Latest Odisha News

BREAKING NEWS

ଲେଖକମାନେ ଦୁଃଖୀ ମଣିଷର ସ୍ୱର ହୁଅନ୍ତୁ : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ, କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା,ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର ମୂଲ୍ୟବୋଧ ଖୋଜୁଥିବା ତାଙ୍କ ଗଳ୍ପର ଧାରା ସବୁବେଳେ ବାନ୍ଧିରଖେ ପାଠକଙ୍କ ହୃଦୟକୁ । ନିଜର ସାହିତ୍ୟ ସାଧନା ସହ ସେ ସବୁବେଳେ ନୂଆ ପୀଢ଼ିର ଲେଖକ , ଲେଖିକାଙ୍କୁ ମଧ୍ୟ ସାହିତ୍ୟ ପ୍ରତି ସମର୍ପିତ ହେବାକୁ ପ୍ରେରିତ କରିଥାନ୍ତି ।

ତାଙ୍କ ରଚିତ ଧୁବେଇବାଘ, ଗଛ କହୁଛି ଗପ, ଟିଂ ଟାଙ୍ଗ୍ ଟିଂ, ଗଛ କାଟନା ଭାଇ, ରାହାସ କରିବ ଚାଷ, ବରଷକୁ ବାରମାସ, ସଜେଇବ ତୁମେ ସବୁଜ ଧରା, ନି ବରଗଛ, ଗୋବିନ୍ଦର୍ ଦେ, ପଶ୍ଚିମ ଓଙ୍ଗ଼ିଶାର ଗଣପର୍ବ ନୂଆଁଖାଇ ପ୍ରଭୃତି ପୁସ୍ତକ ସାଉଁଟିଛି ବିପୁଳ ପାଠକୀୟତା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।

ଲେଖିକା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

 

.
ସାହିତ୍ୟ ସର୍ଜନା ପ୍ରତି କେମିତି ଆଗ୍ରହୀ ହେଲେ ?

ପିଲାଟି ଦିନରୁ ସାହିତ୍ୟ ପ୍ରତି ମୋର ଦୁର୍ବଳତା ଥିଲା । ବିଶେଷ କରି କାହାଣୀ ଓ ସଙ୍ଗୀତ ପ୍ରତି । ଆମର ଅଭାବିଆ ସଂସାର । ପ୍ରତିଦିନ ହୁଏତ ପେଟପୁରା ଭାତ ମୁଠେ ମିଳୁ ନଥିଲା ଆମକୁ । ଅଧା ପେଟରେ କେଉଁଠି ନିଦ ହୁଏ ? ତେଣୁ ଗୀତ ଶୁଣେଇ ଶୁଣେଇ ମା ଆମକୁ ଶୁଆଇ ଦେଉଥିଲେ । ଆମେ ଭାଇମାନେ ଶୋଇ ନପଡିବା ଯାଏ ମାଆ ଶୁଣାଇ ଚାଲିଥିଲେ ମନଲୋଭା କାହାଣୀ ସବୁ । ରାଜା ରାଣୀ ରାଜପୁତ୍ର ଆଉ ବୁଢୀ ଅସୁରୁଣୀଙ୍କ କାହାଣୀ । ମହାଭାରତ ରାମାୟଣର କାହାଣୀ । ଗାଈଆଳ ଆହୁରି ଅନେକ ଦୁଃଖୀ ମଣିଷଙ୍କ କାହାଣୀ । ଏମିତି କାହାଣୀ ଶୁଣୁଶୁଣୁ ଏହା ଏକ ନିଶାରେ ପରିଣତ ହୋଇ ଯାଇଥିଲା । ଏମିତି କି ନିତିଦିନ ବାପା ,ମାଆ କିମ୍ବା ବଡଭାଇଙ୍କ ପାଖରୁ କାହାଣୀ ନଶୁଣିବା ପର୍ଯ୍ୟନ୍ତ ମୋତେ ନିଦ ହେଉ ନଥିଲା । ଯେତେବେଳେ ମୁଁ ଅକ୍ଷର ଚିହ୍ନିବା ଭଲ ଭାବରେ ଶିଖିଗଲି, ମାଆଙ୍କ ଅନୁରୋଧରେ ପୁରାଣ ପଢି ଶୁଣେଇଲି । ଏହା ବୋଧହୁଏ ମୋର ତୃତୀୟ ଶ୍ରେଣୀ ବେଳର କଥା । ଗୀତ ଆଉ କାହାଣୀ ଶୁଣିବାର ନିଶା ପଢିବା ନିଶାରେ ପରିଣତ ହେବାକୁ ଲାଗିଲା । ପରିଶେଷରେ ମୋର ଏଇ କ୍ଷୁଧାର ଉପଶମ ପାଇଁ ମୋ ବଡଭାଇ ଆଣି ଦେଉଥିଲେ ସ୍କୁଲ ଲାଇବ୍ରେରୀରୁ ବହି । ଏହା ସହିତ ସାନ ଭାଇ ଭଉଣୀମାନଙ୍କୁ ଗପ କହିବା ଆରମ୍ଭ କରିଥିଲି ମୁଁ । ଗପ ତାହା ପୁଣି ଆସର ଗପ । ତାର ଶେଷ ନଥିଲା । ସେତେବେଳେ କେମିତି ଯେ ମନକୁ ମନ ଗପ ସବୁ ଯୋଡି ଯାଉଥିଲା ଆପେ ଆପେ । ଏମିତି ଗପ କବିତା ଶୁଣାଉ ଶୁଣାଉ କେତେ ବେଳେ ଯେ ମୁଁ ଲେଖକ ହୋଇଗଲି ଜାଣି ପରିଲି ନାହିଁ ।

 

 ଗଳ୍ପ , କବିତା , ଆଲେଖ୍ୟ, ଶିଶୁ ସାହିତ୍ୟ ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?

ନାଟକ ବ୍ୟତୀତ ପ୍ରାୟ ସବୁ ବିଭାଗରେ ମୁଁ ଲେଖା ଲେଖି କରେ । କିନ୍ତୁ ସବୁଠୁ ବେଶୀ ଆତ୍ମତୃପ୍ତି ମୋତେ ମିଳିଥାଏ ଶିଶୁସାହିତ୍ୟରୁ । ଶିଶୁର ମନଟି ସରଳ ତରଳ ଆଉ ଝରଜଳ ପରି ସଦା ନିର୍ମଳ । ପିଲାଙ୍କ ପାଇଁ ଲେଖିବା ବେଳେ ନିଜକୁ ପିଲାଙ୍କ ସ୍ତରକୁ ନେଇଯିବାକୁ ହୁଏ । ଏକ ପ୍ରକାର ପରକାୟା ପ୍ରବେଶ ଖିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଶିଶୁସାହିତ୍ୟ ଲେଖିବା ବେଳେ ମୋତେ ଲାଗେ ମୁଁ ଯେମିତି ଆଜି ମଧ୍ୟ ଶିଶୁଟିଏ । ସେତେବେଳେ ଏକ ସ୍ଵପ୍ନ ବିଭୋର ରଙ୍ଗୀନ ଜୀବନ ଜୀଉଁଥିବା ଭଳି ଅନୁଭୂତ ହୁଏ । ଅନ୍ୟପଟରେ ବୟସ୍କଙ୍କ ପାଇଁ ଲେଖିବା ସମୟର ଅନୁଭୂତି କିନ୍ତୁ ଠିକ ତାର ଓଲଟା । ଅନେକ ସମୟରେ ଗଳ୍ପପାତ୍ରର ସୁଖ ଦୁଃଖ ନିଜକୁ ଯନ୍ତ୍ରଣା ଜର୍ଜର କରି ପକାଏ । ଏମିତି କି ଲେଖି ସାରିବା ପରେ ମୁଣ୍ଡଟା ଭାରାକ୍ରାନ୍ତ ହୋଇ ପଡିଲା ପରି ଲାଗେ ।

ପୂର୍ବରୁ ଶିଶୁ ପତ୍ରିକା ଶିଶୁ ଓ କିଶୋରମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହେଉଥିଲା । ଏବେ ଅନେକ ଶିଶୁ କିଶୋର ପତ୍ରିକା ପ୍ରକାଶ ପାଉଥିବା ସତ୍ତ୍ୱେ କେବଳ ଲେଖକ ଲେଖିକାମାନଙ୍କ ମଧ୍ୟରେ ସୀମିତ ହୋଇ ରହିଯାଉଛି । ଜଣେ ଶିଶୁ ସାହିତ୍ୟିକ ହିସାବରେ ଏ ବିଡ଼ମ୍ବନାକୁ ଆପଣ କିପରି ଦେଖନ୍ତି ?

ଆଜିକାର ଅଭିଭାବକମାନେ ନିଜ ପିଲାଙ୍କୁ ଶିଶୁ ମନେ ନକରି କୋଉ ରେସକୋର୍ସର ଏକ ବେଗବାନ ଘୋଡା ପରି ମନେ କରୁଛନ୍ତି । ତେଣୁ ପିଲାଙ୍କ ଉପରେ ମାନସିକ ଚାପ ବଢିବାରେ ଲାଗିଛି । ଏପରିକି ସ୍କୁଲ ବହି ବ୍ୟତୀତ ଅନ୍ୟ କୌଣସି ପୁସ୍ତକ ପଢିବାକୁ ଦେଉ ନାହାନ୍ତି ସେମାନେ । ପିଲାଟିଏ ତା’ ପରିବେଶରୁ ବହୁତ କିଛି ଶିଖିବାକୁ ପାଇଥାଏ । ପଢି ଶିଖିବାଠାରୁ ଦେଖି ଶିଖିବା ଶ୍ରେୟସ୍କର । ଏଠି ପାଇଁ କେବଳ ଶିଶୁ ସାହିତ୍ୟିକ କାହିଁକି , ପିଲାର ଶିକ୍ଷକ ଅଭିଭାବକ ଗୁରୁ ଗୁରୁଜନ ସମସ୍ତଙ୍କ ଗୁରୁଦାୟିତ୍ଵ ରହିଛି । ପିଲାଙ୍କ ଭିତରେ ପଠନ ସ୍ପୃହ ବଢେଇବା ପାଇଁ ଏବେ ଆମ ଶିଶୁ ସାହିତ୍ୟିକ ବନ୍ଧୁମାନେ ଭ୍ରାମ୍ୟମାଣ ପାଠାଗାରର ବ୍ୟବସ୍ଥା କରୁଛନ୍ତି । ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ନିଶ୍ଚୟ ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସାହିତ୍ୟ ହେଉଛି ଏକ ସାଧନା । ଆଉ ଏଇ ସାରସ୍ଵତ ସାଧନାର ଏକ ସ୍ଵୀକୃତି ମାତ୍ର ହେଉଛି ପୁରସ୍କାର / ସମ୍ମାନ । ଏହା ଦ୍ଵାରା ଲେଖକର ଦାୟିତ୍ଵ ବୋଧ ବଢିଯାଇଥାଏ । କିନ୍ତୁ ଆଜିକାଲି ପୁରସ୍କାର ପ୍ରାପ୍ତି ଅନେକଙ୍କ ପାଇଁ ଏକ କ୍ଷୁଧାରେ ପରିଣତ ହୋଇ ଗଲାଣି । ଏପରିକି ଅର୍ଥ ବିନିମୟରେ ପୁରସ୍କାର / ସମ୍ମାନ ପତ୍ର ମିଳିବା ଆରମ୍ଭ ହୋଇଗଲାଣି ଆମ ସମାଜରେ । ଏମିତି ସହଜରେ ମିଳି ଯାଉଥିବା ପୁରସ୍କାର / ସମ୍ମାନ , ଜଣେ ଲେଖକକୁ କେତେ ପରିମାଣରେ ଦାୟିତ୍ଵସମ୍ପର୍ଣ୍ଣ କରି ପାରୁଥିବ ? ତାହା ଏବେ ପ୍ରଶ୍ନ ଘେରରେ ।

ଅନୁଭୂତିକୁ ନେଇ କେବେ ସାହିତ୍ୟ ରଚନା କରିଛନ୍ତି କି ?

ହଁ , ଅବଶ୍ୟ ମୋ ଲେଖାରେ କାଳ୍ପନିକତା ପ୍ରାୟତଃ ନଥାଏ । ଅଧିକାଂଶ ଲେଖାର ପାତ୍ର ହେଉଛନ୍ତି ମୋ ଚାରିପାଖରେ ବିଚରଣ କରୁଥିବା ମଣିଷମାନେ । ମୁଁ ଭାବେ ନିଜ ମନର ଭାବକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାରେ ଅସମର୍ଥ ଥିବା ଦୁଃଖୀ ମଣିଷର କଥା କହିବା ହେଉଛି ଲେଖକର ଏକ ସାମାଜିକ ଦାୟିତ୍ଵ ।

ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?

ଆମ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ଜ୍ଵଳ ନିଶ୍ଚୟ । ଆମ ଭାଷାରେ ଅନେକ ଉଚ୍ଚକୋଟିର ସାହିତ୍ୟ ଅଛି । ପ୍ରତିବର୍ଷ ଲେଖା ଚାଲିଛି ମଧ୍ୟ । କିନ୍ତୁ ତାକୁ ଅନ୍ୟ ଭାରତୀୟ ଭାଷା / ଆନ୍ତର୍ଜାତୀୟ ଭାଷାରେ ଅନୂଦିତ ହେବାର ଆବଶ୍ୟକତା ରହିଛି । ଏଇ ବିଭାଗଟି ଯେତିକି ସମୃଦ୍ଧ ହେବା କଥା ତାହା ହୋଇ ପାରୁନାହିଁ ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ମୁଁ ପୂର୍ବରୁ କହିଛି ଲେଖିବା ହେଉଛି ମୋର ହବି । ଏଇ ପିଣ୍ଡାରେ ପ୍ରାଣବାଯୁ ସଂଚାରିତ ହେଉଥିବା ପର୍ଯ୍ୟନ୍ତ ଲେଖି ଚାଲିଥିବି । କିନ୍ତୁ ମୋ ଲେଖାର ପ୍ରକାଶନ ସଂଖ୍ୟା କମ । ଭବିଷ୍ୟତରେ ଏଥି ପ୍ରତି ଅଧିକ ଧ୍ୟାନ ଦେବାକୁ ଯୋଜନା ରଖିଛି ।

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ନା , ସେମିତି କିଛି ଆବଶ୍ୟକତା ଥିବା ପରି ମୋତେ ଲାଗୁନାହିଁ ।

ଆପଣଙ୍କ ସୃଜନୀର ଗତିଶୀଳତା ଉପରେ କିଛି କୁହନ୍ତୁ ?
ଉତ୍ତର :- ଲେଖାକୀୟ ଜୀବନଙ୍କୁ ନେଇ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛି ମୁଁ । ମୋତେ ସବୁଠୁ ଅଧିକ କଷ୍ଟ ଲାଗିଥିଲା ସେତେବେଳେ , ଯେତେବେଳେ ଜନୈକ ପ୍ରିୟ ବନ୍ଧୁ ମୋତେ ଆକ୍ଷେପ କରି କହିଥିଲେ , ତୁମେ ହେଉଛ ଶିଶୁ ସାହିତ୍ୟିକ । ସାହିତ୍ୟର ଶିଶୁ । ତୁମେ କୋଉଠୁ ବୁଝିବ / ଜାଣିବ ସାହିତ୍ୟ କଣ ? ସେମିତି ଶିଶୁ ହୋଇ ରହିବାରେ ହିଁ ତୁମ ମଙ୍ଗଳ । ମୋ ପରି ଗଳ୍ପ , କବିତା କି ପ୍ରବନ୍ଧଟିଏ କେବେ ଦିନେ ଲେଖ ତ ଦେଖିବା । ତୁମେ ଏଇ ଜନ୍ମରେ କାହିଁକି , ସାତ ଜନ୍ମ ପର୍ଯ୍ୟନ୍ତ ଲେଖି ପାରିବ ନାହିଁ ବୟସ୍କଙ୍କ ପାଇଁ ସାହିତ୍ୟ । ମୁଁ ଏଇ ଆକ୍ଷେପକୁ ଏକ ଆହ୍ଵାନ ଭାବେ ଗ୍ରହଣ କରିନେଲି । ତାପରେ ବଦଳି ଗଲା ମୋର ଗତିପଥ ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ଅଧିକରୁ ଅଧିକ ବହି ପଢନ୍ତୁ । ଲେଖା ପ୍ରକାଶନ ପାଇଁ ତରତର ହୁଅନ୍ତୁ ନାହିଁ । ସ୍ଵପ୍ନ ରାଜ୍ୟ ଛାଡି ବାସ୍ତବବାଦୀ ହୁଅନ୍ତୁ । ଦୁଃଖୀ ମଣିଷର ତୁଣ୍ଡ ହୁଅନ୍ତୁ ।

Leave A Reply

Your email address will not be published.