ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ନବମ ଭାଗ ’
ନବାକ୍ଷରୀ ପଦ ରଚନା ମଧ୍ୟ ଭୀମଭୋଇଙ୍କ କାବ୍ୟ କୃତିରେ ଏକ ବିଶିଷ୍ଟ ଲକ୍ଷଣ ବୋଲି ବିବେଚନା କରାଯାଏ।। ତାଙ୍କ ରଚିତ କାବ୍ୟ ‘ଅଷ୍ଟକ ବିହାରୀ ଗୀତା’ , ‘ ନିର୍ବେଦ ସାଧନ’ ରେ ସେ ନବାକ୍ଷରୀ ପଦ ପ୍ରକରଣର ଶ୍ରେଷ୍ଠତମ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଠିକ ସେହିପରି ପ୍ରଶ୍ନୋତ୍ତର ଶୈଳୀରେ କାବ୍ୟ ରଚନା ଭୀମଭୋଇଙ୍କର ଅନ୍ୟ ଏକ ବିଶେଷତ୍ୱ। ଏହାର ଦୃଷ୍ଟାନ୍ତ ହେଉଛି ‘ବ୍ରହ୍ମ ନିରୂପଣ ଗୀତା’ ଓ ‘ଆଦିଅନ୍ତ ଗୀତା’ । ଏପରି ପ୍ରଶ୍ନୋତ୍ତର ଶୈଳୀରେ ରଚିତ କାବ୍ୟର ବିଶେଷତ୍ୱ ହେଲା କବିଙ୍କ ଭାବର ନୈବ୍ୟକ୍ତିକ ପରିପ୍ରକାଶ ।
ତେଣୁ ତାଙ୍କ ଦୃଷ୍ଟିରେ ମଣିଷକୁ ଛାଡ଼ି ଧର୍ମ ହେଉ ଅଥବା କାବ୍ୟକବିତା ହେଉ, ଏହାର ପରିକଳ୍ପନା କରିହୁଏ ନାହିଁ। । କବି କର୍ମ ଜଣେ ବ୍ୟକ୍ତି ପାଖରେ କେବଳ ଏକ ସୀମିତ କର୍ମ ନୁହେଁ ବରଂ ଏହା ସମ୍ପ୍ରସାରିତ ହୁଏ ସମଗ୍ର ସାମାଜିକ ପୃଷ୍ଠଭୂମିକୁ।
ଧର୍ମ , ଦର୍ଶନ ଓ ଆଧ୍ୟାତ୍ମିକତା ଆମ ଜୀବନର ଅସଲ ପ୍ରାଣସ୍ରୋତ। ଯାହା କେବଳ ମାନବବାଦ ଉପରେ ପ୍ରତିଷ୍ଠିତ। ସାମୁହିକ ଜନକଲ୍ୟାଣ ହେଲା ତାଙ୍କ ପାଇଁ ଏକ ମାଧ୍ୟମ, ଏକ ଆୟୁଧ। ଆନ୍ୟାୟ , ଅନୀତି , ସାମୁହିକ ଚାପ ଓ ନୈତିକ ମୂଲ୍ୟର ଅବକ୍ଷୟ ବିରୁଦ୍ଧରେ ଏହା ଥିଲା ତାଙ୍କର ଏକ ସାରସ୍ଵତ ସମର।
ଏ ଅନନ୍ୟତା ତାଙ୍କୁ ଦିଏ ନୂତନତା ଓ ଆଧୁନିକତାର ପରିଚୟ। ଭୀମ ଭୋଇଙ୍କ କ୍ଷେତ୍ରରେ ଧର୍ମ ଓ ଆଧ୍ୟାତ୍ମିକତା କାବ୍ୟିକ ପ୍ରକ୍ରିୟା ପାଇଁ ଯେଉଁ ପରି ଆବଶ୍ୟକ ଥିଲା , ସେହିପରି ଏହା ମଧ୍ୟ ଥିଲା ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ। ତେଣୁ ଧର୍ମ , ସମାଜ ଓ ସାହିତ୍ୟ ସଭିଏଁ ହାତ ଧରାଧରି ହୋଇ ଏକା ସାଙ୍ଗରେ ଚାଲିଥିଲେ।
ଏଇଠି ଦେଖିବାର କଥା କିପରି ଭୀମଭୋଇଙ୍କ ରହସ୍ୟବାଦୀ କଳ୍ପନା ତାଙ୍କର ପୂର୍ବସୂରୀ ଅଚ୍ୟୁତାନନ୍ଦଙ୍କଠାରୁ କେବଳ ଭିନ୍ନ ନୁହେଁ ବରଂ ଗୋଟିଏ ସ୍ଵତନ୍ତ୍ରକୋଟିରେ ଉଚ୍ଚତର ହୋଇ ଦଣ୍ଡାୟମାନ। ଅଚ୍ୟୁତାନନ୍ଦଙ୍କ ରହସ୍ୟବାଦୀ କବିତାରେ ଯେଉଁ ପ୍ରହେଳିକାମୟ ଜୀବ-ପରମବାଦ ବିସମ୍ବାଦ , ତାର ପ୍ରଧାନ ଉପଜିବ୍ୟ ଥିଲା ଗୋଟିଏ ସୈଦ୍ଧାନ୍ତିକ ବ୍ୟକ୍ତି । ସେ ବ୍ୟକ୍ତି ମୁଖ୍ୟ ରୂପରେ ଥିଲା ଗୋଟିଏ ପ୍ରତୀକ। ଯେଉଁ ହଂସ , ଯୁଇଫୁଲ , ପୋଖରୀ ମନ୍ଦିର ବା ନୂଆବୋହୁମାନଙ୍କର କଥା ଅଚ୍ୟୁତାନନ୍ଦ ଲେଖିଲେ, ସେମାନେ ସତ୍ତାର ଗୋଟିଏ ଲେଖାଏଁ ପ୍ରତୀକାତ୍ମକ ଭାବମୂର୍ତ୍ତି । କେତେବେଳେ ଜଡ଼ ତ କେତେବେଳେ ଜଙ୍ଗମ, କେତେବେଳେ ମୌନ ତ କେତେବେଳେ ମୁଖର। କିନ୍ତୁ ସେ ସୈଦ୍ଧାନ୍ତିକ ବ୍ୟକ୍ତିତ୍ୱର ଆବେଗ ନଥାଏ ; ସେତିକି ଇନ୍ଦ୍ରିୟାନୁଭବ ପାଇଁ ଯଥେଷ୍ଟ ହୁଏ ନାହିଁ। ତେଣୁ ଅଚ୍ୟୁତାନନ୍ଦଙ୍କ ରାହସ୍ୟବାଦ ଅତି କଳ୍ପନାର ତୁଙ୍ଗରେ ପ୍ରଜ୍ଞା ଲବ୍ଧ ଗୋଟିଏ ଦୃଷ୍ଟି ମାତ୍ର ହୋଇ ରହିଯାଏ। ଭୀମ ଭୋଇଙ୍କ ରାହସ୍ୟବାଦ ଯଦିଓ ତାତ୍ତ୍ଵିକ ଦିଗରୁ ସେଇ ଏକା ନିର୍ଗୁଣ କାବ୍ୟ ପରମ୍ପରାର ଅଂଶ ବିଶେଷ ତେବେ ଏଠାରେ ପ୍ରଜ୍ଞାର ଶିଖରରୁ ଓଲ୍ହାଇ ଆସି ଗୋଟାଏ ବ୍ୟକ୍ତିଜୀବନ ନିଜର ବିଡ଼ମ୍ବିତ ସତ୍ତାକୁ ନିରୀକ୍ଷଣ କରେ, ଛାଟିପିଟି ହୁଏ । ସଂକ୍ଷେପରେ କହିଲେ କାବ୍ୟାନୁଭୂତିର ପ୍ରତୀକରେ ପରିଣତ ହେବାର ପ୍ରକ୍ରିୟାଟି ଭୀମ ଭୋଇଙ୍କର ସୃଜନଶୀଳତା ।
କ୍ରମଶଃ
Comments are closed.