ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର ସାମର୍ଥ୍ୟ ରଖନ୍ତି । ଏହା ଛଡା କବିତା ରଚନା କ୍ଷେତ୍ରରେ ମଧ୍ୟ ସେ ଖୁବ ସଫଳ । ତାଙ୍କ ରଚିତ କବିତା ଗୁଡ଼ିକ ମଧ୍ୟ କାବ୍ୟିକ ଆବେଗରେ ପରିପୂର୍ଣ୍ଣ ।
କଳ୍ପନା ଅନୁଭବ ଓ ସାହିତ୍ୟ , ଚେତନାର ଅନ୍ୱେଷଣ , ଷଡ଼ଜ , ଗାନ୍ଧୀ କବିତା , ଗାନ୍ଧୀ ପ୍ରବନ୍ଧ , ରାଧା ମୋହନ ଗଡ଼ନାୟକଙ୍କ ମନୋଗ୍ରାଫ ( ସମ୍ପାଦିତ ) । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ , ସାରସ୍ୱତ ସମ୍ମାନ , ଅଖିଳ ଜଗନ୍ନାଥ ଦାସ ସମ୍ମାନ , ମହୁରି ସମ୍ମାନ , କୃଷ୍ଣେନ୍ଦୁ ସ୍ମୃତି ସମ୍ମାନ , ବ୍ରହ୍ମପୁର ପୁସ୍ତକମେଳା ସମ୍ମାନ , ନିଗମାନନ୍ଦ ସେବା ସମ୍ମାନ ସହ ଆହୁରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।
ଲେଖକ ଚନ୍ଦ୍ରଶେଖର ହୋତାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ଖାକି ପୋଷାକର ଘନିଷ୍ଠତା ଓ କଲମର ମିତ୍ରତା କିପରି ସମ୍ଭବ ହେଲା?
ଖାକି ପୋଷକ ପିନ୍ଧିବାର ବହୁ ପୂର୍ବରୁ ମୋର କଲମ ସହ ମିତ୍ରତା। ପୋଲିସ ଚାକିରୀ ମୋର ବୃତ୍ତି, କିନ୍ତୁ ସାହିତ୍ୟ କର୍ମପ୍ରବୃତ୍ତି । ସାହିତ୍ୟ ସହ ଯୋଡ଼ି ହୋଇ ମୁଁ ସମ୍ବେଦନଶୀଳତା ଭଲ ପାଇବା ଓ ଆତ୍ମତୃପ୍ତି ପାଇଛି। ବୃତ୍ତି ଓ ପ୍ରବୃତ୍ତିର ସାଧୁ ସମନ୍ୱୟ ପାଇଁ ସତତ ଚେଷ୍ଟିତ ରହିଛି । ପୋଲିସ ଚାକିରୀରେ ରହି ସାହିତ୍ୟସାଧନା କରିବା ପୁଣି ପ୍ରବନ୍ଧ ଭଳି ଏକ ବିଷୟକୁ ବାଛିବା ପାଇଁ ମତେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ।
ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ କଣ୍ ଥିଲା?
ପିଲାଟି ବେଳରୁ ସାହିତ୍ୟ ପ୍ରତି ଆକୃଷ୍ଟ । ମୋର ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ଉତ୍ସ ଗୁଡ଼ିକ ହେଲା ପିତା ମାତାଙ୍କ ଉତ୍ସାହ ଓ ପ୍ରେରଣା , ପ୍ରାଚୀନ ସାହିତ୍ୟ, ସଂସ୍କୃତି, ବାଙମୟ ପରମ୍ପରା , ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ , ହାଇଦ୍ରାବାଦ ଓ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ତର୍କ ଓ ଜ୍ଞାନକ୍ଷେତ୍ରରେ ପ୍ରସାର ଘଟିବା ଏବଂ ଓଡ଼ିଆ ପ୍ରବନ୍ଧ / ସମାଲୋଚନାର ଧାରା ପ୍ରତି ଆକୃଷ୍ଟ ହେବା, ନୂତନ କିଛି ସଂଯୋଗ କରିବା ।
କବିତାର ଭାବ, ଗଳ୍ପର ଚରିତ୍ରକୁ ବାଦ ଦେଇ, ପ୍ରବନ୍ଧର ବିଶ୍ଳେଷଣ ପ୍ରତି ଆକୃଷ୍ଟ ହେଲେ?
କବିତା ମୋର ପ୍ରେମ । ଏତେ ଛଳଛଳ ଭାବତ୍ରସ୍ତ କବିତା ଛଡ଼ା କିଏ କହିପାରିବ? ଗଳ୍ପର ଚରିତ୍ର , ଚିତ୍ର , ବଖାଣ ଓ ମଞ୍ଜ ତଥା ବିସ୍ତୃତ ଭାବଭୂମି ମତେ ମୁଗ୍ଧ କଲା। କିନ୍ତୁ ପ୍ରବନ୍ଧ ପ୍ରତି ମୋର ସ୍ୱତନ୍ତ୍ର ରୁଚି । ଏହି ପ୍ରବନ୍ଧ ହିଁ ମୋର ଜ୍ଞାନମାର୍ଗକୁ ପ୍ରସାରିତ କରେ। ସଦା ଅଧ୍ୟୟନରତ ରହି ନବ ଚେତନା ଓ ଜ୍ଞାନ ଆହରଣ ପନ୍ଥାକୁ ସୁଗମ କରେ। ଏଠି ମୁଁ ଏକ ବିଶାଳ କ୍ଷେତ୍ରକୁ ଲକ୍ଷ୍ୟ କରେ। ଯେଉଁଠି ନିଜକୁ ସ୍ୱତନ୍ତ୍ର ଭାବରେ ବ୍ୟକ୍ତ କରିବାର ସୁଯୋଗ ଅଛି । ଓଡ଼ିଆ ପ୍ରବନ୍ଧ ସାହିତ୍ୟ ବେଶ ମଞ୍ଜୁଳ କିନ୍ତୁ ବର୍ତ୍ତମାନ ତା’ର ଧାରା ଶୁଷ୍କ। ତାକୁ ଚିରପ୍ଲାବନ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।
ଆପଣଙ୍କ ବୃତ୍ତି, ଆପଣଙ୍କ ସୃଷ୍ଟିକୁ କିପରି ପ୍ରଭାବିତ କରେ?
ବୃତ୍ତି ପ୍ରବୃତ୍ତି ଅନୁରୂପ ହେଲେ ସୃଷ୍ଟି ମହତ ହୁଏ। ମୋ କ୍ଷେତ୍ରରେ ମୋର ବୃତ୍ତି ଏକ ଚବିଶ ଘଣ୍ଟିଆ ଜରୁରୀକାଳୀନ ସେବା । ପୁଣି ଏଥିରେ ବ୍ୟକ୍ତିଙ୍କ ଧନ, ଜୀବନ, ମର୍ଯ୍ୟାଦା, ଦୁଃଖ ଜଡ଼ିତ। ତେଣୁ ଆପଣଙ୍କୁ ତାକୁ ପ୍ରଥମେ ଦେଖିବାକୁ ପଡ଼ିବ। ସେଥିପାଇଁ ମୁଁ ପ୍ରାୟତଃ ଭୋର ଦୁଇ ଘଣ୍ଟା ସାହିତ୍ୟ ପାଇଁ ନିଜକୁ ସମର୍ପିତ କରେ।
ପାଶ୍ଚାତ୍ୟ ସାହିତ୍ୟରେ ପ୍ରବନ୍ଧ ବହୁଳ ଭାବରେ ଲୋକପ୍ରିୟ; ମାତ୍ର ଆମ ସାହିତ୍ୟରେ ଏହା ଆଖିଦୃଶିଆ ଲୋକପ୍ରିୟତା ପାଇ ପାରିନାହିଁ। ଏପରି କାହିଁକି?
ଏହାର ବହୁ କାରଣ ରହିଛି। ପ୍ରକୃତରେ ପ୍ରବନ୍ଧ ସାହିତ୍ୟକୁ ଆଗେଇ ନେବାର ଦାୟିତ୍ୱ , ଉଚ୍ଚଶିକ୍ଷିତ , ଗବେଷକ , ଅଧ୍ୟାପକ , ବିଶେଷତଃ ଓଡ଼ିଆ ବିଭାଗର ରହିଛି। କିନ୍ତୁ ଏ କ୍ଷେତ୍ରରେ ଚେଷ୍ଟା ହେଉ ନାହିଁ। ଓଡ଼ିଆ ପ୍ରବନ୍ଧ କହିଲେ ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ ନୋଟ୍ ଖାତା ବୋଲି ବିଚାର କରୁଛୁ। ଗଭୀର ଚିନ୍ତନ , ମନନ ,ପଠନ ଓ ବହୁଶାସ୍ତ୍ର ଦର୍ଶିତ ନ ହେବାରୁ ଆମର ପ୍ରବନ୍ଧ ଲୋକପ୍ରିୟତା ପାଇ ପାରୁନାହିଁ । ଗବେଷଣାର ଗହନ ଗଭୀରତାକୁ ନ ପଶିଲେ ଓ ମନକୁ ତ୍ୱରିତ ଜ୍ଞାନଭିକ୍ଷା ପାଇଁ ପ୍ରସ୍ତୁତ ନ କଲେ ପ୍ରବନ୍ଧ ରୁଚିଶୀଳ ଓ ଆଦୃତ ହେବନାହିଁ।
ଅଧିକାଂଶ ପ୍ରବନ୍ଧରେ ଆଦର୍ଶବାଦ ଜଡ଼ିତ ଥାଏ। ଏହା କେତେମାତ୍ରାରେ ପ୍ରଯୁଜ୍ୟ ବୋଲି ଆପଣ ଭାବନ୍ତି।
ପ୍ରବନ୍ଧ ସାହିତ୍ୟର ମାଧୁର୍ଯ୍ୟ ହେଲା; ଏହା ତର୍କ , ବିତର୍କ ଓ ନିଷ୍କର୍ଷ ସୃଷ୍ଟି କରେ। ଗୋଟିଏ ପ୍ରବନ୍ଧର ମୁଖ୍ୟ ଆଧାର। ଜୈନ ଦର୍ଶନ ” ଅନେକାନ୍ତବାଦ ବା ତାଡ଼ାବାଦ ” ପରି ବହୁ ତଥ୍ୟକୁ ଏହା ଦର୍ଶାଏ। କେଉଁ ବାଦ ଠିକ, ତାହା ପାଠକ ଠିକ କରେ। ପ୍ରବନ୍ଧରେ ଆଦର୍ଶ ବୋଲି ଏମିତି କିଛି ନାହିଁ; ବରଂ ଏହା ପ୍ରାବନ୍ଧିକ ପଠନର ଓ ମନନର ପରିପ୍ରକାଶ ମାତ୍ର। ପ୍ରବନ୍ଧ ତ ଏକ ଖୋଦ, ଯେଉଁଠି ଶେଷକଥା କିଛି ନାହିଁ।
ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ଥିଲା ?
ପୁରସ୍କାର ପାଇଲା ପରେ ଆହୁରି ସଂଯତ ହେବାକୁ ପଡ଼ିବ ଭାବି ଶଙ୍କିଗଲି। ଏହି ସ୍ୱୀକୃତି ମୋ ପାଇଁ ଏକ ଗୁରୁଦାୟିତ୍ୱ । ପ୍ରବନ୍ଧକୁ ଆହୁରି ଅବଦାନ ଦେବା ପାଇଁ ମୋର ଗୁଣ୍ଡୁଚି ଭୂମିକାକୁ ଏହା ଏକ ପ୍ରେରଣା ଓ ମହତ ପ୍ରୋତ୍ସାହନ। ପୁରସ୍କାର ପ୍ରକୃତରେ ଲେଖକଙ୍କୁ ବଡ଼ କରେ ନାହିଁ ; ବଡ଼ କରେ ତାର ଅବଦାନ ଓ ପାଠକୀୟ ପ୍ରେମ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ସାରସ୍ୱତ ସାଧନା ସହ ପୁରସ୍କାରର କୌଣସି ସମ୍ପର୍କ ନାହିଁ । ଜଗନ୍ନାଥ , ସାରଳା, ଭୀମ ଭୋଇ ଆଦିଙ୍କ ଅବଦାନ କ’ଣ ପୁରସ୍କାର ତଉଲି ପାରିବ ! ଆମର ଏଠି ଅନେକ ନୀରବ ସାଧକ ଅଛନ୍ତି ଯେଉଁମାନେ ସାଧନା ଉଚ୍ଚାଙ୍ଗ ସାଧନାରୁ ସିଦ୍ଧି ମିଳେ । ପୁରସ୍କାର ନା ସାଧନାକୁ ତ୍ୱରାନ୍ୱିତ କରେ ନା ସିଦ୍ଧି ଦିଏ । ଏହା କେବଳ ଏକ ପ୍ରୋତ୍ସାହନ ମାତ୍ର। ହଁ , ପୁରସ୍କାର ଦ୍ୱାରା ଲେଖକର ଦାୟିତ୍ୱବୋଧ ଓ ସମାଜର ଆଶା ଉଭୟ ବୃଦ୍ଧି ପାଏ ।
ଭାଷା ସାହିତ୍ୟର ଉନ୍ନତି ଦିଗରେ ଆମେ କିପରି ଯତ୍ନବାନ ହେବ ଆବଶ୍ୟକ ?
ଭାଷାକୁ ବ୍ୟବହାର ପରିଣତ କରିବାର ଆବଶ୍ୟକ । ଅନୁବାଦ ଦ୍ୱାରା ଏହାର ଉତ୍କର୍ଷତା ପ୍ରତିପାଦିତ କରିବା ଆବଶ୍ୟକ। ଏହାକୁ ଜ୍ଞାନର ଭାଷା କରି କେବଳ ପୂଜନୀୟ ନକରି ଚାକିରୀ ବା ନିୟୋଜନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଆବଶ୍ୟକ। ସ୍କୁଲ ପ୍ରାରମ୍ଭରୁ ଓଡ଼ିଆ ପ୍ରତି ରୁଚି ଓ ତା’ର ମହନୀୟତା ଶିକ୍ଷା ଦିଆଯିବା ଆବଶ୍ୟକ।
ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ଏତେ ବଡ଼ ଲୋକ ହେଇନି, ବାର୍ତ୍ତା ଦେବି। ତଥାପି ପଢ଼ିବା , ହଜିବା, ଖୋଜିବା , ଲେଖିବା ସମସ୍ତଙ୍କ ଅଭ୍ୟାସ ହେଉ , ସାହିତ୍ୟର ଅଭିବୃଦ୍ଧି ଓ ଓଡ଼ିଆ ଭାଷା , ସାହିତ୍ୟର ବିକାଶ ପାଇଁ ସମସ୍ତେ ନିଜ ସ୍ତରରେ ପ୍ରଚେଷ୍ଟା କରନ୍ତୁ। ଭାଷା , ସାହିତ୍ୟ ଓ ସଂସ୍କୃତି ଆମର ସ୍ୱାଭିମାନ । ତାକୁ ନେଇ ଗର୍ବ କରିବା । ଅନ୍ୟକୁ ହେୟ କି ଛୋଟ ଭାବିବାର ମଧ୍ୟ ନାହିଁ। ସମସ୍ତଙ୍କଠାରୁ ଅବଧୂତୀୟ ମନ ନେଇ ଶିଖିବାର ପ୍ରବୃତ୍ତି ଜାରି ରହୁ ।
Comments are closed.