ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ତେଜସ୍ଵିନୀ ପଣ୍ଡାଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ପିଲାଦିନରୁ ସାହିତ୍ୟ ପ୍ରତି ଥିଲା ମୋର ଅହେତୁକ ଦୁର୍ବଳତା। ସାହିତ୍ୟ ବହି ଥିଲା ମୋର ସାଙ୍ଗ। ଦଶ ବର୍ଷ ବୟସରୁ ମୋର ସାହିତ୍ୟ ଜୀବନ ଆରମ୍ଭ। ସାହିତ୍ୟ ମୋର ନିର୍ଜନତାକୁ ପୂର୍ଣ୍ଣତାରେ ପରିଣତ କରିଥିଲା।ମତେ ଲାଗେ ଏ ଲେଖାଲେଖି ପ୍ରତି ମୋର ସମ୍ପର୍କ ଏ ଜନ୍ମରୁ ନୁହେଁ ପୂର୍ବଜନ୍ମର। ସାହିତ୍ୟ ମୋର ପହିଲି ପ୍ରେମ। ମୋର ପୂର୍ବଜନ୍ମର ଅଧୁରା ପ୍ରେମ କାହାଣୀକୁ ସମ୍ପୂର୍ଣ୍ଣ କରିବାକୁ ଇଶ୍ଵର ମତେ ଏ ଜନ୍ମରେ ପୁଣି ଜଣେ ସର୍ଜନାଶିଳ୍ପୀ ରୂପେ ଜନ୍ମ ଦେଇଛନ୍ତି । ମୋର ଚିନ୍ତା, ଚେତନା ଓ ପାରିପାର୍ଶ୍ବିକ ପରିସ୍ଥିତିରେ ଘଟୁଥିବା ଘଟଣା, ଦୁର୍ଘଟଣା ତାହା ସହିତ ପ୍ରକୃତିର ଶିହରଣ ମତେ କବିତା ଲେଖିବାକୁ ବାଧ୍ୟ କରେ। ବ୍ୟାପକ ଭାବେ କହିଲେ ମୁଁ ମାତୃଭୂମି ଓ ମାତୃଭାଷାକୁ ଭଲପାଉଥିବା ପ୍ରେମିକାଟେ ମୁଁ । ମୋ ଜୀବନରେ ସାହିତ୍ୟ ହିଁ ଚିରସୁନ୍ଦର ସତ୍ୟ ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
‘ଅମୃତ ଗାଥା’ ହେଲା ମୋର ପ୍ରଥମ ପ୍ରକାଶିତ ଲେଖା, ଯାହା ନିତିଦିନ ପତ୍ରିକାର ରବିବାର ପୃଷ୍ଠାରେ ପ୍ରକାଶିତ ହୋଇଥିଲା।ସେ ମୁହୂର୍ତ୍ତରେ ମୁଁ ଆନନ୍ଦ ରାଇଜର ରାଣୀ ହୋଇଥିଲି। ଛାପା ଅକ୍ଷରରେ ମୋ ନାଁ ଦେଖି ମୁଁ ଖୁବ୍ ଖୁସି ହେଲି। ଲେଖା ପଢ଼ି ମତେ ଅନେକ ଫୋନ୍ କଲ୍ ଆସିଥିଲା। ଅଚିହ୍ନା, ଅପରିଚିତ ଲୋକମାନଙ୍କ ଆଶୀର୍ବାଦ ମତେ ଆଗକୁ ଅଗ୍ରସର ହେବାକୁ ପ୍ରେରଣା ଦେଇଥିଲା। ଯାହାଫଳରେ ସତର ବର୍ଷ ବୟସରେ ମୁଁ ଚାରୋଟି ପୁସ୍ତକ ରଚନା କରିଛି।
ଗଳ୍ପ/କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ମୋ ଗଳ୍ପ ଓ କବିତା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ବାର୍ତ୍ତା ରହିଛି । କବିତାରେ ଭରି ରହିଥିବା କସ୍ତୁରୀ ସମସ୍ତଙ୍କୁ ସୁଗନ୍ଧ ପ୍ରଦାନ କରୁ ଓ ଗଳ୍ପରେ ମିଶିଥିବା ନିର୍ଜୀବ ଚରିତ୍ରମାନେ ଜୀବନ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୁଅନ୍ତୁ ବୋଲି ମୁଁ ଆଶା କରେ । ଗୋଟେ ଭଲ ଲେଖା ହିଁ ଜଣେ ଭଙ୍ଗା ମଣିଷର ମାର୍ଗଦର୍ଶକ ସାଜିଥାଏ।
ତାଙ୍କ ରଚନାରୁ କବିତା : କବିତାର ଜନ୍ମ
କବିତାର ଜନ୍ମ ମୋ
ସୃଜନ ଗର୍ଭରୁ,
ମାସ ମାସ ମୋ
ଗର୍ଭରେ ନୁହେଁ
ଅକସ୍ମାତ୍ ମୁହୂର୍ତ୍ତରେ
ନିଜ ଇଚ୍ଛାରେ ସେ ଜନ୍ମ..
କବିତାର ଜନ୍ମ ମୋ
ରକ୍ତରେ ନୁହେଁ,
ବହୁ ସଂଗ୍ରାମୀମାନଙ୍କ
କାରାଦଣ୍ଡରେ ,
ନିର୍ଦ୍ଧୋଷୀର ଫାଶୀ
କ୍ଷଣରେ, ସ୍ତ୍ରୀ ଓ ମାଆର କାକୁତି ମିନତିରେ ..
କବିତାର ଜନ୍ମ ମୋ
ପବିତ୍ର ପ୍ରେମରୁ ,
ମୋ ଆଖିର କ୍ଷମାମଗ୍ନ
ପ୍ରେମିକର ହାତ ସ୍ପର୍ଶରେ,
ସେ କବିତା ।
ବଞ୍ଚେ ନିଜ ଇଚ୍ଛାରେ,
ମରେ ନିଜ କ୍ଷମାରେ,
କାନ୍ଦେ ନିଜ ମୃତ୍ୟୁର ଶୋକରେ ।
କବିତା ଜନ୍ମନିଏ
ରାଜଧାନୀର ସନ୍ଧ୍ୟାରେ,
ସୁସଜ୍ଜିତ ଆଲୋକର
ଚିତ୍ରିତ ନୟନରେ ,
କବିତା ଏକ ଗଭୀର ରାତି,
କବିତା ଏକ ଅକଥନୀୟ ପ୍ରୀତି,
କବିତା ଏକ କୁଆଁ କୁଆଁ
ଶିଶୁର ଡାକ।
କବିତା ଜନ୍ମ ନିଏ ଇତିହାସର
ଦରଦୀ ପୃଷ୍ଠାରୁ,
ଲକ୍ଷେ ଲକ୍ଷେ ରାଜାଙ୍କ
ରାଜୁତିରୁ,
କବିତା ସିଏ ରାଜା,
କବିତା ସିଏ ପ୍ରଜା,
କବିତା ଏକ ମହାସଂଗ୍ରାମର
ଶେଷ ଅମୋଘ ଅସ୍ତ୍ର।
Comments are closed.