Latest Odisha News

BREAKING NEWS

ଲଣ୍ଡନରେ ତିଆରି ହେଉଛି ଜଗନ୍ନାଥ ମନ୍ଦିର, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ସଂଗ୍ରହ ହେଲା ପାଣ୍ଠି

ଲଣ୍ଡନ  : ସେଣ୍ଟ୍ରାଲ ଲଣ୍ଡନର ପ୍ରସିଦ୍ଧ ରାଡା (ଆରଏଡିଏ ) ଷ୍ଟୁଡିଓରେ ଚାରିଟେବଲ ଟ୍ରଷ୍ଟ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ୍ ୟୁକେ’ ପକ୍ଷରୁ ଭାରତର ଦୁଇଟି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଯଥା ଓଡ଼ିଶୀ ଓ କଥକକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସମର୍ପଣ’ ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ ଓ ଭକ୍ତିରସର ଅପୂର୍ବ ସମନ୍ଵୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହୀତ ସମସ୍ତ ଅର୍ଥ ବ୍ରିଟେନରେ ନିର୍ମିତ ହେଉଥିବା ପ୍ରଥମ ବୃହତ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମେଧାବୀ ମୁଦଗଲଙ୍କ ଶିଷ୍ୟ ପ୍ରେମାନନ୍ଦ ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ‘ଜଗନ୍ନାଥ ଅଷ୍ଟକମ’ ରେ ଓଡ଼ିଶୀ ଏବଂ ଉର୍ଜା ଦେଶାଇ ଠାକରେଙ୍କ ଶିଷ୍ୟ ଶ୍ଯାମ ଦତ୍ତାନୀ ‘କୃଷ୍ଣଲୀଳା’ର ଏକ ଅଂଶକୁ ନେଇ କଥକ ନୃତ୍ୟ ପରିବେଷଣ କରିଥିଲେ। ଉଭୟ ଖ୍ୟାତିସମ୍ପନ୍ନ କଳାକାରଙ୍କ ଭାବ ଓ ଭକ୍ତି ରସାପ୍ଲୁତ ଚମତ୍କାର ନୃତ୍ଯ ଶୈଳୀରେ ଦର୍ଶକ ଭାବବିହ୍ବଳ ହୋଇଥିଲେ। କାର୍ଯକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଉଭୟ କଳାକାର, ଓଡ଼ିଶୀ ତଥା କଥକ ନୃତ୍ୟ ସମ୍ମିଶ୍ରଣରେ ଏକ ଯୁଗଳବନ୍ଦୀ ପରିବେଷଣ କରିଥିଲେ ।

ଓଡ଼ିଆ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ‘ଲଭ ଇନ୍ ଲଣ୍ଡନ’ର ପୁରା ଟିମ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋଜକଙ୍କ ଏପରି ପଦକ୍ଷେପର ଭୂୟସୀ ପ୍ରଶଂସା କରିବା ସହ ବିଦେଶ ମାଟିରେ ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଦ୍ୱାରା ବିଶ୍ଵରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ହେବା ସହ ଜଗନ୍ନାଥ ପ୍ରେମୀଙ୍କୁ ଏକ ଦିବ୍ୟ ଅନୁଭବ ପ୍ରଦାନ କରିବ ବୋଲି ମତବ୍ଯକ୍ତ କରିଥିଲେ ।

୧.୮ ମିଲିୟନ ୟୁକେ ଡଲାରରେ କ୍ରୟ ହୋଇଥିବା ୫ ଏକର ଜମିରେ ଏହି ଭବ୍ୟ ମନ୍ଦିର ନିର୍ମାଣ ପରେ ଏହା ବ୍ରିଟେନର ଏକ ପ୍ରମୁଖ ହିନ୍ଦୁ ଧର୍ମପିଠ ହେବା ସହ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆୟୋଜକ ମାନେ ମତବ୍ୟକ୍ତ କରିଛନ୍ତି

Leave A Reply

Your email address will not be published.