିନ୍ତୁ ମୁଁ ତାକୁ ବହୁତ ମନେ ପକାଉଛି । ଏମିତି ଲାଗୁଛି ଯେମିତି ତା’ର ଉପସ୍ଥିତି ମୋ ଅସ୍ତିତ୍ବ ପାଇଁ ଏକାନ୍ତ ଆବଶ୍ୟକ । ଅନେକ କଥା ତାହା ସହ ବାକି ରହିଗଲା । ଅବଶୋଷ ରହିଗଲା ସେ ଯଦି ରାଗିକି ପଳେଇଲା, ଅଥଚ ମୋ ଉପରେ ଅଭିମାନ କରି ପ୍ରଶ୍ନ ପଚାରି ପାରିଥାନ୍ତା ।
ଚାଲିଯିବା ଆଗରୁ ତା ପାଖରେ ଥିବା ମୋ ହୃଦୟଟା ଅନ୍ତତଃ ଫେରେଇ ଦେଇଥାନ୍ତା !
ବୋର୍ ଓ୍ବେଲ କାମ ପାଇଁ ଆଜି ଛୁଟି ନେଇଛି । ମୁଲିଆ ଆସି ସକାଳୁ ପଛପଟ ବାଡ଼ିରେ ମାଟି ଖୋଳିବା ଆରମ୍ଭ କଲେଣି । ଡାଇନିଂ ଟେବୁଲରେ ବସି ଚାହା କପଟି ହାତରେ ଧରି ପିଇବା ପାଇଁ ଉଦ୍ୟତ ହେଲା ବେଳକୁ ମୁଲିଆ, ବାବୁ … ବାବୁ ବୋଲି କହି ଡାକ ପକେଇଲା । ଦୈାଡିଗଲି କ’ଣ ହେଲା ବୋଲି । ମୋ ଆଖି ଦିଇଟାର ଡୋଳା ସତେ ଯେମିତି ଦୁଃଖ, କ୍ରୋଧ ଓ ଆଶ୍ଚର୍ଯ୍ୟ ମିଶ୍ରିତ ଚାହାଣୀରେ ବାହାରକୁ ବାହାରି ଆସିବ । ବିଶ୍ବାସ କରିପାରୁ ନଥିଲି ଯେ, ଲାସ୍ ଟା ତା’ର ବୋଲି !
କିଛି ସମୟ ପରେ ନିଜକୁ ସମ୍ଭାଳି ପତ୍ନୀକୁ ଡାକ ପକେଇବି ବୋଲି ଘର ଭିତରକୁ ଚାହିଁଲି । ପତ୍ନୀ ପଛପଟ କବାଟ ପାଖରେ ଛିଡ଼ା ହେଇଥିଲେ ଯେମିତି ଜଣେ ଯୋଦ୍ଧା ବିରାଙ୍ଗନା । ମୁହଁରେ ବିଜୟିନୀ ହସ । ଶାଢ଼ୀ ପଣତକୁ ହଲେଇ ହଲେଇ ମୁହଁ ମୋଡ଼ି ଦେଇ ଭିତରକୁ ଚାଲିଗଲେ । ମୋର ମନେ ପଡ଼ୁଥିଲା ଅତୀତରେ କହିଥିବା ପତ୍ନୀଙ୍କ କଥା, “ଦିନେ ସୁଯୋଗ ପାଇଲେ ମୋ ସଉତୁଣି ର ଲାଙ୍ଗୁଡ ଧରି ଏଇ ବାଡି ପଛପଟେ ପୋତି ଦେବି । ଆଉ ତମେ ତା’ର ପ୍ରେମ ବିରହରେ ତାଜମହଲ ଗଢିବ !”
Comments are closed.