ଓଡ଼ିଆ ସାହିତ୍ୟର ଜଗତର ଅନନ୍ୟ ଶିଳ୍ପୀ ସୁସ୍ମିତା ମହାପାତ୍ର। ଏକାଧାରରେ ଜଣେ କବି , ଗାଳ୍ପିକା , ଔପନ୍ୟାସିକା ଓ ପ୍ରାବନ୍ଧିକା । ସେ ମଧ୍ୟ ରୁଚି ରଖନ୍ତି ଚିତ୍ର ଓ ନୃତ୍ୟକଳାରେ। ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି।
ସୁବୋଧ୍ୟ ବିଜ୍ଞାନ, ଜୀବ ଜଗତର ରହସ୍ୟ, ଅନାବରଣ, ପ୍ରାଣରୁ ପ୍ରଣବ ପଦ୍ମବର୍ଣ୍ଣା ସହ ଆହୁରି ଅନେକ କାଳଜୟୀ ସୃଷ୍ଟିର ସେ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ସୁସ୍ମିତା ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ” ଆଳାପ ”
ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?
ମୁଁ ଯେତେବେଳେ ପ୍ରଥମେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ୧୯୮୫ ମସିହାରେ ହାଇସ୍କୁଲରେ ନାଁ ଲେଖାଇଲି, ମୋର ପାଠ ସହିତ ଡିବେଟ, ରଚନା, ଡ୍ରଇଂ, ନାଚ, ଗୀତ, ଖେଳ, ଡ୍ରାମା, ସବୁକିଛି ବହୁତ ଭଲ ହେଉଥିବାରୁ, ସବୁ ସାର ଓ ଦିଦି ମାନେ ମୋତେ ବହୁତ ଭଲ ପାଉଥିଲେ l ଆମ ଓଡ଼ିଆ ଶିକ୍ଷକ, ନିରଞ୍ଜନ ଜେନା ସାରଙ୍କ ପ୍ରେରଣାରେ, ସେହିବର୍ଷ ଓଡିଶା ଲଳିତ କଳା ଏକାଡେମୀ ତରଫରୁ ଆୟୋଜିତ, ରାଜ୍ୟ ସ୍ତରୀୟ ପେଣ୍ଟିଙ୍ଗ କମ୍ପିଟିସନରେ ଭାଗ ନେଇ ମୁଁ ସଫଳ ହୋଇଥିବାରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରୁ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେବାର ସୁଯୋଗ ମଧ୍ୟ ପାଇଥିଲି l ଠିକ ତା ପରେପରେ ସଂସ୍କୃତ ପଣ୍ଡିତ, ବଂଶୀଧର ପଣ୍ଡା ସାର ଓରଫ ବଇଁଶୀ ସାର ମୋତେ, ଗଳ୍ପ ଓ କବିତା ଲେଖିବା ପାଇଁ ଉତ୍ସାହିତ କରିଥିଲେ ଏବଂ ପୁଣି ଥରେ ମନ୍ତ୍ରୀଙ୍କ ଠାରୁ ଢେରସାରା ପୁରସ୍କାର ପାଇବାର ଅସରନ୍ତି ଆଶା ଓ ଆକାଂକ୍ଷା ନେଇ ମୁଁ ମୋର ସାହିତ୍ୟ ଯାତ୍ରା ଆରମ୍ଭ କରିଥିଲି l ପ୍ରଥମେ ସେ ମୋତେ “ଫୁଲ”, “ବର୍ଷା”, “ନଈ”, “ବାପା”, “ମା’” ଭଳି ଶୀର୍ଷକରେ କବିତା ଲେଖିବା ପାଇଁ ପ୍ରେରିତ କରିଥିଲେ l
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
୧୯୮୬ ମସିହାରେ (ମୋର ସପ୍ତମ ଶ୍ରେଣୀ) ସ୍କୁଲ ମେଗାଜିନରେ ମୋର ପ୍ରଥମ ଗଳ୍ପ “ତାରାକୁ ଚିଠି” ପ୍ରକାଶିତ ହୋଇ ଖୁବ ପ୍ରଶଂସିତ ହୋଇଥିଲା, ଯେଉଁଥିରେ ମୁଁ, ଆକାଶରେ ତାରା ହୋଇ ଯାଇଥିବା ମୋର ନିଜ ମା’ଙ୍କ ପାଖକୁ ନିଷ୍ଠୁର ସାବତ ମା’ର ମୋ ପ୍ରତି ଦୁର୍ବ୍ୟବହାର ଓ କ୍ରୂରତା କଥା କାନ୍ଦି କାନ୍ଦି ଲେଖିଥିଲି ଚିଠିରେ l ତା’ପରେ ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ମୁଁ ଆହୁରି ପ୍ରିୟ ହୋଇ ଯାଇଥିଲି l ଧୀରେ ଧୀରେ ମୋର ଲେଖାଲେଖି ପ୍ରତି ଦୁର୍ବଳତା/ଆଗ୍ରହ ବଢ଼ିଲା ଓ ସମସ୍ତଙ୍କ ପ୍ରଶଂସା, ପ୍ରେରଣା ଯୋଗାଇଲା l
ଆପଣ ଗଳ୍ପ , କବିତା , ଶିଶୁ ସାହିତ୍ୟ ସବୁ ବିଭାଗରେ ଲେଖୁଥିଲେ । ତେବେ ପ୍ରବନ୍ଧ ପ୍ରତି କେମିତି ଆକୃଷ୍ଟ ହେଲେ ?
ଯଦିଓ ମୋର ଗଳ୍ପ, କବିତା, ଉପନ୍ୟାସ, ସମୀକ୍ଷା, ସମାଲୋଚନା, ବ୍ୟଙ୍ଗ ସାହିତ୍ୟ, ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, ବିଜ୍ଞାନ ଭିତ୍ତିକ କବିତା, ଆଲେଖ୍ୟ, ଆଲୋଚନା, ସନ୍ଦର୍ଭ, ରହସ୍ୟ ଉନ୍ମୋଚନ, ଆଧ୍ୟାତ୍ମିକ ଆଲୋଚନା ଆଦି ସବୁ ବିଭାଗରେ ପ୍ରବେଶ ରହିଛି ଏବଂ କେତୋଟି ପୁସ୍ତକ ଆକାରରେ ପ୍ରକାଶିତ ମଧ୍ୟ ହୋଇଛି, ତଥାପି ପ୍ରବନ୍ଧ ଲିଖନରେ ମୋର ଦୁର୍ବଳତା ସର୍ବାଧିକ l କାରଣ ପ୍ରବନ୍ଧରେ କିଛି ମନଗଢା ନଥାଏ l ସତ୍ୟ ଉପରେ ଆଧାରିତ ତଥ୍ୟ, ତତ୍ତ୍ୱ ଓ ସମାଜ ସଂସ୍କାର ନିମନ୍ତେ ବାର୍ତ୍ତା ସମ୍ବଳିତ ପ୍ରବନ୍ଧ, ଅନେକ ଅଜଣା କଥା ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇଥାଏ l ପ୍ରବନ୍ଧ ଲିଖନ ମାଧ୍ୟମରେ ମୋର ଜିଜ୍ଞାସା ବଢ଼େ ଏବଂ ମୁଁ ଅନେକ ପୁସ୍ତକ, ଗ୍ରନ୍ଥ ଆଦି ପଢ଼ିବାର ସୁଯୋଗ ପାଏ, ଇଣ୍ଟର୍ନେଟରେ ବିଭିନ୍ନ କଥା ଖୋଜେ, ଅନେକ ଜ୍ଞାନୀ, ଗୁଣୀ ଲୋକଙ୍କୁ ପଚାରି ବୁଝେ l ଯାହାଫଳରେ ମୋର ଜ୍ଞାନ ବଢ଼େ ଏବଂ ସମାଜ ସଂସ୍କାରରେ ଗୁଣ୍ଡୁଚି ମୂଷା ସାଜି ମୋର ସହଯୋଗ ଓ ଶ୍ରମ ପ୍ରଦାନ କରିପାରେ l
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?
ନାରୀଟିଏ ଗୃହିଣୀ ସହିତ ଯଦି ଚାକିରିଆ ହୋଇଥାଏ, ତେବେ ଉଭୟ ଘର ଓ ଅଫିସ ଭିତରେ ସମନ୍ୱୟ ରକ୍ଷା କରି ଉଭୟ କାମକୁ ନ୍ୟାୟ ଦେବା ସହିତ ସମସ୍ତଙ୍କୁ ଖୁସି ରଖିବା ନିମନ୍ତେ ନିଜ ସହିତ ସବୁବେଳେ ସାଲିସ କରିଥାଏ l ତା’ଉପରେ ଯଦି ସେ ଲେଖିକାଟିଏ ହୋଇଥାଏ ତେବେ ସମୟ ସହିତ ସାଲିସ କରେ କାରଣ ତା’ ପାଖରେ ଲେଖିବା ପାଇଁ ସମୟର ଅଭାବ ଥାଏ l ପରିବାର ତଥା ଅଫିସର ସମସ୍ତଙ୍କ ମନନେବାକୁ ପ୍ରୟାସ କରୁକରୁ ହାତପାହାନ୍ତାରୁ ନିଜର ସମୟତକ ଅପସରି ଯାଇଥାଏ l ସେ ପୁଣି ନିଜର ନିଦ୍ରା ସହିତ ବୁଝାମଣା କରେ ଓ ନିଦ୍ରାଯିବା ସମୟକୁ ସଂକୁଚିତ କରି, ମନ ଓ ଆତ୍ମାକୁ ଆବୋରି ବସିଥିବା ଭାବନାରେ ଭାଷା ଯୋଖି କାଗଜ ପୃଷ୍ଠାରେ ପରଷିଦିଏ ଏକ ସୁନ୍ଦର ଗଳ୍ପ, କବିତା ବା ଆଲେଖ୍ୟ ହିସାବରେ l ଅନେକ ସମୟରେ, ନାରୀର ଏହି ରାସ୍ତାରେ ନିଜ ପରିବାର ଲୋକେ ମଧ୍ୟ କଣ୍ଟା ହୋଇ ଛିଡା ହେବାର ନଜିର ରହିଛି l ବେଳେବେଳେ ସାମାଜିକ ସମାଲୋଚନା ମଧ୍ୟ ତା’ପାଇଁ ପ୍ରତିବନ୍ଧକ ସାଜିଛି l ରକ୍ଷଣଶୀଳ ସମାଜରେ ନାରୀଟିଏ ପୁରୁଷ ପରି ସବୁ ସୁବିଧା ସୁଯୋଗକୁ ଆପଣେଇବା ପାଇଁ ସଂଘର୍ଷ କରିଛି l ତେବେ ମୋଟ ଉପରେ, ଆତ୍ମ ବିଶ୍ୱାସ, ଧୈର୍ଯ୍ୟ ଓ ସତ୍ସାହସର ସହ ନାନା ଅସୁବିଧାକୁ ଏଡ଼ାଇ ନାରୀଟିଏ ଆଗେଇ ଥାଏ, ତା’ର ସାଧନାକୁ ଶେଷ ସ୍ପର୍ଶ ଦେବା ନିଶାରେ l
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ନା, ପାରିନି l ଉଭୟ ପରିବାର ଓ ଚାକିରୀକୁ ଶତ ପ୍ରତିଶତ ନ୍ୟାୟ ଦେଉଦେଉ ଏଥିପ୍ରତି ମୋର ଅବହେଳା ହେଇପାରେ l ଏତଦବ୍ୟତୀତ, କେତେବେଳେ ସମୟ ମୋ ସହିତ ପ୍ରବଞ୍ଚନା କରିଛି ତ କେତେବେଳେ ପ୍ରକାଶକ l ଗୋଟିଏ ବହି ମୋର ଦୀର୍ଘ ଦୁଇବର୍ଷରୁ ପଡିଛି ଜଣେ ପ୍ରକାଶକଙ୍କ ପାଖରେ l ଏଣୁ ଏହାର ଭବିଷ୍ୟତ ମଧ୍ୟ ରହିଛି, ଅନିଶ୍ଚିତତା ଘେରରେ l ଆଜିକାଲି ଦୁନିଆରେ ନିଜ ଉପରୁ ଯେଉଁଠି ଭରସା ଉଠିଗଲାଣି, ଅନ୍ୟ ଉପରେ ଭରସା ରଖିହେବ ବା କିପରି ! ଏଣୁ ଇପ୍ସିତ ସୃଷ୍ଟି ମୋର ଏଯାବତ ଲୋକଲୋଚନକୁ ଆସିପାରିନାହିଁ l
ନାରୀବାଦୀ ତତ୍ତ୍ବଟି ପୁରୁଷକୁ ଅତିକ୍ରମ କରିବା ନା ନିଜକୁ ଉନ୍ମୁକ୍ତ କରିବା ନା ପାରମ୍ପାରିକତା ଭାଙ୍ଗି ସମାନ ପ୍ରତିଷ୍ଠା ପାଇବାରେ ଅପେକ୍ଷା ରଖେ?
ମୋ ମତରେ, ନାରୀବାଦୀ ଶବ୍ବଟି ନାରୀଵାଦରୁ ଆନୀତ, ଯାହାର ଅର୍ଥ ନାରୀ ନୀତି, ନିୟମ ବା କାର୍ଯ୍ୟଧାରା l ଏହି ନାରୀବାଦର ସମର୍ଥନକାରୀଙ୍କୁ କୁହାଯାଏ, ନାରୀବାଦୀ l ପୁରୁଷର ହେଉ ବା ନାରୀର, ଉପଯୁକ୍ତ ବିଚାର, ଉଚିତ କଥା ବା ବିଷୟକୁ ସମର୍ଥନ କରିବା ହିଁ ବୁଦ୍ଧିମତାର ପରିଚୟ ଦିଏ l ନାରୀବାଦୀରେ, ପୁରୁଷକୁ ଅତିକ୍ରମ କରିବା, ନିଜକୁ ଉନ୍ମୁକ୍ତ କରିବା କିମ୍ବା ପାରମ୍ପରିକତା ଭାଙ୍ଗି ସମାନ ପ୍ରତିଷ୍ଠା ପାଇବାରେ ପ୍ରତୀକ୍ଷା ରଖିବାର ପ୍ରଶ୍ନ ଉଠୁନାହିଁ l
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ଆମର ସାଇକୋଲଜି ରହିଛି, ଆଗରୁ ଭଲ ଲେଖକ /ଲେଖିକା ଥିଲେ, ଉନ୍ନତ ମାନର ସାହିତ୍ୟ ସୃଷ୍ଟି କରୁଥିଲେ କିନ୍ତୁ ଏବେ ଆଉ ସେଭଳି କେହି ନାହାନ୍ତି କି ସେଭଳି ସୃଷ୍ଟି ହେଉନାହିଁ l ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବରଂ ଅର୍ଦ୍ଧ ସତ୍ୟ l ସମୟ କ୍ରମେ ଆମ ଭାଷା ଉନ୍ନତ ଓ ସମୃଦ୍ଧ ହେଉଛି l ନୂତନ ଲେଖକଙ୍କର ଭାବଧାରା, ଚିନ୍ତନ ମନନ ଶୈଳୀ, ସାହିତ୍ୟ ମନ୍ଥନ ଓ ଅନ୍ୱେଷଣ ପ୍ରକ୍ରିୟା ମଧ୍ୟ ବେଶ ନିଆରା l ଏଣୁ ଚିରାଚରିତ ପ୍ରଥା ଓ ପରମ୍ପରାରୁ ମୁକ୍ତହୋଇ ଅଧୁନା ଲେଖକ, ଅଧ୍ୟୟନ, ଅନୁଧ୍ୟାନ, ଅନୁଶୀଳନ, ପରିଶୀଳନ, ଆଲୋଚନା, ପର୍ଯ୍ୟାଲୋଚନା, ସର୍ବୋପରି ପ୍ରାସଙ୍ଗିକତା ପୂର୍ବକ ଯୁକ୍ତି ଓ ତର୍ଜମାର ନିଷ୍କର୍ଷକୁ ନିଜର ଲେଖନୀ ମାଧ୍ୟମରେ ପରିପ୍ରକାଶ କରୁଛି, ଯାହା ସର୍ବଜନାଦୃତ ହେବା ଧେୟ l ବ୍ୟତିକ୍ରମ ତ ସବୁଠି ରହିଛି କିନ୍ତୁ ଆମେ ଯଦି ସେହି ବ୍ୟତିକ୍ରମକୁ ଵାଦ ଦେଇ ସାହିତ୍ୟର ନିରବଛିନ୍ନ ସ୍ରୋତରେ ନିଜକୁ ଭସାଇ ନେଇପାରିବୁ ତେବେ କେବଳ ସାହିତ୍ୟର ଅଗ୍ରଗତି ନୁହେଁ, ଆମର ତଥା ଏ ସମାଜର ଅଗ୍ରଗତି ମଧ୍ୟ ସୁନିଶ୍ଚିତ l
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ପୂର୍ବାପେକ୍ଷା ଏବେର ପାଠକ ସଂଖ୍ୟା ବେଶ ଅଧିକ, ଯାହାର କାରଣ ସାମାଜିକ ଗଣମାଧ୍ୟମ l ପୂର୍ବେ ବହିଟିଏ ପାଠକ ପାଖରେ ପହଞ୍ଚିଲେ ହିଁ ସେ ପଢ଼ିବାର ସୁଯୋଗ ପାଉଥିଲା l ଏବେ କିନ୍ତୁ ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ପ୍ରଚାର ପ୍ରସାର ତଥା ଵିଜ୍ଞାପନ ଆଧାରରେ ପାଠକଟିଏ କୌଣସି ବହିପ୍ରତି ଆକୃଷ୍ଟ ହେବା ସହିତ ଇଣ୍ଟର୍ନେଟ ମାଧ୍ୟମରେ ତୁରନ୍ତ ପଢ଼ିବାର ସୁଯୋଗ ମଧ୍ୟ ପାଇପାରୁଛି l ଵିଜ୍ଞାପନ ପୃଷ୍ଠା ବା ପରଦାରେ ବହିର ପ୍ରଚ୍ଛଦ ରଙ୍ଗ, ରୂପକଳ୍ପ ଓ ନିଆରା ଶୀର୍ଷକ ସହିତ ସମ୍ବାଦଦାତାଙ୍କ ଅନନ୍ୟ ଉପମା ଯୁକ୍ତ ବର୍ଣ୍ଣନା, ପାଠକଙ୍କୁ ସାହିତ୍ୟ ମନସ୍କ କରାଇବାରେ ବେଶ ସହାୟକ ହୋଇଥାଏ l
ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ହଁ, ଲେଖକ ଯିଏ, ସେ ସମୀକ୍ଷକ ମଧ୍ୟ l ନହେଲେ ଥରେ ଲେଖିଲା ପରେ ତାହାକୁ ଛାପିବାକୁ ନପଠାଇ, ଗୋଟିଏ ଲେଖାକୁ, ଲେଖକଟିଏ ବାରବାର ବଦଳାଏ କାହିଁକି l ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବାଯାଏ ଲେଖାକୁ ମାର୍ଜିତ କରେ l ଏହା ହିଁ ସମୀକ୍ଷା l
ମୋ ନିଜ ରଚନାର ସମୀକ୍ଷା କଲାବେଳେ ମୁଁ ଅନୁଭବ କରେ, ସାହିତ୍ୟର ବିଭିନ୍ନ ବିଭାଗରେ ମୋର ଭାଷା ଓ ଭାବ ଉଚ୍ଚକୋଟିର ଥିଲେ ମଧ୍ୟ ଅନେକ କମି ରହିଯାଉଛି l ଯେମିତି ପ୍ରବନ୍ଧରେ ତଥ୍ୟର ମାତ୍ରା କମିଯାଉଛି ଯେଉଁଥିପାଇଁ ଆହୁରି ବହୁତ ପଢ଼ାପଢିର ଆବଶ୍ୟକତା ରହିଛି l ଗଳ୍ପରେ, ବିଷୟବସ୍ତୁ ସୂକ୍ଷ୍ମ ହେବା ପରିବର୍ତ୍ତେ ସ୍ଥୂଳ ହେଇଯାଉଛି ଏବଂ ରହସ୍ୟ ଜଲ୍ଦି ଉନ୍ମୋଚିତ ହେଇଯାଉଛି, ଯାହା ପାଠକର ପଠନାଗ୍ରହ କମିବାର କାରଣ ହେଇପାରେ l କବିତାରେ କେବେକେବେ ଚିତ୍ରକଳ୍ପ ଓ ପ୍ରତୀକାତ୍ମକ ଶବ୍ଦର ଅଭାବ ଅନୁଭବ କରୁଛି l ଉପନ୍ୟାସରେ ଚରିତ୍ର ସଂଖ୍ୟା ଅଧିକ ହେଇଯାଉଛି, ଯାହାକୁ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ, ନଚେତ ତାହା ସୁଖପାଠ୍ୟ ହେବନାହିଁ l ବ୍ୟଙ୍ଗାତ୍ମକ ସୃଷ୍ଟିରେ ବିଦ୍ରୁପ ଅଧିକ ହେଉଥିବାବେଳେ ହାସ୍ୟରସ କମିଯାଉଛି l ବିଜ୍ଞାନ ଭିତ୍ତିକ ଲେଖା ଓ ରହସ୍ୟ ଉନ୍ମୋଚନରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି l
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ଭାଷା ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତ ବ୍ୟକ୍ତି ବା ସାହିତ୍ୟପ୍ରେମୀ ହିଁ କେବଳ ସୃଜିପାରେ ଉଚ୍ଚାଙ୍ଗ ଏବଂ କାଳଜୟୀ ସାହିତ୍ୟ, ଯାହା ଜିଣିପାରେ ବିଶ୍ୱଜନ ମନ l ଅଧୁନା ଲେଖକଙ୍କର ସଂଖ୍ୟା ବଢ଼ିବଢ଼ି ଚାଲିଛି ସତ, ମାତ୍ର କମିକମି ଯାଉଛି ଲେଖାର ମାନ, ଯାହାର ମୂଳ କାରଣ, ଉକ୍ତ ଲେଖାରେ ରହୁନାହିଁ ଲେଖକର ଶ୍ରଦ୍ଧା, ସରାଗ, ଆବେଗ, ଅନୁରାଗ ଓ ସମ୍ବେଦନଶୀଳତା l ସମ୍ବର୍ଦ୍ଧନା ପାଇଁ ନୁହେଁ ବରଂ ସମାଜ ସୁଧାର ନିମନ୍ତେ ଲେଖକର ତୃଷ୍ଣା ରହିବା ବିଧେୟ l ଲୋକଶ୍ରଦ୍ଧା ପ୍ରାପ୍ତିରେ ହିଁ ସାହିତ୍ୟର ସିଦ୍ଧି l ସୁତରାଂ, ମା’, ମାଟି ଓ ମାତୃଭାଷାର ଉନ୍ନତି, ପ୍ରଗତି ଓ ସମୃଦ୍ଧି ନିମନ୍ତେ ବ୍ରତୀହୋଇ ଲେଖକ, ତ୍ୟାଗପୂତ ଭାବେ ଆନ୍ତରିକତାର ସହ, ଭାବ ଓ ରସଯୁକ୍ତ ତଥା ତଥ୍ୟ ଓ ତତ୍ତ୍ୱ ସମ୍ବଳିତ ସାହିତ୍ୟ ସର୍ଜନା କରିପାରିଲେ ହିଁ ତାହା ଆମ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହିତ ତା’ର ଉତ୍ତରଦାୟିତ୍ୱ ସମ୍ପନ୍ନ କରିପାରିବ ଓ ପାଠକ ହୁଦୟରେ ଚିର ଉଦ୍ଜୀବିତ ହୋଇ ରହିପାରିବ ଯୁଗ ଯୁଗାନ୍ତରକୁ l
Comments are closed.