Latest Odisha News

ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଷମା ମିଶ୍ର । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ତଥା ସାମାଜିକ ଜୀବନର କଥା । ଅତି ସାଧାରଣ ଘଟଣାରୁ ଜୀବନର ମୂଲ୍ୟବୋଧ ଖୋଜୁଥିବା ତାଙ୍କ ସୃଷ୍ଟିର ଧାରା ସବୁବେଳେ ବାନ୍ଧିରଖେ ପାଠକଙ୍କ ହୃଦୟକୁ । ନିଜର ସାହିତ୍ୟ ସାଧନାସହ ସେ ସବୁବେଳେ ନୂଆ ପୀଢ଼ିର ଲେଖକ , ଲେଖିକାଙ୍କୁ ମଧ୍ୟ ସାହିତ୍ୟ ପ୍ରତି ସମର୍ପିତ ହେବାକୁ ପ୍ରେରିତ କରିଥାନ୍ତି ।

ଗଦ୍ୟ କବିତାର ଅନ୍ତର୍ଦ୍ୱନ୍ଦ, ମାର୍ଫତ୍ ମାଟି, ଅନ୍ତରଙ୍ଗ ସମୟ, ହାତ ମୁଠାରେ ସ୍ୱପ୍ନ, ବର ବର୍ଣ୍ଣନୀ, ଆଦି ପୁରୁଷ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ ସାରସ୍ୱତ ସୃଷ୍ଟିର ସେ ସ୍ରଷ୍ଟା । ନିଜର କାଳଜୟୀ ସାହିତ୍ୟ ସେବା ପାଇଁ ଶ୍ରୀମତୀ ମିଶ୍ର ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ସୁଷମା ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସ୍ରୁଜନଶୀଳତାର ମୌଳିକ ଅବଧାରଣାଟି କ’ଣ ?

ଏ ପୃଥିବୀର ପ୍ରତିଟି ମଣିଷ ସୃଜନଶୀଳତାର ସହଜାତ ଅଧିକାରୀ। ସୃଜନଶୀଳତାର ବିଭିନ୍ନ ଦିଗ ରହିଛି। ନିର୍ଦ୍ଦିଷ୍ଟ ଏକ ଦିଗରେ ଥିବା ଆଗ୍ରହକୁ ପରିପ୍ରକାଶ କରିବାର ଉନ୍ମୁଖତା ଓ କିଛି ଅଭିନବତ୍ୱ ବା ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠାର ଅନବରତ ଅଭିନିବେଶ ହିଁ ସୃଜନଶୀଳତାର ମୂଳକଥା। ଭାବନା , ଚିନ୍ତନ , କର୍ମ ଯେ କୌଣସି କ୍ଷେତ୍ରରେ ପ୍ରବୃତ୍ତି ଚାଳିତ ତଥା ସାଧନାରତ ମଣିଷ ବିସ୍ତାରିତ କରିପାରେ ନିଜସ୍ୱ ସୃଜନଶୀଳତାର ଦିଗନ୍ତ । ସୃଜନଶୀଳ ମଣିଷ ଯେବେ ଲେଖନୀ ଚାଳନା କରନ୍ତି ଗୋଟିଏ ବିନ୍ଦୁରେ ମିଳିତ ହୋଇଯାଏ। ଶବ୍ଦ ସହିତ ଭାବନା, ଅନୁଭବକୁ ଅନ୍ତର ସହିତ ଏବଂ ଚିତ୍ର କୁ ଚେତନା ସହିତ ଯୋଡ଼ି ଦେବାର ସାମର୍ଥ୍ୟ ବହନ କରନ୍ତି ସୃଜନଶୀଳ ସ୍ରଷ୍ଟା। ସୃଷ୍ଟିଲିପ୍ତ ଜଣେ ସାହିତ୍ୟିକ ପ୍ରଥମେ ହେଉଛନ୍ତି ଜଣେ ଗ୍ରହୀତା ଓ ପରେ ଅସୁମାରୀ ଅନୁଭବର ଦାତା ବା ରଚୟିତା। ମାଟି ଆକାଶ ନେଇ ସମୁଦ୍ର, ପାହାଡ଼ , ଜଙ୍ଗଲ ପରିବେଷ୍ଟିତ ପ୍ରକୃତିର ଅଦୃଷ୍ଟର ରାହସ୍ୟରେ ପୁଣି ମଣିଷମାନଙ୍କ ସୁଖ ଦୁଃଖ ସ୍ୱପ୍ନ ସ୍ୱପ୍ନଭଙ୍ଗ ମୋହ ନେଇ ଲୁହ ଲହୁ ଘେରା ଅନୁଭୂତିରେ ମନ୍ଥି ହେବା ଓ ତହିଁରୁ ଅମୃତ ଆସ୍ଵାଦନ କରୁଥିବା ଶବ୍ଦଶିଳ୍ପୀ ଏକ ପ୍ରତ୍ୟାଶିତ ସମୁଜ୍ଜ୍ଵଳ ବିକଳ୍ପ ପୃଥିବୀର ସନ୍ଧାନ ଦିଏ।

 ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ସାହିତ୍ୟ ପ୍ରତି ମୋର ଆକର୍ଷଣ କାହିଁ କେଉଁ ଅବୋଧ ବାଳୁତକାଳରୁ । ପିଲାଟି ଦିନରୁ ଜେଜେମା’ଙ୍କ ପାଖରୁ ଗପ ଶୁଣିବା , ଅଜା ଆଈଙ୍କ ମୁଦ୍ରିତ ପୁସ୍ତକ ପଢ଼ିବା , ବୋଉର କଥା ମାନି ଶୁଣିଥିବା ଓ ପଢ଼ିଥିବା ଗପ କବିତାକୁ ଦରୋଟି କଣ୍ଠରେ ଆବୃତ୍ତି କରିବା ମତେ ଅଜାଣତରେ ସାହିତ୍ୟ ଆଡ଼େ ସମ୍ପର୍କିତ କରିଛି। ଅଜା ଦେଇଥିବା, ନନା କିଣି ଆଣୁଥିବା ଅଜସ୍ର ପିଲାଙ୍କ ବହି ଓ ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳା ନେଇ ଆମଘରେ ଗୋଟିଏ ପାଠାଗାର କରାଯାଇଥିଲା। ଏମିତିକି ମୋ ବୋଉ ବାଳପ୍ରଭା ନାମରେ ଏକ ହାତ ଲେଖା ପତ୍ରିକା ପ୍ରକାଶ କରି ଆମ ଭାଇ ଭଉଣୀଙ୍କୁ ଲେଖିବାର ଉପାଦାନ ଯୋଗାଇ ଦେଇଥିଲା। ମୁଁ ଯେତିକି ବଡ଼ ହେଉଥିଲି ମୋର ପଢ଼ିବାର ପିପାସା ସେତିକି ବଢିଚାଲିଥିଲା। ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପହିଲି ମୂର୍ଚ୍ଛନା ହେଉଛି ବହି ସହ ବନ୍ଧୁତା।

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି?

ସାହିତ୍ୟ ସହିତ ଆଦର୍ଶବାଦର ସମ୍ପୃକ୍ତି ଏକ ସ୍ୱୟଂଚାଳିତ ପ୍ରକ୍ରିୟା । କେବଳ ପ୍ରବୀଣ ନୁହେଁ , ଆଲ୍ହାଦ ବିଷାଦର ରୂପ ନୁହେଁ ବରଂ ଜୀବନକୁ ମହତ୍ତର କରିବାର ଦିଗଦର୍ଶନ ଥାଏ ସାହିତ୍ୟରେ । ଆଜି ଆମ ଚାରି ପାଖରେ ମୂଲ୍ୟବୋଧର ଅବମୂଲ୍ୟାୟନର ଘଟୁଛି। ସଂସ୍କୃତି ବିମୁଖତା, ଧୁର୍ତ୍ତ ବିଜ୍ଞାପନ, ରକ୍ଷକର ଭକ୍ଷକ ରୂପ , ନିଅଣ୍ଟିଆ ଅର୍ଥନୀତି , କଳାଟଙ୍କାର ନିଶା , ସାମ୍ପ୍ରଦାୟିକ ସଂଘର୍ଷ , ଆତଙ୍କବାଦ , ଉତ୍କଟ ବ୍ୟାଧି , ଦାରିଦ୍ର୍ୟ , ପ୍ରକୃତିର ବିପର୍ଯ୍ୟୟ , ହତ୍ୟା ଲୁଣ୍ଠନ ସମ୍ମିଳିତ ବହୁମୁଖୀ ବିରୋଧାଭାସ ବିରୁଦ୍ଧରେ ସାହିତ୍ୟିକମାନଙ୍କର ଅଭିବ୍ୟକ୍ତି ଯେଉଁ ମାନବବାଦର ଉଦଘୋଷଣା କରେ ତାହାହିଁ ସାହିତ୍ୟରେ ଆଦର୍ଶବାଦର ସ୍ରୋତ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ମୋର ମନେ ନାହିଁ। ତେବେ ମିନାବଜାର , ଟିକିଦୁନିଆ, ଓ କ୍ରମଶଃ, ପ୍ରଜାତନ୍ତ୍ର , ସମାଜ , ସମ୍ବାଦର ସାହିତ୍ୟ ପୃଷ୍ଠାରେ ମୋର କିଛି ଲେଖା ପ୍ରକାଶ ପାଇବାର ସେ ଆଦ୍ୟ ସମୟ ମତେ ଦେଇଥିଲା କୁହୁକଡେଣା ମନ ପବନ କଠଉ ଆଉ କେବେବି ସରୁନଥିବା ଆନନ୍ଦର ମୁଳକ।

ଲକଡାଉନ ସମୟରେ ଆପଣଙ୍କର ଏକ କବିତା ‘ମୋ ଜେଜେମାରୁ ନାତୁଣୀ ପର୍ଯ୍ୟନ୍ତ ‘ ବହୁଳ ଭାବରେ ଆଦୃତ ହୋଇଥିଲା ସେସମୟର ଅନୁଭୂତି କିପରି ଥିଲା ?

ଲାକଡାଉନ ସମୟରେ ତିଲୋତମା ଡିଜିଟାଲ ପ୍ଲାଟଫର୍ମ ଆନୁକୂଲ୍ୟରେ ମୋ କବିତା ମୋ ଜେଜେମାରୁ ନାତୁଣୀ ପର୍ଯ୍ୟନ୍ତ ଭିଡ଼ିଓ ରୂପେ ବହୁଳ ପ୍ରସାରିତ ହେବାର ବହୁ ପୂର୍ବରୁ କମ୍ୟୁନିଟି ରେଡ଼ିଓ ସେଣ୍ଟର ସୌଜନ୍ୟରେ ପ୍ରକାଶିତ ହୋଇ, ଓଡିଓ ରୂପେ ଭାଇରାଲ ହୋଇଥିଲା। ଅଡିଓରୁ ପୁଣି ଭିଡ଼ିଓରେ କବିତାର ଆଦୃତି ମୋ ପାଇଁ ଏକ ଅଭାବନୀୟ ପ୍ରାପ୍ତିର ଅସରନ୍ତି ପୁଲକ ଆଣିଦେଇଥିଲା। ଏହି କବିତା ସମ୍ପର୍କିତ ଏକ ଘଟଣାର ଅବତାରଣା କରିବା ପାଇଁ ମୁଁ ଏବେ ଆବେଗଚାଳିତ।ଓଡ଼ିଶାର ଖ୍ୟାତନାମା ରାଧୁମିଶଙ୍କ ଦ୍ୱାରା ହିନ୍ଦୀରେ ଅନୂଦିତ ହୋଇ ‘ଦାଦି ସେ ପୋତି ତକ’ ଶୀର୍ଷକରେ ୟୁଟ୍ୟୁବ ଚେନାଲ ମାଧ୍ୟମରେ ପ୍ରସାରିତ ହୋଇଛି। ପୀଢ଼ି ଦର ପୀଢ଼ି ନାମରେ ଏକ ସୁନ୍ଦର ଆକର୍ଷଣୀୟ ଭିଡ଼ିଓ କରାଯାଇଛି। କିନ୍ତୁ ଦୁଃଖର କଥା କନ୍ସେପ୍ଟ ଓ ନେରେସନ ନାସିର ଖାଁ , ଭିଡ଼ିଓ ଫୈଜଲ ଖାଁ ଉଲ୍ଲେଖ କରଯାଇ କବିତାଟିକୁ ଆନିମେସନ କରାଯାଇଛି।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରିବା ସ୍ବଭାବିକ । ନାରୀ ଲେଖିକାଟିଏ ନିଜର ଲେଖାଲେଖିରୁ ଅଧିକ ଗୁରୁତ୍ୱ ଦେଇଥାଏ କର୍ତ୍ତବ୍ୟ ସମ୍ପାଦନରେ। ଜୀବନରେ ଅନେକ ଭୂମିକାର ଦାୟିତ୍ୱ ନିର୍ବାହ ପରେ ସାହିତ୍ୟ ଭୂମିକୁ ଯେତେବେଳେ ଆସେ ସେ ସମୟରେ ଶେଷ ଘଣ୍ଟି , ଟ୍ରେନ ଛାଡ଼ିଦେବାର ସଙ୍କେତ ଦିଏ। ତେବେ ଧୀରେ ଧୀରେ ସମସ୍ତ ଅସୁବିଧାକୁ ଅତିକ୍ରମ କରିଯିବାର ସାମର୍ଥ୍ୟରେ ଦିକ୍ଷୀତ ହୋଇଯାଏ ନାରୀ ଲେଖିକା।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ଏତେ ବର୍ଷର ସାହିତ୍ୟ ସାଧନା କଥା ଯାହା କହିଛନ୍ତି ମୁଁ ସେମିତି ନିଷ୍ଠା ଓ ଏକାଗ୍ରତାରେ ନିଜକୁ ନିମଜ୍ଜିତ କରିପାରିନି। କବିତା, ଗଳ୍ପ , ପ୍ରବନ୍ଧ , ନାଟକ , ସଚେତନମୂଳକ ଲେଖା ଓ ପିଲାଙ୍କ ପାଇଁ କବିତା ଆଦି ଲିଖନ କର୍ମର ଧାରାରେ ମୋର ଇପ୍ସିତ ସୃଷ୍ଟିକୁ ଅନେକାଂଶରେ ରୂପ ଦେଇ ପାରିଛି ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିଙ୍କୁ ଲେଖିବା ପାଇଁ ଆହୁରି ଅନୁପ୍ରେରିତ କରେ। ପୁରସ୍କାର ଲେଖକ ପାଇଁ ଏକ ସାରସ୍ୱତ ଦାୟିତ୍ୱର ଅଙ୍ଗୀକାରବଦ୍ଧତା ବୋଲି ମୁଁ ଭାବେ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ ପୂର୍ଣ୍ଣ ମାତ୍ରାରେ ସହାୟକ ହୋଇଛି। ବରିଷ୍ଠ, ନବୀନ ସବୁବର୍ଗର ସାହିତ୍ୟିକମାନଙ୍କ ସୃଜନଶୀଳ କୃତିତ୍ୱ ବିଶ୍ୱର ଯେକୌଣସି ପ୍ରାନ୍ତରେ ଥିବା ସାହିତ୍ୟପ୍ରେମୀମାନଙ୍କ ନିକଟରେ ପହଞ୍ଚାଇ ଦେବାରେ ସର୍ବୋତ୍ତମ ବଳିଷ୍ଠ ସାଧନରେ ସାମାଜିକ ଗଣମାଧ୍ୟମ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

ଆଜି ସାହିତ୍ୟର ଭବିଷ୍ୟତକୁ ନେଇ ମୋର ସ୍ୱପ୍ନ ହେଉଛି ଯୋଗ୍ୟ ଦାୟାଦ ସୃଷ୍ଟି କରିବା ଦିଗରେ ନିଜ ନିଜ ସାଧ୍ୟମତେ ଆମେ ଚେଷ୍ଟା କରିବା । ଓଡ଼ିଆ ଭାଷା ଆମର ଜିହ୍ଵା ସ୍ୱରୂପ। ଭାଷା ବିମୁଖ ହୋଇ ଆପଣା ହସ୍ତେ ଜିହ୍ଵା ଛେଦି ରୀତିରେ ଓଡ଼ିଆ ଭାଷା ସହିତ୍ୟକୁ ସଙ୍କଟଗ୍ରସ୍ତ କରିବା ନାହିଁ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଏକ ଆନ୍ଦୋଳନରେ ପରିଣତ ହେଉ ।

Comments are closed.