ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ ନେଇ ଭାବ ଓ ଭାଷାର ସମ୍ମିଳନରେ ସଜେଇ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା ଗଳ୍ପ ଓ ଉପନ୍ୟାସ ।
ଆଲୁଅର ଛାଇ , ଦ୍ରୁମ ମହାଦ୍ରୁମ , ଅମୃତ, ପରଶମଣି ଓ କଳ୍ପବୃକ୍ଷ , ଅପୂର୍ଣ୍ଣ ପୂର୍ଣ୍ଣତା , ପଲକର ସ୍ମୃତି ପ୍ରଭୃତି ପୁସ୍ତକ ସହ ଇଂରାଜୀ ସାହିତ୍ୟରେ ମଧ୍ୟ ସେ ପ୍ରବୀଣା । ନିଜର ନିଜର ଅନବଦ୍ୟ ସାହିତ୍ୟ ସେବା ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ଦେବଯାନୀ ଦାସଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ”
ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ?
ସାହିତ୍ୟ ଏକ ଦୈବୀ ଆଶୀର୍ବାଦ ଭାବେ ମୋତେ ପିଲାବେଳୁ ହିଁ ମିଳିଥିଲା ବୋଲି ମୁଁ ଭାବେ। ଚତୁର୍ଥ ପଞ୍ଚମ ଶ୍ରେଣୀରୁ ମୁଁ ଭଜନ ଓ ପ୍ରାର୍ଥନା ଇତ୍ୟାଦି କବିତା ଆକାରରେ ଲେଖୁଥିଲି। ଶିଶୁ ନାଟକ ଓ ଏକାଙ୍କିକା ଆଦି ବି ଲେଖି ହେଇ ଯାଉଥିଲା ମୋ ଦ୍ଵାରା । ହଁ, ମୋର ପ୍ରେରଣା ଭାବେ ଥିଲେ ମୋ ସାନ କକା, ଯିଏ କି ସେତେବେଳେ ଦଶମ ଶ୍ରେଣୀର ଛାତ୍ର ଥିଲେ ଓ ଏକାଙ୍କିକା ଲେଖି ମୋତେ ଦେଉଥିଲେ, ଯାହାକୁ ମୁଁ ଓ ମୋ ସାଙ୍ଗମାନେ ସ୍କୁଲରେ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ରେ ଅଭିନୟ କରୁଥିଲୁ । କକା ଲେଖୁଛନ୍ତି ମୁଁ ବି ଲେଖିବି ଏମିତି ଗୋଟେ ଭାବନା ମୋ ଭିତରେ ଆସୁଥିଲା ଓ ବାର ତେର ବୟସ ବେଳକୁ ମୁଁ କିଛି କବିତା ଦୁଇଟି ନାଟକ ଓ କିଛି ଏକାଙ୍କିକା ଲେଖି ସାରିଥିଲି। ଏସବୁ ଯେ ସାହିତ୍ୟର ଅନ୍ତର୍ଭୁକ୍ତ ସେତେବେଳେ ଠିକରେ ବୁଝି ନ ଥିଲି।
ଆପଣ ଗଳ୍ପ କବିତା ଓ ଉପନ୍ୟାସ ରେ ସିଦ୍ଧହସ୍ତ ହେବା ସାଙ୍ଗକୁ ପ୍ରବନ୍ଧ ଫିଚର ଓ ଅନୁବାଦ ସାହିତ୍ୟରେ ମଧ୍ୟ ଲେଖନୀ ଚାଳନା କରିଛନ୍ତି।ତେବେ ଆପଣ କେଉଁ ଥିରେ ଅଧିକ ସହଜ ଓ ତୃପ୍ତ ?
ଯଦିଓ ସାହିତ୍ୟର ସମସ୍ତ ବିଭାଗରେ ମୁଁ ଲେଖନୀ ଚାଳନା କରିଛି କିନ୍ତୁ ଗଳ୍ପରେ ହିଁ ମୁ ଅଧିକ ସହଜ ଓ ତୃପ୍ତ ।
ସାହିତ୍ୟ ସୃଷ୍ଟିରେ ଆପଣ କାହାକୁ ନିଜର ମାର୍ଗ ଦର୍ଶକ ବୋଲି ଭାବନ୍ତି?
ମୋ ଲେଖାର ପାଠକ ଏବଂ ସେମାନଙ୍କ ର ମତାମତକୁ ମୁଁ ମୋର ମାର୍ଗଦର୍ଶକ ବୋଲି ଭାବେ ।
ସାହିତ୍ୟ ସହ ଅଦର୍ଶବାଦ କେତେ ମାତ୍ରାରେ ଜଡ଼ିତ ?
ମୁଁ ଭାବେ ପ୍ରକୃତ ସାହିତ୍ୟ ଯାହା ଓ ପ୍ରକୃତ ଆଦର୍ଶବାଦର ସଂଜ୍ଞା ଯାହା , ଏ ଦୁଇଟି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?
ନିଶ୍ଚୟ, ଏହା ଶତ ପ୍ରତିଶତ ସତ । ନାରୀ ଗୃହିଣୀ ହେଉ ବା କର୍ମଜୀବୀ, ତାକୁ ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼େ ଯେ ସେ ଲେଖାକୁ ପ୍ରାଧାନ୍ୟ ଦେଇ ପାରେ ନାହିଁ। ଏ ସମସ୍ୟା କର୍ମଜୀବୀ ମହିଳା ପାଇଁ ଅଧିକ ଗୁରୁତର ହେଇଥାଏ। ନାରୀଟିଏ କର୍ମଜୀବୀ ହେଲେ ମଧ୍ୟ ତାକୁ ଗୃହିଣୀର ସମସ୍ତ ଦାୟିତ୍ବ ଓ କର୍ତ୍ତବ୍ୟ ସହ କର୍ମକ୍ଷେତ୍ରର ଦାୟିତ୍ଵକୁ ମଧ୍ୟ ନିର୍ବାହ କରିବାକୁ ପଡ଼େ । ଲେଖା ମନସ୍କ ନାରୀଟିଏର ଅନ୍ତରାତ୍ମା ବିଳାପ କରେ। ଅନେକ ଦାୟିତ୍ଵ ଓ କର୍ତ୍ତବ୍ୟ ମଧ୍ୟରେ ଶବ୍ଦ ସବୁ ଧରା ଦେଇ ଖସି ଯାଆନ୍ତି। ପ୍ରତି ମୁହୂର୍ତ୍ତରେ ତା ମଧ୍ୟରେ ସୃଷ୍ଟି ହେଉଥିବା ଅସଂଖ୍ୟ ଶବ୍ଦମାନଙ୍କୁ ଧରି ରଖିବାକୁ ତା ପାଖରେ ସମୟ ନ ଥାଏ। ମୁଁ ଭାବୁଛି ଖୁବ୍ କମ୍ ନାରୀ ଥାଇ ପାରନ୍ତି ଯେଉଁମାନେ ଏସବୁ ଦାୟିତ୍ଵ ଓ କର୍ତ୍ତବ୍ୟକୁ ଅଣଦେଖା କରି ଲେଖାକୁ ପ୍ରାଧାନ୍ୟ ଦେଉଥିବେ ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି?
ନା, ଅନେକ କିଛି ଇପ୍ସିତ ଲେଖାକୁ ରୂପ ଦେଇ ପାରିନଥିବାରୁ ଅବଶୋଷ ରହି ଯାଉଛି।
ନାରୀଟିଏ ମାନବୀ ହେବ ନା ଭୈରବୀ ବା ବୈଷ୍ଣବୀ ହେବ ? ଯଦି ଆପଣଙ୍କ ଉତ୍ତର ମାନବୀ ହୁଏ, ତାର ସେଇ ମାନବୀୟ ସ୍ୱରୂପଟି କ’ଣ ଓ ତାହା ସାମ୍ପ୍ରତିକତା ସହ କେତେ ସାମ୍ୟ ରଖେ ?
ହଁ, ମୋର ଉତ୍ତର ମାନବୀ ଅଟେ। ମାନବୀୟ ସ୍ୱରୂପରେ ହିଁ ସବୁକିଛି ସମ୍ଭବ,ଭୈରବୀ ଏବଂ ବୈଷ୍ଣବୀ ମଧ୍ୟ । ବିଭିନ୍ନ ପରିସ୍ଥିତିରେ ନାରୀକୁ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥାଏ। ଯେଉଁଠି ଆବଶ୍ୟକ ସେଠି ସେ ଭୈରବୀ ହେବା ଦରକାର ଓ ଯେଉଁଠି ବୈଷ୍ଣବୀର ଆବଶ୍ୟକ ସେଠି ସେ ସେଇ ରୂପରେ ବିଦ୍ୟମାନ ହେବା ଜରୁରୀ। ସାମ୍ପ୍ରତିକତା ସହ ତାଳ ଦେଇ ଏସବୁର ଆବଶ୍ୟକତା ରହିଛି।
ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଦେଖନ୍ତି?
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେଉଁ ମାନସିକତା ମୁଁ ଲକ୍ଷ କରୁଛି,ତେଣୁ ଭବିଷ୍ୟତ ଉଜ୍ବଳ ବା ଅନୁଜ୍ଵଳ ଏ ବିଷୟ ରେ କୌଣସି ମନ୍ତବ୍ୟ ରଖିବା ମୁଁ ଉଚିତ୍ ମନେ କରୁନି। ତେବେ ଏବେର ପିଲାମାନେ ଖୁବ୍ ସୁନ୍ଦର ସୃଜନାତ୍ମକ ଲେଖା ଲେଖୁଛନ୍ତି। ସେସବୁ ବଜାୟ ରହିଲେ ପ୍ରିୟାପ୍ରୀତି ନୀତି ଛାଡ଼ି ପ୍ରକୃତ ପ୍ରତିଭାର ଚୟନ କରାଗଲେ ପୁଣି ସରକାରଙ୍କ ତରଫରୁ କିଛି ପୃଷ୍ଠପୋଷକତା ମିଳିଲେ ଓଡ଼ିଆ ସାହିତ୍ୟର ଉନ୍ନତି ହେଇ ପାରନ୍ତା ବୋଲି ମୁଁ ଭାବୁଛି।
ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଅନେକ ଅବଦାନ ରହିଛି। ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। କିନ୍ତୁ ଏବେ ଦେଖାଯାଉଛି ଆପଣ ଓଡ଼ିଆରୁ ଓହରି ଇଂରାଜୀ ଓ ହିନ୍ଦୀ ସାହିତ୍ୟ ପ୍ରତି ଆକ୍ରୁଷ୍ଟ ହେଉଛନ୍ତି । ଏହାର କାରଣ କ’ଣ ?
ଏହା ସତ। କିନ୍ତୁ ପ୍ରଥମରୁ ମୁଁ ତ୍ରିଭାଷୀ ଲେଖିକା ଥିଲି । ଓଡ଼ିଆ ସହିତ ମୁଁ ହିନ୍ଦୀ ଓ ଇଂରାଜୀରେ ଲେଖୁଥିଲି। କିନ୍ତୁ ମାତ୍ରା କମ ଥିଲା। ଏବେ ଓଡ଼ିଆ ଲେଖାରୁ ସମ୍ପୂର୍ଣ୍ଣ ଓହରି ଯାଇନି କିନ୍ତୁ ଇଂରାଜୀରେ ଲେଖିବା ବଢ଼ି ଯାଇଛି। କାରଣ ତ ଅନେକ ରହିଛି।ନିଜକୁ ପରିପ୍ରକାଶ କରିବା ପାଇଁ ଇଂରାଜୀ ମାଧ୍ୟମ ଓ ସେ ପ୍ଲାଟଫର୍ମ ମୋତେ ଭଲ ଲାଗୁଛି ।
ଏକ ବିଶ୍ଵ କବିତା ଗ୍ରନ୍ଥରେ ଆପଣଙ୍କ ଇଂରାଜୀ କବିତା ସ୍ଥାନ ପାଇଛି।ସେ ପୁସ୍ତକଟିର ନାମ କ’ଣ ଓ ଆପଣଙ୍କ କବିତାର ନାମ କ’ଣ ?
ପୁସ୍ତକ ଟର ନାମ ପଏଟସ ୟୁନିଫାଏ ” ୱାର୍ଲଡ ” ଏବଂ ମୋ କବିତା ର ନାମ ଥିଲା “ନଟ ଆଇ ବଟ ଉଇ” । ଏହା ଏକ ପଏଟିକ ଆନ୍ଥୋଲୋଜି ଫର ଗ୍ଲୋବାଲ ହାର୍ମୋନି ।
ଭାରତର ସ୍ଵାଧୀନତା ଦିବସ ଅବସରରେ ଦିଆଯାଇଥିବା ଗୁଜୁରାଟ ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନରେ ଆପଣ ଦୁଇଥର ସମ୍ମାନିତ ହୋଇଛନ୍ତି, ଏ ବିଷୟରେ ଆପଣଙ୍କ ମନ୍ତବ୍ୟ ରଖନ୍ତୁ ।
ହଁ, ଗାନ୍ଧୀଙ୍କ ଜନ୍ମ ସ୍ଥାନ ଗୁଜୁରାଟ ହୋଇଥିବାରୁ , ଭାରତର ସ୍ଵାଧୀନତା ଦିବସ ଉପଲକ୍ଷେ ଗୁଜୁରାଟ ସାହିତ୍ୟ ଏକାଡେମୀ ତରଫରୁ ଆୱାର୍ଡ ଓ ଅନର କରାଯାଇଥାଏ। ସାହିତ୍ୟ କ୍ଷେତ୍ରରେ ଉଚ୍ଚକୋଟୀର ଲେଖା ପାଇଁ ବିଶ୍ଵର ଅଶିଟି ଦେଶରୁ ନିର୍ବାଚିତ ୩୫୦ ଜଣ ଲେଖକଙ୍କ ମଧ୍ୟରେ ମୁଁ ଥିଲି।
ଆପଣଙ୍କର ବହୁ ଚର୍ଚ୍ଚିତ ପୁସ୍ତକ ‘ଦ୍ରୁମ ମହାଦ୍ରୁମ” ବିଷୟରେ କିଛି କୁହନ୍ତୁ।
ଦ୍ରୁମ ମହାଦ୍ରୁମ ପୁସ୍ତକଟି ସଚିତ୍ର ବିଜୟା ପତ୍ରିକାରେ ପ୍ରକାଶ ପାଇଥିବା ଏକ ନିୟମିତ ବିଭାଗ ‘ଦ୍ରୁମ ମହାଦ୍ରୁମ’ର ସଙ୍କଳନ।ଏଥିରେ ସନ୍ନିବେଶିତ ଛୋଟ ଓ ବଡ଼ ବୃକ୍ଷମାନଙ୍କ ଉପରେ ରହିଛି ଅନେକ କାହାଣୀ ଯାହା ମୋର ସମ୍ପୂର୍ଣ୍ଣ ନିଜସ୍ଵ। ବୃକ୍ଷର ରୂପ ଗୁଣ ଓ ଉପଯୋଗୀତାକୁ ସମ୍ପର୍କ କରି ପୌରାଣିକ ଐତିହାସିକ ଓ ସାମାଜିକ ଚରିତ୍ରମାନଙ୍କୁ ନେଇ ମୁଁ ଗଳ୍ପ ସୃଷ୍ଟି କରିଛି। ତା ସହିତ ଏଥିରେ ରହିଛି ଏସବୁକୁ ଚିହ୍ନିବାର ଉପାୟ । ବଟାନିକାଲ ନାଁ , ବିଭିନ୍ନ ଭାଷାରେ ନାମ କାରଣ, ଔଷଧୀୟ ଗୁଣ ଓ ଉପଯୋଗୀତା । ଏସବୁ ସେତେବେଳେ ଖୁବ୍ ପାଠକୀୟ ଆଦୃତି ଲାଭ କରିଥିଲା।
୧୩.ଆପଣଙ୍କ ଉପନ୍ୟାସ ‘ଅପୂର୍ଣ୍ଣ ପୂର୍ଣ୍ଣତା’ ବିଶ୍ଵବିଦ୍ୟାଳୟ ପିଲାଙ୍କ ଗବେଷଣା ପରିସର ଭୁକ୍ତ ହୋଇଛି। ଏ ଉପନ୍ୟାସଟି ବିଷୟରେ କିଛି କୁହନ୍ତୁ ।
ଭାରତୀୟ ପ୍ରତିରକ୍ଷା ବାହିନୀରେ ଚାକିରି କରିଥିବା ମଣିଷ ଓ ପରିବାର ର ତ୍ୟାଗ,ସାହାସ ଓ ବଳିଦାନ ଉପରେ ଏ କାହାଣୀ ଆଧାରିତ।କୋମଳ ମସ୍ତିଷ୍କ ଉପରେ ହିଂସାର ଭୟଙ୍କର ପ୍ରଭାବ, ସେନା ମାନଙ୍କ ବଳିଦାନ ଉପରେ ରାଜନେତାମାନଙ୍କ ଭୁଲ ନିଷ୍ପତ୍ତିର କୁପ୍ରଭାବର ବର୍ଣ୍ଣନା ସହ କାରଗିଲ ଯୁଦ୍ଧ ଉପରେ ପର୍ଯ୍ୟବେସିତ ଏହାର କାହାଣୀ । ଶାନ୍ତି ନିକେତନର ଜଣେ ଛାତ୍ର ଓ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଏହା ଉପରେ ଗବେଷଣା କରି ସନ୍ଧର୍ଭ ପ୍ରସ୍ତୁତ କରିଛନ୍ତି ।
ନାରୀ କେତେବେଳେ ନିଜକୁ ଖୁବ୍ ଅସହାୟ ମନେ କରେ?
ଯେତେବେଳେ ତା ଭିତର ର କିଛି ଅନ୍ତର୍ଦାହକୁ ସେ ପ୍ରକାଶ କରି ନ ପାରେ, ସେତେବେଳେ ସେ ନିଜକୁ ଖୁବ୍ ଅସହାୟ ଭାବେ।
ସମସାମୟିକ ସାହିତ୍ୟକୁ ନେଇ ଆମ ଭାଷା ସାହିତ୍ୟର ଭବିଷ୍ୟତ କ’ଣ ବୋଲି ଆପଣ ଭାବନ୍ତି ?
ଆମ ଭାଷା ସାହିତ୍ୟର ଭବିଷ୍ୟତ ନିର୍ଭର କରୁଛି ସାହିତ୍ୟ କରୁଥିବା ଲୋକଙ୍କ ମାନସିକତା ଉପରେ। ଈର୍ଷା ହିଂସା ଗୋଡ଼ ଟାଣିବା ନୀତିରୁ ଓହରି ଏକ ଉଦାର ମାନସିକତା ଆସିବା ଦରକାର । ଆଉ ତେଲେଇବା ଚାମଚାଗିରି କରିବା ଲୋକ ଓ ଏସବୁ ପାଇବା ପାଇଁ ବ୍ୟାକୁଳ କିଛି କ୍ଷମତା ଅକ୍ତିଆର କରିଥିବା ସାହିତ୍ୟିକ ଏସବୁ ମାନସିକତାରୁ ଓହରି ପ୍ରକୃତ ପ୍ରତିଭାର ଆଦର କରିବା ଆବଶ୍ୟକ । କଲମ କଥା କହୁ, ମୁହଁ ବା ପଦବୀ ନୁହଁ ।
Comments are closed.