Latest Odisha News

BREAKING NEWS

ସ୍ମୃତିଲିପି : ଏମିତି ବି ବନ୍ଧୁ ଥାଆନ୍ତି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ 

ନିକଟ ଅତୀତରେ ହ୍ଵାଟସପରେ ଜଣେ ପୂର୍ବତନ ସହକର୍ମୀ ପଠେଇ ଥିବା ବନ୍ଧୁତା ଉପରେ ପର୍ଯ୍ୟବେସିତ ନାରାୟଣ ମିଶ୍ରଙ୍କ ଲିଖିତ ଏକ ଗଳ୍ପ ପଢ଼ିବାକୁ ମିଳିଲା । ଯେଉଁଥିରେ ଅବସର ଜୀବନରେ ସୁଖ ପାଇଁ, ତାଙ୍କ ରଚିତ ଚରିତ୍ର ଗୁରୁ ଦାସ ଯେଉଁ ତିନୋଟି ଜିନିଷ ଆପଣେଇଛନ୍ତି ସେ ଭିତରୁ ପ୍ରକୃତ ବନ୍ଧୁତା ଗୋଟିଏ ବୋଲି କହିଛନ୍ତି l ପ୍ରକୃତ ବନ୍ଧୁର ବ୍ୟାଖ୍ୟା ଦେବା ପାଇଁ ଯାଇ ଗାଳ୍ପିକ କୃଷ୍ଣ ଉଦ୍ଧବ ସାମ୍ବାଦ ଅବତାରଣା କରି କହନ୍ତି, କୃଷ୍ଣଙ୍କ ଅନୁସାରେ, ବିପଦରେ ପଡ଼ିଥିବା ବେଳେ ବନ୍ଧୁଙ୍କୁ ଯିଏ ବିନାl ନିମନ୍ତ୍ରଣରେ ପହଞ୍ଚି ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ ।

ଗାଳ୍ପିକଙ୍କ ଏହି ଅନୁଶୀଳନ ମନରେ ମୋର ବାୟାଲିଶ ବର୍ଷ ତଳର ଏକ ଘଟଣା ମନେ ପକେଇ ଦେଲା । ଯଦିଓ ଘଟଣାଟି ଟିକେ ଅନ୍ୟ ପ୍ରକାରର l ମୁଁ ସେତେବେଳେ ସ୍ନାତକୋତ୍ତର ପ୍ରଥମ ସେମେଷ୍ଟର ରେ ନାମ ଲେଖେଇ ଥାଏ l ଆଗରୁ ବି ଅନେକ ଥର କହିଛି ବାପା ମାଙ୍କ ବିବାହର ଉଣେଇଶ ବର୍ଷ ପରେ ମୋର ଜନ୍ମ । ମୋ ତଳେ ତିନି ଭଉଣୀ ଓ ଗୋଟିଏ ଭାଇl ମୋର ମାଟ୍ରିକ ବେଳକୁ ବାପା ଅବସର ନେଇ ସାରି ଥାନ୍ତି ଏବଂ ତାର କିଛି ବର୍ଷ ଆଗରୁ ମଧୁମେହ ରୋଗରେ ପୀଡିତ ହୋଇ ତଦଜନିତ କିଛି ଜଟିଳତା ଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇସାରିଥାନ୍ତି l ମୃତ୍ୟୁ ସଚେତନତା ଓ ଚାରି ଚାରିଟି ଝିଅ , କାହାରି ବି ପଢା ସରିନଥାଏ କି ବିବାହ ହୋଇ ନଥିବା ଚିନ୍ତା ; ବାପା ମଝିରେ ମଝିରେ ବଡ ବିଚଳିତ ହେଉଥାନ୍ତି l

ଏହି ସମୟରେ ବାପାଙ୍କ ଘନିଷ୍ଠ ବନ୍ଧୁ ତଥା ଗୁରୁଭାଇ ନିମାଇଁ ପାଣିଗ୍ରାହୀ ଯେକି ପାଟଣାଗଡ଼ର ଜଣେ ଅତି ଗଣ୍ୟମାନ୍ୟ ବ୍ୟକ୍ତି ମୋ ପାଇଁ ଏକ ବିବାହ ପ୍ରସ୍ତାବ ନେଇ ଆସିଲେ l ପିଲାଟି ସେତେବେଳେ ଓଡିଶା ସ୍ତରୀୟ ବିଚାର ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନୂଆକରି ମାଜିଷ୍ଟ୍ରେଟ ଭାବରେ ଯୋଗ ଦେଇଥାନ୍ତି l ଯୋଗ୍ୟ ପାତ୍ର l ସମ୍ଭ୍ରାନ୍ତ ତଥା ଚି଼ନ୍ହା ଜଣା ପରିବାର । ଏଣେ ବାପାଙ୍କ ଇଚ୍ଛା ଝିଅ ପଢିବ, ଚାକିରୀ କରିବ ସ୍ୱାବଲମ୍ବୀ ହେବ l

ଦୁଇ ପରିବାର ଭିତରେ ଅନେକ ବିଚାର ବିମର୍ଶ ଭିତରେ ସ୍ଥିର ହେଲା ବିବାହ ପରେ ମଧ୍ୟ ମୁଁ ପାଠ ପଢ଼ିଵି ଓ ଚାକିରୀ କରିବିl ବିବାହ ପ୍ରସ୍ତାବ ଓ ବିବାହ ସମ୍ପୂର୍ଣ୍ଣ ହେବା ଭିତରେ ଅନେକ କଥା ଘଟି ଯାଇଛି ; ଯାହା ଆଜିର ଆଲୋଚନାର ପର୍ଯାୟଭୁକ୍ତ ନୁହେଁ l ସେ ଯାହା ହେଉ ବାହାଘର ଠିକ ହେଲା, ନିମନ୍ତ୍ରଣ ପତ୍ର ବଣ୍ଟା ହେଲା l ବିବାହ ସମ୍ୱନ୍ଧୀୟ ଅନେକ କାମ ବାପାଙ୍କ ବନ୍ଧୁମାନେ ବିଶେଷ କରି ନିରଞ୍ଜନ ମିଶ୍ର (ବନ୍ଧୁ ଅପେକ୍ଷା ଭାଇ କହିଲେ ବେଶୀ ଠିକ ହେବ ) ସବୁ ବୁଝା ବୁଝି କରୁଥାନ୍ତି l କଉଠୁ କଣ ଆସିବ, କିଏ କଣ ବୁଝିବ ନିରଞ୍ଜନ କାକା ସବୁ ବୁଝୁଥାନ୍ତି l ଏଇ କକାଙ୍କ ଓ ବାପାଙ୍କ ବନ୍ଧୁତାର କାହାଣୀ ବି ନିଆରା l ବନ୍ଧୁତ୍ୱର ମୂଳଦୁଆ ପଡିଛି ବାଲ୍ୟଜୀବନରୁ ଲ

ବଲାଙ୍ଗୀର ଠାରୁ ବାର କିଲୋମିଟର ଦୂର ତାଲିଉଡ଼ଆର ଗାଁରେ ଏକ ବ୍ରାହ୍ମଣ ପରିବାରରେ ବାପାଙ୍କର ଜନ୍ମ l ଜନ୍ମରୁ ପିତୃହୀନ, ତିନିଦିନିଆ ଜର ଯାହାକୁ ୧୯୧୮ ମସିହା ସ୍ପାନିଷ ଫ୍ଲୁ କହୁଛନ୍ତି, ଛଡେଇ ନେଇ ଯାଇଥିଲା ବାପାଙ୍କ ଉପରୁ ତାଙ୍କ ବାପାଙ୍କ ର ଅଭୟ ହସ୍ତ l ଉପରେ ଗୋଟେ ଭାଇ ଓ ଗୋଟେ ଭଉଣୀ l ସେ ସମୟର କଥା, ଗାଉଁଲି ଗାଁରେ ଅଳ୍ପ ବୟସରେ ବିଧବା ଯୁବତୀ ଟିଏ , ତିନି ତିନି ଟା ସନ୍ତାନ, ଶାଶୁ କି ଶଶୁର ବୋଲି କେହି ନାହିଁ, ଦିଅର ବୋଲି ଗୋଟେ ଯେ ସେ ବି ପତ୍ନୀହରା l ସ୍ତ୍ରୀ ତ ଚାଲିଯାଇଥିଲେ ପିଲା ଝିଲl ବି କିଛି ନାହିଁ । ହେଲେ ସେଇ କାକା ପଣ କଲେ ଆଉ ବିବାହ କରବି ନାହିଁ । ବଡ ଭାଇର ପିଲାଙ୍କୁ ମଣିଷ କରିବି l ହେଲେ ସେ ମଧ୍ୟ ଚାଲିଗଲେ ଅଳ୍ପ କିଛି ବର୍ଷ ପରେ । ଜମି ଅଛି , ଚାଷ ବାସ ବୁଝିବାକୁ କେହି ନାହିଁ l ବହୁତ କଷ୍ଟରେ ପିଲା ଦିନ କଟିଛି । ଘରେ ଦୁଇବେଳା ଖାଇବାକୁ ଯଥେଷ୍ଟ ଅନ୍ନ ନାହିଁ ତଥାପି ଆତ୍ମବିଶ୍ଵାସ ଭାଙ୍ଗି ଯାଇନାହିଁ l

ପାଠ ପଢିବକୁ ଜିଦି କରି ଦୁଇଭାଇ ଗାଁରୁ ବଲାଙ୍ଗୀର ଆସିଲେ ସଂସ୍କୃତ ଟୋଲରେ ନାମ ଲେଖେଇଲେ, ପାଠ ପଢିବେ ପଣ୍ଡିତ ହେବେ କିଛି ନହେଲେ ବ୍ରାହ୍ମଣ ପିଲାତ ପାଣ୍ଡିତିଆ କାମ କରି ସଂସାର ଚଳେଇବେ l ବଡ ଭାଇଙ୍କଠୁ ଟିକେ ଚାଲାକ ଥିଲେ ବାପା, ପାଠରେ ଆଗୁଆ l ବଲାଙ୍ଗୀର ଗଡଜାତ,ରାଜ ରାଜୁଡା ସମୟ, ରାଜାଙ୍କ ଦୃଷ୍ଟି ପଡିଲା ବାପା ଛେଉଣ୍ଡ ବିଚକ୍ଷଣ ପିଲାଟି ଉପରେ ଲ କାଶୀ ଯାଇ ଜ୍ୟୋତିଷ ଶାସ୍ତ୍ର ପଢିବା ପାଇଁ ତାଙ୍କୁ ରାଜାଙ୍କ ଠାରୁ ବୃତ୍ତି ମିଳିଲା । କିନ୍ତୁ ସେ ନିଜେ ଅନୁରୋଧ କରି ବଡ ବାପାଙ୍କୁ କାଶୀ ପଠେଇଲେ l ଏଣେ ନିଜେ ଏକା ଥରକରେ ପଞ୍ଚମ, ଷଷ୍ଠ ଦୁଇ ଶ୍ରେଣୀର ପରୀକ୍ଷା ଦେଇ ସାଧାରଣ ସ୍କୁଲକୁ ଡେଇଁ ଆସିଲେl
ସଂସ୍କୁତ ଟୋଲରୁ ଆସିଥିଲେ ବୋଲି ପ୍ରଥମେ ପ୍ରଥମେ ନର୍ମାଲ ସ୍କୁଲ ପିଲା ତାଙ୍କ ସାଙ୍ଗରେ ମିଶୁ ନଥିଲେ,ତାଙ୍କୁ ଟାହି ଟାପରା କରୁଥିଲେ, ବହୁତ ହଇରାଣ ଵି କରୁଥିଲେ l ସେତିକି ବେଳେ ବନ୍ଧୁତାର ହାତ ବଢ଼େଇ ଥିଲେ ନିରଞ୍ଜନ କାକା l ତାଙ୍କୁ ସାହସ ଦେଇ ଥିଲେ, ନିପଟ ମଫସଲରୁ ଆସିଥିବା ଗରିବ ପିଲାର ମନୋବଳ ବଢ଼େଇ ଥିଲେ l ବହୁ କଷ୍ଟରେ ରାସ୍ତାର ଲାଇଟ ତଳେ, ବହି ଦୋକାନରେ ଠିଆ ହେଇ ବହି କିଣିବା ବାହାନାରେ ବହି ପଢି ଓ ଟିଉସନ କରି ପାଟଣା ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ ବୋର୍ଡ଼ ପରୀକ୍ଷା ଦେଇ ପାସ କରିଥିଲେ ବାପା ଦ୍ଵିତୀୟ ଶ୍ରେଣୀରେ ; ପ୍ରଥମ ଶ୍ରେଣୀ ପାଇଁ ଅଳ୍ପ କିଛି ମାର୍କ କମି ଯାଇଥିଲା l

ପରେ ବାପା ସରକାରୀ ଚାକିରୀ କରି ବଲାଙ୍ଗୀରଠାରୁ ଦୂରରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଅବସର ପାଖାପାଖି ପୁଣି ବଲାଙ୍ଗୀର ଆସିଲେ ହେଲେ ଚାକିରୀ ଓ ଜୀବନ ଜଞ୍ଜାଳ ଭିତରେ ବି ବାପା ଓ କାକା କେହି କାହାକୁ ଭୁଲି ନଥିଲେ । ବରାବର ସମ୍ପର୍କ ରଖିଥିଲେl । ଅବସର ପରେ ବାପା ଆଉ କାକା ପୁଣି ଆହୁରି ନିକଟତର ହେଇ ଯାଇଥିଲେ l

ସେତେବେଳେ ଆମ ଘର ଉପର ମହଲାର ଗୋଟେ ବଖରାରେ ସବୁଦିନେ ଦିପହର ବେଳେ ସତସଙ୍ଗ ହେଉଥିଲା l ସୁଦର୍ଶନ ପୁରୋହିତ, ଶତପଥି ବାବୁ ଓ ଆହୁରି ବହୁତ ଜଣ ସେଥିପାଇଁ ଆସୁଥିଲେl ପ୍ରତେକ ଦିନ ଭାଗବତ ଚର୍ଚ୍ଚା ହୁଏ l ଗୋଟେ ବଡ କେଟଲିରେ ଚା ଉପରକୁ ନିଆ ହୁଏ । ଚର୍ଚ୍ଚା ମଝିରେ ଚା ପାନ ବିରତି ହୁଏ l ନିରଞ୍ଜନ କାକା ବି ସବୁଦିନ ଆସୁଥିଲେ, ଓ ସତସଙ୍ଗ ପରେ ଵି ଘଣ୍ଟେ ଅଧେ ରହି ଗପସପ କରି ପରେ ଘରକୁ ଯାଉ ଥିଲେ l ସେ ଆମର ଭଲମନ୍ଦ ବୁଝୁଥିଲେ ସତେ ଯେମିତି ଆମର ପରିବାରର ଯେମିତି ଜଣେ ଗୁରୁତ୍ୱପୁର୍ଣ ସଦସ୍ୟ ଲ

ବାହାଘର ବେଳେ ବି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲେଇଛନ୍ତି l ନିମନ୍ତ୍ରଣ କାର୍ଡ ଛପାଠାରୁ ଆରମ୍ବ କରି ,ଜିନିଷ କିଣା, ବରଯାତ୍ରୀ ଚର୍ଚ୍ଚା ଓ ଝିଅ ବିଦା ପର୍ଯ୍ୟନ୍ତ ବାପାଙ୍କ ପାଖରେ ଛାଇ ପରି ଥାଆନ୍ତି l ଝିଅକୁ ଉପହାର ଦେବା ରେ ବି ଉଣା କରି ନାହାନ୍ତି. । କିନ୍ତୁ ବାପା ଯେତେବେଳେ ତାଙ୍କୁ ଭୋଜି ଖାଇବା ପାଇଁ କହିଲେ, ସେ କହିଲେ, ” କାଇଁ , ତୁ ମୋତେ ନିମନ୍ତ୍ରଣ କରି ଥିଲୁ କି ? କାର୍ଡ ଦେଇଚୁ ? ମୋ ଝିଅ ବାହାଘର ମୁଁ ଆସିଲି, ସବୁ ବୁଝିଲି , ଏବେ କିନ୍ତୁ ତୁ ତ ନିମନ୍ତ୍ରଣ କରିନୁ, ଭୋଜି କେମିତି ଖାଇବି ? “ଶୁଣିଛି ବାପା ମୁଣ୍ଡରେ ହାତ ଦେଲେ, କହିଲେ, ତୋତେ କାର୍ଡ ଦେଇନି ? ହେ ଭଗବାନ, ବାହାଘର ଭିଡରେ ଭୁଲି ଯାଇଛି l ଯାହାହେଉ ତୁ ସେ କଥାକୁ ନଧରି ତୋ ଝିଅ ବାହାଘର କଥା ସବୁ ବୁଝିଲୁ l ମୋତେ କ୍ଷମା କରି ଦେବୁ.”ଦୁଇ ବନ୍ଧୁ ଅନେକ ସମୟ ପର୍ଯ୍ୟନ୍ତ କୋଳାକୋଳି ହୋଇ କାନ୍ଦିଥିଲେ l ଏପରି ବି ବନ୍ଧୁ ଥାନ୍ତି!!!!!

 

Comments are closed.