Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬ 

ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ 

ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ ଯିବା ପୂର୍ବରୁ ଉଭୟେ ସ୍ଥିର କରିଥିଲେଯେ ସେମାନଙ୍କ ଭିତରୁ ଯଦି ଜଣେ କେହି ଚାକିରୀଟି ପାଏ ତେବେ ଅନ୍ୟ ଜଣକ ବେକାର ଥିବା ପର୍ଯ୍ୟନ୍ତ ସେ ତା’ର ସବୁ ଦାୟିତ୍ୱ ବହନ କରିବ ।

ଇଏ ହେଲା ଘୋର କଳିକାଳ । ଚାରିଆଡ଼େ ଦୁର୍ନୀତି, ଅନ୍ୟାୟ, କିଳାପୋତେଇ, ପ୍ରିୟାପ୍ରିତୀ ତୋଷଣ । ସେମାନେ ବିଏ ପାଶ୍‍
କରିବା ଆସି ବର୍ଷେ ଉପରେ ହେଲାଣି । ବିଭିନ୍ନ ଆଡ଼େ ଚାକିରୀ ଖଣ୍ଡେ ପାଇଁ ସବୁ ପ୍ରକାର ପ୍ରୟାସ କରି ସୁଦ୍ଧା କେଉଁଠି ହେଲେ ସଫଳ ହୋଇ ପାରିନାହାନ୍ତି । ଯେଉଁଆଡ଼େ ଚାଆନ୍ତି କେବଳ ନାସ୍ତିବାଣୀ ହିଁ ଶୁଣିବାକୁ ମିଳେ । ‘ଚାକିରୀ ନାହିଁ’ ବୋଲି ସାମ୍ନାରେ ବୋର୍ଡ ଟଙ୍ଗା ହୋଇଥିବା ଦେଖିବାକୁ ମିଳେ । ସେ ବୋର୍ଡ ଯେମିତି ତାଙ୍କୁ ଚାହିଁ ଉପହାସ କଲା ପରି ଲାଗେ!

ଦିନେ ଜଣେ ଲୋକ ତାଙ୍କୁ କହିଲା, ‘ଜାଣିଛ , ଅମୁକ ପିଲା ଚାକିରୀ ଲାଗି ଯିବା ଆଗରୁ ତା’ ମାଆ ତାକୁ କୌଣସି ଏକ ମନ୍ଦିରକୁ ନେଇ ସେଠାରେ ଦିଅଁ-ଦେବତାଙ୍କ ପାଖରେ ମାନସିକ କରିଥିଲା । ପିଲାଟି ଇଣ୍ଟରଭିଉରେ ସଫଳ ହୋଇଥିଲା । ଏଇ କଥା ଶୁଣିବା ଦିନଠାରୁ ସେମାନେ ଯେତେ ଯାଗାରୁ କଲ୍‍ ଲେଟର ପାଆନ୍ତି, ଯିବା ପୂର୍ବରୁ ମନ୍ଦିରକୁ ଦିଅଁ ଦର୍ଶନ ପାଇଁ ଯାଏ
କାହ୍ନା ଓ କିଷନ ଯାଏ ଗୁରଦ୍ୱାରାକୁ । ଆଣ୍ଠୁମାଡ଼ି, ମୁଣ୍ଡ ଲଗାଇ ସେମାନେ ଦିଅଁ ଓ ବାହେଗୁରୁଙ୍କୁ ପ୍ରଣାମ କରନ୍ତି । ହେଲେ ଯେଉଁ ବିଫଳକୁ ସେଇ ବିଫଳ । ଯେଉଁ ବେକାରକୁ ସେଇ ବେକାର । କିଷନ ଓ କାହ୍ନା ଦୁହେଁ ହେଲେ ଦି’ଜଣ ଶରଣାର୍ଥୀଙ୍କ ସନ୍ତାନ । ଏବେ ସେମାନଙ୍କ ପରିବାର ରାଜସ୍ଥାନରେ ଗୋଟିଏ ଗାଁରେ ଘରଦ୍ୱାର କରି ରହୁଛନ୍ତି ।

ମାଟ୍ରିକ ପାଶ୍‍ କରିସାରିବା ପରେ ଦୁହେଁ ଜିଦ୍‍ ଧରିଥିଲେ ଯେ ସହରକୁ ଯାଇ କଲେଜରେ ପଢ଼ିବେ । ତେଣୁ ଉଭୟ ପରିବାରକୁ ଦୁଃଖକଷ୍ଟରେ ଚଳି, ଅନ୍ୟମାନଙ୍କ ପେଟରୁ ଦାନା କାଟି, ସେଇ ସଞ୍ଚିତ ଅର୍ଥକୁ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ବ୍ୟୟ କରିବାକୁ ହୋଇଥିଲା । ଫି’ମାସରେ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ନିକଟରେ ମନିଅର୍ଡର ପହଞ୍ଚେ । ଦି’ସାଙ୍ଗ ମନେମନେ ସ୍ଥରି କରନ୍ତି ଯେ ପଢ଼ା ସରିବା ମାତ୍ରେ ସେମାନେ ଯଥାଶୀଘ୍ର ନିଜ ନିଜର ପରିବାରଙ୍କୁ ସେମାନଙ୍କ ଏପରି ସ୍ୱାର୍ଥତ୍ୟାଗ ଲାଗି ଅର୍ଥ ଫେରାଇଦେବେ । ସେମାନେ ଚାକିରୀ କରି ବଡ଼ ହାକିମ ବନିବେ । ଗାଁକୁ ଯାଇ ନିଜ ନିଜ ପରିବାରଙ୍କ ହାନିଲାଭ ବୁଝିବେ । ଏବେ ତ ପଢ଼ା ସରିବାର ଗୋଟିଏ ବର୍ଷ ବିତି ସାରିଥିଲା । ଘର ଲୋକଙ୍କୁ ଆଉ ଟଙ୍କା ମାଗିବାକୁ ସେମାନଙ୍କର ବାଧାଦିଏ । ହେଲେ ସେମାନେ ନାଚାର, ଚାକିରୀ ଯେ ସେମାନଙ୍କ ପୂରାପୁରି ମୁହଁ ମୋଡ଼ି ଦେଇଛି !

କିଷନ ଓ କାହ୍ନାଙ୍କ ବାପା ଉଭୟେ ଦେଶ ବିଭାଜନ ପୂର୍ବରୁ ପାକିସ୍ତାନର ଏକା ଗାଁର ବାସିନ୍ଦା ଥିଲେ । ତେଣୁ ଦୁହେଁ ଯେତେବେଳେ ଦେଶ ଭାଗ ଭାଗ ବେଳେ ହାଟକାଟରୁ ବର୍ତ୍ତି ଆସି ଭାରତରେ ପହଁଚିଲେ ସେମାନଙ୍କୁ ସରକାରଙ୍କ ତରଫରୁ କିଛି ସହାୟତା ମିଳିଥିଲା । ସେମାନଙ୍କର କେତେ ଧନ ସମ୍ପତ୍ତି ନଷ୍ଟ ହୋଇଛି ତା’ର ଏକ ଚିଠା ସେମାନଙ୍କୁ ସରକାରଙ୍କ ଦେବାକୁ ପଡ଼ିଥିଲା । ଉଭ,ୟ ନିଜ ନିଜର ହୃତ ସମ୍ପତ୍ତିର ଏକ ମୋଟା ଜାଲ୍‍ ତାଲିକା ଦେଇଥିଲେ । ପୁଣି ଉଭ,ୟ ଉଭୟଙ୍କ ତାଲିକାର ସତ୍ୟତାକୁ ପ୍ରମାଣିତ କରିବା ଲାଗି ସେଥିେ ହସ୍ତାକ୍ଷର କରିଥିଲେ । ତେଣୁ ସରକାରଙ୍କଠାରୁ ସେମାନେ ସହାୟତା ସ୍ୱରୂପ ବେଶ୍‍ କିଛି ଚାଷଜମି ପାଇଥିଲେ । ଏବେ ଦୁହିଙ୍କ ଦୁହେଁ ଘରେ ବସି ଚାହିଁ ରହିଥିଲେ ନିଜ ନିଜ ପୁଅଙ୍କଠାରୁ
ଖୁସି ଖବର ପାଇବାକୁ ।

ହେଲେ ପୁଅ ଦୁହେଁ ନା ଘରକୁ ଫେରୁଥିଲେ ନା କିଛି ଭଲମନ୍ଦ ଖବର ଜଣାଉଥିଲେ । ୟା’ଭିତରେ ବର୍ଷଟିଏ ଗଡ଼ି ସାରିଥିଲା । ପାଠପଢ଼ା ସରି ଫଳ ବି ଜଣା ପଡ଼ିସାରିଥିଲା । କିଷନ ଓ କାହ୍ନା ଉଭୟେ ଜାଣନ୍ତି ଘରେ ସେମାନଙ୍କ ବିବାହଯୋଗ୍ୟା ଭଉଣୀମାନେ ବସିଛନ୍ତି । ସେମାନଙ୍କୁ ବାହା ଦେବାଲାଗି ଘରେ ବାପାମା’ଙ୍କ ମୁଣ୍ଡରେ ସଦାବେଳେ ଚିନ୍ତା । କାରଣ, ଭଉଣୀମାନଙ୍କ ବାହାଘର ଲାଗି କେବେଠାରୁ ନିର୍ବନ୍ଧ ସରିଥିଲା । ତେଣୁ ବଡ଼ଭାଇ ହିସାବରେ ଛୋଟ ଭଉଣୀମାନଙ୍କ
ବାହାଘର ତୁଟାଇବା ସେମାନଙ୍କର ପ୍ରଥମ ଦାୟିତ୍ୱ ଥିଲା । କିଷନ ଓ କାହ୍ନା ଏକଥା ଆଦୌ ଭୁଲି ଯାଇନଥିଲେ । ଏତେ ପରିଶ୍ରମ କରି ଅର୍ଜନ କରିଥିବା ଡିଗ୍ରୀଗୁଡ଼ିକୁ ଧରି ସେମାନେ ଚାକିରୀ ପାଇଁ ଚାରିଆଡ଼େ ଘୂରି ବୁଲୁଥିଲେ । ହେଲେ ଚାକିରୀ ନାହିଁ ।

ସବୁଠାରୁ ସେମାନଙ୍କ ନିରାଶ ହୋଇ ଫେରିବାକୁ ପଡ଼ୁଥିଲା । ଯେଉଁଆଡ଼େ ସେମାନେ ଯାଉଥିଲେ, ସେମାନଙ୍କୁ ଶୁଣିବାକୁ ମିଳୁଥିଲା ଯେଉଁ ସ୍ଥାନଟି ଖାଲିଥିଲା ସେଥିରେ ଅସ୍ଥାୟୀ ଭାବେ କାହକୁ ଜଣକୁ ନିଯୁକ୍ତି ଦିଆ ସରିଛି ଏବଂ ସେଇ ବ୍ୟକ୍ତିଙ୍କୁ ସ୍ଥାୟୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କ ପାଇଁ କେଉଁ ଭିଆଇପି କାଳେ ସୁପାରିଶ କରି ଯେମିତି ତାଙ୍କରି ପ୍ରାର୍ଥୀଙ୍କୁ ଚାକିରୀ ମିଳେ ସେଥିଲାଗି ଜିଦ୍‍ ଧରି ବସିଛନ୍ତି ଓ ତାଗିଦ୍‍ କରିଛନ୍ତି । ଏଇ କଥା ସବୁଆଡ଼େ ଶୁଣି ଶୁଣି ସେମାନଙ୍କୁ ବିରକ୍ତ ଲାଗୁଥିଲା ଓ ମନ ମରି ମରି ଆସୁଥିଲା । କେହି ସେମାନଙ୍କ ଡିଗ୍ରୀଆଡ଼େ ମୁହଁ ଫେରାଇ ଚାହାନ୍ତିନି କି ସେମାନଙ୍କ ଉତ୍ତମ ମାର୍କ ରଖାକୁ ତାରିଫ କରନ୍ତିନି ।

ତା’ପରେ ସେମାନେ ଶୁଣିବାକୁ ପାଆନ୍ତି କାଳେ ସରକାରୀ ଚାକିରୀ ମିଳିବା ଲାଗି କେବଳ ଭଲ ଅବା ମନ୍ଦ ଡିଗ୍ରୀର କୌଣସି
ଆବଶ୍ୟକତା ନାହିଁ । ସେ ଚାକିରୀ ମିଳିବା ଲାଗି ତା’ହେଲେ ଆଉ କ’ଣ ଦରକାର?

କିଷନ ବେଳେବେଳେ ଚିଡ଼ିଉଠି କହେ, ‘ସେଇଆ ହେଲେ ତ ରାଜନୀତିଆମାନେ ସେମାନଙ୍କ ନିଜ ପ୍ରାର୍ଥୀଙ୍କୁ ପଛ ଦୁଆର ବାଟେ ଚାକିରୀରେ ଢୁକେଇ ପାରିବେ । ଆଉ ନିଜେ ବି ଗୋଟାପଣେ ଆଦର୍ଶବାଦୀ ବୋଲାଇବେ ।

କାହ୍ନା ଏକଥା ଶୁଣି ତା’ସାମ୍ନାରେ ଜଳଜଳ ହୋଇ ଦିଶୁଥିବା ଅନିଶ୍ଚିତ ଭବିଷ୍ୟତ ଆଡ଼େ ଚାହେଁ । ପାଠପଢ଼ାବେଳେ ସେମାନେ ଯେତିକି ଟଙ୍‍ା ଅତି କଷ୍ଟରେ ବଞ୍ଚେଇ ରଖିଥିଲେ ସେତକ ଆସି ଶେଷ ହେବା ଉପରେ । ଏବେ ଚାକିରୀ ମିଳିବାର ମଧ୍ୟ କୌଣସି ସାମାନ୍ୟ ଆଶା ଦେଖାଯାଉନଥିଲା । ବେଳକୁ ବେଳ ସେମାନଙ୍କ ଛାତିରେ ଛନକା ପଶୁଥିଲା । ଚାକିରୀ ମିଳିବାର ଯେତେ ଯେତେ ସ୍ଥାନ ଥିଲା ସେସବୁ ସେମାନେ ବୁଲି ଚାରିଥିଲେ । ବଡ଼ ହାକିମ ହେବାର ସ୍ୱପ୍ନ ସେମାନଙ୍କ ମନରୁ କେଉଁଦିନୁ ମିଳେଇ ସାରିଥିଲା । ଏବେ ଯଦି କେଉଁଠି କିରାଣୀ ଚାକିରୀ ଖଣ୍ଡେ ମିଳିଯାଏ ସେତିକିରେ ସେମାନେ ସନ୍ତୁଷ୍ଟ ହୋଇ ପାରିବେ । ତଥାପି ଭାଗ୍ୟ ଯେପରି ସେମାନଙ୍କୁ ଉପହାସ କରୁଥିଲା । ଯେତେବେଳେ ସେମାନଙ୍କ ସବୁ ଆଶା ଭରସା ତୁଟିଗଲା, ଦି’ସାଙ୍ଗ ଏପରି ଏକ ପରିସ୍ଥିତିରେ ପହଞ୍ଚିଲେ , ଯେତେବେଳେ କାହାରି ପକେଟରେ ଆଉ ଫଟା ପାହୁଲାଟିଏ ସୁଦ୍ଧା ରହିଲାନି । ଚାରିଆଡ଼ ଅନ୍ଧାର ଦିଶିଲା ।

ରାଜସ୍ଥାନ ବେଶୀ ଦୂର ନୁହେଁ । ସେମାନେ ଚାହିଁଲେ ଗାଁକୁ ଫେରିଯାଇ ପାରିବେ । ହେଲେ କେଉଁ ମୁହଁରେ? କି ଆଶା ଆଶ୍ୱାସନା ନେଇ? ତେଣୁ ସେକଥା ସେମାନେ ଚିନ୍ତା ସୁଦ୍ଧା କରିପାରୁନଥିଲେ । ଭୋକ ଉପାସରେ ବରଂ ସେମାନେ ଏଇ ସହରରେ ପଡ଼ି ରହିବେ ଏବଂ ଶେଷରେ ସେଇଆ ହିଁ ହେଲା । ସେମାନଙ୍କୁ ଦିନ ଦିନ ଧରି ଉପାସରେ କଟାଇବାକୁ ପଡ଼ିଲା । ଗଲା ଦି’ଦିନ ଧରି ସେମାନେ କିଛି ହେଲେ ଖାଇନଥିଲେ । ଯେଉଁ ଢାବାରେ ସେମାନେ ବାକି ଖାଉଥିଳେ ପଇସା ନ ପାଇବାରୁ ସିଏ ଆଉ ବାକିରେ ଖାଇବାକୁ ଦେବନାହିଁ ବୋଲି ରୋକଠୋକ ମନା କରିଦେଇଥିଲା ।

ଦିନେ ସକାଳେ ହଠାତ୍‍ ଆତଙ୍କିତ ହୋଇ ସେମାନେ ଏକ ନିଷ୍ପତ୍ତି ଗ୍ରହଣ କଲେ ଯଦି ମିଳେ ସେମାନେ ପିଅନ କିମ୍ବା ଚପରାସୀ ଚାକିରୀ ମଧ୍ୟ କରିବେ । ସେଥିରେ କୌଣସି ଦ୍ୱିଧା ରହିବନାହିଁ । ହେଲେ କିଷନକୁ ସେ ଚାକିରୀ ମଧ୍ୟ ମିଳିବା ଅସମ୍ଭବ । ଭୋକ ଉପାସରେ ରହି ସେ ଏମିତି ଦୁର୍ବଳ ହୋଇପଡ଼ିଥିଲା ଯେ ତାକୁ ଦେଖିଲେ କେହି ଚାକିରୀ ସୁଦ୍ଧା ଦେବାକୁ ମନା କରିଦେବ । ଆଉ କାହ୍ନାର ସମସ୍ୟ ଅନ୍ୟ ପ୍ରକାର- ତା’ର ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିବା ସାର୍ଟିଫିକେଟକୁ ଦେଖିଲେ କିଏ ଭଲା ତାକୁ ଏମିତି ଚପରାସୀ ଚାକିରୀ ଯାଚିବ?

ସମସ୍ତଙ୍କର ଆଶଙ୍କା, ସିଏ ଭଲ ଚାକିରୀ ପାଇଲେ ଏ ଚାକିରୀ ଛାଡ଼ି ଚାଲିଯିବ । କେବଳ ଚାକିରୀ ନମିଳିବାରୁ ସେ ଏବେ ଏମିତି ଛୋଟମୋଟ କାମଟିଏ କରିବାକୁ ଅଗତ୍ୟା ଚାହୁଁଛି । କିଷନ ଓ କାହ୍ନାଙ୍କର ଏ ଯୋଜନାଟି ମଧ୍ୟ ଫେଲ୍‍ ମାରିଲା । ସପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କ ଭାଗ୍ୟ ବଦଳି ନଥିଲା । ସେଦିନ ସେମାନେ ମନ ଦୁଃଖରେ ଓ ପେଟ ଭୋକରେ ଆଉଟୁ ପାଉଟୁ ହୋଇ ରେଳଷ୍ଟେସନ ବାଟେ ଘରକୁ ଲେଉଟୁଥିଲେ । ହଠାତ୍‍ କିଷନ ମନକୁ କିଛି ଗୋଟିଏ ଧାରଣା ଢୁକିଲା ଓ ସେ ତାହା କାହ୍ନାକୁ ଚାହିଁଲା । କାହ୍ନା କିଷନ ମନର ଭାବକୁ ବେଶ୍‍ ଭଲ ଭାବେ ଠଉରାଇ ପାରିଲା । ବାସ୍‍, ଆଉ କିଛି ବାକ୍ୟାଳାପର
ଆବଶ୍ୟକତା ନଥିଲ । ସେ ମୁଣ୍ଡ ହଲାଇ ନିଜର ସମ୍ମତି ଜଣାଇଦେଲା । ପେଟରେ ଅସମ୍ଭବ ଭୋକ । ବଞ୍ଚି ରହିବାକୁ ହେଲେ ଯେମିତି ହେଉ ସେମାନଙ୍କୁ କିଛି ଅର୍ଥ ଉପାର୍ଜନ କରିବାକୁ ପଡ଼ିବ ।

ସେମାନେ ଯାଇ ଷ୍ଟେସନରେ ପାଦ ଦେଇଛନ୍ତି କି ନାହିଁ ଟ୍ରେନଟିଏ ଆସି ସେଠାରେ । ଟ୍ରେନଟି ବ୍ରେକ୍‍ କଷି ଅଟକିବା ମାତ୍ରେ ଶହ ଶହ ଯାତ୍ରୀ ସେଥିରୁ ଓହ୍ଲାଇଗଲେ । କିଷନ ଓ କାହ୍ନା ସେମିତି ଠିଆ ହୋଇ ରହିଥାନ୍ତି ।ନିୟମିତ ଲାଇସେନ୍ସକରା କୁଲିମାନେ ପ୍ରଥମେ ଯାତ୍ରୀମାନଙ୍କ ଜିନିଷପତ୍ର ଉଠାଇ ଷ୍ଟେସନ ବାହାରକୁ ଚାଲିଗଲେ । ତା’ପରେ କିଷନ ଓ କାହ୍ନାଙ୍କ ପାଳି । ଜଣେ ସେନା ଅଫିସର ପରି ଲାଗୁଥିବା ଭଦ୍ରବ୍ୟକ୍ତି ବେଶ୍‍ କିଛି ଜିନିଷପତ୍ର ସହ ଟ୍ରେନରୁ ଓହ୍ଲାଇଥାନ୍ତି । ସେ କିଷନ ଓ କାହ୍ନାଙ୍କୁ ଡାକି ନିଜର ଲଗେଜ ବୋହିବାକୁ ଅନୁରୋଧ କଲେ । ଦୁଇବନ୍ଧୁ ଜିନିଷପତ୍ର ମୁଣ୍ଡେଇବା ପୂର୍ବରୁ କଣେଇ କଣେଇ ସେ ଅଫିସର ଜଣଙ୍କୁ ଚାହିଁଲେ । ସର୍ବନାଶ! ସେ ସେନା ଅଫିସର ଜଣକ ତାଙ୍କରି ନିଜ ଗାଁର ଲୋକ । ପୁଣି ତାଙ୍କ ଘର କଡ଼କୁ ଲାଗି ସେମାନଙ୍କର ଘର । ଏକ ସାହିର, ଏକା ଗଳିର ।

ତେଣୁ ବାକ୍ସପତ୍ର ଉଠେଇବା ଛାଡ଼ି ହଠାତ୍‍ ସେମାନେ ଜନଗହଳି ଭିତରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । ଅଫିସର ଜଣକ ସ୍ଥାନୀୟ ରାଜପୁତ ଲୋକ । ସେମାନଙ୍କ ଭଳି ପାକିସ୍ତାନରୁ ଘରଦ୍ୱାର ଛାଡ଼ି ପଳାଇ ଆସିଥିବା ଶରଣାର୍ଥୀ ନୁହେଁ । ତେଣୁ ସେମାନଙ୍କୁ ଦେଖିଲେ ସେ କ’ଣ ଭାବିବେ? ଗାଁକୁ ଫେରି ଗାଁଲୋକଙ୍କ ଆଗରେ କ’ଣ କହିବେ? ଦୁଇ ବନ୍ଧୁ ପୁଣି ଥରେ ଚିନ୍ତାକଲେ ଭାଗ୍ୟ ତଥାପି ସେମାନଙ୍କୁ ଉପହାସ କରୁଛି ।

ପେଟରେ ଭୋକ ଓ ଶରୀରର କ୍ଳାନ୍ତି ସେମାନଙ୍କୁ ପୁରାପୁରି ଅବସନ୍ନ କରି ପକାଇଥିଲା । ଆଉ ଠିଆ ହେବାକୁ ସୁଦ୍ଧା ବଳ ପାଉନଥିଲା । କ’ଣ କରିବେ ଅବା କ’ଣ ନକରିବେ ସେ କଥା କିଛି ଚିନ୍ତା ନକରି କିଷନ ଓ କାହ୍ନା ପ୍ଲାଟଫର୍ମରୁ ପଦାକୁ ବାହାରି ଆସିଲେ । କୁଆଡ଼େ ଯିବେ ସେ ବିଷୟରେ ସେମାନେ ଅନିଶ୍ଚିତ ଥିଲେ । ସେମାନଙ୍କ ସାମ୍ନାରେ ଖାଲି ମାଲଗାଡ଼ିଟିଏ ଠିଆ ହୋଇଥିଲା । ଏବେ କିଛି ସମୟ ପାଇଁ ବିଶ୍ରାମ ନେବା ସେମାନଙ୍କ ପାଇଁ ଏକାନ୍ତ ଜରୁରି । ଚାରିଆଡ଼େ ହାଡ଼ଭଙ୍ଗା ଶୀତର ପ୍ରକୋପ । ତେଣୁ ଏ ଟ୍ରେନଟି ସେମାନଙ୍କୁ କିିଛି ସମୟ ପାଇଁ ଆଶ୍ରୟ ଦେଇପାରେ! ଆଗପଛ କିଛି ନଭାବି ଚଟାପଟ ସେମାନେ ଦୁହେଁ ମାଲଗାଡ଼ିର ପଛରେ ଲାଗିଥିବା ଗାର୍ଡ଼ ବଗିକୁ ଉଠିଯାଇ ଝର୍କା ପାଖକୁ ଲାଗି ବସିଲେ । ବଗି ଭିତରଟା ବେଶ୍‍ ଅପରିଷ୍କାର ଓ ଛୋଟଜଣା ପଡ଼ୁଥିଲା । ତଥାପି ଚଳିବ । କାହାରି ତୁଣ୍ଡରେ କିଛି ଭାଷା ନଥିଲା । ସେମାନେ ସେଠାରେ ସେମିତି ବସି ରହିଲେ । କ’ଣ ବା ଆଉ କଥାବାର୍ତ୍ତା ହେବେ ?

ତେଣୁ ଭାଗ୍ୟର ବିଡମ୍ବନାକୁ ମନେ ମନେ ଭାବି ଭାବି ଶରୀରର ସବୁ କ୍ଳାନ୍ତିକୁ ସହ୍ୟ କରି ସେମାନେ ସେ ଶୂନ୍ୟ ବଗିଟି ଭିତରେ କେତେବେଳେ ଢୁଳେଇ ପଡ଼ିଥିଲେ ସେକଥା ସେମାନଙ୍କୁ ଜଣାନଥିଲା । ହଠାତ୍‍ ଯେମିତି ଗୋଟିଏ ଝଟକା ଖାଇ ଦିହିଁଙ୍କ ନିଦ ଭାଙ୍ଗିଗଲା । କିଷନ ଓ କାହ୍ନା ଆଖି ଖୋଲି ଝର୍କାବାଟେ ବାହାରକୁ ଚାହିଁଲେ । ବଗିଟା ଏବେ ଦୌଡ଼ୁଥିଲା, ଦ୍ରୁତ ବେଗରେ । ସେମାନେ ସେଥିରୁ ଡେଇଁ ପଡ଼ିବେ ବୋଲି ଦୁଆରମୁହଁକୁ ଆସି ଦେଖନ୍ତି ତ ସେମାନଙ୍କ ନଜରରେ ଆଉ ଜଣେ ମହିଳା ପଡ଼ିଲା । ସେଇ ମାଲବାହୀ ଗାଡ଼ିର ଗାର୍ଡ ବଗିରେ ଉଠିବ ବୋଲି ସେ ଆପ୍ରାଣ ଚେଷ୍ଟ କରି ଟ୍ରେନ୍‍ କଡ଼େ କଡ଼େ ଦୌଡ଼ୁଥିଲ ଓ ଆଗକୁ ହାତ ବଢ଼ାଉଥିଲା । ଆର ହାତରେ ତା’ର ଲୁଗାପଟା ପୁଡ଼ାଟି ଛାତିରେ ଜାକି ଧରିଥିଲା । କିଷନ ହାତ ବଢ଼ାଇ ସେ ସ୍ତ୍ରୀଲୋକଟିକୁ ବଗି ଉପରକୁ ଉଠାଇ ଆଣିବାକୁ ଚେଷ୍ଟା କଲା । କାହ୍ନା ବି ହାତ ବଢ଼ାଇ କିଷନକୁ ସାହାଯ୍ୟ କଲା । କୌଣସି ମତେ ସେମାନେ ସ୍ତ୍ରୀଲୋକଟିକୁ ଉପରକୁ ଉଠାଇ ଆଣିବାକୁ ସକ୍ଷମ ହେଲେ ।

ସେତେବେଳେକୁ ମାଲଗାଡ଼ିଟି ଷ୍ଟେସନଠାରୁ ବେଶ୍‍ ଦୂରକୁ ଆସି ସାରିଥିଲା । ତା’ର ବେଗ ମଧ୍ୟ ବଢ଼ି ଯାଇଥିଲା । କିଷନ ଓ କାହ୍ନା ଚାହିଁ ଦେଖିଲେ ବଗିଟି ଭିତରେ ସେମାନେ କେବଳ ତିନି ଜଣ । ଦୁଇ ବନ୍ଧୁ ଓ ଜଣେ ଅପରିଚିତ ମହିଳା । ସେ ସ୍ତ୍ରୀଲୋକଟି ଉପରକୁ ଉଠିଆସିବା ମାତ୍ରେ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଲା । ସେମାନଙ୍କ ଠାରୁ କିଛି ଦୂରରେ ବଗିର ଗୋଟିଏ କୋଣକୁ ସେ ଜାକିଜୁକି ହୋଇ ବସିରହିଲା ।

ହଠାତ୍‍ ଯେମିତି ଦୁଇ ବନ୍ଧୁଙ୍କ ଚିନ୍ତାଧାରାରେ କିଛି ଅସ୍ୱାଭାବିକ ଭାବ ପ୍ରକାଶ ପାଇଲା । ଦୁହେଁ ପରସ୍ପରକୁ ଚାହିଁ ନୀରବ ରହିଲେ । ଏକ ଜାନ୍ତବ, ନାରକୀୟ ଚିନ୍ତା ସେମାନଙ୍କ ମନକୁ ବେଳକୁ ବେଳ କବଳିତ କରି ଚାଲିଥିଲା । ସେମାନଙ୍କ ସାମ୍ନାରେ ଏକ ଅପରିଚିତ ନାରୀ ଓ ତା’ଦେହରେ ସୁନା ଅଳଙ୍କାର ଯେପରି ଲଦି ହୋଇଛି! କାନରେ, ନାକରେ, ବେକରେ ଓ ହାତରେ । କାନଫୁଲ, ନାକଫୁଲ, ହାର, ଚୁଡ଼ି, ବାଲା, ବାହୁଟି ଇତ୍ୟାଦି । ପୁଣି ସେଥିରେ ମୂଲ୍ୟବାନ ପଥର ସବୁ ବସିଥିବା ସେମାନେ ନିରୀକ୍ଷଣ କଲେ । ସେସବୁ ବି ଚକମକ କରୁଥିଲା । ସେ ଶୀତ ସନ୍ଧ୍ୟାରେ ସାମାନ୍ୟ ଆଲୋକରେ ବି ସେସବୁ ଅଳଙ୍କାର
ଝଲମଲ କରୁଥିଲା । ସ୍ତ୍ରୀଲୋକଟି ଦେହରେ ରେଶମ କପଡ଼ାର ସାଲୱାର ଓ କମିଜ । ଛାତି ଉପରେ ସିଫନର ଓଢ଼ଣୀ । ଏତେ ଶୀତରେ କ’ଣ ତାକୁ ଥଣ୍ଡା ଲାଗୁନି ନା କ’ଣ? ହଁ, ବଡ଼ଲୋକଙ୍କର ଅବା ଶୀତ କ’ଣ ଗରମ କ’ଣ? ଧନ ସେମାନଙ୍କୁ ଏସବୁଠାରୁ ଦୂରେଇ ରଖିଥାଏ । ଦୁଇ ବନ୍ଧୁଙ୍କ ମୁହଁର ଭାବ ଯେପରି ବେଳକୁ ବେଳ ବଦଳି ଚାଲିଥିଲା ।

ଆଉ ସ୍ତ୍ରୀ ଲୋକଟିର ଚେହେରା ବି ମନ୍ଦ ନୁହେଁ । ବରଂ ସୁନ୍ଦରୀ ବୋଲି କୁହାଯାଇପାରେ । ଶ୍ୟାମଳୀ ଅବଶ୍ୟ । ହେଲେ କ’ଣ ହେଲା? ଦେହର ଗଠଣ ତ ବେଶ୍‍ ପୂରିଲା ପୂରିଲା ଦିଶୁଥିଲା । ଆଖି ଦିଓଟି କେଡ଼େ ସତେଜ, ପୁଣି ମନଲୋଭା! ପ୍ରଶସ୍ତ କପାଳ । ବୟସ ଅତି ବେଶୀ ହେଲେ ପଇଁତିରିଶ ସରିକି ହୋଇପାରେ । ଏକାକିନୀ ଏପରି ଜଣେ ସ୍ତ୍ରୀଲୋକ ଯଦି ଦେହରେ ଏତେଗୁଡ଼ିଏ ମୂଲ୍ୟବାନ ଅଳଙ୍କାର ପିନ୍ଧି ଘରୁ ପାଦ କାଢ଼ିଛି, ତା’ର କାରଣ କ’ଣ ହୋଇପାରେ? ହଁ, ପୁଣି ସେ ଧରିଥିବା ଲୁଗାପୁଡ଼ାଟିରେ ଯେ ଆଉ କିଛି ମୂଲ୍ୟବାନ ବସ୍ତୁ ନଥିବ ସେକଥା କିଏ କହିବ? ଏବେ ସେମାନଙ୍କ ଛଡ଼ା ସାରା ବଗିରେ ଆଉ କେହି ହେଲେ ନଥିଲେ ।

କିଷନ ମନେ ମନେ ଭାବୁଥିଲା ଆଖି ପିଛୁଡ଼ାକେ ସେ ତରୁଣୀଟି ଉପରକୁ କୁଦି ପଡ଼ିବ ଓ ପର ମୁହୂର୍ତ୍ତରେ ତା’ ତଣ୍ଟି ଚିପି ତାକୁ ମାରିଦେବ । ସେଇ ସୁଯୋଗରେ କାହ୍ନା ତରୁଣୀଟି ଦେହରୁ ସବୁତକ ସୁନା ଗହଣା ଖୋଲି ପକାଇବ । ସେଇ ଚଳନ୍ତା ଟ୍ରେନରୁ ସେମାନେ ଅପରିଚିତ ତରୁଣୀଟିର ଶବକୁ ତଳକୁ ଫିଙ୍ଗିଦେବେ । ସେ ନିଜେ ବୁଝି ପାରୁନଥିଲା ହଠାତ୍‍ ତା’ ମୁଣ୍ଡକୁ ଏପରି ଚିନ୍ତା ଢୁକିଲା କିପରି?

ଭୋକରେ ଆଉଟୁ ପାଉଟୁ ହୋଇ ଶରୀର ଅବଶ ହୋଇ ପଡ଼ିଥିଲାବେଳେ ହଠାତ୍‍ କିପରି ନିଜ ଭିତରେ ସେ ଏତେ ଶକ୍ତି ଠୂଳ ହେବାର ଅନୁଭବ କରି ପାରୁଥିଲା? କାହ୍ନା କିନ୍ତୁ ସେତେବେଳକୁ ଗୋଟାପଣେ ଜାନୁଆର ପାଲଟି ସାରିଥିଲା । ତା’ ମନକୁ କବଳିତ କରି ସାରିଥିଲା କାମନାର କ୍ଷୁଧା ।

କିଷନ ଓ କାହ୍ନା ଝର୍କା ପାଖରେ ବସି ବାହାରକୁ ଚାହିଁ ମନେ ମନେ ନିଜର କାମନାକୁ ଚରିତାର୍ଥ କରିବାର ଉପାୟ ଚିନ୍ତା କରି ଚାଲିଥାନ୍ତି । ସମ୍ଭବତଃ, ଏହାର ପରିଣାମ କ’ଣ ହୋଇପାରେ ସେମାନେ ତାହା କଳୁଥାନ୍ତି । କିନ୍ତୁ କାହାରି ତୁଣ୍ଡ ଫିଟୁନଥିଲା । କେତେବେଳେ ଦିହିଁଙ୍କ ହାତ ପରସ୍ପର ସହ ମିଳିତ ହେଲା ସେକଥା ସେମାନଙ୍କୁ ଜଣା ନଥିଲା । ସେ ସ୍ପର୍ଶ ଓ କରମର୍ଦ୍ଦନ ଥିଲା ପରସ୍ପର ପ୍ରତି ସମର୍ଥନ ଜ୍ଞାପନର ସଂକେତ । ଉଭୟେ ଚିନ୍ତା କରୁଥିଲେ, ଯାହା ବି କରିବାକୁ ହେବ ଶୀଘ୍ର କରିବାକୁ ପଡ଼ିବ ।
ଆଉ ଅଧିକ ବିଳମ୍ବ କରିବା ଅନୁଚିତ ।

ଏ କ’ଣ? ତରୁଣୀଟି ବସିବା ସ୍ଥାନରୁ ଉଠି ଠିଆ ହେଲା ଏବଂ କିଷନ ଓ କାହ୍ନାଙ୍କ ଆଡ଼େ ଚାହିଁ କହିଲା, ‘ଭାଇ, ଭଗବାନ ତୁମର ମଙ୍ଗଳ କରନ୍ତୁ । ମୋ ଛୁଆଟା ଉପରେ ଟିକେ ନଜର ରଖିଥାଅ । ମୁଁ ଶୌଚାଳୟରୁ ଆସୁଛି । ଏଇ ଗୋଟିଏ ମିନିଟ ଭିତରେ ମୁଁ ଫେରିଆସିବି ।’ ଏତିକି କହି ସେ ଶୌଚାଳୟ ଭିତରେ ପଶି ଭିତରପଟୁ କବାଟ କିଳିଦେଲା ।

ହେ ଭଗବାନ! ଏ ଯୁବତୀଟି ତା’ହେଲେ ଗୋଟିଏ ଛୁଆର ମା’! ତା’ ଛାତିରେ ଜାବୁଡ଼ି ଧରିଥିବା କନାପୁଡ଼ାଟିରେ ତେବେ ସେ
ଛୁଆଟିକୁ ରଖିଥିଲା! ଏ ଶୀତ ରାତିରେ ଯେମିତି ତା’ପିଲାଟି ଦେହରେ ଥଣ୍ଡା ପବନ ନବାଜେ ସେଇଥିଲାଗି ସେ ତାକୁ କନାପୁଡ଼ା ଭିତରେ ପୂରେଇଥିଲା! ଆଃ! ଛୁଆଟ ଦେଖିବାକୁ କେଡ଼େ ସୁନ୍ଦର! କନାପୁଡ଼ା ଭିତରୁ ସେ ତା’ର କୁନି କୁନି ହାତ ଗୋଡ଼ ଛାଟି ଖେଳୁଥିଲା ।

‘ଓଃ, ତା’ହେଲେ ସେ ଜଣେ ମାଆ!’ଭଗବାନ ତୁମର ମଙ୍ଗଳ କରନ୍ତୁ…’ ଏଇ କଥାପଦକ ଦୁଇ ବନ୍ଧୁଙ୍କ କାନରେ ବାରମ୍ବାର ପ୍ରତିଧ୍ୱନିତ ହୋଇ ଚାଲିଥିଲା । କେବଳ ଜଣେ ମା’ ହିଁ ସମସ୍ତଙ୍କୁ ଅଯାଚିତ ଭାବେ ଏପରି ଆଶୀର୍ବାଦ ଦେଇପାରେ । ଏପରି କଲ୍ୟାଣ କାମନା କରିପାରେ ।

ଏବେ ସେ ଶିଶୁଟି କିଷନ ଓ କାହ୍ନାଙ୍କୁ ଚାହିଁ ରହିଥିଲା । ସତେ ଯେପରି ସେ ଦୁହିଁଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଥିଲା । ସେମାନଙ୍କ କୋଳକୁ ଡେଇଁ ପଡ଼ିବାକୁ ଇଚ୍ଛା କରୁଥିଲା । ଟ୍ରେନଟିର ଗତି ସେତେବେଳେକୁ ମନ୍ଥର ହୋଇ ଆସିଥିଲା । ଲାଗୁଥିଲା ସେମାନେ କୌଣସି ଏକ ଷ୍ଟେସନର ନିକଟତର ହୋଇ ସାରିଛନ୍ତି । କିଷନ ମୁହଁ ଟେକି କାହ୍ନା ଆଡ଼େ ଚାହିଁଲ ଓ କାହ୍ନା କିଷନ ଆଡ଼େ । ଯୁବତୀଟି ସେପର୍ଯ୍ୟନ୍ତ ଶୌଚାଳୟ ଭିତରୁ ପଦାକୁ ବାହାରି ନଥିଲା । ଟ୍ରେନର ବେଗ ଆହୁରି ଧିମେଇ ଆସିଲା ।

ବଗିଟିର ଦରଜା ଖୋଲି ଦୁହେଁ ତଳକୁ ଡେଇଁ ପଡ଼ିଲେ । ସେମାନଙ୍କ ପାଖରେ ଟିକେଟ ନାହିଁ । ତେଣୁ ପ୍ଲାଟଫର୍ମରେ ଓହ୍ଲେଇଲେ ସେମାନେ ହୁଏତ ପୁଲିସ ହାତରେ ଧରା ପଡ଼ିଯାଇପାରନ୍ତି । ତେଣୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଯିବାଲାଗି ସେମାନଙ୍କର ସାହସ କୁଳେଇ ନଥିଲା । ଟ୍ରେନଟା ତଥାପି ଅଜଗର ସାପଟିଏ ପରି ଆଗକୁ ଧୀରେ ଧୀରେ ଗଡ଼ି ଚାଲିଥିଲା ।

 

ରୂପାନ୍ତରଣ: ସୁଭାଷ ଶତପଥୀ 

Leave A Reply

Your email address will not be published.