Latest Odisha News

BREAKING NEWS

କବିତା ନିରଂତର : ଆରଂଭ, ଶେଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ନିଜଠୁଁ ଆରଂଭ ନିଜଠାରେ ଶେଷ
ଜୀବନ ଜିଇଁଲେ ମିଳଇ ସଂତୋଷ
ଯେଉଁଥିରେ ନାହିଁ ନିଜର ଆୟତ୍ତ
ସେଥିପାଇଁ ହେବାନାହିଁ ବିଚଳିତ

ମରିବା ପର୍ଯଂତ ଆତ୍ମସଂଶୋଧନ
ପ୍ରକ୍ରିୟାର ନାମ ମଣିଷ ଜୀବନ
ସ୍ବ ଅନୁଭୂତିରୁ ପାଇ ଜ୍ଞାନ ଧନ
କରିବା ବିଶ୍ବରେ ମୁକ୍ତ ବିତରଣ

ପୂର୍ବ ଜ୍ଞାନ ସହ ସଦ୍ୟପ୍ରାପ୍ତ ଜ୍ଞାନ
ମିଶାଇ କରିଲେ ନୂଆ ସଂଯୋଜନ
ଘଟିବ ବିଶ୍ବର ବାଂଛିତ କଲ୍ୟାଣ
ସବୁ କାମ ହେବ ଉତ୍ତମ, ନିଖୁଣ

ପରମ ସତ୍ୟର ଅନଂତ ସଂଧାନ
ନିମଂତେ ମିଳିଛି ମାନବ ଜୀବନ
ନିଜର ଭାଗର କାମ ସବୁ ସାରି
ଯିବାକୁ ପଡ଼ିବ ସଂସାରୁ ବାହାରି

ଆରଂଭ ବିଂଦୁରୁ ଶେଷ ବିଂଦୁ ଯାଏଁ
ସଂସାରେ ମଣିଷ ଯାହା କରିଥାଏ
ପ୍ରକୃତିର ତାହା ଏକ ରୂପାଂତର
ସଂସ୍କୃତି ନାମରେ କରୁଛୁଁ ପ୍ରଚାର

ସ୍ବର, ରୂପ ଘେନି ଆମର ସୁକୃତି
ଅର୍ଜନ କରିଲେ ଦୀର୍ଘସ୍ଥାୟୀ ଖ୍ୟାତି
ମଣିଷକୁ ମିଳେ ଅନାବିଳ ତୃପ୍ତି
ଏହା ହୁଏ ତାର ଅମୂଲ୍ୟ ସଂପତ୍ତି

 

Leave A Reply

Your email address will not be published.