Latest Odisha News

BREAKING NEWS

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ସୁଦୂରପ୍ରସାରୀ : ରଜୀତ୍ ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ରଜୀତ୍ ଦାସ। ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ସେଇ ଗାଁକୁ ନେଇଯା, ଶ୍ଵେତପଦ୍ମା, ପିଲାବେଳ ଧୂଳିଖେଳ, ତନୁପ୍ରିୟା ସେଇ ଝିଅର ନାଁ ଆଦି ପୁସ୍ତକ ସହ ଅନେକ କବିତାର ସେ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।

ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ରଜୀତ୍ ଦାସଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

କବି ଜୀବନର ଆରମ୍ଭ କେମିତି ହେଲା କୁହନ୍ତୁ ?

ଛୋଟ ବେଳୁ ମା’କୁ ଓ ତା’ ପରେ ପରେ ଗାଁକୁ ହରେଇଛି। ସେମାନଙ୍କୁ ପାଇବାର ବ୍ୟାକୁଳତା ମତେ ଶବ୍ଦମାନଙ୍କର ନିକଟବର୍ତ୍ତି କରିଛି।ସେଇ ଶବ୍ଦମାନଙ୍କୁ ନେଇ କିଛି କବିତା କଲେଜ ସମୟରୁ ପତ୍ର ପତ୍ରିକାକୁ ଆସିଛି ।

କବିତାର ବ୍ୟାଖ୍ୟା କେମିତି କରିବେ ?

ଅଳ୍ପ ଶବ୍ଦରେ ଅନେକ କଥାର ମର୍ମ ରଖୁଥିବା । ନଦୀ ଓ ଝରଣାର କୁଳୁକୁଳୁ ନାଦରେ ମୁଁ ଅନୁଭବ କରେ କବିତାକୁ। ଗାଁ ଗହଳିରେ ବାଛୁରୀର ହମ୍ମl ରଡିରେ ମୋତେ କବିତା ଶୁଭେ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ସୁଦୂରପ୍ରସାରି। ଗଳ୍ପ ଓ ଉପନ୍ୟାସ ତୁଳନାରେ କବିତାର ପାଠକ କମ । ଏବେ କିନ୍ତୁ ଅନେକ କବିତା ସଙ୍କଳନ ପ୍ରକାଶିତ ହେଉଥିଲେ ବି ପାଠକୀୟତା କମ ଥିବାରୁ କବି ଓ କବିତା ଆଜି ପଛରେ।

ରୀତି ଯୁଗର କବିତା ଓ ଏବେର କବିତା ଭିତରେ କ’ଣ ପରିବର୍ତ୍ତନ ଘଟିଛି ?

ରୀତି ଯୁଗର କବିତାର ଶବ୍ଦ ଚୟନ ଓ ଏବେକାର କବିତାର ଶବ୍ଦ ଚୟନରେ ଅନେକ ପରିବର୍ତ୍ତନ ଘଟିଛି। ଏବେ ସରଳ ଓ ସହଜ ଶବ୍ଦରେ ଚମତ୍କାର କବିତା ଲେଖାଯାଉଛି। ଯୁବପୀଢ଼ି ବହୁତ ଆଗ୍ରହ ସହକାରେ କବିତାମାନ ଲେଖୁଛନ୍ତି ।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଧାରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ଓଡ଼ିଆ ସାହିତ୍ୟର ମୁଖ୍ୟ ସମସ୍ୟା ହେଉଛି ପାଠକଙ୍କ ସଂଖ୍ୟା ଅତି ନଗଣ୍ୟ। ଯେଉଁ କେତେଜଣ ଲେଖାଲେଖି କରନ୍ତି ସେଇ ମାନେ ହିଁ ପଢ଼ନ୍ତି। ତେଣୁ ଯେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ପାଠକଙ୍କ ସଂଖ୍ୟା ନ ବଢିଛି,  ଆମେ ଜାଣିବା ସାହିତ୍ୟ ଅଗ୍ରଗତି କରିପାରୁନାହିଁ ।

ପୁରସ୍କାର ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ନିଶ୍ଚିତ ଭାବେ ପୁରସ୍କାର ଜଣେ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦେବ ଦି ପାଦ ଆଗକୁ ବଢ଼ିବା ପାଇଁ।

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି ?

ସାହିତ୍ୟ ସହିତ ଆଦର୍ଶବାଦର ସମ୍ପୃକ୍ତି ରହିବା ନିହାତି ଆବଶ୍ୟକ ।

ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?

ଓଡ଼ିଆ ସାହିତ୍ୟର ଭବିଷ୍ୟତ ନିଶ୍ଚିତଭାବେ ଉଜ୍ଜଳମୟ। କିନ୍ତୁ ଆମେ ସାହିତ୍ୟରେ ଗୋଷ୍ଠିବାଦ ନକରି ଯୁବପୀଢ଼ିକୁ ପ୍ରୋତ୍ସାହନ କରିବା ଓ ନୂତନ ପାଠକ ଯଦି ସୃଷ୍ଟି କରିପାରିବା ତାହେଲେ ନିଃସନ୍ଦେହ ଭାବରେ ଓଡ଼ିଆ ସାହିତ୍ୟ ସର୍ବାଗ୍ରେ ରହିବ ।

ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ କାହିଁକି ?

ସେ ତ ନିଶ୍ଚିତ ଭାବେ ପାଠକଙ୍କ ରୁଚି ଉପରେ ନିର୍ଭର କରେ। ତଥାପି ସମୟ ବଦଳୁଛି। କବିତା ପ୍ରତି ଧୀରେ ଧୀରେ ଆଗ୍ରହ ବଢୁଛି।

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବ ଆବଶ୍ୟକ ?

ଆମ ଭାଷା ସାହିତ୍ୟର ଉନ୍ନତି ଆମ ହାତରେ। ଗୋଷ୍ଠି ବିବାଦରୁ ଉର୍ଦ୍ଧ୍ବରେ ରହି ଯୁବ ପୀଢ଼ିଙ୍କୁ ସହଯୋଗର ହାତ ବଢ଼େଇବା।ମାସିକ ସାହିତ୍ୟ ସଭା , ଆଲୋଚନା ପର୍ଯ୍ୟାଲୋଚନା , ପାଠକୀୟତା ବୃଦ୍ଧି କରିବା ପ୍ରବୀଣ ଲେଖକମାନଙ୍କର ଉନ୍ନତମାନର ଲେଖାକୁ ସରକାରୀ ସ୍ତରରେ ଛାପିବା ଦ୍ୱାରା ସେମାନେ ଆଗକୁ ଆସିବାକୁ ସୁଯୋଗ ପାଇବେ।

 

Comments are closed.