ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ
ମଣିଷର ବ୍ୟକ୍ତିତ୍ୱ ତାର ଜନ୍ମଗତ ପ୍ରକୃତି ସହ ପରିବେଶକୁ ନେଇ ଗଢିଉଠେ। ଜୀବନକାଳ ଭିତରେ ବିଶେଷ କରି ବାଲ୍ୟ କାଳରେ ସେ ଯେଉଁ ବ୍ୟକ୍ତି ବିଶେଷମାନଙ୍କ ସମ୍ପର୍କରେ ଆସେ, ସେମାନଙ୍କର ଆଚାର, ବ୍ୟବହାର ଶିଶୁର ମନ ଉପରେ ଗଭୀର ପ୍ରଭାବ ପକାଇଥାଏ। କିଛି ସାନ ବଡ ଘଟଣା ମଧ୍ୟ ତାର ଜୀବନର ଗତିପଥକୁ ବଦଳେଇ ଦେଇଥାଏ। ମହାତ୍ମା ଗାନ୍ଧୀଙ୍କ ଜୀବନ ତାର ଏକ ଜ୍ୱଳନ୍ତ ଉଦାହରଣ। ମୁଁ ଅତି ସାଧାରଣ ମଣିଷଟିଏ ହେଲେ ମୋ ଜୀବନରେ ମଧ୍ୟ ଏପରି କିଛି ଘଟଣା ଘଟିଛି ଯାହା ମୋତେ ସଠିକ ଦିଗକୁ କଢ଼େଇ ନେଵା ପାଇଁ ସାହାଯ୍ୟ କରିଛି।
ବାପାଙ୍କ ଛାଟ ଓ ପାଠପଢା କଥା ତ ଆଗରୁ କହିଛି। ଆହୁରି ବି କହିଥିଲି ତା ପରଠୁ ସ୍କୁଲ ଯିବା ପାଇଁ କେବେବି ଅନିଚ୍ଛା ପ୍ରକାଶ କରିନାହିଁ, କିନ୍ତୁ ସେକଥା ଲେଖିସାରିଲା ପରେ ମନେ ପଡ଼ିଲା ଆଉ ଏକ ପରିସ୍ଥିତିରେ ମୁଁ ଦିନେ ସ୍କୁଲ ନଯାଇ ଲୁଚିଥିଲି। ଘଟଣାଟା ସେଇ ପିଲାବେଳର, ଗ୍ରୀଷ୍ମକାଳୀନ ଛୁଟିରେ ମାମୁଁଘର ଯିବା ସମୟର। ସେକଥା ମନେ ପଡିଲେ , ପିଲାଦିନେ ମାମୁଁଘରେ କଟେଇଥିବା ଛୁଟି ଦିନର ସ୍ମୃତି ମାନସପଟଳରେ ଭାସି ଉଠେ।
ସେତେବେଳେ ଆମେ ବାଲେଶ୍ବରରେ ଥାଉ, ମାମୁଁଘର ବହୁଦୂର ବଲାଙ୍ଗୀରରେ। ସେତେବେଳେ ତ ଟ୍ରେନ କି ବସର ଏତେ ସୁବିଧା ନଥିଲା, ଟ୍ରେନରେ କଟକ ଯାଇ ପୁଣି ବସରେ ଯିବାକୁ ପଡୁଥିଲା, ଅତି କମରେ ଦୁଇଦିନ ଲାଗିଯାଉଥିଲା । ଏଣୁ ସବୁ ବର୍ଷ ଗାଁକୁ ଆସିବା ସମ୍ଭବପର ନଥିଲା, ଦୁଇ ତିନି ବର୍ଷରେ ଥରେ ଲମ୍ବାଛୁଟିରେ ବଲାଙ୍ଗୀର ଆସୁ ସେ ପୁଣି ଟାକ୍ସିରେ, ବଡବାପାଙ୍କ ପରିବାର ସହ କିଛିଦିନ ଓ ମାମୁଁଘରେ କିଛିଦିନ ରହୁ। ପରେ ସିନା ଯେତେବେଳେ ବାପା ବଲାଙ୍ଗୀର ବଦଳି ହୋଇ ଆସିଲେ , ସେତେବେଳେ ମାମୁଁଘର ଯିବା ସହଜ ହୋଇଗଲା। ତେବେ, ଏହି ସମୟରେ ବଲାଙ୍ଗୀରରୁ ବସରେ ଆସି ଦେଓଗାଁ ଡାକବଙ୍ଗଳା ଛକରେ ଓହ୍ଲାଇ ବାବା ପଠେଇଥିବା ବଳଦ ଗାଡିରେ ଗାଁକୁ ଯାଉଥିଲୁ।
ଦୂର ହେଉ କି ପାଖ , ପିଲାଦିନୁ ‘ମାମୁଁଘର’ ଏକ ଅହେତୁକ ଆକର୍ଷଣ ର ବିନ୍ଦୁ । ଅପରିପକ୍ୱ ସେ ବୟସରେ ମାମୁଁଘର ପରିବେଶ କେଜାଣି କାହିଁକି ଏକ ସପନ ରାଇଜ ପରି ମନେ ହେଉଥିଲା। ଅଜାଘର ଦୁଆରେ ଆମେ ପହଞ୍ଚି ଗଲାମାତ୍ରକେ ମାଇଁ ଗୋଟିଏ କଂସା ଢାଲରେ ପାଣି ଆଣି ପାଦ ଧୋଇ ଦେଉଥିଲେ, ଯେତେ ମନାକଲେ ବି ଶୁଣିବେନି ବରଂ କହିବେ,”ଭାଣଜି ତୁମେ ତ ଗୋ ମା ଆମର ଶାଳଗ୍ରାମ, ତୁମର ତ ଗୋଡ଼ ଧୁଇ ପାଣି ପିଇବାର କଥା।’ ମାମୁଁ ଘର ଭାଇଭଉଣୀଙ୍କ ସଙ୍ଗେ ବି ବହୁତ ମଜା କରୁଥିଲୁ। ମାମୁଁଘର ଗାଁ ଯାକର ଯେତେ ବୁଢ଼ାବୁଢ଼ୀ ସମସ୍ତେ ମାନ୍ୟରେ ଅଜା, ଆଈ ,ଆଉ ବୟସ୍କ ଯେତକ ମାମୁଁ ମାଇଁ। ସେମାନଙ୍କ ଆଦର କଥା ମନେ ପଡିଲେ ଆଜିବି ମନ ବତୁରି ଯାଏ । ପିଲାବେଳ ସାଙ୍ଗସାଥି ଖେଳ , ଗ୍ରୀଷ୍ମକାଳୀନ ଛୁଟିରେ ମାମୁଁଘରେ କଟେଇଥିବା ମଧୁର ସ୍ମୃତି ,ସେଠାର ଆଦର ଭୁଲିବାର ନୁହେଁ।
ଆମେ ଗାଁରେ ଥିବା ଦିନତକ ମାଇଁ ଆଉ ମାମା ମିଶି ଆରିସା, କାକରା, ମୁଗ ମଣ୍ଡା , ମୁଗବରା, ବିରିବରା, କଦମ୍ବା ବରା, ଆଖୁ ପଣାଦିଆ ଗଇଁଠା , ସରସତିଆ ଆଦି ପିଠା ପଣା କରି ଖାଇବାକୁ ଦେଉଥିଲେ। ସାଇପଡ଼ିଶାରୁ ବି ପିଠାପଣା ,ରକମ ରକମ ତରକାରୀ ପଠେଇ ଦେଉଥିଲେ , ଖାଇବାକୁ ବି ଡାକୁ ଥିଲେ। ଏତେ ସ୍ନେହ ଆଦର ଭିତରେ ମୋତେ ମନେ ହେଉଥିଲା ଆମେ ଯେମିତି ଗୋଟିଏ ଗୋଟିଏ ରାଜକୁମାରୀ। କୂଅ ମୂଳରେ ତେଣ୍ଡାରେ ହଳିଆ କାଢ଼ି ଦେଉଥିବା ପାଣିରେ ଗାଧେଇବା ବି ତ ଆଉ ଗୋଟେ ବିଳାସ ଥିଲା। ମାମୁଁଙ୍କ ପାଞ୍ଚୋଟି ପୁଅ ଝିଅ, ବଡଭାଇ ମୁନୁ ଦାଦା ଆମଠୁ ବେଶ ବଡ ଥିଲେ, ହେଲେ ସୁଧୀର ଦାଦା ମୋଠୁ ମାତ୍ର ବର୍ଷେ ବଡ, ସବିତା , ବର୍ଷେ ସାନ, ସୁଜାତା ତିନି ବର୍ଷ ସାନ ହେବ, ସବା ସାନ ଝିଅ ବେବି ଆମଠୁ ବହୁତ ସାନ,ସେତେବେଳେ ସେ ଜନ୍ମ ହେଇ ନଥାଏ ।
ମୁନୁଦାଦାଙ୍କୁ ( ବଡ଼ ଭାଇ ) ଛାଡି ଦେଲେ ଆମେ ସମସ୍ତେ ପ୍ରାୟ ସମ ବୟସ୍କ ଭାଇଭଉଣୀ ହେଇଥିବାରୁ ବହୁତ ମଜା କରୁ ,ଏଇ ଯେମିତି ସାଙ୍ଗହେଇ ଯାଇ ବାବାଙ୍କ ଆମ୍ବ ବୁରେଇର କଞ୍ଚାସୁଆଦି ଆମ୍ବ ଖିଆ , ମାମା ବାଡିର କଦଳୀ ମାଠିଆରେ ପୁରେଇ ସୁନାରୀ ପତ୍ରଦେଇ ପାଚିବା ପାଇଁ ରଖୁଥିଲେ, ସେସବୁ ଉପରେ ଆମ ଭାଇ ଭଉଣୀଙ୍କ ସର୍ଜିକଲ ଷ୍ଟ୍ରାଇକ , ମଝିଆଁ ବାବା ଘରୁ ତାଙ୍କ ବାରିର ଟେଭା ସଭିଏଁ ମିଶି ଖାଇବା। ସକାଳେ ସନ୍ଧ୍ୟାରେ ଘରପାଖ ମନ୍ଦିରରେ ଆଳତିର ଘଣ୍ଟ ପିଟା ଓ ଆଳତି ପର ଭୋଗ ଖିଆ, ଖରାଦିନ ରାତିରେ ବାହାରେ ସପ ନହେଲେ ଖଟପାରି ରାମଲୀଳା ଦେଖା , ପିଲାଦିନର ସେସବୁ କଥା ହେତୁକଲେ ମାମୁଁଘର ଏକ ଇନ୍ଦ୍ରପୁରୀ ପରି ମନେହୁଏ। ମାମା ବାବା ,ମାମୁଁ ମାଇଁ ଆଜି ନାହାନ୍ତି ସତ , ହେଲେ ସେମାନଙ୍କ ଆବର୍ତ୍ତମାନରେ ତାଙ୍କର ଅମାପ ସ୍ନେହ, ଆଦର କଥା ମାନେ ପଡ଼ି ଆଖି ଜକେଇ ଆସେ। ଆଜିବି ଜହ୍ନମାମୁଁ ଗୀତ ହେଉ କି ପିଲାଦିନ ଖେଳାଗୀତ “ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ, ମାମୁଁ ମୋତେ ମାଇଲେ,ମାଇଁ ମୋତେ ଦୁଧ ଭାତ ଖୋଇଲେ।” ଶୁଣିଲେ ମନ ଭିତରେ ଏକ ଶିହରଣ ଉଠେ, ମନ କଅଁଳା ବାଛୁରୀ ପରି ଡେଇଁ ଡେଇଁ ଯାଇ ପିଲାଦିନ ସ୍ମୃତିରେ ହଜିଯାଏ। ଆହୁରି ମଧ୍ୟ ସ୍କୁଲ ନଯାଇ ଘରେ ଲୁଚିଥିବା କଥା ବି ମନେ ପଡ଼ିଯାଏ।
କିନ୍ତୁ ଲୁଚିବା କଥାଟା ମୋର ଏକଦମ ପିଲାବେଳର। ନୂଆ ନୂଆ ସ୍କୁଲରେ ନାମ ଲେଖା ହେଇଥାଏ। ସେଇ ବର୍ଷ ଦଶହରା ସମୟରେ ଆମେ ବାଲେଶ୍ବରରୁ ବଲାଙ୍ଗୀର ଆସିଥାଉ। ତଲିଉଡାରରେ କିଛିଦିନ ରହି ମାମୁଁଘର କୁତୁର୍ଲା ଆସିଲୁ। ସ୍ନେହ ଆଦରରେ ଡ଼ିଆଁଡେଇଁରେ ଦୁଇଦିନ କଟିଗଲା। ନାତି ନାତୁଣୀଙ୍କ ପାଠ ପଢ଼ା ପ୍ରତି ବି ବାବାଙ୍କ ତୀକ୍ଷଣ ନଜର । ତୃତୀୟ ଦିନ ବାବା କହିଲେ ,” ଦଶହରା ପରେ ସ୍କୁଲ ସବୁ ଖୋଲିଲାଣି ।ବଡ଼ବୁଇ ତ ସ୍କୁଲ ଗଲାଣି, ତୁମେ ଯେତେଦିନୁ ବାଲେଶ୍ବର ଛାଡ଼ିଲେଣି ଏହାର ସ୍କୁଲ ବନ୍ଦ ହୋଇ ଯାଇଛି , ବେଶିଦିନ ସ୍କୁଲ ନଗଲେ ପଢ଼ାରୁ ମନ ଛାଡିଯିବ, ମୁଁ ଆମର କୁତୁର୍ଲାର ପ୍ରାଇମେରୀ ସ୍କୁଲର ହେଡମାଷ୍ଟରଙ୍କୁ କହିଦେବି , ଏଇଠି ଥିଲା ପର୍ଯ୍ୟନ୍ତ ସୁଧୀର ସାଙ୍ଗରେ ସ୍କୁଲକୁ ଯାଉଥିବା। ” ବାପା ବି,” ଠିକ କଥା ” ବୋଲି ମତଦେଲେ।
ତହିଁ ଆରଦିନ ସକାଳୁ ମାଆ ଗୋଟିଏ ବସ୍ତାନୀରେ ସିଲଟ ଖଡ଼ି ଧରେଇ ଦେଇ ସୁଧୀର ଦାଦାଙ୍କ ସାଙ୍ଗରେ ସ୍କୁଲ ଯିବା ପାଇଁ ବାଧ୍ୟ କଲେ। ନୂଆ ଜାଗା ,ନୁଆ ସ୍କୁଲ ,ମାଷ୍ଟର ଅଚିହ୍ନା, ପିଲାମାନେ ବି ଅଚିହ୍ନା, ସ୍କୁଲ ଯିବାକୁ ମୋର ଜମା ମନ ନଥାଏ। ବାବାଙ୍କ କଥାକୁ ବାପା ବି କାଟି ପାରନ୍ତି ନାହିଁ, ମୋ କଥା କିଏ ପଚାରେ? ଡ଼ରରେ କିଛି କହି ପାରିଲିନାହିଁ, ଦାଦାଙ୍କ ସାଙ୍ଗରେ ବାହାରିଲି। ଗାଁ ମୁଣ୍ଡରେ ସ୍କୁଲ, ସୁଧୀର ଦାଦାଙ୍କ ପଛେ ପଛେ ଯାଉ ଥାଏ, ଦାଦା ଯେମିତି ସ୍କୁଲ ଭିତରକୁ ପଶିଛନ୍ତି , ମୁଁ ଦଉଡି ଦଉଡି ଘରେ ହାଜର। ହେଲେ ଭିତରକୁ ଗଲେ ବାବା ରାଗିବେ। ଘରେ ପଶୁ ପଶୁ ଲମ୍ବା ହୋଇ ଦାଣ୍ଡଘର ଥାଏ। ଦାଣ୍ଡଘର ବାଆଁକଣକୁ ଗୋଟେ ଆଖୁପେଡା ମେସିନ ଥୁଆ ହେଇଥାଏ, ତା ପଛକୁ ପଶି ଗଲି। କେତେଘଣ୍ଟା ସେଇଠି ସେମିତି ଲୁଚି ରହିଥିଲି ମନେ ନାହିଁ କିନ୍ତୁ ଦାଦା ଯେତେବେଳେ ଘରକୁ ପଶିଲେ, ମୁଁ ତାଙ୍କ ପଛେ ପଛେ ହାଜର। ଦାଦା ଯାଇ କହିଲେ “ବିଷ୍ଣୁ ସ୍କୁଲ ନ ଯାଇ ,ଫେରି ଆଇଲା “। ବାବାଙ୍କୁ ଡରି ମୁଁ କହିଦେଲି, “ନାଇତ ଯାଇଥିଲି, ତୁମର ପଛେ ପଛେ ଗଲି ଯେ ।” ସେ ବି ଆଉ କିଛି କହିଲେନି, ଚୁପ ରହିଲେ। ଘରେ ସମସ୍ତେ ଭାବିଲେ ମୁଁ ସ୍କୁଲ ଯାଇଥିଲି।
ହତଗୋଡ଼ ଧୋଇ ଦ୍ୱିପ୍ରହର ଖାନା ଖାଇସାରି ଶୋଇବାକୁ ଗଲୁ, ମାଙ୍କ ସାଙ୍ଗରେ ମୁଁ ଓ ମୋ ସାନଭଉଣୀ ଢ଼ବାଘରେ ଗୋଟାଏ ଖଟରେ ଶୋଇଥାଉ , ଲୁଚି ଥିବାରୁ , ମିଛ କହିଥିବାରୁ ଡର ଲାଗୁଥାଏ “ପାପ ଲାଗିଯିବ।” କାରଣ ଆଗରୁ ମାଆ ବହୁଥର କହିଛନ୍ତି,”ମିଛ କହେଲେ ପାପ ଲାଗେ “। କେଉଁ ଗପରେ ଶୁଣିଥିଲି ଠିକ ମନେ ନାହିଁ କିନ୍ତୁ ବହୁଦିନ ପର୍ଯ୍ୟନ୍ତ ମନରେ ଭୟ ଥିଲା ଯେ ମିଛ କହିଲେ ପାପ ଲାଗିଯିବ,ମାନେ ଦେହରେ ଗୋଟେ ଲାଲ ରଙ୍ଗର କି କଳା ରଙ୍ଗର ଘା ପରି କିଛି ହେଇଯିବ। ଭୟରେ ମାଆଙ୍କୁ ଜାବୁଡ଼ି ଧରି ବହୁତ କାନ୍ଦିଲି ଓ କାନ୍ଦି କାନ୍ଦି ସବୁ ସତ କହିଦେଲି।
ମାଆ କିନ୍ତୁ ରାଗି ନଥିଲେ, ବରଂ ବୁଝେଇଲେ ଯେ ସ୍କୁଲ ନଯାଇ ଲୁଚିବା ଭୁଲ କଥା, ଠକିବା ମିଛ କହିବା ଆହୁରି ଭୁଲ କଥା। ପାପ ତ ନିଶ୍ଚୟ ହେବ। ବାବା ମୋର ଭଲ ପାଇଁ ହିଁ ସ୍କୁଲ ଯିବା କଥା କହିଥିଲେ। ମାଆ ମୋତେ ବୁଝେଇ ଥିଲେ ଯେ ଯଦି ବାବା ଓ ବାପାଙ୍କ ଆଗରେ ସତ କଥା କହି କ୍ଷମା ମାଗିବି ଓ ଆରଦିନ ଠାରୁ ସ୍କୁଲ ଯିବି,ତେବେ ପାପ ପଳେଇଯିବ। ମାଆଙ୍କ କଥା ମାନି ସନ୍ଧ୍ୟାବେଳେ ସମସ୍ତଙ୍କ ଆଗରେ ମୋର ଦୋଷ ମାନିଗଲି ଓ ଆରଦିନ ଠାରୁ ଦାଦାଙ୍କ ସାଙ୍ଗରେ ସ୍କୁଲ ଗଲି। ଅତୀତର ସେଇ ଘଟଣାକୁ କେବେ କେବେ ତର୍ଜମା କରି ଭାବେ ମାଆ କାହାଣୀ ଛଳରେ ପାପ ଲାଗିବ କଥା କହି ନଥିଲେ କି ସେଦିନ ସ୍ନେହରେ ବୁଝେଇ ନଥିଲେ ମୁଁ ବୋଧହୁଏ ଆହୁରି ଏମିତି କେତେ ଭୁଲ ଜୀବନରେ କରିଥାନ୍ତି। ସେପରି ଭୁଲର ବି ଆଉ କେବେ ପୁନରାବୃତ୍ତି ହେବା ମନେନାହିଁ। ମାଆ ଆମକୁ କେବେବି ରାଗିବା ମୋର ମନେ ନାହିଁ। ମାଆଙ୍କ ଧୈର୍ଯ୍ୟ ଓ ସହନଶୀଳତା ମୋତେ ପରବର୍ତ୍ତୀ ଜୀବନରେ ଏମିତି କେତେ ଚକା ଭଉଁରୀରୁ ଉଦ୍ଧାର କରିଛି , ସଠିକ ଦିଗଦର୍ଶନ ଦେଇଛି ।
Comments are closed.