Latest Odisha News

BREAKING NEWS

ମୁଣ୍ଡଗେଟ୍: ସନ୍ଦେହ ଘେରରେ ସୁନୀତିଙ୍କ ଡକ୍ଚରେଟ ପାଖରୁ ସାମ୍ବାଦିକତାରେ ଡିପ୍ଲୋମା

ଭୁବନେଶ୍ୱର: ପୁଣି ବିବାଦରେ ବିଜେପିର ଭୁବନେଶ୍ୱର ମେୟର ପରାଜିତ ପ୍ରାର୍ଥୀ ସୁନୀତି ମୁଣ୍ଡ । ପ୍ରଥମେ ନାଁ ପୂର୍ବରୁ ଡକ୍ଟର ଲଗାଇବାକୁ ନେଇ ସନ୍ଦେହ ଘେରରେ ଥିଲେ ଏହି ନେତ୍ରୀ । ଏବେ ନିଜର ସାମ୍ବାଦିକତା ସାର୍ଟିଫିକେଟକୁ ନେଇ ସ୍କାନରରେ ଆସିଛନ୍ତି ।

ସନ୍ଦେହ ଘେରରେ ପିଜି ପାଠ୍ୟକ୍ରମ

ମୁଣ୍ଡ ଯଦିଓ ନିର୍ବାଚନରେ ହାରିଛନ୍ତି କିନ୍ତୁ ସେ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ଓଡିଶା ସମ୍ବାଦର ହସ୍ତଗତ ହୋଇଛି । ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ‘କଳା’ରେ ଭବାନୀପାଟଣା କଲେଜରୁ ୧୯୯୯ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପିଜି କରି ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ କେଉଁ ବିଭାଗରେ ସେ ପିଜି କରିଛନ୍ତି ତାହା ଉଲ୍ଲେଖ କରି ନାହାନ୍ତି। ସେହିପରି ତାଙ୍କ ନାମରେ ଥିବା ଓ୍ୱେବସାଇଟ୍ (drsunitimund.com)ରେ କିନ୍ତୁ ମୁଣ୍ଡ ଉଲ୍ଲେଖ କରିଛନ୍ତି, ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ପିଜି କରିଛନ୍ତି । ତେଣୁ ସତ୍ୟପାଠ ଦାଖଲ ବେଳେ ସୁନୀତି କେଉଁ କାରଣ ପାଇଁ ସଠିକ୍ ଦସ୍ତାବିଜ ଉଲ୍ଲେଖ କଲେ ନାହିଁ ତାହା ସେ ଏବଂ ତାଙ୍କ ଦଳ ଭଲ ଭାବେ ଜାଣିଥିବେ ଆଶା କରାଯାଉଛି। କିନ୍ତୁ ରାଜଧାନୀର ପ୍ରଥମ ନାଗରିକ ହେବା ପାଇଁ ନିର୍ବାଚନ ଲଢିଥିବା ଏହି ବିଜେପି ନେତ୍ରୀ କାହିଁକି ଲୋକଙ୍କୁ ଅନ୍ଧାର ଘେରରେ ରଖିଲେ ତାହା ଅନେକ କିଛି ପ୍ରଶ୍ନକୁ ଇନ୍ଧନ ଯୋଗାଉଛି।

ଖାଲି ସେତିକି ନୁହେଁ ସେ ତାଙ୍କ ସତ୍ୟପାଠରେ ଭବାନୀପାଟଣା କଲେଜରୁ ପିଜି କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ହେଲେ କଲେଜର ଠିକ୍ ନାଁ ଉଲ୍ଲେଖ କରିନାହାନ୍ତି । ଏପରି କରି ସେ ଭବାନୀପାଟଣା ସ୍ଥିତ ସରକାରୀ କଲେଜ ବୋଲି ପରୋକ୍ଷରେ କହିଛନ୍ତି । କିନ୍ତୁ ସେ ଯେଉଁ ମସିହାରେ ପିଜି କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ସେ ସମୟରେ ସେହି କଲେଜରେ ପିଜି ପାଠ ପଢ଼ା ହେଉଥିଲା କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ । କାରଣ ଭବାନୀପାଟଣା ସ୍ଥିତ ସରକାରୀ କଲେଜ ୨୦୦୨ରେ ସ୍ୱୟଂଶାସିତ ଭାବେ ମାନ୍ୟତା ପାଇଥିଲା । ଏହାପରେ ଏମଏ ପାଠ୍ୟକ୍ରମ ଆରମ୍ଭ ହୋଇଛି । ହେଲେ ମୁଣ୍ଡ୍ ଉଲ୍ଲେଖ କରିଛନ୍ତି ସେ ୧୯୯୯ରେ ଏମଏ ପାସ କରିଛନ୍ତି । କିନ୍ତୁ କେମିତି ପାସ୍ କଲେ ?

ତେବେ ଏ ନେଇ ଶ୍ରୀମତୀ ମୁଣ୍ଡଙ୍କୁ ଆମେ ପ୍ରଶ୍ନ କରିଛୁ ହେଲେ ଏହାର ଉତ୍ତର ସେ ରଖିନାହାନ୍ତି। ଏହାପୂର୍ବରୁ ମୁଣ୍ଡ୍ ତାଙ୍କ ନାଁ ପୂର୍ବରୁ କେଉଁଆଧାରରେ ଡକ୍ଚର ‘Dr’ ଲେଖୁଛନ୍ତି ସେ ନେଇ ପଚରାଯାଇଛି। ହେଲେ ସେ ଏହାର ଉତ୍ତର ରଖିନାହାନ୍ତି । ସବୁଠୁ ବଡ଼ କଥା ହେଲା ମୁଣ୍ଡ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଏବଂ ତାଙ୍କ ଓ୍ୱେବସାଇଟରେ କେଉଁଠି ଡକ୍ଟର ‘Dr’ ଲେଖୁଛନ୍ତି ଓ ଫେସବୁକ ପ୍ରୋଫାଇଲରେ ସେ ୧୯୯୬ ରୁ ୧୯୯୮ ସରକାରୀ କଲେଜ, ଭବାନୀପାଟଣାରେ ପିଏଚଡି କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ସନ୍ଦେହ ଘେରରେ ସାମ୍ବାଦିକତାରେ ପିଜି ଡିପ୍ଲୋମା

ଏହାବାଦ୍ ମୁଣ୍ଡ ସାମ୍ବାଦିକତାରେ ଡିପ୍ଲୋମା କରିଛନ୍ତି ବୋଲି ଯେଉଁ ଉଲ୍ଲେଖ କରିଛନ୍ତି ତାହା ମଧ୍ୟ ପ୍ରଶ୍ନ ଘେରରେ । ମାର୍ଚ୍ଚ 5ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କହିଥିଲେ ସୁନୀତି ମୁଣ୍ଡ ଜଣେ ଉଚ୍ଚ ଶିକ୍ଷିତା ମହିଳା । ମୁଣ୍ଡଙ୍କ ବାବଦରେ ଅଧିକ କହିବାକୁ ଯାଇ ସାଂସଦ କହିଥିଲେ ମୁଣ୍ଡ୍ ଆଇଆଇଏମସିରୁ ଡିପ୍ଲୋମା କରିଛନ୍ତି । ହେଲେ ଏହାପରେ ସାଂସଦ ଅଧିକ କିଛି କହିନଥିଲେ। ସାଂସଦ ଯେଉଁ ଆଇଆଇଏମସି କଥା ଉଲ୍ଲେଖ କରିଥିଲେ ତାହା ନୂଆଦିଲ୍ଲୀରେ ଏବଂ ଓଡିଶାର ଢେଙ୍କାନାଳ ସମେତ ପାଞ୍ଚଟି ସ୍ଥାନରେ ରହିଛି।

ଏ ନେଇ ଢେଙ୍କାନାଳ ଆଇଆଇଏମସି ଆଲୁମୁନି ରେକର୍ଡର ଖୋଳତାଡ ପରେ ଜଣାପଡିଛି ସୁନୀତି ମୁଣ୍ଡ ନାମରେ କେହି ଢେଙ୍କାନାଳରୁ ସାମ୍ବାଦିକତାରେ ଡିପ୍ଲୋମା କରିନାହାନ୍ତି । ତେବେ ସୁନୀତି ସାମ୍ବାଦିକତାରେ ଡିପ୍ଲୋମା କରିଛନ୍ତି ବୋଲି ତାଙ୍କର ଏକ ସିଭି ପ୍ରାର୍ଥୀପତ୍ର ଘୋଷଣା ପରେ ଚାରିଆଡେ ପଠାଯାଇଛି ସେଥିରୁ ଜଣାପଡିଛି ସୁନୀତି ଅତି ଚତୁରତାର ପରିଚୟ ଦେଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ସେ ୧୯୯୮ରେ ଡିପ୍ଲୋମା କରିଛନ୍ତି । ହେଲେ ୧୯୯୮ରେ ଆଇଆଇଏମସିରେ ଇଂରାଜୀରେ ପିଜି ଡିପ୍ଲୋମା ରହିଥିଲା। ଓଡିଆରେ ନଥିଲା । ଓଡିଆରେ ଡିପ୍ଲୋମା ୨୦୦୧ରେ ଆରମ୍ଭ ହୋଇଥିଲା। ସୁନୀତି ୧୯୯୮ରେ ଇଂରାଜୀରେ ପିଜି ଡିପ୍ଲୋମା କରିଛନ୍ତି ଯଦିଓ ଦାବି କରିଛନ୍ତି ହେଲେ ଏଯାବତ ସେ କୌଣସି ଇଂରାଜୀ ମିଡିଆରେ କାମ କରିଥିବା ନଜିର ନାହିଁ। ତେଣୁ ସୁନୀତି ଏହାର ଜବାବ ରଖିବା ଜରୁରୀ । ତାଙ୍କ ସିଭିରେ ‘IIMMC’ ରୁ ସାମ୍ବାଦିକତାରେ ଡିପ୍ଲୋମା କରିଛନ୍ତି । କେଉଁଠି ଏହି ସଂସ୍ଥା ଅଛି ତାହା ସ୍ପଷ୍ଚ ନାହିଁ ତାଙ୍କ ଓ୍ୱେବସାଇଟରେ ଲେଖା ହୋଇଛି ସେ ‘IIMMC’ ନୂଆ ଦିଲ୍ଲୀରୁ ଗୋଲ୍ଡ ମେଡାଲ ପାଇଥିଲେ। ‘IIMMC’ ଏକ ଟାଇପିଂ ଭୁଲ୍ ନା ଆଉ କିଛି ତାର ଉତ୍ତର ମଧ୍ୟ ରଖିବା ଜରୁରୀ । ସତ୍ୟପାଠରେ ମୁଣ୍ଡ ସାମ୍ବାଦିକତା ଡିପ୍ଲୋମା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି।

କେମିତି ଏକା ସାଙ୍ଗରେ ଓଡିଆରେ ଏମଏ ଏବଂ ସାମ୍ବାଦିକତାରେ ଡିପ୍ଲୋମା ପଢୁଥିଲେ?

ସେହିପରି ମୁଣ୍ଡ ତାଙ୍କ ବାୟୋଡାଟା ବା ସିଭିରେ ଉଲ୍ଲେଖ କରିଛନ୍ତି, ୧୯୯୮ରେ ସେ ସାମ୍ବାଦିକତାରେ ଡିପ୍ଲୋମା ପାସ୍ କରିଛନ୍ତି। ୧୯୯୯ରେ ଓଡ଼ିଆରେ ଏମଏ ପାସ କରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ। ଏମଏ ପାଠ୍ୟକ୍ରମର ଅବଧି ଦୁଇ ବର୍ଷ । ତେଣୁ ସୁନୀତି ମୁଣ୍ଡ ଗୋଟିଏ ବର୍ଷରେ କେମିତି ଓଡ଼ିଆରେ ଏମ୍ ଏ ପାସ କଲେ ତାହା ମଧ୍ୟ ପ୍ରଶ୍ନ ଘେରରେ । କାରଣ ଏକକାଳୀନ ଦୁଇଟି ପାଠ୍ୟକ୍ରମରେ ପାଠ ପଢିବାକୁ ଅନୁମତି ପାଇଁ କଲେଜ ଲିଭିଂ ବା CLC କେମିତି ଆଣିଲେ?

ସନ୍ଦେହ ଘେରରେ ପିଏଚଡି ସମ୍ମାନ? 

ସେହିପରି ମୁଣ୍ଡଙ୍କ ଫେସବୁକ ପ୍ରୋଫାଇଲରେ ନିଜକୁ ପିଏଚଡି ବିଦ୍ୟାର୍ଥୀ ବୋଲି କହିଛନ୍ତି । ୧୯୯୬ରୁ ୯୮ ମଧ୍ୟରେ ସେ ପିଏଚଡି କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ତାଙ୍କ ସିଭିରେ ଉଲ୍ଲେଖ ରହିଛି ମୁଣ୍ଡ ୨୦୧୭ରେ ମୟଶୂର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଅନ୍ୱେଷଣମୂଳକ କାମ ଏବଂ ସୃଜନାତ୍ମକ ଲେଖା ପାଇଁ ସେ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି। ଯାହା ସନ୍ଦେହଜନକ । ମୟୁଶୂର ବିଶ୍ୱବିଦ୍ୟାଳୟ ମୁଣ୍ଡଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରିଥିବାର କୌଣସି ସୂଚନା ଓଡ଼ିଶା ସମ୍ବାଦ ପାଖରେ ହସ୍ତଗତ ହୋଇନି।

କିନ୍ତୁ ଓଡ଼ିଶା ସମ୍ବାଦ ମୁଣ୍ଡଙ୍କର ଏକ ଫଟୋ ପାଇଛି । ଯେଉଁଥିରେ ସେ ଏକ ସମାବର୍ତ୍ତନ ଉତ୍ସବର ଡ୍ରେସ ପିନ୍ଧିଥିବା ଏବଂ ଏକ ପ୍ରମାଣପତ୍ର ପାଇଥିବା ଦେଖିବାକୁ ମିଳିଛି । ଏହା “ଇଣ୍ଡିଆନ୍ ଭର୍ଚୁଆଲ ୟୁନିଭର୍ସିଟି ଫର୍ ପିସ୍ ଆଣ୍ଡ୍ ଏଜୁକେସନ୍”ର ବୋଲି ଉଲ୍ଲେଖ ରହିଛି । ଯାହା ନୀତି ଆୟୋଗ ଦ୍ୱାରା ପଞ୍ଜୀକୃତ ବୋଲି ଦାବି କରିଛନ୍ତି।
କିନ୍ତୁ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକ ନୀତି ଆୟୋଗ ନୁହେଁ, ବରଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ୟୁନିଭର୍ସିଟି ଗ୍ରାଣ୍ଟ୍ କମିସନ୍ ବା ୟୁଜିସି ସହ ଅନୁବନ୍ଧିତ । ମୁଣ୍ଡ ତାଙ୍କ ପ୍ରତିକ୍ରିୟା ରଖିଲେ ଆମେ ସଂପୃକ୍ତ ପ୍ରତିକ୍ରିୟାକୁ ଓଡ଼ିଶା ସମ୍ବାଦରେ ସ୍ଥାନ ଦେବୁ ।

Leave A Reply

Your email address will not be published.