Latest Odisha News

BREAKING NEWS

କଳାହାଣ୍ଡି, ବୌଦ୍ଧରେ ମାଓ ପୋଷ୍ଟର, ଏନକାଉଣ୍ଟରକୁ ପ୍ରତିବାଦ କରି ବନ୍ଦ ପାଳନ

ବୌଦ୍ଧ/କଳାହାଣ୍ଡି: ସିପିଆଇ (ମାଓବାଦୀ) ପକ୍ଷରୁ ବନ୍ଦ ପାଳନ କରାଯାଉଛି। କଳାହାଣ୍ଡି ଜିଲ୍ଲାର ତାପରେଙ୍ଗା ଗାଁ ଓ ମୁଖ୍ୟ ରାସ୍ତାରେ ରବିବାର ବନ୍ଦ ପାଳନକୁ ସଫଳ କରିବା ପାଇଁ ସମର୍ଥନ ମାଗି ଅନେକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।

ମାଓବାଦୀଙ୍କ କେକେବିଏନ୍ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଲାଲ୍ ବାହିନୀ ଏହି ଦିନକୁ ଜନ ଆନ୍ଦୋଳନ ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଗତ ମାସରେ ଓଡ଼ିଶାରେ ହୋଇଥିବା ଏନକାଉଣ୍ଟରରେ ନିକଟରେ ସିପିଆଇର ତିନି ଜଣ କ୍ୟାଡର ନିହତ ହେବା ପରେ ଏହି ପ୍ରତିବାଦ ହୋଇଛି। ପୋଷ୍ଟରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଧକୁ ସଫଳ କରନ୍ତୁ ବୋଲି ଉଲ୍ଲେଖ ରହିଛି।

ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଖୁଣ୍ଟିଗୋରାରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗଛରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀଙ୍କୁ ସହିଦ ଦର୍ଶାଯାଇଛି । ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିପରି ଆଉ ଏକ ପୋଷ୍ଟରରେ ପୁଲିସ ଦମନ ଓ ମିଥ୍ୟା ଏନକାଉଣ୍ଟର ବାବଦରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ତାପରେଙ୍ଗା ଠାରେ ୨୦୨୩ ମସିହା ମେ ୯ ତାରିଖରେ ରାଜ୍ୟ ଗୁଇନ୍ଦା ବିଭାଗର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟରରେ ଜଣେ ଡିଏସପି ପାହ୍ୟାର ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।

ଗତ ଏପ୍ରିଲ ୨୬ ତାରିଖରେ ଛତିଶଗଡ଼ରେ ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ଜଣ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଯବାନ ସହିଦ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ। ଏହାପରେ ମାଓ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଓଡ଼ିଶା ପୁଲିସ ପକ୍ଷରୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.