Latest Odisha News

BREAKING NEWS

ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା : ଓଡ଼ିଆ ଗୀତରେ କଣ୍ଠଦାନ ସ୍ମରଣୀୟ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’ ଓ ‘ଅରୁନ୍ଧତୀ’(୧୯୬୮)ର  ‘ଆଜି ମୁଁ ଶ୍ରାବଣୀ…’ । ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଂଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି।

ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଉପରୋକ୍ତ ଗୀତର ସ୍ବର ସଂଯୋଜନା କରିବା ବେଳେ ହିଁ ସ୍ଥିର କରିଥିଲେ ଯେ, ଏଥିରେ ଲତାଜୀଙ୍କୁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ଗାୟନ କରାଇବେ ।  ତା’ ପରେ ବମ୍ବେରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଜୀଙ୍କ ପାଖକୁ ଯାଇ ଗୀତର ସ୍ବର ଶୁଣାଇଥିଲେ। ଗୀତର ସ୍ବର ଶୁଣିଲା ପରେ ଲତାଜୀ ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ମଧ୍ୟ ରାଜି ହୋଇଥିଲେ।

ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାରଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ ‘ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ‘ କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।

Comments are closed, but trackbacks and pingbacks are open.