ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି ଧରାଯାଏ ।
ଲୁହର ପିରାମିଡ଼, ଅବୋଲକରା, ରାଣୀ, କରିଦେ ପାରିରେ, ମହାନାୟକ, ଲୋଡ଼ା ନାହିଁ ମୋର କଳ୍ପବଟର ଛାଇ, ଜହର ଦାସର କବିତା, ଉଦ୍ଧବ ଓ ଅନ୍ୟାନ୍ୟ କବିତା, ତୃତୀୟ ପାଦ, ରୁଦ୍ରାକ୍ଷ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ତାଙ୍କ ରଚିତ ଅବୋଲକରା ପୁସ୍ତକଟି କେବଳ ଓଡ଼ିଆ ନୁହେଁ ହିନ୍ଦୀ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ଅନୂଦିତ ହୋଇ ବିପୁଳ ପାଠକୀୟ ଆଦୃତି ଲାଭ କରିଛି । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।
ଲେଖକ ରାଜ କିଶୋର ଦାସଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ନିଜର କେଉଁ ପରିଚୟରେ ଆପଣ ଅଧିକ ସନ୍ତୁଷ୍ଟ , ପ୍ରକାଶକ ନା ଲେଖକ ?
ମୁଁ ମୋର ପରିଚୟ ମୋ ପିତୃଦତ୍ତ ନାମ ରାଜ କିଶୋର ଦାସ ନାମରେ ହିଁ ପରିଚିତ ହେବାରେ ଅଧିକ ସନ୍ତୁଷ୍ଟ ପାଏ । ତେବେ ବୃତ୍ତିଗତ ଭାବରେ ମୁଁ ଜଣେ ପ୍ରକାଶକ ଓ ବ୍ୟକ୍ତିଗତ ଭାବରେ ଜଣେ ନିଶାଗ୍ରସ୍ତ ଲେଖକ । ଉଭୟ ପରିଚୟ ମୋ ପାଇଁ ସମାନ । କୌଣସି ଗୋଟିଏ ପରିଚୟରେ ମୁଁ କେମିତି ସନ୍ତୁଷ୍ଟ ହୋଇପାରିବି !
ପ୍ରକାଶନୀ ଆପଣଙ୍କ ଲେଖକୀୟ ସତ୍ତାକୁ କିପରି ଭାବରେ ପ୍ରଭାବିତ କରିଛି ?
ନିଶ୍ଚିତ ଭାବରେ ଏହା ମତେ ଅଧିକ ପ୍ରଭାବିତ କରିଛି । ଲେଖକପଣ ଏକ ଯୋଗ ସାଧନ ପ୍ରକ୍ରିୟା କିନ୍ତୁ ପ୍ରକାଶନୀ ଏକ ବୃତ୍ତିିଗତ ଜୀବନ । ଅନେକ ସମୟରେ ବୃତ୍ତିକୁ ବଞ୍ଚେଇବାକୁ ଯାଇ ରୁଚିକୁ ବଳି ଦେବାକୁ ପଡ଼ିଥାଏ । ଖାଲି ମୁଁ କାହିଁକି ମୋ ପରି ବହୁ ଲେଖକ, ପ୍ରକାଶକ ନିଜ ଲେଖକପଣକୁ ପ୍ରକାଶନ ବୃତ୍ତି ପାଖରେ ବଳି ଦେଇସାରିଛନ୍ତି । କିନ୍ତୁ ସାହିତ୍ୟ ପ୍ରତି ଅନୁରାଗରେ କୌଣସି ପରିବର୍ତ୍ତନ ଆସେ ନାହିଁ । ମୁଁ ତ କହିବି ପ୍ରକାଶନ ସାହିତ୍ୟ ସହିତ ଯୋଡ଼ି ରଖିବାରେ ଏକ ବଳିଷ୍ଠ ମାଧ୍ୟମ ହୋଇଥାଏ ।
ଯେତିକି ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଅନୁସାରେ ପାଠକ ଅଛନ୍ତି ବୋଲି ଆପଣ ଭାବୁଛନ୍ତି କି ?
ହଁ ! ତାହାଠାରୁ ବହୁ ଅଧିକ । ଏମିତି ବହୁ ପାଠକ ଆଛନ୍ତି ଯାହାଙ୍କ ପାଖରେ ବହିଟିଏ ପହଞ୍ଚିପାରେ ନାହିଁ । ଅନେକ ସମୟରେ ବହିର ମୂଲ୍ୟ ଅଧିକ ଓ ତା’ର ପ୍ରଚାର ପ୍ରସାର ଏତେ କମ୍ ଯେ, ଏହା ସବୁ ଧରଣର ପାଠକଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇ ପାରେନାହିଁ । ତଥାପି ପାଠକ ସଂଖ୍ୟାରେ ପରିବର୍ତ୍ତନ ହୁଏ ନାହିଁ ; ପୁସ୍ତକର ପ୍ରକୃତ ମୂଲ୍ୟାୟନ ପାଠକଙ୍କ ହାତରେ।
ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ଆଉ କି କି ପରିବର୍ତ୍ତନ ଆସିବା ଉଚିତ ?
ଲେଖକମାନେ ନିଜ ଲେଖାର ବ୍ୟବସାୟୀକରଣ ବା ଅଧିକରୁ ଅଧିକ ଲୋକଙ୍କୁ ତାଙ୍କ ଲେଖା ପ୍ରତି ଆକଷର୍ଣ କରିବା ପାଇଁ ଯେଉଁ ପଦ୍ଧତି ଆବଶ୍ୟକ, ସେଥିପାଇଁ ପ୍ରକାଶକ ବି ଧ୍ୟାନ ଦେବା ଉଚିତ୍ ଓ ଲେଖକଙ୍କୁ ବାରମ୍ବାର ସେଥିପ୍ରତି ସଚେତନ କରାଇବା ଉଚିତ । ତେବେ ଯାଇ ପ୍ରକାଶନ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ନତୁବା ଚରୈବତି ଚରୈବତି ଏମିତି ଚାଲିଥିବ ।
ଓଡ଼ିଆ ସାହିତ୍ୟରେ ପ୍ରକାଶିତ ପୁସ୍ତକ ସଂଖ୍ୟା ବଢି ବଢି ଚାଲିଥିବା ବେଳେ, ଲେଖକଟିଏ ଆଜି ବି ତା ଲେଖାଲେଖିରୁ ଉପାର୍ଜନ କରିପାରୁନି । ଏହି ବିଡ଼ମ୍ବନାକୁ ଆପଣ କେମିତି ଦେଖିବେ ?
ଏହା ଏକ ବିଡ଼ମ୍ବନା ନୁହଁ । ଆଜି ବି ଓଡ଼ିଶାରେ ଓଡ଼ିଆ ବହିର କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି । ଯେତେ ସଂଖ୍ୟାରେ ଓଡ଼ିଆ ବହିର ପ୍ରକାଶନ ହେଉଛି ଏବଂ ଲେଖକଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି , ତାକୁ ଯଦି ଆମେ ଗୁଣାତ୍ମକମାନ ସହ ଆଗକୁ ବଢ଼େୁଛ ବୋଲି କହିବା ତାହା ନିଶ୍ଚିତ ଭାବରେ ଏକ ବିଡ଼ମ୍ବନା । ଲେଖକ ବୋଲି ପରିଚୟ ପାଇବା ପାଇଁ ପୁସ୍ତକଟିଏ ପ୍ରକାଶିତ ହେଲେ ତାହା ଯେ ବିକ୍ରି ଯୋଗ୍ୟ ହେବ ବୋଲି କିଛି ମାନେ ନାହିଁ । ପୁସ୍ତକ ଭିତରେ ପାଠକ ନିଜକୁ ନପାଇଲେ ସେ ବହି ବିଷୟରେ ଆଉ ଜଣକୁ କହିବ ବା କାହିଁକି ! ଏଇ କ୍ଷେତ୍ରରେ ଆମେ ଲେଖାରୁ ଆୟ ସମ୍ପର୍କରେ ବିଚାର କରିବା ବି ଏକ ବିଡ଼ମ୍ବନା ।
ଆପଣଙ୍କ ବହୁ ଚର୍ଚ୍ଚିତ ଗଳ୍ପ ସଙ୍କଳନ ‘ଅବୋଲକରା’ ବିଷୟରେ କିଛି କହିବେ ?
‘ଅବୋଲକରା’ ଯେ ବହୁ ଚର୍ଚ୍ଚିତ ସେ ବିଷୟରେ ମୁଁ ଖୁବ୍ ସନ୍ଦିହାନ । ହେଲେ ‘ଅବୋଲକରା’ ଯେ ନିଶ୍ଚିତ ଭାବରେ ଏକ ସୁଖପାଠ୍ୟ ପୁସ୍ତକ ହୋଇଛି, ଏକଥା ମୁଁ ସ୍ୱୀକାର କରିପାରେ । ‘ଅବୋଲକରା’ ସଙ୍କଳନର ପ୍ରକାଶକ ମୁଁ ନିଜେ ହୋଇଥିବାରୁ, ଏଯାବତ୍ ଏହାର ୨୫୦୦ କପି ବିକ୍ରି ହୋଇଥିବାର ଦାବି ମୁଁ କରିପାରିବି । ଅନେକ ଥର ଅନେକ ସାକ୍ଷାତ୍କାରରେ ମୁଁ ଗୋଟିଏ କଥା କହୁଛି ଏବଂ ଏଠି ମଧ୍ୟ କହିବାକୁ ଚାହିଁବି ଯେ ମୁଁ ନିଜେ ନିଜକୁ ଲେଖେ । ଏହାର ଅର୍ଥ ମୋ ଗଳ୍ପର ସମସ୍ତ ଚରିତ୍ର, ସମସ୍ତ ଦୃଶ୍ୟ, ଦୃଶ୍ୟାନ୍ତର କେଉଁଠି ନା କେଉଁଠି ନିରାଟ ସତ୍ୟ ଉପରେ ହିଁ ଆଧାରିତ । ତତ୍ କିଞ୍ଚିତ ସେଥିରେ କେବଳ ରଙ୍ଗ ଦେବାକୁ ପଡ଼ିଛି । ଏଠାରେ ଆଉ ଗୋଟିଏ କଥା କହିବା ଉଚିତ ହେବ ଯେ ସତ୍ୟ ପ୍ରକାଶନ ଯେତେ କଷ୍ଟ ତା’ ଠାରୁ ଅଧିକ କଷ୍ଟ ସତ୍ୟକୁ ଗପ ଭାବରେ ଉପସ୍ଥାପନ କରିବା ।
ଏକଦା ଆପଣଙ୍କ ଗଳ୍ପ , କବିତା ପ୍ରାୟ ସବୁ ପତ୍ର ପତ୍ରିକାରେ ପ୍ରକାଶ ପାଉଥିଲା । କିନ୍ତୁ ଏବେ ତାହା ହେଉନାହିଁ । ପ୍ରକାଶକ ରାଜ କିଶୋର ଭିତରେ ଲେଖକ ରାଜ କିଶୋର ଚାପି ହୋଇଗଲେ ବୋଲି ଆପଣ କହିବେ କି ?
ଉ- ସାହିତ୍ୟରେ ମୁଁ ମୋ ପାଇଁ ସ୍ଥାନଟିଏ ସଂରକ୍ଷିତ କରି ରଖିଛି। ପତ୍ର ପତ୍ରିକାରେ ପ୍ରକାଶିତ ନହେଲେ ମୁଁ ଲେଖୁନାହିଁ ବା ମୋର ଲେଖକୀୟ ସତ୍ତାଟି ମରିଗଲା ବୋଲି କହିବା ଭୁଲ ହେବ ।
ଅପଣଙ୍କ ଗଳ୍ପ କବିତା ବିଭିନ୍ନ ଭାଷାରେ ଅନୂଦିତ ହୋଇଛି ତେବେ ଭାରତୀୟ ଭାଷା ସାହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭାବ ବିଷୟରେ ଆପଣଙ୍କ ମତ କ’ଣ ?
ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ଯଥେଷ୍ଟ ପ୍ରଭାବ ଅଛି। ଆମ ଓଡ଼ିଶାର ବହୁ ଖ୍ୟାତନାମା ଲେଖକ, ଲେଖିକା ଜାତୀୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ଓଡ଼ିଆ ସାହିତ୍ୟ ଜାତୀୟ ସ୍ତରରେ ନିଶ୍ଚୟ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ତେବେ ମୁଁ କହିବି ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଅଧିକରୁ ଅଧିକ ଅନୂଦିତ ହେବାର ଆବଶ୍ୟକତା ରହିଛି ।
ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆକଳନ କରିବା ମୋ ଅନୁମାନର ବାହାରେ । ତେବେ ଏତିକି କହିବି ହଜାର ହଜାର ବର୍ଷ ପୂର୍ବର ପୁରାଣ , ଶାସ୍ତ୍ର ଆମ ସାହିତ୍ୟର ଆଦ୍ୟପ୍ରାଣ । ଆମ ଭାଷା ସାହିତ୍ୟର ପ୍ରଭାବ ସବୁବେଳେ ସୁଦୂର ପ୍ରସାରୀ ଏବଂ ତାହା ହିଁ କାଳ କାଳ ପର୍ଯ୍ୟନ୍ତ ରହିବ ।
ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ସାହିତ୍ୟ ପ୍ରତି ଅନୁରକ୍ତ ହୋଇ ବହୁତରୁ ବହୁତ ଲେଖନ୍ତୁ କିନ୍ତୁ ଲେଖିବାଠାରୁ ଶତଗୁଣ ପଢ଼ନ୍ତୁ । ଯାହା ଲେଖୁଛନ୍ତି ସେ ବିଷୟରେ ନିଜେ ପ୍ରଥେମ ସଚେତନ ହୁଅନ୍ତୁ । ତଥ୍ୟ ମୂଳକ ଲେଖା ପାଇଁ ନିଜେ ଗବେଷଣା କରନ୍ତୁ । ଲେଖକ ବୋଲି ପରିଚୟ ପାଇବା ପାଇଁ ବ୍ୟଗ୍ର ହୁଅନ୍ତୁ ନାହିଁ । ସାହିତ୍ୟ ପ୍ରଥମେ ଆତ୍ମତୃପ୍ତି ଦିଏ , ପରିଚୟ ଆପେ ତିଆରି ହୁଏ ।
Comments are closed.