Latest Odisha News

BREAKING NEWS

ଲେଖକର ଦୃଷ୍ଟିକୋଣ ସବୁବେଳେ ବ୍ୟାପକ ହେବା ଆବଶ୍ୟକ : ତପନ କୁମାର ପଣ୍ଡା

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅବିଶ୍ରାନ୍ତ ଭାବରେ ନିଜର ପାରଦର୍ଶିତା ସହ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ତପନ କୁମାର ପଣ୍ଡା। ଓଡ଼ିଶା ବାହାରେ ରହି ଜଣେ ନୀରବ ସାଧକ ଭାବରେ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କାଳଜୟୀ କବିତା, ଗଳ୍ପ ତଥା ଅନୁବାଦ ସାହିତ୍ୟ। କେବଳ ସର୍ଜନା ନୁହେଁ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ ତତ୍ପର । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ତପସ୍ୟା ଫାଉଣ୍ଡେସନ’ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବେଶ ସକ୍ରିୟ ।

ଦ ଇନଫିଡେଲ, ଡାଉନ ଆଫଟର ଦ ଲଙ୍ଗ ନାଇଟ, ଦ ଆକ୍ଟର , ଅଟୋବାୟୋଗ୍ରାଫି ଅଫ କ୍ୟୁଇନ ରତ୍ନପ୍ରଭା ଦେବୀ, ଦ ଆର୍କ ଅଫ ଫାୟାର, ଦ ନକ୍ସଲାଇଟ, ଆଜ ଦ ୟର ଗୋ ବାଇ, ନକ୍ସଲାଇଟ ଆଣ୍ଡ ଅଦର ଷ୍ଟୋରିଜ, ଜହ୍ନ ରାତି ଓ ପ୍ରଜାପତି, କବିତା ପରି କିଛି କିଛି, ଦୋଣ୍ଟ ୱାଶ ଏ ଉଣ୍ଡ ଉଇଥ ବ୍ଲଡ଼ ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।

ଲେଖକ ତପନ କୁମାର ପଣ୍ଡାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସାହିତ୍ୟ ପ୍ରତି ଆଗ୍ରହ କେବେଠାରୁ ?

ଉତ୍ତର – ପିଲାଦିନରୁ । ଛୋଟ ବେଳେ ଅଜା ଘରକୁ ଖରା ଛୁଟିରେ ଗଲେ ଗପ ଶୁଣିବାରେ ଆଗ୍ରହ ଥିଲା । ମୋ ଆଈ ଚମତ୍କାର ଗପ ସବୁ କହିପାରୁଥିଲେ । ସ୍କୁଲରେ ପଢ଼ିଲା ବେଳେ ସାହିତ୍ୟ ସାରଙ୍କ ପ୍ରଭାବ ବହୁତ ଅଧିକ ଥିଲା । ତେଣୁ ହେତୁ ହେଲା ବେଳଠୁଁ ହିଁ ସାହିତ୍ୟ ପ୍ରତି ଆଗ୍ରହ ଥିଲା । ବୟସ ବଢିବା ସାଙ୍ଗରେ ତାହା ଦୁର୍ବଳତାରେ ପରିଣତ ହେଲା । ଆଉ ପରେ ସାହିତ୍ୟ ମନସ୍କ ଜୀବନଟିଏ ଜିଇଁବାକୁ ପ୍ରେରଣା ଦେଲା ।

 ଆପଣଙ୍କ ପ୍ରଥମ ଲେଖାର ପହିଲି ପୁଲକ ଆମ ସହ ବାଣ୍ଟିବାକୁ ଚାହିଁବେ କି ?

ନିଶ୍ଚୟ । ପ୍ରଥମ ଲେଖା ପ୍ରଥମ ପ୍ରେମପରି । ତାକୁ କ’ଣ ଭୁଲିହୁଏ । ପଞ୍ଚମ ଶ୍ରେଣୀରେ ବୋଧହୁଏ କୌଣସି ଏକ ପ୍ରତିଯୋଗିତା ପାଇଁ ଲେଖିଥିଲି ଆଉ ପୁରସ୍କୃତ ହେଇଥିଲି । ଲେଖାଟି ଦେଶାତ୍ମବୋଧକ କବିତା ଥିଲା । ବହୁତ ବର୍ଷ ପର୍ଯ୍ୟନ୍ତ ସେଇ ବିଦ୍ରୋହ ମୋ କବିତାରେ ପ୍ରସ୍ଫୁଟିତ ହେଉଥିଲା ।ବେଳେ ବେଳେ ଏବେ ବି ହେଉଛି । କିନ୍ତୁ ଅନୁଭବଟି ସୁଖଦ ନଥିଲା । ବହୁତ ଭଲ ଛାତ୍ର ହେଇଥିବାରୁ କବିତା ଅପେକ୍ଷା ଗଣିତରେ ବେଶୀ ଧ୍ୟାନ ଦେବାକୁ ବହୁ ଜଣ କହିଥିଲେ । କିନ୍ତୁ ପ୍ରଥମ କବିତା ସଦା ବେଳେ ପ୍ରଥମ ହେଇଥାଏ । ଆଜି ମାନେ ପକେଇଦେବାରୁ ଧନ୍ୟବାଦ ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ମୋର ଧାରଣା ଯେ କବିତାଟି ପାଠକମାନଙ୍କ ବୁଝା ପଡିବା ଦରକାର । ଯଦି ମୁଁ କବିତାଟିଏ ଲେଖିଲି ଆଉ ତାହା ପାଠକ ମନକୁ ଛୁଇଁଲା ନାହିଁ ତେବେ ତାହା କେବଳ ଏକ ବୌଦ୍ଧିକ ବିଳାଶ ଛଡା ଆଉ କିଛି ନୁହେଁ । କବିତାର କ୍ଲୀଷ୍ଟତା ହିଁ ତାର ସୌନ୍ଦର୍ଯ୍ୟକୁ ନଷ୍ଟ କରାଏ । ମାତ୍ର କବିତାର କଳା-କାରିଗରୀରେ କିଛି ବୁଝାମଣା ହେବା ଅନୁଚିତ । ଦ୍ଵିତୀୟତଃ କବିର ଦୃଷ୍ଟି କୋଣ ବ୍ୟାପକ ହେବା ଦରକାର । ଜଣେ ଭଲ ମଣିଷ ଭଲ କବି ହେବ ଧାର୍ଯ୍ୟ କିନ୍ତୁ ସବୁ ଭଲ କବିମାନେ ଭଲ ମଣିଷ ନୁହନ୍ତି ବୋଲି କହି ପାରିବି ।ନିଜେ ସହଜ ଭାବରେ ଜୀବନକୁ ଗ୍ରହଣ କରିନେଇଥିବାରୁ ଓ ଜୀବନ ଯାହା ସାମ୍ନାରେ ପ୍ରାପ୍ୟ ହିସାବରେ ରଖିଛି ସେଥିରେ ମୁଗ୍ଧ ହେଇଥିବାରୁ ମୋ କବିତା ସରଳ ଓ କୋମଳ । ମୁଁ ବିପ୍ଳବ ଆଉ ପରିବର୍ତ୍ତନର କବିତା କହିଲେ ବି କବିତାର ସେଇ ମଧୁର ଦିଗଟି ପ୍ରତି ଯତ୍ନବାନ ।

ଆପଣଙ୍କ ବୃତ୍ତି ଓ ସାହିତ୍ୟିକ ପ୍ରବୃତ୍ତି ଭିତରେ ସନ୍ତୁଳନ ରକ୍ଷା କରନ୍ତି କିପରି ?

ଉତ୍ତର – ମୋର ସାହିତ୍ୟିକ ଜୀବନ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଛି । ପ୍ରଥମ ଭାଗରେ ସବୁ ସ୍ବପ୍ନଭୁକ ପ୍ରାଣୀଙ୍କ ଭଳି ପ୍ରଚଣ୍ଡ ସମ୍ଭାବନା ଓ ଜାଗତିକ ଅସହାୟତା ଭିତରେ ଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ସାହିତ୍ୟଠୁ ଦୁରେଇ ଯାଇଛି ବହୁତ ବର୍ଷ ପର୍ଯ୍ୟନ୍ତ । ବିଦେଶରେ ପାଠ ପଢିବା, ନିଜର ଗବେଷଣାରେ ସମୟ ଦେବା ଦ୍ୱାରା ପ୍ରକାଶିତ ସାହିତ୍ୟଠୁ ଦୁରେଇ ଯାଇଛି । କିନ୍ତୁ ପଢିବା ଜାରି ରହିଥିଲା ।ବିଶ୍ୱ ସାହିତ୍ୟକୁ ପଢିବା ଆଉ ବୁଝିବାରେ ବେଶୀ ଧ୍ୟାନ ଦେଇଥିଲି । ମାର୍କେଟିଙ୍ଗ , ବ୍ରାଣ୍ଡିଙ୍ଗ ଓ ବିଜ୍ଞାପନ ପରିଚାଳନା ମୋର ମୁଖ୍ୟ ବିଷୟ ହେଇଥିବାରୁ ମୁଁ ମୋର ସାହିତ୍ୟ ଓ ସୃଜନ କଳାକୁ ବ୍ୟବହାର କରି ମନେ ରହିଲା ପରି ବହୁତ ବିଜ୍ଞାପନ ଟିଭି ପାଇଁ ଲେଖିଛି । ଆଜି ଯଦି ଜଣେ ସଫଳ ମାର୍କେଟିଙ୍ଗ ଓ ଆଡ଼ଭରଟାଇଜିଙ୍ଗ କନ୍ସଲଟାଣ୍ଟ ହେଇଛି ସେଠି ପାଇଁ ମୋର ସାହିତ୍ୟ ହିଁ ଦାୟୀ  ।  ମୁଁ ଭାରତର ବଛାବଛା ବ୍ରାଣ୍ଡ ପାଇଁ ଯେଉଁ ବିଜ୍ଞାପନ ଗୁଡିକ ଲେଖିଛି ସେମାନେ ବହୁତ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ତେଣୁ ମୋ ପାଇଁ ସାହିତ୍ୟ ଓ ବୃତ୍ତି ପରସ୍ପର ପରିପୂରକ କହିଲେ ଚଳିବ ।

ଆପଣଙ୍କ ଗପର କଥା କୁହା ଶୈଳୀ ନିଆରା । ପ୍ରକାଶିତ ଗଳ୍ପକୁ ନେଇ କେବେ ପାଠକଙ୍କ ଆବେଗିକ ପ୍ରତିକ୍ରିୟାକୁ ଭେଟିଛନ୍ତି କି ?

ମୁଁ ଏଇ ଦୃଷ୍ଟିରୁ ନିଜକୁ ବହୁତ ଭାଗ୍ୟବାନ ବୋଲି ଭାବେ । ମୁଁ ସଧାରଣ ମଣିଷର କଥା ଲେଖେ ତେଣୁ ଗଳ୍ପରେ ପ୍ରତିକ୍ରିୟା ମୋତେ ଆହୁରି ଭଲ ଗଳ୍ପ ଳେହିବାକୁ ବାଟ କଢାଏ । ପ୍ରାୟ ଦୁଇ ପ୍ରକାରର ଆବେଗିକ ପ୍ରତିକିୟା ମୁଁ ଅନୁଭବ କରିଛି । ପ୍ରଥମ ପ୍ରଶ୍ନଟି ଥାଏ, ଏଇ ଯେଉଁ ଗପରେ ଲେଖିଛନ୍ତି ଏଇଟା କ’ଣ ସତ ? ଦ୍ୱିତୀୟଟି ହେଲା ଏଇ ଚରିତ୍ର ଟି କଣ ଆପଣ ନା କେହି ଜୀବନ୍ତ । କିଛି କିଛି ଗପରେ ଏଭଳି ମତାମତ ବି ଆସିଥାଏ ” ଏଇଟା ବେଶୀ ଗପ ନା ବେଶୀ ସତ ?” ଏଠି ଥିଓରୀ ଅଫ ରିଲେଟିଭିଟି କାମରେ ଆସେ  । ମୁଁ ବହୁତ ପ୍ରେମିକ/ପ୍ରେମିକା, ସଂଗୀତ ପ୍ରେମୀ, ନାଟୁଆ ଲୋକଙ୍କ ମତାମତ ପାଏ – ଦରକାରରୁ ଅଧିକା ଆବେଗିକ ପ୍ରତିକିୟା ପାଇଥାଏ ।

ଅନୁବାଦ ପ୍ରତି ଆଗ୍ରହ ବଢ଼ିଲା କାହିଁକି ?

ମୋତେ ବିଭିନ୍ନ ଭାଷାର ଲେଖା ପଢିବା ପାଇଁ ଭଲ ଲାଗେ । ରୁମି, ସଦାତ୍ତ ହାସନ ମଣ୍ଟୋ, ଫୈଜ଼ ଅହମଦ ଫୈଜ଼, ଗୁଲଜ଼ାରଙ୍କୁ ପଢିବା ପାଇଁ ଉର୍ଦ୍ଦୁ ଶିଖିଲି । ଅନୁବାଦ ପଢିବାଠୁ ମୂଳ ଭାଷାର ଲେଖା ପଢିବା ପସନ୍ଦ । ଇଂରାଜୀ ଭାଷାରେ ଲେଖା ଯାଇଥିବା ସାମ୍ପ୍ରତିକ ସମୟର ବହୁ ଲେଖା ପଢିଲା ପରେ ଲାଗିଲା ଆମେ ଓଡ଼ିଆରେ ଟିକେ ପଛରେ ପଡିଯାଇଛୁ । ସେଥପାଇଁ ଆମକୁ ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ପଡିବ । ଫ୍ରେଞ୍ଚ ବିଶ୍ୱବିଦ୍ୟାଳୟରେ ପ୍ରତି ବର୍ଷ ପଢେଇବାକୁ ଯାଏ । ତେଣୟ ଫ୍ରେଞ୍ଚ ଭାଷା ଶିଖିଗଲି ଆଉ ସମ ସାମୟିକ ଫ୍ରେଞ୍ଚ କବିତା ବି ପଢ଼ିଲି । ନିଜ ମାତୃଭାଷାର ସାହିତ୍ୟ ବିଶ୍ୱ ଦରବାରରେ ପହଞ୍ଚିବା ଦରକାର । ଏବେ ନୂଆ ପିଢ଼ିଙ୍କ ପଢିବାରେ ଯେଉଁ ବିପ୍ଳବ ଆସିଛି ଦୁର୍ଭାଗ୍ୟବଶତଃ ସେମାନେ ଇଂରାଜୀରେ ହିଁ ପଢୁଛନ୍ତି । ତେଣୁ ଅନୁବାଦ କରିବା ପାଇଁ ଆଗ୍ରହୀ ହେଲି । ଆଜିକୁ ପଚିଶ ବର୍ଷ ତଳେ ମୁଁ ଅନୁବାଦ କରିଥିବା ଗପମାନଙ୍କ ଭିତରେ ଅଛି ମହାପାତ୍ର ନୀଳମଣି ସାହୁଙ୍କ ‘ବାଘର ବିଳାପ’, ବିଜୟ କୃଷ୍ଣ ମହାନ୍ତିଙ୍କ ‘ସୁମନ’ ଓ ମୋ ପ୍ରିୟ ଗାଳ୍ପିକ ଓ ଗଳ୍ପ ଗୁରୁ ରବି ପଟ୍ଟନାୟକଙ୍କ ଅନେକ ଗଳ୍ପ ଅଛି । ଅନୁବାଦରେ ମୋର ଉତ୍ତରଣ ପାଠକରୁ ଅନୁବାଦକକୁ ହେଇଛି ।

ଓଡ଼ିଆ ସାହିତ୍ୟରୁ ଅନ୍ୟ ଭାଷାକୁ ବ୍ୟାପକ ଅନୁବାଦ କାହିଁକି ହୋଇପାରୁନାହିଁ କାହିଁକି ?

ଉତ୍ତର – ଅନୁବାଦକୁ ଯେପରି ମାନ୍ୟ ମିଳିବା କଥା ଓଡ଼ିଆ ସାହିତ୍ୟରେ ମିଳେ ନାହିଁ ବୋଲି ମୁଁ ଭାବୁଛି । ମୋତେ ଲାଗେ ଅନୁବାଦ କରିବା ଯେମିତି ଗୋଟେ ଦ୍ୱିତୀୟ ଶ୍ରେଣୀର କାମ ହିସାବରେ ଧରା ଯାଉଛି । ଦ୍ୱିତୀୟତଃ ଭଲ ଅନୁବାଦକଙ୍କ ଅଭାବ । ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା ପାଇଁ ଦୁଇଟି ଭାଷାରେ ଦକ୍ଷତା ଥିବା ଦରକାର । ପୁଣି ଅନୁବାଦ ଏକ ସମୟସାକ୍ଷେପ ବ୍ୟାପାର । ଖାଲି ଗୋଟିଏ ବହି ତ ଧରିଦେଲେ ହେବନି,  ସେ ଲେଖକର ଶୈଳୀ ଓ ଲେଖିବାର କଳା ଜାଣିବା ପାଇଁ ଅଧିକ ଅଧ୍ୟବସାୟ ଦରକାର । ମୁଁ ଜଣେ ପ୍ରସିଦ୍ଧ ଗାଲ୍ପିକଙ୍କୁ ତାଙ୍କ ଗଳ୍ପ ଅନୁବାଦ କରିବା ପାଇଁ ମାଗିଥିଲି – ସେ କହିଲେ ” ତୁମେ କ’ଣ କାମ କରିଛ ଆଗ ଦେଖାଓ ! ” ଏମିତି ପରୀକ୍ଷା ଦେବା ପାଇଁ କେହି ଅନୁବାଦକ ମୋ ଜାଣିବାରେ ରାଜି ହୁଅନ୍ତିନି ।

ତଥାକଥିତ ଆନୁଷ୍ଠାନିକ ସ୍ୱୀକୃତି ଓ ବିସଙ୍ଗତିକୁ ଆପଣ କେମିତି ଦେଖନ୍ତି ?

ମୁଁ ଗଲା ୨୫ ବର୍ଷ ହେଲା ଓଡ଼ିଶା ବାହାରେ ରହିଛି ତେଣୁ ଏ ସବୁ ଜିନିଷଠୁ ଦୂରରେ ରହିଛି । ସେଥିପାଇଁ ରାଜନୀତି ବିଷୟରେ ମୋର ସମ୍ୟକ ଧାରଣା ଅଛି । ଏଠି ଗୋଷ୍ଠୀବାଦ ବହୁତ ଚାଲେ ଓ ନିଜ ନିଜ ପକ୍ଷର ଲୋକଙ୍କୁ କମିଟିରେ ରଖିବା ଓ ନିଜ ଲୋକଙ୍କୁ ପୁରସ୍କାର ଦେବା ପାଇଁ ଲବି ହୁଏ ବୋଲି ଜାଣେ ! କିନ୍ତୁ ଲେଖକ ଭଲ ଲେଖିବା ଜାଗାରେ ପୁରସ୍କାର ପାଇଁ ଦୌଡ ଲଗେଇବା ଦୁର୍ଭାଗ୍ୟର କଥା ।

 

ତପସ୍ୟା ଫାଉଣ୍ଡେସନର ଜନ୍ମ କେଉଁ ପରିସ୍ଥିତିରେ ହୋଇଥିଲା ?

ମୋ ଫାଉଣ୍ଡେସନର ଜନ୍ମ ବିଷୟରେ ମୋତେ ପ୍ରଥମ ଥର ପାଇଁ କେହି ପଚାରୁଛନ୍ତି , ସେଥି ପାଇଁ ଧନ୍ୟବାଦ । ତପସ୍ୟା ନାମକରଣ ବିଷୟରେ ପ୍ରଥମେ କହିଦିଏ  ।  ଯଦି ଆମର ଝିଅଟିଏ ହୋଇଥାନ୍ତା , ତେବେ ଆମେ ତାର ନାମ ତପସ୍ୟା ଦେଇଥାନ୍ତୁ ମାତ୍ର ପୁଅ ହେବାରୁ ତାର ନାମ ତେଜସ୍ଵୀ ଦିଆଗଲା । ମୁଁ ୨୦୦୭ ରେ ଯୁକ୍ତରାଷ୍ତ ଆମେରିକାରୁ ଫେରିଲା ପରେ ତପସ୍ୟା ଫାଉଣ୍ଡେସନର ନାମକରଣ ହୋଇଥିଲା । ଏହି ଅନୁଷ୍ଠାନ ଗଢିବା ପଛରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ” ଦ ପାୱାର ଅଫ ଅନରିଜେନେବଲ ପିପୁଲ ” ମୁଖ୍ୟତଃ ଦାୟୀ । ଏହି ବହିରୁ ପ୍ରଥମ ପ୍ରେରଣା ପାଇଥିଲି । ମାର୍କେଟିଙ୍ଗର ପ୍ରାଧ୍ୟାପକ ହେବା ସହ ମୁଁ ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ ଲଖନଉ ,କୋଜିକୋଡ଼, ଇନ୍ଦୋର) ର କାମ କଲା ବେଳେ ବହୁତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାମାଜିକ ସମସ୍ୟାର ସମଧାନ କରିଛି । ବୃତ୍ତିଗତ କାରଣରୁ ଆରମ୍ଭ ହେଇଥିବା କାମ ପରବର୍ତ୍ତୀ ସମୟରେ ଏକ ସାମାଜିକ ସଂସ୍ଥାରେ ପରିବର୍ତ୍ତନ କରିବାକୁ ମୁଁ ଏବଂ ମୋର ପତ୍ନୀ ଜୁଲି ମିଶ୍ର ନିଷ୍ପତି ନେଲୁ । ଏହା ଛଡା ପ୍ରଚାର ଓ ପ୍ରସାରଣଠାରୁ ଦୂରରେ ରହି ନିସ୍ଵାର୍ଥପର ଭାବରେ ସମାଜ ପାଇଁ କିଛି କରିବାକୁ ସ୍ଥିର କଲୁ ।

ଆପଣଙ୍କ ଫାଉଣ୍ଡେସନର କାର୍ଯ୍ୟ ବିଷୟରେ କିଛି କୁହନ୍ତୁ ?

ତପସ୍ୟା ଫାଉଣ୍ଡେସନ ବିଭିନ୍ନସ୍ଥରରେ କାମକରେ । କିନ୍ତୁ ମୁଖ୍ୟତଃ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ କାମକରେ । ମୋର ଦୃଢ ବିଶ୍ୱାସ ଯେ ଭଲ ଶିକ୍ଷା ଗୋଟିଏ ମଣିଷକୁ କେବଳ ନୁହେଁ, ଗୋଟିଏ ପରିବାରର ସମ୍ପୂର୍ଣ୍ଣ ଭାଗ୍ୟ ବଦଳେଇ ଦିଏ । ମୁଁ ନିଜେ ତାହାର ଏକ ଛୋଟ ଉଦାହରଣ ବୋଲି କହି ପାରେ । ଗଲା ଚଉଦବର୍ଷର ବାର୍ଷିକ ହିସାବ ଦେଖିଲେ ଜାଣି ପାରିବେ ଯେ ବହୁ ଭାଗ ଖର୍ଚ୍ଚ ଗରିବ ପିଲାମାନଙ୍କର ପାଠ ପଢ଼ା ଖର୍ଚ୍ଚରେ ଯାଇଛି । ଏହାଛଡା ଆମର ଅନାଥ ଆଶ୍ରମର ବ୍ୟୟ ଭାର ଓ ପରିଚାଳନାରେ ମଧ୍ୟ ଖର୍ଚ୍ଚ ହେଉଛି । ୨୦୧୭ ମସିହାରେ ତପସ୍ୟା ଫାଉଣ୍ଡେସନର ଦଶମ ବର୍ଷରେ ଆମେ ସାହିତ୍ୟ ଦିଗରେ ପ୍ରୟାସ ଆରମ୍ଭ କଲୁ । ପ୍ରତିବର୍ଷ ତପସ୍ୟା ପୁରସ୍କାର ଘୋଷଣା କରାଯାଉଛି । ତପସ୍ୟା ସମ୍ଭାବନା ପୁରସ୍କାର, ତପସ୍ୟା ସୃଜନ ଓ ତପସ୍ୟା ଶାଶ୍ୱତ ପୁରସ୍କାର ଦିଆଯାଉଛି । ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କ ଥଇଥାନ ପାଇଁ ଏକ ୨୦୦ ଶଯ୍ୟା ବିଶିଷ୍ଟ ଅନୁଷ୍ଠାନ ପ୍ରତିଷ୍ଠା କରିବା ଆମର ଆଗାମୀ ଲକ୍ଷ୍ୟ ରହିଛି ।

ଆପଣଙ୍କ ବିଚାରରେ ସଫଳ ଅନୁବାଦର ପରିଭାଷା କ’ଣ ?

ଯାହା ଅନୂଦିତ ହେଉଛି ତାହା ଯେଉଁ ଭାବରେ ସାବଲୀଳ ଅନୁବାଦିତ ଲେଖାଟି ସେତିକି ସାବଲୀଳ ହେବା ଦରକାର । ପ୍ରତେକ କୃତି ପଛରେ କିଛି ଆନୁସଙ୍ଗିକ ଭାବ ଓ କାହାଣୀ ( ବର୍ଣ୍ଣନା ) ଥାଏ ।  ତେଣୁ ଅନୁବାଦଟି ସେତେ ସହଜ ଭାବରେ ମୂଳ କାହାଣୀ ଓ ତା ଚରିତ୍ରମାନଙ୍କୁ ସହଜରେ ପ୍ରକାଶ କରି ପାରିଲେ ଅନୁବାଦଟି ସଫଳ ହେଲା ବୋଲି ମୁଁ ଭାବେ । ଅନୁବାଦ କଲାବେଳେ ମୁଁ ସେଇ ଲେଖକଟିର ଏକରୁ ଅଧିକ ଲେଖା ପଢେ ଯାହା ଫଳରେ ସହଜରେ ତାଙ୍କର କ୍ରାଫ୍ଟକୁ ଧରିହେବ । ସବୁ ଗଳ୍ପ, ଉପନ୍ୟାସ ଓ କବିତା କିଛି କୁହନ୍ତି । ଅନୁବାଦଟି ତାର ଭାଷାନ୍ତର ଓ ଭାବାନ୍ତର ମାତ୍ର ।

ଆପଣ କବିତାରେ କି ଆସ୍ପୃହା ପୋଷଣ କରନ୍ତି ?

ମୋର କବିତା ଲେଖା ପ୍ରାୟତ ତିନି ପର୍ଯ୍ୟାୟର ।  ପ୍ରଥମ ପର୍ଯ୍ୟାୟରେ ଯେଉଁଠି ମୁଁ ଏକ ପ୍ରଚଣ୍ଡ ସମ୍ଭାବନା ଥିଲି (ନବେ ଦଶକରେ ) । ବସନ୍ତ ମୁଦୁଲି ଓ ପୃଥିବୀର ବହୁ ବିଦ୍ରୋହୀ କବିଙ୍କ କବିତା ପଢ଼ୁଥିଲି ଓ ମୋ କବିତା ଓ ଗଳ୍ପରେ ତାର ପ୍ରତିଫଳନ ଦେଖିବାକୁ ମିଳେ । ଲାଲ ସ୍ବପ୍ନ ( କବିତା) ଓ ଦି ନକ୍ସଲାଇଟ ଏଣ୍ଡ ଅଦର ଷ୍ଟୋରିଜ ( ଗଳ୍ପ ସଙ୍କଳନ) ରେ ତା’ର ଝଲକ ଦେଖିବାକୁ ମିଳେ ।  ଏହା ଛାଡ ପ୍ରେମ, ସ୍ବପ୍ନ ଓ ଓ ସାମାଜିକ ଅଙ୍ଗୀକାରବୋଧ ଓ ସାମ୍ପ୍ରତିକ ସମସ୍ୟା ପ୍ରତି ସଚେତନତା ମୋର ବାକି ସଙ୍କଳନରେ ବାରିହୁଏ । କିନ୍ତୁ ମୋର ସବୁ କବିତାରେ ଜୀବନବୋଧ ଓ ଏକ ସକାରାତ୍ମକ ବ୍ୟାଖ୍ୟା ଥାଏ ।

ସାହିତ୍ୟକୁ ନେଇ ଭବିଷ୍ୟତର ଯୋଜନା କ’ଣ ?

ଏ ବର୍ଷରୁ ଆମେ ପ୍ରସିଦ୍ଧ ଗଳ୍ପ ପତ୍ରିକା ‘କଥା’ ର ସହ ଭାଗିତାରେ ଏକ ଉପନ୍ୟାସ ପ୍ରତିଯୋଗିତା ଅରରମ୍ଭ କରିଛୁ । ଓଡ଼ିଆରେ ଉପନ୍ୟାସ ଲେଖା କାମ ହେଉଥିବାରୁ ଆମେ ଏହି ପ୍ରତିଯୋଗିତା ମାଧ୍ୟମରେ ନୂତନ ଔପନ୍ୟାସିକମାନଙ୍କୁ ଲୋକ ଲୋଚନକୁ ଆଣିବାର ସମ୍ଭାବନା ଦେଖି ପାରୁଛୁ । ଓଡ଼ିଆ ସାହିତ୍ୟକୁ ଅଣଓଡ଼ିଆ ପାଠକ ପାଖରେ ପହଞ୍ଚେଇବାର ଯେଉଁ ଲକ୍ଷଟି ରଖିଛୁ ତାହା ଆଗାମୀ ଦିନରେ ଜାରି ରହିବ । ନୂତନ ପିଢ଼ିର ଲେଖକ ଓ ପାଠକ ସୃଷ୍ଟି କରିବାର ପ୍ରଚେଷ୍ଟା ଜାରି ରହିବ ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ପ୍ରଥମ କଥା ହେଲା ସେମାନେ ଜୀବନ ଧର୍ମୀ ହୁଅନ୍ତୁ । ଜୀବନରେ ପ୍ରେମ ତଥା ତଦଜନିତ ହତାଶାବୋଧ ଛଡା ଲେଖିବା ପାଇଁ ବହୁତ କିଛି ଅଛି । ଦ୍ଵିତୀୟଟି ଲେଖିବା ଛଡା ବିଶ୍ୱ ସାହିତ୍ୟ ଅଧିକା ପଢନ୍ତୁ । ସମସାମୟିକ ଲେଖାଲେଖିରେ କ’ଣ ପରୀକ୍ଷା ନିରୀକ୍ଷା ଓ ପ୍ରୟୋଗ ହେଉଛି ସେ ବିଷୟରେ ସଚେତନ ହୁଅନ୍ତୁ । ତୃତୀୟ ଲେଖକ ହିସାବରେ ନିଜର ଏକ ସାମଜିକ ଦାୟିତ୍ୱ ଅଛି ତେଣୁ ସେଥିପାଇଁ ସଚେତନ ହୁଅନ୍ତୁ । ଅଯଥା ନିନ୍ଦୁକ କିମ୍ବା କାହାର ଚାଟୁକାର ହୁଅନ୍ତୁ ନାହିଁ ଏବଂ ନିଜ ଭିତରର ମଣିଷ ପାଇଁ ଉତ୍ତରଦାୟୀ ହୁଅନ୍ତୁ ।

Comments are closed.