Latest Odisha News

ସାହିତ୍ୟ ଜନ-ଜୀବନ ସହ ଯୋଡ଼ି ହୋଇ ରହୁ : ମାନିନୀ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନିନୀ ମିଶ୍ର । ଏକାଧାରରେ ଜଣେ କବୀ , ପ୍ରାବନ୍ଧିକା ଏବଂ ଏକ ଅଗ୍ରଣୀ ଦୈନିକ ଖବର କାଗଜର ସାହିତ୍ୟ ବିଭାଗର ସମ୍ପାଦିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ । ବିଶେଷ ଭାବରେ ବିପ୍ଳବଧର୍ମୀ କବିତା ରଚନା କରିବାରେ ସେ ଖୁବ ପରିଚିତା । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ପ୍ରବନ୍ଧ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ ଆଲୋଡନ।

ଜଳ ଜହର, ନିଆଁ ନଈ, ମାଟିମଗ୍ନା ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କବିତା ଏବଂ ପ୍ରବନ୍ଧର ସେ କାଳଜୟୀ ସ୍ରଷ୍ଟା । ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

 

ଲେଖିକା ମାନିନୀ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

 

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଳ ଉତ୍ସ କ’ଣ ଥିଲା ?

ମୋର ପିଲାଦିନ କଟିଛି ବରପାଲିରେ । ସାହିତ୍ୟ କଣ ଜାଣିବା ଆଗରୁ ମୁଁ ମୋର ପ୍ରଥମ ପାଦ ସାହିତ୍ୟର ମାଟିରେ, ତାର ପାଣି ,ପବନ ,ଜୀବନ ସବୁ ଯେମିତି ସାହିତ୍ୟ । ଏସବୁ ଭିତରେ ପ୍ରବାହମାନ ମୋର ଜୀବନ ଯାତ୍ରା ତଥାପି ମୁଁ ସାହିତ୍ୟ କଣ ଜାଣିନଥିଲି । ପରେ ପରେ ମୁଁ ଏରୁଣ୍ଡି ଡେଇଁ ଯେତେବେଳେ ଘରୁ ବାହାରକୁ ବାହାରିଲି, ସମାଜର ଯାବତୀୟ ରୀତି, ନୀତି, ଜାତିକୁ ନେଇ ,ପୁଅ ଝିଅକୁ ନେଇ , ଧନୀ ଗରୀବକୁ ନେଇ,ବୃତ୍ତିକୁ ନେଇ ଅନେକ ପାତର ଅନ୍ତର ମୋ ଭିତରେ ଥମିଲ ମାରି ବସିଥିବା ମୁଁ ପଣକୁ ଟେକା ମାରିଲେ ; ମୁଁ ଚହଲି ଗଲି, ମୁଁ ଛଟକିଲି, ମୁଁ ଟଣକି ଉଠିଲି । ସେସବୁକୁ ମୁଁ ଚିଲ୍ଲେଇ ଚିଲ୍ଲେଇ କହିବାକୁ ଚାହିଁଲି । ହେଲେ କହିବି କାହାକୁ ? କୁନି ଛୁଆଟେର କଥା ଶୁଣିବ କିଏ ? ମୁଁ ତାକୁ ଶବ୍ଦ ଦେଲି.. ବାସ୍ .. ଯଦି ତମେ ତାକୁ ସାହିତ୍ୟ କହୁଛ ..କହିପାର , ହେଲେ ମତେ ଜଣାନାହିଁ ସତରେ ସାହିତ୍ୟ କ’ଣ !

ଆପଣଙ୍କ ନିୟମିତ ଆଲେଖ୍ୟ ‘ ଫ୍ରାଇଡେ ଫ୍ରାଏ ‘ ବହୁଳ ଭାବରେ ଆଦୃତ । ଏଥିପାଇଁ କିପରି ଭାବରେ ପ୍ରସ୍ତୁତି କରିଥାନ୍ତି ।

ମୁଁ ଆଗରୁ କହିଛି ଛୋଟଟି ବେଳୁ ସମାଜ ସହ ବଢିଛି । ସମାଜର ଅନ୍ତରାତ୍ମାକୁ ଚିପୁଡିଛି, ରକ୍ତାକ୍ତ ହୋଇଛି ଆଉ ଗାରେଇଛି। ‘ ଫ୍ରାଇଡେ ଫ୍ରାଏ’ ବି ସେମିତି । କେବଳ ନିୟମିତ ସ୍ତମ୍ଭ ମୋ ପରି ବେପରୁଆ ମଣିଷ ଯେ ଲେଖିପାରିବ ମୋର ନିଜ ଉପରେ ଭରଷା ନ ଥିଲା । ଦିନକର କଥା ମୁଁ ଆଉ ମୋର ବନ୍ଧୁ କଥା ହେଉ ହେଉ , ଭାବିଲୁ ଅନେକ କଥା ତ ଲେଖା ହେଉଛି ସ୍ତମ୍ଭରେ ହେଲେ ପ୍ରାୟତଃ ସେସବୁ ବିଷୟ ନେଟରୁ ଆଣି ଅନୁବାଦ କରି ଥୋଇଦେଲେ ପରି ଲାଗୁଛି। ହଁ, ମୁଁ ସବୁ ସ୍ତମ୍ଭର କଥା କହୁନି ଏବେ ବି ଅନେକ ସ୍ତମ୍ଭକାର ଅଛନ୍ତି ଯେଉଁମାନେ ସେଇ ଆରପାଖକୁ ମାଡି ଖୁବ ସୁନ୍ଦର କୃତି ଦେଇ ଚାଲିଛନ୍ତି । ତେଣୁ ଗୋଟେ ଅଲଗା କିଛି କରିବାର ପ୍ରୟାସ ହିଁ ଥିଲା ଫ୍ରାଇଡେ ଫ୍ରାଏ। ସାହିତ୍ୟଠୁ ରାଜନୀତି ଯାଏଁ, ଭରଜିନ ବାବାଠୁ ଅମୃତ ଝର ଯାଏଁ , ଯିଏ ଯେତେବେଳେ ନିଜ ଗୋଜିଆ ମୁଣ୍ଡ ଟୁଙ୍ଗାରନ୍ତି, ମୁଁ ତାକୁ ହିଁ ମୋର ବିଷୟ ନିଏ । ଗୁରୁବାର ଦିନ ପ୍ରାୟତଃ ଘନ୍ଟାଏ ଭିତରେ ମୋ ଲେଖା ରେଡି କରେ। ମୋର ପେପରର ପିଲାମାନେ ବି ବହୁତ ଭଲ , ସେମାନେ ପ୍ରଥମେ ମୋ ଲେଖା ପଢି ନିଜ ମତ ଦେଇଦିଅନ୍ତି ସଂକ୍ଷେପରେ। ତାପରେ ସେ ଲେ ଆଉଟରେ ବସେ ।

କବିତାର ଭାବ ସହ ପ୍ରବନ୍ଧର ବିଶ୍ଳେଷଣ ; ଏ ଭାରସାମ୍ୟ କିପରି ରକ୍ଷା କରନ୍ତି ?

ମୁଁ ବିଜ୍ଞାନର ଛାତ୍ରୀ। ଗଣିତ ମୋର ପ୍ରିୟ ବିଷୟ ଥିଲା । ମୁଁ ସାହିତ୍ୟକୁ ବିଶେଷ ଭାବରେ ପଢିନି, ଜୀବନ ପଢିଛି । ବାସ , ସେତକ ମତେ ଯେତେବେଳେ ଯେଉଁ ବାଟ ବତାଏ ମୁଁ ସେଇ ରାସ୍ତାରେ ନିଜକୁ ନେଇଛି । ପ୍ରବନ୍ଧର ରାସ୍ତା ଅଲଗା ସେ ତା ବାଗରେ ଆସେ ତା’ର ପାଠକଙ୍କ ନିକତତର ହେଲା ପରି ଆବେଦନଟେ ଥିଲେ ହେଲା। ଦିନେ ଯତ୍ର ନାର୍ୟ୍ୟସ୍ତୁ ପୂଜ୍ୟନ୍ତେ ..ଶୀର୍ଷକରେ ଲେଖିଥିଲି ଜଣେ ବୟସ୍କ ମହିଳା ଅଫିସ ନମ୍ବରରେ ଫୋନ କରି ବହୁତ ପ୍ରଶଂସା କରିଥିଲେ। ଠିକ ସେମିତି ଥରେ ରାସ୍ତାରେ ଜଣେ ପାଠକ ମତେ ଅଟକେଇ କହିଥିଲେ ,ଆପଣ ସେଇ ନା ଯିଏ ଫ୍ରାଇଡେ ଫ୍ରାଏ ଲେଖନ୍ତି ? ଏପରି ବହୁତ ପାଠକଙ୍କ ଭଲପାଇବା ପାଇଛି। ପାଠକ ହିଁ ସବୁ ଲେଖାର ଗୋଲ ପୋଷ୍ଟ, ସେମାନେ ତାଳି ,ସେମାନେ ହୂଳହୂଳି । ସେ ପ୍ରବନ୍ଧ ହେଉ କି କବିତା । କବିତାର ରାସ୍ତା ଅଲଗା , ନିଆଁର ଇନ୍ଧନ ଯଦି ପ୍ରବନ୍ଧ ତା ଉପରେ ବିରାଜମାନ ନୀଳ ସରସ୍ୱତୀ ହିଁ କବିତା । ହେଲେ ଉଭୟେ କ୍ଷତାକ୍ତ କରନ୍ତି, ରକ୍ତାକ୍ତ କରନ୍ତି ।

ଆପଣଙ୍କ କବିତା ବିଶେଷ ଭାବରେ ମାଟିର କଥା କହେ। ସାଧାରଣ ମଣିଷର ଅଭାବ ଅସୁବିଧାର ଚିତ୍ର ଆପଣଙ୍କ କବିତାରେ ପ୍ରତିଫଳିତ ହୁଏ । ଏହା ପଛର ପୃଷ୍ଠଭୂମି କ’ଣ ?

ମୁଁ ମାଟିର ମଣିଷ, ଚାରିଫୁଟ ଦଶ ଇଞ୍ଚର ମୋର ଏ ଗଢଣ । ମାଁ ପେଟରେ ଯେତେବେଳେ ମୁଁ ଥିଲି ସେଇ ସମୟରେ ମୋ ମାଁଙ୍କୁ ଚିକେନ ପକ୍ସ ହୋଇଯାଇଥିଲା ଆଉ ତାର ପ୍ରଭାବରେ ମୁଁ ଜନ୍ମ ହେଲା ପରେ ଖୁବ ରୋଗିଣା ଥିଲି। କିଛିଦିନ ପରେ, ଗୋଟେ ଲାଲ ଗାର ଆଖିର ତଳ ଭାଗରେ ହେଲା। ପରେ ସେଇଠି ଝୁଲୁଥିଲା ଗୋଟେ ହେମାନ୍ଜେମା ବା ରକ୍ତ ଥଳି। ହାଃ ହାଃ ହାଃ ..ଗୋଟେ ଆଖି ପାଖାପାଖି କଣ ହେବ ? ପ୍ରଶ୍ନବାଚୀରେ ବାପା, ମାଁ ତଥାପି କୁଆଡେ ମୁଁ ଖୁବ ସୁନ୍ଦର ଥିଲି, ଦପ ଦପ ଜଳୁଥିଲି, ନିଡର ଥିଲି । ଧିରେନ ଡାକ୍ତର କିଏ ଜଣେ ସେତେବେଳେ ଡୁଙ୍ଗୁରିପାଲିରେ ଥିଲେ । ମାଁଙ୍କୁ କହିଲେ କିଛି ହବନି।
କିଛି ବର୍ଷ ପରେ ସେ ଆପେ ଆପେ ହାରମାନି ଚାଲିଯାଇଥିଲା ।

ବାପା ପଢୁଥିଲେ, ମାଁ ତାଙ୍କ ବାପ ଘରେ ଥିଲେ, ସହରୀ ଭାଇ ,ଭାଉଜଙ୍କ ଗଞ୍ଜଣା ସହି, ବାବା ,ମାମାଙ୍କ ବଳ ସାଜିବାକୁ ଚେଷ୍ଟା କରୁଥିଲେ ମାଁ । ବୁଢା ମାଁ ବାପଙ୍କ ରୋଷେଇଠୁ ଖେତ ଖଳା ସବୁ ସମ୍ଭାଳି ଦେଉଥିଲେ..ବୋଧେ ସେଇ ରକ୍ତରେ ଗଢା ବୋଲି ମୁଁ ମାଟିମଗ୍ନା ।

ସାମାଜିକ ଗଣମାଧ୍ୟମର ସାହିତ୍ୟକୁ ଆପଣ କିପରି ଭାବରେ ଦେଖନ୍ତି ?

ପ୍ରଥମରୁ କହିଛି ମୁଁ ଭାବେନା ସାହିତ୍ୟର ଗୋଟେ ହିଁ କାନଭାସ ରହିଛି, ଯିଏ ଯେଉଁଠି, ତାର ନିଜର ସୁବିଧା ମୁତାବକ କାନଭାସଟେ ତିଆରି ପାରିଲା ଆଉ ଶବ୍ଦ ଗୁନ୍ଥି ଧାଡି ଆଙ୍କି ପାରିଲା ,ପାଠକ ଆଉ ସମୟ ଉପରେ ଛାଡି ଦିଆଯାଉ ତାର ଭାଗ୍ୟ । ହେଲେ ମତେ ଲାଗେଯେ , ଯେ କୌଣସି ମାଧ୍ୟମରେ ଜଣେ କିଛି ଲେଖୁଛି ମାନେ ସେ ନିଜ ସହ ଆଉ ଟିକେ ପାଖା ପାଖି ହେଉଛି। ଆଉ ନିଜକୁ ଚିହ୍ନିବାଟା ହିଁ ଆଜିର ମଣିଷ ଛାଡି ଦେଉଛି। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ,କୌଣସି ନା କୌଣସି ମାଧ୍ୟମରେ ଲେଖନ୍ତୁ ମୁଁ ଚାହିଁବି ।

ସାହିତ୍ୟ ସୃଷ୍ଟିକୁ ବାଦଦେଇ ଆପଣ ଜଣେ ସଫଳ ସମ୍ପାଦିକା । ତେବେ ଓଡ଼ିଆ ସାହିତ୍ୟରେ ସମ୍ପାଦନା କ୍ଷେତ୍ରରେ ଆଉ କି କି ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଆ ସାହିତ୍ୟରେ ସମ୍ପାଦନା ଦିଗଟି ସତରେ ଖୁବ ବିସ୍ମୟ ଜନକ; ଆଉ ଏଇଠି ଜଣେ ସମ୍ପାଦକ ଯୁଗ ସହ ଆଗେଇଛି ନାଁ ନିଜକୁ ଭକ୍ତଙ୍କ କଳ୍ପବଟ କରି ଗଢିବାରେ ଲିପ୍ତ ରହୁଛି ସେ ଆଗାମୀ ସମୟ କହିବ ।

ସମ୍ପାଦନା ଏତେ ବି ସହଜ ନୁହେଁ ନା ହିଁ ବେଶୀ ଜଟିଳ , ହେଲେ ଜଣେ ସମ୍ପାଦକ ତାର ଅନ୍ତରରୁ ନିରପେକ୍ଷ ହେଲେ ଓଡ଼ିଆ ସାହିତ୍ୟ ଆହୁରି ଆଗକୁ ଯାଇ ପାରନ୍ତା ବୋଲି ମୁଁ ହୃଦବୋଧ କରିଛି । ଏଇଠି ଅନେକ ବଡ ବଡ ସମ୍ପାଦକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଅଛି ତାକୁ କହିବାକୁ କି ଶୁଣିବାକୁ ମୁଁ ଚାହେଁନା, ହେଲେ ଏତିକି କହିବି, ସମ୍ପାଦନା ମାଁ ସରସ୍ୱତୀଙ୍କ ବୀଣାର ତାର ସଂଯୋଗ କରିବା ପରି ଗୋଟେ ପବିତ୍ର କାମ । ଯଦି ଆମେ ସେଇଥିରେ ତାରର ଯୋଗ୍ୟତା ନ ପରଖି ଆମ ନିଜ ଶକ୍ତିର ଅପବ୍ୟବହାର କରିବା ତେବେ ସ୍ୱୟଂ ସରସ୍ୱତୀ ବି ବୀଣା ବଜେଇବାକୁ ଡରିବେ ।

ସାହିତ୍ୟରେ ଯେକୌଣସି ବିଷୟର ଆଲୋଚନା ହେବା ପରେ ତାହା କେବଳ ଏକ ‘ଖବର ‘ ହୋଇ ରହିଯାଏ । ଏହା ଉପରେ ଆହୁରି ତର୍ଜମା କରି ଏହାର ପ୍ରଭାବ ବିଷୟରେ ଯତ୍ନବାନ ହେବା ଆବଶ୍ୟକ କି ?

ନିଶ୍ଚିତ ଭାବରେ ସାହିତ୍ୟ ଦୁଇଦିନିଆ ହଟଚମଟ ଭିତରେ ସରି ନ ଯାଉ । ଏକ ବିରାଟ ଯାତ୍ରା ପରି ହେଉ । ଠିକ ମୋର ପିଲାଦିନ ମୋ ମାଁଙ୍କ ଘରେ ଦେଖିଥିବା ଚୈତ୍ର ପୂର୍ଣ୍ଣିମା ଯାତ୍ରା ପରି ହେଉ। ସବୁ ପ୍ରତିବାଦ, ମାଁ ଚନ୍ଦଲି ପାଟ ପାଖରେ ବଳୀ ପଡିବା ଯାଏ ନିଆ ହୁଅନ୍ତୁ ଅହଙ୍କାର ମାନେ, ଟଙ୍କା, ପଇସା ପଦ ପଦବୀରେ ଅନ୍ଧ କ୍ଷଣ ମାନେ , ମଣିଷ ମଣିଷ ହୋଇ ରହୁ, ମାନବିକତା ମରି ନ ଯାଉ।

ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ , କାହିଁକି ?

ମୁଁ ଠିକ ସେମିତି ଭାବେନା, ଗପ ଆଉ କବିତା ଭିତରେ ବି ଅନେକ ଶାଖା ପ୍ରଶାଖା ଅଛି । ପାଠକ ହେଲା ମନୁଆ ମଣିଷ , ତାର ପସନ୍ଦ ମିଠା, ଖଟା, କଷା, ପିତା ବାଛି ସେଇ ଶାଖା ସମୂହରୁ ତାର ପସନ୍ଦ ବାଛି ନେବ। ହଁ , ଏତିକି କହିବି , ମୁଁ ନିଜେ ଦେଖିଛି ଗପ ହେଉ କି କବିତା ଯାହାର ସରଳ ବଖାଣ ଅଛି ତାକୁ ପାଠକ ବେଶୀ ପସନ୍ଦ କରନ୍ତି ।

ନୂଆ ପୀଢ଼ିଙ୍କୁ ସୁଯୋଗ ଦେବାପାଇଁ ବରିଷ୍ଠ ଲେଖକମାନେ କିପରି ଭାବରେ ସହଯୋଗ କରିବା ଆବଶ୍ୟକ ?

ନୂଆ ପୀଢିକୁ ସୁଯୋଗ ଦେବା ପାଇଁ ବରିଷ୍ଠ ଲେଖକଙ୍କ ଗ୍ରହଣଶୀଳତା ଆବଶ୍ୟକ, ନିରପେକ୍ଷତା ରଖି ବିନା କିଛି ଆଶାରେ ସେମାନେ ଯଦି ନୂଆ ପୀଢିଙ୍କ ନିକଟତର ହେବେ ନୂଆ ପୀଢି ବି ବହୁତ କିଛି ଶିଖିପାରିବ। ଆଉ ଏ ସବୁ ହେବ ନିଜ ଭିତରେ ଯଦି ସେମାନେ ସତ୍ ସାହିତ୍ୟିକ ହୋଇଥିବେ, ସତ ସତିକା ସାହିତ୍ୟକୁ ଭଲ ପାଇବା ଥିବ ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ସାହିତ୍ୟକୁ ନେଇ ଯୋଜନା ସେମିତିରେ ମୋର କେବେ ବି ନଥିଲା କି ଏବେ ବି ନାହିଁ ଏ ମୋର ରକ୍ତରେ ପ୍ରବାହିତ ହେମୋଗ୍ଲୋବିନ କଣିକା ପରିକା ପରି । ମୁଁ ଚାହିଁବି କେବଳ ମୋ ପରି ବାଟହୂଡା ମଣିଷଙ୍କର ନୁହେଁ, ବରଂ ଜନ ଜୀବନ ସହ ବର୍ଷା ବିନ୍ଦୁ ପରି ଟପ ଟପ ଟପକୁ ସେ। ଭିଜେଇ ଦେଉ, ହଜେଇ ଦେଉ, ପ୍ରେମରେ ପକାଉ,ଜଳାଉ.. ବାସ୍ ।

Comments are closed.