ଶିବାଶିଷ ପାଢ଼ୀ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କ ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବା ପାଇଁ ।
ଶୁନ୍ୟହସ୍ତା, ଆଶାର ଆଲୋକ ପୁସ୍ତକ ସହ ଶତାଧିକ ଗଳ୍ପର ରଚୟିତା ଶ୍ରୀ ପାଢ଼ୀ ଓଡ଼ିଆ ସାହିତ୍ୟ ଜଗତର ଏକ ଅମ୍ଲାନ ଜ୍ୟୋତିଷ୍କ ।
ଓଡ଼ିଆ ସାହିତ୍ୟର ସେଇ କାଳଜୟୀ ସ୍ରଷ୍ଟା ଶିବାଶିଷ ପାଢ଼ୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସାହିତ୍ୟ ପ୍ରତି ଆପଣ କେମିତି ଆକୃଷ୍ଟ ହେଲେ ?
ବାପା ପ୍ରଚୁର ପଢୁଥିଲେ ଏଣୁ ଆମ ଘରକୁ ବିଭିନ୍ନ ପତ୍ରପତ୍ରିକା ନିୟମିତ ଆସୁଥିଲା । ଜହ୍ନମାମୁଁ ଶିଶୁଲେଖା, ଉତ୍କଳ ପ୍ରସଙ୍ଗଠୁ ନେଇ ପ୍ରଜାତନ୍ତ୍ର ସପ୍ତାହିକି ଯାଏଁ ବହି ସବୁକୁ ଅମୁଳଚୁଳ ପଢ଼ୁଥିଲି ମୁଁ ।ମୋତେ କିନ୍ତୁ ବେଶି ଆକର୍ଷିତ କରୁଥିଲା ପ୍ରଜାତନ୍ତ୍ର ସାପ୍ତାହିକୀର “କ୍ଷୁଦ୍ରଗଳ୍ପ ” ବିଭାଗ । ପରେ ଅବଶ୍ୟ ବହୁତ ବହି ପଢ଼ିଛି କିନ୍ତୁ ଗଳ୍ପ ପାଇଁ ସାପ୍ତାହିକୀକୁ ଅପେକ୍ଷା କରିବାର ସେ ଦିନଗୁଡିକ ପ୍ରକୃତରେ ନିଆରା ଥିଲା । ସେ ଦିନଠୁ ହିଁ ମୁଁ ମୋ ଅଜାଣତରେ ସାହିତ୍ୟ ପ୍ରତି ଆକର୍ଷିତ ବୋଲି ଅନୁଭବ କରେ ।
ସାହିତ୍ୟ ସୃଷ୍ଟିରେ ଆପଣ କାହାକୁ ନିଜର ମାର୍ଗଦର୍ଶକ ବୋଲି ଭାବନ୍ତି ?
ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ଥାଏ ମୁଁ । ସେଇଠି ଅନେକ ଜ୍ଞାନୀ ଗୁଣି ଲୋକଙ୍କ ମାର୍ଗଦର୍ଶନ ଅହରହ ମିଳୁଥାଏ । କିନ୍ତୁ ମୁଁ ଯେ ଲେଖିପାରିବି, ଏ ବିଶ୍ୱାସକୁ ମୋ ମନରେ ସୃଷ୍ଟି କରିଥିବା ତଥା ଲେଖି ଚାଲିବା ପାଇଁ ନିରନ୍ତର ପ୍ରେରିତ କରୁଥିବା ଅନୁଜସମ ବନ୍ଧୁ ବିଶିଷ୍ଟ ସ୍ତମ୍ଭକାର, ଗାଳ୍ପିକ ତଥା ଉପନ୍ୟାସିକ ଶ୍ରୀ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ନିଶ୍ଚୟ ଏ ସ୍ଥାନ ଦେବି ।
ଅନୁଭୂତି ଓ ଅନୁଭବ ଜଣେ ଲେଖକକୁ କିପରି ଭାବରେ ପ୍ରଭାବିତ କରେ ?
ଅନୁଭୂତି ଓ ଅନୁଭବ ହିଁ ତ ସାହିତ୍ୟର ଭିତ୍ତି । କଳ୍ପନା କେବଳ ସାଜସଜ୍ଜା ଦାୟିତ୍ୱରେ ଥାଏ । ମୁଁ ଅନୁଭବ କରେ ଯେମିତି ପ୍ରତ୍ୟେକ ଲେଖକ କେବଳ ନିଜକୁ ହିଁ ଲେଖି ଚାଲିଥାଏ ବାରମ୍ବାର । ଅନୁଭବ ଲେଖାକୁ ଜୀବନ୍ତ କରାଏ । ଅନୁଭୂତି କଳ୍ପନାକୁ ରୁପ ଦିଏ । ପ୍ରାୟତଃ ଲେଖକଟିଏ ଜୀବନରେ ଯେଉଁ ଅନୁଭବ ଓ ଅନୁଭୂତି ପାଇଥାଏ ଅନେକ ପାଠକ ପାଠିକା ମଧ୍ୟ୍ୟ ସମାନ ନ ହେଲେ ବି ପାଖାପାଖି ଅନୁଭୂତି ଅନୁଭବକୁ ସାଉଁଟିଥାନ୍ତି ଏଣୁ ଅନୁଭୂତି ସମ୍ପନ୍ନ ଲେଖାସବୁ ତାଙ୍କୁ ଛୁଇଁଥାଏ । ଲାଗେ ଯେମିତି କିଏ ନିଜ ଅନୁଭୂତିକୁ ଭାଷା ଦେଇଦେଇଛି ।
୪. ପୁରସ୍କାର ଓ ପରିଚିତି ଜଣେ ଲେଖକଙ୍କୁ କିପରି ପ୍ରଭାବିତ କରେ ?
ପରିଚିତି ଲେଖକଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଦାୟିତ୍ୟବାନ କରେ । ଲୋକଙ୍କ ଅପେକ୍ଷା ବଢିଯାଏ । ସେ ବଢ଼ିଯାଉଥିବା ଅପେକ୍ଷାକୁ ପୁରା କରିବାପାଇଁ ଗଭୀର ସୃଜନମନସ୍କ ହେବା ପାଇଁ ବାଧ୍ୟ୍ୟ କରେ । ପୁରସ୍କାର ଓ ପ୍ରଶଂସା କିନ୍ତୁ ଯଥାର୍ଥ ହେବା ବିଧେୟ । ନ ହେଲେ ଅଯଥା ପ୍ରଶଂସା ଓ ପୁରସ୍କାର ଅନେକ ପଛକୁ ଟାଣିନିଏ ।
ସାହିତ୍ୟ ସହିତ ଆଦର୍ଶବାଦ କେତେମାତ୍ରାରେ ଜଡ଼ିତ ?
ସମାଜକୁ ଯେ କୌଣସି ଆଦର୍ଶର ଅନୁଗାମୀ କରାଇବାରେ ସାହିତ୍ୟର ଭୂମିକା ସର୍ବାଧିକ ଗୁରୁତ୍ୱ ରଖେ । ମୋ ମତରେ ଆଦର୍ଶବାଦକୁ ନେଇ ହିଁ ପ୍ରଥମେ ସାହିତ୍ୟ ସୃଷ୍ଟି ହୋଇଥିବ ।
ଫକୀରମୋହନଙ୍କ ସମୟର ଗପ ଓ ଏବେର ଗପ ଭିତରେ କେଉଁ ସାମଞ୍ଜସ୍ୟ ରହିଛି?
ଫକୀରମୋହନ କହିଥିଲେ ” ଜଣେ ଲେଖକକୁ ସବୁବେଳେ ଗଳ୍ପ ଛଳରେ ନିରାଟ ସତକଥା ସବୁକୁ ହିଁ ଲେଖିବାକୁ ପଡେ । ” ଗଳ୍ପ ସବୁବେଳେ ଜୀବନର କଥା କହେ । ସମାଜର ଏକ ଦର୍ପଣ ରୂପରେ ଗଳ୍ପ ନିଜର ସ୍ୱତନ୍ତ୍ର ସ୍ଥାନ ଦାବିକରେ । ଫକୀର ମୋହନ ନିଜ ସମୟର ସମାଜରେ ଥୁବା ଦୋଷ ତ୍ରୁଟି, ସମସ୍ୟା, ସାଧାରଣ ମଣିଷର କଥା ଓ ବ୍ୟଥା,ଦୁଃଖ ଦୁର୍ଦ୍ଦଶା , ଶାସନ ଓ ଶାସିତଙ୍କ କଥା ସବୁକୁ ଗଳ୍ପଛଳରେ ପ୍ରକାଶ କରିଥିଲେ । ଏବେ ବି ସେହି ଧାରା କିଛିକାଂଶରେ ବଜାୟ ରହିଛି କିନ୍ତୁ ଅନେକ ସମୟରେ ସାଧାରଣ ମଣିଷଟି ଗଳ୍ପର କେନ୍ଦ୍ର ଚରିତ୍ରରୁ ଦୁରେଇ ଯାଉଥିବାର ଅନୁଭୂତ ହୁଏ ।
ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?
ସକାରାତ୍ମକ ମନ୍ତବ୍ୟ ବହୁତ ଉତ୍ସାହିତ କରିବା ସହ ପ୍ରେରଣା ଦିଏ କିନ୍ତୁ ନକାରାତ୍ମକ ମନ୍ତବ୍ୟ ଭୁଲ ତ୍ରୁଟି ସଜାଡ଼ିବାର, ନିଜକୁ ଆହୁରି ପରିମାର୍ଜିତ କରିବାର ସୁଯୋଗ ଦିଏ । ଏଣୁ ସବୁବେଳେ ନକାରାତ୍ମକ ଲେଖାକୁ ମୁଁ ସ୍ବାଗତ କରେ ।
ଆପଣଙ୍କ ଗଳ୍ପ ମାଧ୍ୟମରେ ସମାଜକୁ କି ବାର୍ତ୍ତା ଦେବାକୁ ପ୍ରୟାସ କରନ୍ତି ?
ଖରାପ ଲୋକ ହିଁ ଦୁନିଆରେ ଭଲରେ ଅଛନ୍ତି, ଭଲର ଯୁଗ ନାହିଁ ଚିନ୍ତା ଅନେକଙ୍କୁ ଭୁଲ ରାସ୍ତାରେ ନିଏ । ନିଜ କଥା କାହାଣୀ ମାଧ୍ୟମରେ ସେ ଭାବନାକୁ ଦୁରେଇ ଦେବା ପାଇଁ ଚେଷ୍ଟା କରୁଥାଏ ମୁଁ ।
ବର୍ତ୍ତମାନ ଓଡ଼ିଆ ଭାଷାରେ ଉପନ୍ୟାସର ସଂଖ୍ୟା କମି ଯାଉଛି । ଏଥିପାଇଁ ସମକାଳୀନ ଲେଖକମାନେ କିପରି ଯତ୍ନବାନ ହେବା ଆବଶ୍ୟକ ବୋଲି ଆପଣ ଭାବନ୍ତି ?
ଉପନ୍ୟାସରେ ହିଁ ଲେଖକଟିଏ ନିଜକୁ ମୁକ୍ତ ଭାବେ ପ୍ରକାଶ କରିଥାଏ । ଉପନ୍ୟାସ ପଠନର ମଜା ନିଶ୍ଚୟ ନିଆରା । ବର୍ତ୍ତମାନର ଏ ଫଟାଫଟ କ୍ରିକେଟର ଯୁଗରେ ପାଠକ କିନ୍ତୁ ଧର୍ଯ୍ୟହରା ହୁଅନ୍ତି । ଏଣୁ ତାଙ୍କ ରୁଚିକୁ ଧ୍ୟାନ ଦିଅନ୍ତି ଲେଖକମାନେ । ସେଇଥିପାଇଁ କମି ଯାଉଛି ଉପନ୍ୟାସର ସଂଖ୍ୟା ତଥାପି ଆଶ୍ବସ୍ତିର ବିଷୟ ଯେ ଉପନ୍ୟାସର ପାଠକ ଅଛନ୍ତି ଆଉ ରହିବେ ମଧ୍ୟ୍ୟ ।
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ମୁଁ ତ ଏବେ ବାର୍ତ୍ତାଗ୍ରହଣ କରିବା ଅବସ୍ଥାରେ ହିଁ ଅଛି , ତଥାପି କହିବି ଲେଖି ଚାଲିବା ହିଁ ବଡ଼କଥା । ଲେଖୁଥାନ୍ତୁ ଆଉ ଆମକୁ ଶିଖିବାର ସୁଯୋଗ ଦେଉଥାନ୍ତୁ।
Comments are closed.