Latest Odisha News

ଲେଖକର ସୃଷ୍ଟି-ସମ୍ଭାର, ମଣିଷର ସାମଜିକ ଜୀବନର ପ୍ରତିଫଳନ : ନନ୍ଦିତା ମହାନ୍ତି

ସମକାଳୀନ ଓଡ଼ିଆ ସାହିତ୍ୟରେ ନନ୍ଦିତା ମହାନ୍ତି ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।

ରାସ୍ତା କଡ଼ର ଝିଅ , ସ୍ବପ୍ନଠୁ ଦୂରରେ, ସମଷ୍ଟି, ସୂର୍ଯ୍ୟୋଦୟର ରଙ୍ଗ ପ୍ରଭୃତି ପୁସ୍ତଙ୍କର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ନନ୍ଦିତା ମହାନ୍ତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ସାହିତ୍ୟ ଜୀବନ କହିଲେ ଆପଣ ଯଦି ଲେଖାଲେଖି କରିବା କଥା କହୁଛନ୍ତି ତେବେ କହିବି ତାହା ଖୁବ ଆକସ୍ମିକ ଭାବରେ ଆରମ୍ଭ ହୋଇଥିଲା । କିନ୍ତୁ ମୁଁ ସାହିତ୍ୟ ଭିତରେ ପୂର୍ବରୁ ମଧ୍ୟ ଥିଲି । ପ୍ରଚୁର ପଢୁଥିଲି । ହାତ ପାଖରେ ଯାହା ପାଉଥିଲି ପଢୁଥିଲି । ଶିଶୁ ସାହିତ୍ୟଠାରୁ ଆରମ୍ଭ କରି ଉପନ୍ୟାସ ଯାଏଁ । ଆମ ସ୍କୁଲରେ ପ୍ରତି ସପ୍ତାହରେ ଗୋଟେ ଲାଇବ୍ରେରୀ କ୍ଳାସ ରହୁଥିଲା । ସେଦିନ ପିଲାମାନେ ଲାଇବ୍ରେରୀରୁ ବହି ନେଇ ପରବର୍ତ୍ତୀ ସପ୍ତାହରେ ଲାଇବ୍ରେରୀ କ୍ଳାସରେ ବହି ଫେରାଉଥିଲେ । ହେଲେ ମୁଁ ଯେଉଁ ଦିନ ବହି ନେଉଥିଲି , ରାତି ସାରା ଚେଇଁ ବହି ପଢି ସାରି ତା ପରଦିନ ହାଜର ହୋଇ ଯାଉଥିଲି ବହି ଫେରେଇବା ପାଇଁ । ଆମ ସ୍କୁଲ ଲାଇବ୍ରେରୀର ଲାଇବ୍ରେରିଆନ କହୁଥିଲେ, ଆରେ ଏତେ ଶୀଘ୍ର ପଢିଦେଲୁ । ହଉ ବହି ରଖିଥାଆ, ଲାଇବ୍ରେରୀ କ୍ଳାସରେ ଫେରେଇବୁ । ହେଲେ ମୁଁ ନଛୋଡବନ୍ଧା । ମୋର ଆଉ ଗୋଟେ ବହି ଦରକାର । ମୋର ଯୁକ୍ତି , ମୁଁ ତ ପଢି ସାରିଦେଲି । ମୋତେ ଆଉ ଗୋଟେ ବହି ଦେବେ । ଅପେକ୍ଷା କରିବି କିଆଁ ? ଶେଷରେ ସାର ହାରନ୍ତି ଓ ମୁଁ ଜିତେ । ମୋର ବହିପଢା ନିଶା ଆହୁରି ବଢେ । ଏମିତି କି ମୁଁ ଚିନାବାଦାମ ଖାଇ ସାରିଲା ପରେ ଚିନାବାଦାମ ଗୁଡା ହୋଇଥିବା କାଗଜକୁ ଖୋଲି ପଢିବାକୁ ଭୁଲେନି । ଏବେ ବି ସେଇ ପ୍ରକ୍ରିୟା ଚାଲିଛି । ହାତ ପାଖରେ ଯେତେବେଳେ ଯାହା ମିଳିଲା ପଢୁଛି । ଏମିତି ସମ୍ପର୍କ ମୋର ସାହିତ୍ୟ ସହିତ ।

ଆଉ ସାହିତ୍ୟ ଲେଖାକୁ ନେଇ ଆରମ୍ଭ ହୋଇଥିବା ଜୀବନ କଥା ଯଦି କହିବେ , ତେବେ ମୁଁ କହିବି , ଜୀବନରେ ଅନେକ କିଛି କରିପାରିଲିନି ବୋଲି ବୋଧେ ମୁଁ ଲେଖିଲି । ପିଲାଛୁଆ, ଘରସଂସାର , ଚାକିରି ଭିତରେ ଅହରହ ଯୁଝୁଥିଲା ସମୟରେ ବି ଲାଗୁଥିଲା ଯେମିତି କେଉଁଠି କିଛି ଗୋଟେ ଫାଙ୍କ ରହିଯାଇଛି । ଗୋଟେ ନିପାରିଲାପଣ ପ୍ରତି ମୁହୂର୍ତ୍ତରେ ଆକ୍ତାମାକ୍ତା କରୁଥିଲା ମୋତେ ଯେଉଁଥିରୁ ଉଧୁରିବା ପାଇଁ ମୁଁ ଲେଖିବା ଆରମ୍ଭ କଲି । ବେଳେବେଳେ ଗୋଟିଏ ଘଟଣା ବା ଦୁର୍ଘଟଣା ଜୀବନର ପଟ୍ଟ ପରିବର୍ତ୍ତନ କରିଦେବାକୁ ଯଥେଷ୍ଟ । ସେଇପରି ଏକ ଘଟଣାରୁ ମୋର ଲେଖାକୀୟ ଜୀବନର ଆରମ୍ଭ ହୋଇଥିଲା ଯାହା ଆଜି ଯାଏଁ ଚାଲିଛି ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖାଟି ଥିଲା ଏକ କ୍ଷୁଦ୍ର ଗଳ୍ପ । ତାହା ଏକ ସତ ଘଟଣାକୁ ନେଇ ଲିଖିତ । ସେଇ ଘଟଣାଟି ମୋତେ ଏତେ ବେଶୀ ଆନ୍ଦୋଳିତ କରିଥିଲା ଯେ ନା ମୁଁ ଶାନ୍ତିରେ ଖାଇପାରିଲି , ନା ଶୋଇପରିଲି , ନା କିଛି କାମ କରିପାରିଲି । ଶେଷରେ ଶବ୍ଦରେ ଶବ୍ଦ ଖଞ୍ଜି ମୋର ନିଜସ୍ଵ ଅନୁଭବକୁ ଉତାରି ଦେଲି କାଗଜ ଉପରେ । ଶବ୍ଦକୁ ନେଇ ମାଳ ଗୁନ୍ଥିବାର ତାହା ଥିଲା ମୋର ପ୍ରଥମ ଅନୁଭୂତି । ଗପଟିର ଶୀର୍ଷକ ଥିଲା ‘ ପ୍ରତିଯୋଗୀତା ‘ ଓ ତାହା ‘ପ୍ରଜ୍ଞାଶ୍ରୀ’ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତା’ପରେ ମୁଁ ଆଉ କେବେ ହେଲେ ପଛକୁ ଫେରି ଚାହିଁନାହିଁ ।

ଅନୁବାଦ ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ମୋର ଜନ୍ମ ରାଉରକେଲା ପରି ଏକ ଶିଳ୍ପନଗରୀରେ । ସେଠାରେ ଥିବା ଲୌହଇସ୍ପାତ କାରଖାନା ଏକ ରାଷ୍ଟ୍ରୟିତ ସଂସ୍ଥା । ତେଣୁ ଦେଶର ସବୁ ପ୍ରାନ୍ତର ଲୋକ ରହୁଥିଲେ ସେଠାରେ । ସେଥିପାଇଁ ରାଉରକେଲାକୁ ଓଡ଼ିଶାର ପ୍ରଥମ କସମୋସିଟି ବୋଲି ମଧ୍ୟ କୁହାଯାଏ । ଲାଇନ ଲାଇନ ହୋଇ ବ୍ୟାପୀଥିବା ମୁହାଁ ମୁହିଁ କ୍ଵାର୍ଟରମାନଙ୍କରେ ବିଭିନ ଜାତିଧର୍ମ ଓ ଭାଷାଭାଷୀ ଲୋକ ବାସ କରୁଥିଲେ । ଆମେ ପରସ୍ପର ସହିତ ମିଶୁଥିଲୁ । ସେମାନଙ୍କ ପୂଜାପର୍ବ, ବାହା ନିମିତ୍ତରେ ସାମିଲ ହେଉଥିଲୁ । ଟିକେ ବଡ ହେଲା ପରେ ଉତ୍ସୁକତା ବି ବଢିଲା । ତେଣୁ ହିନ୍ଦୀ ବହି ପଢିବା ଆରମ୍ଭ କଲି । ଆଉ ହିନ୍ଦୀ ଭାଷାର ଉଚ୍ଚକୋଟିର ଲେଖା ପଢି ଉଦବୁଦ୍ଧ ମଧ୍ୟ ହେଲି ।ଆଉ ସବୁଠାରୁ ବଡ କଥା ହେଲା ସେହି ଲେଖାଗୁଡିକ ସହିତ ମୁଁ ନିଜକୁ ସଂଶ୍ଲିଷ୍ଟ ମଧ୍ୟ କରି ପାରୁଥିଲି । ସେଇ ସବୁ ସଂସ୍କୃତି ସହ ଖୁବ ବେଶୀ ଆତ୍ମୀୟତା ଥିଲା ମୋର । କିଛି ଗପ ମୋତେ ଏତେ ଭଲ ଲାଗୁଥିଲା ଯେ ମନ ହେଉଥିଲା ଓଡ଼ିଆରେ ଏମିତି ଲେଖା ହୁଆନ୍ତା କି ? ମୁଁ କିଛି ଗଳ୍ପ ଅନୁବାଦ ମଧ୍ୟ କଲି । ପତ୍ରିକାକୁ ପଠେଇଲି । ପ୍ରକାଶିତ ହେବା ପରେ କେତେ ଜଣ ସମ୍ପାଦକ ଓ ପାଠକ କହିଲେ ତୁମ ହାତରେ ଅନୁବାଦ ଭଲ ଉତୁରୁଛି । ସେଇଠୁ ଆରମ୍ଭ ହେଲା ଅନୁବାଦ କରିବା । ମୋର ପ୍ରଥମ ପ୍ରକାଶିତ ଅନୁବାଦ ଗଳ୍ପ ହେଉଛି ଭଗବତୀ ଚରଣ ବର୍ମାଙ୍କ ଲିଖିତ ‘ପ୍ରାୟଶ୍ଚିତ’ । ବାସ ତାପରେ ମୌଳିକ ସହିତ ଅନୁବାଦ କର୍ମ ବି ଚାଲିଲା ।

ଓଡ଼ିଶାରେ ଅନୁବାଦକମାନେ ଅନ୍ୟ ଲେଖକଙ୍କ ତୁଳନାରେ ଅବହେଳିତ ବୋଲି ଆପଣ ଭାବନ୍ତି କି ?

ନା , ମୁଁ ସେମିତି ଭାବେନାହିଁ । ଦେଖନ୍ତୁ ମୋ ମତରେ ନିଜକୁ ଅବହେଳିତ ମନେକରିବା ଏକ ମାନସିକତା । ଯଦି ମନରେ କିଛି ଆଶା ରଖି ଲେଖା ଯାଉଥିବ ତେବେ ତାହା ନ ମିଳିଲେ ଅବହେଳିତ ଲାଗିବ । କିନ୍ତୁ ମୁଁ ଭାବେ ଲେଖିବା ମୋ କାମ । ତେଣିକି ତାହା ଯେଉଁ ଲେଖା ହେଉ । ମୁଁ ମୌଳିକ ମଧ୍ୟ ଲେଖେ ଓ ଅନୁବାଦ ମଧ୍ୟ କରେ । ଯେତେବେଳେ ଯେଉଁ କାମଟି କରେ ସେଥିରେ ନିଜର ୧୦୦ % ଦେବାକୁ ଚେଷ୍ଟା କରେ । ଆଉ ମୋତେ ଲାଗେ ଅନୁବାଦ କରିବାବେଳେ ବେଶୀ ଦାୟିତ୍ଵବାନ ହେବାକୁ ପଡେ । କାରଣ ସବୁବେଳେ ମନେ ରଖିବାକୁ ହୁଏ ଯେ ଅନୁବାଦ କର୍ମଟି ଯେମିତି ମୌଳିକ ଲେଖାକୁ ଠିକ ଠିକ ନ୍ୟାୟ ଦେଇପାରୁ ।

ଜଣେ ଲେଖକର ସାମାଜିକ ଦାୟିତ୍ଵବୋଧ କିପରି ହେବା ଆବଶ୍ୟକ ?

ଲେଖକ ସମାଜରେ ରହେ । ସିଏ ବି ଜଣେ ସାମାଜିକ ପ୍ରାଣୀ । ତେଣୁ ତାର ମଧ୍ୟ ସମାଜ ପ୍ରତି ଉତ୍ତରଦାୟିତ୍ଵ ଅଛି ।ଆଉ ସବୁଠାରୁ ବଡ କଥା ହେଲା ଲେଖକଟିଏ ଯେଉଁ କାଳଖଣ୍ଡରେ , ଯେଉଁ ସମାଜରେ ବାସ କରେ ତାକୁ ହିଁ ନେଇ ଲେଖେ । ଆମେ ଆଜି ଯଦି ବିତି ଯାଇଥିବା ସମୟ , ସେ ସମୟର ସମାଜ ବିଷୟରେ କିଛି ଜାଣିପାରୁଛେ ତେବେ ତାହା ସମ୍ଭବ ହୋଇ ପାରିଛି ସେ ସମୟର ସାହିତ୍ୟ ଯୋଗୁଁ । ଆଉ ରହିଲା ସାମାଜିକ ଦାୟିତ୍ଵବୋଧ କଥା , ମୋ ମତରେ ଲେଖକ ସମାଜ ସୁଧାରକ , ସମାଜସେବୀ କିମ୍ବା ସମାଜ ସଂସ୍କାରକ ନୁହେଁ । ଆଉ ହେବା ଜରୁରୀ ମଧ୍ୟ ନୁହେଁ । ହେଲେ ଯଦି ତାର ଲେଖା କାହାର ବ୍ୟକ୍ତିଗତ ଜୀବନରେ ବା ସମାଜସୁଧାରରେ ସହାୟକ ହୋଇପାରିଲା ତେବେ ଲେଖାଟି କାଳୋତ୍ତୀର୍ଣ୍ଣ ହେଲା ବୋଲି କହିପାରିବା । କାରଣ ଲେଖକର ସୃଷ୍ଟି ସମ୍ଭାର, ସମାଜ ଓ ସେଥିରେ ବସବାସ କରୁଥିବା ମଣିଷ ଜୀବନର ପ୍ରତିଫଳନ ମାତ୍ର ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?
ବ୍ୟକ୍ତିଗତ ଜୀବନରେ ମୁଁ ଜଣେ ଝିଅ , ଜଣେ ସ୍ତ୍ରୀ , ଜଣେ ମାଆ , ଜଣେ ବୋହୁ ….ଏମିତି ବହୁଧା ବିଭକ୍ତ ମୁଁ । ତା ସହିତ ମୁଁ ଜଣେ କର୍ମଜୀବି ମହିଳା । ଆଉ ଏସବୁ ସହିତ ସାହିତ୍ୟପ୍ରୀତିକୁ ପାଳିବା ଆହୁରି କଷ୍ଟକର ନିଶ୍ଚୟ । ହେଲେ ମୋ ଭିତରେ ଅଲଗା କିଛି କରିବାର ପ୍ରବଣତା ରହିଥିଲା ସବୁବେଳେ । ସେଥିପାଇଁ ମୁଁ ଲେଖାଲେଖି ପରି ଏକ କର୍ମକୁ ଆଦରି ନେଲି । କିନ୍ତୁ ମୁଁ ସାହିତ୍ୟ ପାଇଁ କେବେ ହେଲେ ନିଜର କର୍ତ୍ତବ୍ୟକୁ ଅବହେଳା କରିନାହିଁ । ପରିବାର ଓ ବୃତ୍ତିଗତ ଦାୟିତ୍ଵକୁ ଅଣଦେଖା କରିନାହିଁ । ଯେହେତୁ ପରିବାରଟିଏ ଗଢିଛି ତାକୁ ଚଳେଇବା ହେଉଛି ମୋର ପ୍ରାଥମିକତା । ମୋର ପରିବାରର ସମସ୍ତ ଦାୟିତ୍ଵ ମୋର ।ମୁଁ କିଛି ଛାଡି କିଛି ପାଇବାରେ ବିଶ୍ବାସ କରେନା ।ସମସ୍ତଙ୍କୁ ସାଥିରେ ନେଇ ଚାଲିବାରେ ବିଶ୍ବାସ କରେ ।ମୁଁ କାହାକୁ ହେଲେ ଛାଡି ପାରିବିନାହିଁ , ନା ପରିବାର , ନା ବୃତ୍ତି ନା ସାହିତ୍ୟ । ତେଣୁ ମୋର ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟି ପାଇଁ ବାଧକ ସାଜିଛି ବୋଲି ମୁଁ କହିବି ନାହିଁ । ହଁ ,ହୋଇପାରେ ଏହା ଦ୍ଵାରା ହୁଏତ ମୋ ଭିତରେ ଥିବା ସାହିତ୍ୟିକ ସତ୍ତାଟି ଟିକେ ଅବହେଳିତ ହୋଇଛି । ଆଉ ତାକୁ ସାମ୍ନା କରିବାକୁ ଯାଇ ମୁଁ ନିଜର ବ୍ୟକ୍ତିଗତ ସୁଖ ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଛି । ନିଜର ସମସ୍ତ ଉତ୍ତରଦାୟିତ୍ଵକୁ ସମ୍ପାଦନ କରିବା ପରେ ଅବଶିଷ୍ଟ ସମୟ ମୁଁ ସାହିତ୍ୟକୁ ଦେବାକୁ ଚେଷ୍ଟା କରିଛି ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ମୁଁ ବା ଆମ ପୀଢ଼ି ଓ ଆମ ପୂର୍ବସୁରୀମାନେ ଯେତେବେଳେ ଲେଖାଲେଖି ଆରମ୍ଭ କରିଥିଲେ ସେତେବେଳେ କେବଳ ପତ୍ରପତ୍ରିକା ହିଁ ଥିଲା ଲେଖାକୁ ପାଠକ ନିକଟରେ ପହଞ୍ଚେଇବାର ଅକମାତ୍ର ମାଧ୍ୟମ । କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି । ସାମାଜିକ ଗଣମାଧ୍ୟମ ଆସିବା ପରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଏକ ନୂତନ ଦିଗନ୍ତ ଉନ୍ମୋଚିତ ହୋଇଛି । ଲେଖାଟିଏ ଲେଖି ସାରିବା ପରେ ତାର ପ୍ରକାଶନ ପାଇଁ ଆଉ ଦିନଦିନ , ମାସମାସ ଅପେକ୍ଷା କରିବାକୁ ପଡୁନାହିଁ । ତେଣୁକରି ବର୍ତ୍ତମାନ ସମୟରେ ଲେଖକ-କବି ଓ ପ୍ରକାଶିତ ଗଳ୍ପ-କବିତାର ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି । ପ୍ରତିଦିନ ନୂଆ ନୂଆ କବି, ଲେଖକ ସୃଷ୍ଟି ହେଉଛନ୍ତି । ଏହା ସାହିତ୍ୟ ପାଇଁ ଶୁଭଂକରୀ ନିଶ୍ଚୟ । କାରଣ ପ୍ରଚୁର ନୂଆ ଲେଖା ପଢିବାକୁ ମିଳୁଛି । ହେଲେ ଏଥିରେ ଏକମାତ୍ର ତ୍ରୁଟି ରହିଯାଉଛି । ଲେଖାର କୌଣସି ମାପଦଣ୍ଡ ରହୁନାହିଁ । ଯିଏ ଯାହା ଲେଖିଦେଲା ତାହା ଗଳ୍ପ-କବିତା ହୋଇଯାଏ ନାହିଁ । କିନ୍ତୁ ଆଶ୍ଵାସନର ବିଷୟ ଏଇଆ ଯେ ଚେଷ୍ଟା ତ ଚାଲିଛି । ହେଲେ ସାମାଜିକ ଗଣମାଧ୍ୟମ ଆମକୁ ଅନେକ ଭଲ ଭଲ ଗଳ୍ପକବିତା ଉପହାର ଦେଉଛି ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କଣ ସ୍ଵପ୍ନ ଦେଖନ୍ତି ?
ମୁଁ ଓଡିଆ ସାହିତ୍ୟର ଭବିଷ୍ୟତକୁ ନେଇ ଖୁବ ବେଶୀ ଆଶାବାଦୀ । ଅନେକ କୁହନ୍ତି , ଆଜିକାଲି ସାହିତ୍ୟ ପ୍ରତି ଲୋକଙ୍କର ଆଉ ଆସ୍ଥା ନାହିଁ । ଲୋକ ଗଳ୍ପ କବିତା ପଢୁ ନାହାନ୍ତି । ହେଲେ ଏହା ସତ୍ୟ ନୁହେଁ । ଯଦି ସତ୍ୟ ହୋଇଥାନ୍ତା ତେବେ ପ୍ରତିବର୍ଷ ଏତେ ସଂଖ୍ୟାରେ ନୂଆ ପତ୍ରିକା ବଜାରକୁ ଆସିଥାନ୍ତା କି ? ଗଳ୍ପ, କବିତାର ପାଠକୀୟତା ଥିଲା , ଅଛି ଓ ରହିବ । ହେଲେ ଏକଥା ସତ ଯେ ପୂର୍ବେ ବହି ପଢିବା ହିଁ ଅନେକଙ୍କ ପାଇଁ ଏକମାତ୍ର ମନୋରଞ୍ଜନର ମାଧ୍ୟମ ଥିଲା । ହେଲେ ଏବେ ସମୟ ବଦଳିଛି । ଲୋକଙ୍କ ପାଖରେ ଏବେ ମନୋରଞ୍ଜନର ଅନେକ ମାଧ୍ୟମ ରହିଛି । ଏବର ଡିଜିଟାଲ ଯୁଗରେ ପାଠକ ବହି ପାଖରେ ପହଞ୍ଚିବାକୁ ଚାହୁଁନାହିଁ । ସିଏ ଚାହୁଁଛି ବହି ତା ପାଖରେ ପହଞ୍ଚୁ । ଡିଜିଟାଲାଇଜଡ ଭାବରେ । ତେଣୁକରି ଆମକୁ ବି ସେଇ ଦିଗରେ କାମ କରିବାକୁ ପଡିବ । କାରଣ ପାଠକ ନଥିଲେ ଲେଖକ ଲେଖିବା କାହା ପାଇଁ !

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇପାରିଛନ୍ତି କି ?
କେତେ ବା ସାହିତ୍ୟ ସାଧନା କରିଛି ମୁଁ । କେବଳ ଗୁଣ୍ଡୁଚି ପରି କେତୋଟି ବାଲିଗରଡା ଯୋଗ କରିବାକୁ ଚେଷ୍ଟା କରିଛି ଯାହା । ଏହା ଜୀବନବ୍ୟାପୀ ସାଧନାର କଥା । ବାସ ମୋର ସାଧ୍ୟ ମତେ ଚେଷ୍ଟା କରିଚାଲିଛି । ଇପ୍ସିତ ସୃଷ୍ଟିକୁ ରୂପ ଦେବା ଏତେ ସହଜ କଥା ନୁହେଁ । ଆଉ ଥରେ ଇପ୍ସିତ ସୃଷ୍ଟିକୁ ରୂପ ଦେଇଦେଲେ ସାହିତ୍ୟ ସତ୍ତାଟି ଲୋପ ପାଇଯାଏ ବୋଲି ମୋର ବିଶ୍ଵାସ । ତେଣୁ ଏହି ଆଜୀବନ ଯାତ୍ରା ହିଁ ମୋର ସାହିତ୍ୟ ସାଧନା ବୋଲି ମୁଁ ଭାବେ । ତେଣୁ ଏହି ଯାତ୍ରା ଜାରି ଥାଉ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ମୁଁ ବା କି ବାର୍ତ୍ତା ଦେବି । କେବଳ ଏତିକି କହିବି । ଲେଖାଲେଖି କରିବା ଏକ ସାଧନାର କଥା । ଆମର ଏବେକାର ପିଲାମାନେ ବହୁତ ଭଲ ଗଳ୍ପକବିତା ଲେଖୁଛନ୍ତି ଯାହା ଓଡିଆ ସାହିତ୍ୟ ପାଇଁ ଏକ ବହୁତ ବଡ ଆଶ୍ଵାସନାର ବିଷୟ । ମୋର ଆଶା ଓ ବିଶ୍ଵାସ ସେମାନେ ଏହି ସାଧନାକୁ ଜାରି ରଖିବେ ଓ ନିଜର ଲେଖା ଦ୍ଵାରା ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବେ ।

 

 

 

Comments are closed.