Latest Odisha News

BREAKING NEWS

କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ ଅନୁପ୍ରାଣିତ ତାଙ୍କ ସାହିତ୍ୟ ସୃଷ୍ଟି ।

ମାଟିଠୁ ଆକାଶ ପର୍ଯ୍ୟନ୍ତ, ଆମେ ଦୁହେଁ ସମୟ ସାମ୍ନାରେ , ଚିତ୍ରକରର ସକାଳ, ସମ୍ମୋହନରେ ଜୀବନ, କେତେ ରଙ୍ଗର ଆକାଶ ( କବିତା ସଙ୍କଳନ ) , ଇଉନିଟ୍ ତିନର ପ୍ରେମିକା, ପ୍ରାୟତଃ ମୋ ନିଜ କଥା ( ଗଳ୍ପ ) , ନିଃସଙ୍ଗ ( ଉପନ୍ୟାସ ), ଲୋଗ୍ ଭୁଲ୍ ଗୟେ ହେ ଏବଂ ପଚାଶରୁ ଉର୍ଦ୍ଧ୍ବ ଶିଶୁ ସାହିତ୍ୟର ( ଅନୁବାଦ ) ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଚନ୍ଦ୍ରଭାଗା ପୁରସ୍କାର , ଶ୍ରୀକ୍ଷେତ୍ର ଶ୍ରୀ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାରଳା ପୀଠ ସମ୍ମାନ, ପୂର୍ବୋତ୍ତର ହିନ୍ଦୀ ଏକାଡେମୀ ସମ୍ମାନ, ସଲିଳା ସମ୍ମାନ, ଉତ୍କଳ କଳା ସାଂସ୍କୃତିକ ସଂସଦ ସମ୍ମାନ, ବାଲ୍ ସାହିତ୍ୟ ସମୀକ୍ଷା ସମ୍ମାନ , ସୁଲେଖା ଯୁଗଳବନ୍ଦୀ ସମ୍ମାନ (ପତ୍ନୀ ଶୈଳବାଳା ମହାପାତ୍ରଙ୍କ ସହ ) ଇତ୍ୟାଦି ସହ ଆହୁରି ଅନେକ ସାହିତ୍ୟ ସଂସଦ ଏବଂ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ମାନସ ରଞ୍ଜନ ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

 ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା କ’ଣ ?

ସାହିତ୍ୟ ବିନା ଜୀବନ ନାହିଁ । ଜୀବନ ହିଁ ସାହିତ୍ୟର ସମ୍ବାଦ । ସାହିତ୍ୟିକ ହିଁ ଜୀବନ ଓ ସମୟର ସାମ୍ବାଦିକ ।

ସମ୍ପାଦନା ଓ ସାହିତ୍ୟ ସାଧନା ଭିତରେ କିପରି ଭାରସାମ୍ୟ ରଖୁଥିଲେ ?

ଭଲ ସମ୍ପାଦକ ଲେଖକ ଗଢ଼େ, ନିଜକୁ ଭୁଲେ। ଏକଥା ମୁଁ ବାରମ୍ବାର କହି ଆସିଛି ଓ ଜୀବନ ସାରା କରି ଆସିଛି। ସମ୍ପାଦକ ହେବା ଆଗରୁ ଓଡ଼ିଶାର ସବୁ ବଡ଼ ପତ୍ର ପତ୍ରିକାମାନଙ୍କରେ ମୋର ରଚନା ପ୍ରକାଶିତ ହୋଇ ସାରିଥିଲା । ସମ୍ପାଦକ ହେବା ପରେ ମୁଁ ଅନ୍ୟର ରଚନାକୁ ଯେଉଁ ନିକିତିରେ ତଉଲିଲି , ସେଇ ନିକିତିରେ ନିଜ ରଚନାକୁ ମଧ୍ୟ ତଉଲିଲି । ନିଜ ରଚନା ସମ୍ପାଦନା କରୁ କରୁ ମୋ ଭିତରେ କବି ଓ ଗାଳ୍ପିକଟି ନୀରବି ଗଲା ଓ ସମ୍ପାଦକଟି ଆଗକୁ ବାହାରି ଆସିଲା। ମୁଁ ଓଡ଼ିଶାର ଏକମାତ୍ର ଚାକିରୀ କରିଥିବା ସମ୍ପାଦକ।

 ଆପଣଙ୍କ କବିତାର ଆଙ୍ଗିକ ଓ ଆତ୍ମିକ ଦିଗ ସବୁ କ’ଣ ?

ଆଙ୍ଗିକ ଓ ଆତ୍ମିକ ଏକ ବୋଲି ମୁଁ ବିଚାର କରେ। ଯଦି ଶରୀର ନାହିଁ ତେବେ ଆତ୍ମା କାହିଁ ? ତେବେ ମୋ କବିତାର ଆଙ୍ଗିକରେ ଥାଏ ମଣିଷ ଓ ଈଶ୍ୱର ଭିତରେ ଥିବା ସମ୍ପର୍କର ଆରାଧନା ଓ ଆତ୍ମିକରେ ଥାଏ ଏକ ବିଦ୍ରୋହୀଶୀଳ ମନ। ଦୁହିଁଙ୍କୁ ମୁଁ ଏକାଠି ସାଥିରେ ନେଇ ଚାଲିଥାଏ। ପୃଥିବୀର ଯୁଆଡ଼େ ଯାଏ, ଛାତି ଭିତରେ ଥାଏ ” ପୁରୀ ” ।

୪. ଆପଣ ଗପ ଲେଖନ୍ତି । ତେବେ ଗଳ୍ପ ଅପେକ୍ଷା କବିତାରେ ନିଜକୁ କାହିଁକି ଅଧିକ ନିୟୋଜିତ କଲେ?

ଏକଦା ମୁଁ ଓଡ଼ିଶାର ଆଗୁଆ ଗାଳ୍ପିକମାନଙ୍କ ମଧ୍ୟରେ ଥିଲି । ଓଡ଼ିଶାର ସେ ସମୟର ପ୍ରମୁଖ ଗଳ୍ପ ପତ୍ରିକା “ଗଳ୍ପଝର” “ସାହିତ୍ୟ ଫର୍ଦ୍ଦ” ( ଧରିତ୍ରୀ) ସହ ସମସ୍ତ ଜଣାଶୁଣା ପତ୍ରିକା ମୋର ଗଳ୍ପ ଓ କବିତା ପ୍ରକାଶ କରୁଥିଲେ। ଗଳ୍ପର ଭାବଭୂମି ପାଇଁ ଯେଉଁ ଖୋରାକର ପ୍ରୟୋଜନ ; ତାହା ମୁଁ ଧୀରେ ଧୀରେ ଯୋଗାଡ଼ କରି ପାରିଲି ନାହିଁ। ୧୯୯୪ରେ ମୋର ଗଳ୍ପ ସଙ୍କଳନ ” ଇଉନିଟ  ତିନିର ପ୍ରେମିକା ” ପ୍ରକାଶିତ ହେଲା। ତାହା ପୂର୍ବରୁ ୧୯୮୫ରେ ମୋର ଏକ ଉପନ୍ୟାସ ” ନିଃସଙ୍ଗ ” ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ଗଳ୍ପ ସଙ୍କଳନ ପାଣ୍ଡୁଲିପି ପ୍ରସ୍ତୁତ କଲାବେଳକୁ ମୋ ଭିତରର ସମ୍ପାଦକ ମତେ ବାରମ୍ବାର ବ୍ୟସ୍ତ ରଖିଲା। ମୋର ସୃଜନଶୀଳତା କବିତା ଓ ପ୍ରବନ୍ଧ ମାଧ୍ୟମରେ ବ୍ୟକ୍ତ ହେଲା।

ପଦ କବିତା ଏବେ କାହିଁକି ଆଦୃତି ପାଉନାହିଁ।

କିଏ କହିଲା ପଦ କବିତା ଆଦୃତି ପାଉନାହିଁ ବୋଲି ? ଗୀତିମୟତା ତ କବିତାର ପ୍ରାଣ। କବିତା ବି ସଙ୍ଗୀତ ପରି ଛଳ ଛଳ , ପ୍ରତିନିୟତ ପଦ୍ୟାତ୍ମକ। ଯେଉଁ କବିତାରେ ପଦ୍ୟାତ୍ମକତା ନାହିଁ ; ସେ କବିତା ତଥାକଥିତ ସମାଲୋଚକ ମାନଙ୍କର ପ୍ରଶଂସା ପାଉଛି ସିନା , ପାଠକୀୟ ଆଦୃତି ପାଉନାହିଁ । ମାୟାଧର ମାନସିଂଙ୍କ କବିତା ଏବେବି ସମକାଳୀନ।

 ବୟସ ଓ ଅଭିଜ୍ଞତା ବଢି଼ବା ସହିତ ପ୍ରାଜ୍ଞ ମାନସିକତା ସର୍ଜନଶୀଳ ସୃଷ୍ଟି ପାଇଁ ସହାୟକ ହୁଏ ନା ବାଧକ ହୁଏ ?

ଅଭିଜ୍ଞତା ଓ ବୟସ ସ୍ରଷ୍ଟାକୁ ଅନାବଶ୍ୟକ ଭାବେ ସଚେତନ କରିଦିଏ । କିନ୍ତୁ ଅନୁଭୂତି ନ ଥିଲେ ସାହିତ୍ୟ ସୃଷ୍ଟି ବୃଥା।

କବିତାର ଭାବ ଓ ପ୍ରବନ୍ଧର ବୌଦ୍ଧିକତା ଏ ଦୁଇଟି ଭିତରୁ କାହା ସହ ଆପଣ ଅଧିକ ଜଡ଼ିତ ?

ଉଭୟ ସହ । କବିତାର ଭାବ ହିଁ ମତେ ଜୀବନ ବଞ୍ଚିବାର ପ୍ରେରଣା ଦିଏ । ପ୍ରବନ୍ଧ ବା ବିଶ୍ଳେଷଣାତ୍ମକ ରଚନା ମାଧ୍ୟମରେ ନିଜର ଅନୁଭୂତି ଅନ୍ୟମାନଙ୍କ ଆଗରେ ବିଶଦ ଭାବରେ ରଖିପାରେ।

 ସାମ୍ପ୍ରତିକ ସୋସିଆଲ ମିଡିଆ ସାହିତ୍ୟ ବିଷୟରେ ଆପଣଙ୍କ ମତ କ’ଣ ?

ସୋସିଆଲ ମିଡିଆ ମାଧ୍ୟମରେ ସାହିତ୍ୟ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। କରୋନା କାଳରେ ବହୁ ପତ୍ରପତ୍ରିକା ଅକାଳରେ ମରି ଗଲେଣି । ସୋସିଆଲ ମିଡିଆ ବା ଡିଜିଟାଲ ମିଡିଆ ହିଁ ସାହିତ୍ୟକୁ ବଞ୍ଚେଇ ରଖି ପାରିଛି।

ପୁରସ୍କାର ଓ ପରିଚିତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ?

ଆଦୌ ପ୍ରଭାବିତ କରେ ନାହିଁ । ପୃଥିବୀର ବହୁ ବିଶିଷ୍ଟ ଲେଖକ ଯଥା ଲିଓ ଟଲଷ୍ଟୟ , ଏଜରା ପାଉଣ୍ଡ , ମନୋଜ ଦାସ ଆଦି ନୋବେଲ ପୁରସ୍କାର ପାଇନାହାଁନ୍ତି । ମୁକ୍ତିବୋଧ , ମାୟାଧର ମାନସିଂ , ସୁମତୀନ୍ଦ୍ର ନାଡ଼ିଗ୍ ,ଗଣେଶ୍ୱର ମିଶ୍ର ଆଦି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇ ନାହାଁନ୍ତି । ମୋ ଦ୍ୱାରା ସମ୍ପାଦିତ ଓଡ଼ିଶାର ବହୁ କନିଷ୍ଠ ଲେଖକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଓ ମୁଁ ପାଇନାହିଁ। ଆମ ସମସ୍ତଙ୍କର ପାଠକ ବର୍ଗ ଅଗଣିତ । ପରିଚିତି ବି ପର୍ଯ୍ୟାପ୍ତ । ଆମେ ପୁରସ୍କାର ଦ୍ୱାରା ପରିଚିତ ହୋଇନାହୁଁ , ପ୍ରଭାବିତ ହେବା ଦୂରର କଥା।

ଅନ୍ୟ ଭାଷାର ସାହିତ୍ୟ ଅପେକ୍ଷା ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଅନୂଦିତ ହେଉନାହିଁ । ଏପରି କାହିଁକି? ଏ ବିଷୟରେ କିପରି ଯତ୍ନବାନ ହେବା ଆବଶ୍ୟକ?

ଓଡ଼ିଆ ସାହିତ୍ୟ ହିନ୍ଦୀ ଓ ଇଂରାଜୀରେ ଯଥେଷ୍ଟ ଅନୂଦିତ ହୋଇଛି । ଅନ୍ୟ ଭାରତୀୟ ଭାଷାମାନଙ୍କରେ ସେସବୁ ଭାଷାମାନଙ୍କୁ ଅନୁବାଦ କରିବା ପାଇଁ ଦକ୍ଷ ଅନୁବାଦକ ନାହାଁନ୍ତି ବଙ୍ଗଳା ଓ ଅସମୀୟାକୁ ହୁଏତ ଓଡ଼ିଆ ଭାଷାରୁ ଅଧିକ ଅନୂଦିତ ହୋଇପାରିବ ଯଦି ପ୍ରୋତ୍ସାହନ ମିଳେ । ଭାରତରେ ଅନୁବାଦ ଅନେକ କ୍ଷେତ୍ରରେ ଆନୁଷ୍ଠାନିକ ଅନୁଗ୍ରହ ଉପରେ ନିର୍ଭରଶୀଳ । ଯଦି ଓଡ଼ିଶା ସରକାର ଓଡ଼ିଆ ଭାଷାରୁ ଅନୁବାଦ ପାଇଁ କେତୋଟି ପୁରସ୍କାର ରଖନ୍ତେ ତେବେ ହୁଏତ ଯଥେଷ୍ଟ ସଫଳତା ମିଳନ୍ତା।

Comments are closed.