ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ହେ ସତ୍ୟବାନ ! ମୋ କଥା ଟିକେ ମନଦେଇ ଶୁଣ । ବହି ମାଗାଜିନଠୁ ସୋସିଆଲ ମିଡ଼ିଆରେ ଯାହାସବୁ ଆମ ନାଁ ରେ ଲେଖୁଛ.. ଚାରିଆଡେ ଗପୁଛ, ସେସବୁ ପଢି ଶୁଣି ଆମ ଛାତି ଫାଟି ଯାଆନ୍ତାଣି । ନଫାଟି ରହିଛି ଏଇଥିପାଇଁ ଯେ, ତମରି ଫଟ ମୂରତିକି ଆମେ ଛାତି ଭିତରେ ସାଇତିରଖିଛୁ । ଯଦି ଛାତି ଫାଟେ ତେବେ ତମ ଫଟ ଛଟପଟ ହବ କି ନା କେବେ ଭାବିଛ? ନା, ଖାଲି ତୁଚ୍ଛା ବାହାଦୁରି ଦେଖେଇ ନିନ୍ଦୁଛ ।
ହେଇଟି.. ଆଉ କାହା କଥା ଛାଡ଼ । ମୁଁ ସଫା ସଫା କହିଦଉଛି.. ଆଉ ଏମିତି ହୁଅନି କି କୁହନି କି ମୋ ଅନ୍ତରକୁ ଦହନି । ବୁଝିଲ। କଣ ଯେତେ ସାବିତ୍ରୀ ଅଛୁ,.. ତମକୁ ସବୁ ଲୁଟିଯାଉଛୁ.. ଖାଇ ଯାଉଛୁ.. ଗିଳିଯାଉଛୁ.. ଚୁଟି ଓପାଡି ଲଣ୍ଡାକରି ଚନ୍ଦା କରିପକଉଛୁ.. ତମକୁ ଶୋଷି ରକତ ଶୂନ୍ୟ କରିଦଉଛୁ.. ବ୍ୟାଙ୍କ ବାଲାନ୍ସ ସହିତ ତମ ବାଲାନ୍ସ ଫେଲ କରିଦେଉଛୁ… ଦରିଦ୍ରକରି ମଝି ଦରିଆରେ ବୁଡେଇ ବଡ ଦାଣ୍ଡରେ ଗଡେଇଦଉଛୁ ବୋଲି କହିପକାଉଚ.. ଲେଖିଚାଲିଛ?
ହୟୋ! ତମର ସେଇଟା ମୁଣ୍ଡ ନା ଗୋବର ଗଡିଆ ? ଶୁଣିବ ବୋଲି ଆମ ତୁଣ୍ଡ ଖୋଲିବାକୁ ବାଧ୍ୟ କରୁଚ? ଆରେ ତେମେ ବରଷକୁ ଦିନେ ଭଲ ନୂଆ ଶାଢ଼ୀ ଗୋଟେ, ଭଲ ଚୁଡ଼ି ମୁଠେ , ଅଳତା ଶିଶିଟେ, ସିନ୍ଦୁର କରାଟେ, ସେଓ, ଅଙ୍ଗୁର, ଡାଳିମ୍ବ, ଖଜୁରୀ, ସେପେଟା, ସପୁରି, ଆମ୍ବ ମିଶେଇ ଚାରି ପାଞ୍ଚ କିଲ କିଣିଦେଲେ, ଏମିତି ତମ ଧନ ସରିଯାଉଛି ? କଣ ଆଗରୁ ତ ଧନ ଧନ ଡାକି କନ କନ ଉଚ୍ଛନ୍ନ ମନ ହେଇ ଭାରି ଜୋରେ ଆମ ପଶ୍ଚାତ ଧାବନ କରୁଥିଲ । ଏବେ କଣ ଏମିତି ଓଲଟିଗଲା? ହଁ ମୁଁ ମଣୁଛି , କିଏ କାହାକୁ କୋଉଠି କହିଥିବ.,. ଟଙ୍କା ପାଁ ଶ କି ହଜାରେ ବେଶି ପଡ଼ୁ ପଛେ ଭଲଶାଢ଼ୀଟେ କିଣିଦେବାକୁ.. ଯାହାକୁ ଛ, ମାସେ ବର୍ଷେ ପିନ୍ଧିବ କି ବାହାରକୁ ବନ୍ଧୁ ବାନ୍ଧବୀ ଘରକୁ ପିନ୍ଧି ଯାଇହେବ ।
ଯୋଉଥିରେକି ସେ ଦେଖେଇବ ତା ସ୍ୱାମୀର ଭଲପାଇବା.. ମରଦପଣିଆ.. ବଢେଇବାକୁ ସନମାନ। ଏଇଥିରେ ଏତେ ରୋଳା? ସବୁରି ମୂଳରେ ପରା ସ୍ୱାମୀର ସ୍ୱାର୍ଥ.. ସ୍ୱାମୀର ହିତ। ଦୀର୍ଘାୟୁଷ ପାଇଁ ଏଡ଼େବଡ଼ ବ୍ରତ ।
ଆହେ.. ଆମେ ଘରଯାକର ବାର ପାଇଟି କରୁ । ଝାଡୁ ମରା , ବାସନ ମଜା, ରନ୍ଧାବଢ଼ା, ଅତିଥି ଚର୍ଚ୍ଚା, ଗୁରୁ ଗୁରୁଜନଙ୍କ ପାଦଘଷା,… ଏମିତି କେତେ କଣ। ଆମେ ଯୋଉ ସାବିତ୍ରୀ ଓଷାରେ ଉପାସେ ରହୁ, ତମଦିଆ ଶାଢ଼ୀ ଶଙ୍ଖା ଫଳମୂଳ ନେଇ ମନ୍ଦିରଯାଇ. ପୂଜାକରେଇ ପିନ୍ଧି ଖାଇ ତମରି ଆୟୁ ଓ ମଙ୍ଗଳକାମନା କରୁ.. ବ୍ରତ ପାଳୁ । ତମେ ଆମ ସନମାନ ଇଜ୍ଜତ ରଖିବ ନା ନିନ୍ଦାଗାଇ ମାନହାନୀ କରିବ? ବରଂ ନିଜେ ନିଜ ଅଯୋଗ୍ୟପଣକୁ ପଦାରେ ପକାଉଛ । ଆରେ ଆମେ ଚାହୁଁ.. ସାହି ପଡୋଶୀ, ବନ୍ଧୁ ବାନ୍ଧବୀ ତମ ଦାମୀ ଶାଢ଼ୀ ଅଳଙ୍କାର ଦେଖି ତମରି ତାରିଫ କରନ୍ତୁ l ତମକୁ ଧନ୍ୟ ଧନ୍ୟ କହନ୍ତୁ।ତମେ କୋଟିଏ ରେ ଗୋଟିଏ ବୋଲି ଜାଣନ୍ତୁ। ହେଲେ ତମେ କଣ କିଛି ବୁଝୁଛ? ଖାଲି ଆମରି ଉପରେ ଗର ଗର ହେଇ ରାଗ ସୁଝାଉଛ । ବାଧିଲା ଭଳିଆ କଥା କହୁଛ l ଧିକ ଧିକ ତମ ହଜବ୍ୟାଣ୍ଡ ପଣକୁ ଧିକ ତମ ଗିରସ୍ତ,. ପତି ପଣିଆକୁ… ଶହେ ଧିକ ତମ ସ୍ୱାମୀଗିରିକୁ ।
ହଇଏ ! ମନେପକାଅ ଆମକଥା । କାଳେ ଭୁଲିଯାଇଥିବ କହୁଛି ।ମୁଁ କଲେଜରେ ପଢିଲାବେଳେ ଦିନେ ମାସେ ବର୍ଷେ ନୁହେଁ.. ପୂରା ତିନି ବରଷ ପରା ମୋ ପଛରେ “ଆଇ ଲଭ ୟୁ ” ଚିକ୍କଣ ମଧୁର ସ୍ୱର ଶୁଣେଇଛ । ମୁଁ ନାହିଁକଲେ ବି ଗାଡିରେ ବସେଇ ପେଟ୍ରୋଲ ପୋଡେଇ ଟଙ୍କା ଉଡେଇ କେତେ କୁଆଡେ ବୁଲେଇ ନେଇଛ । ନାମୀ ଦାମୀ ହୋଟେଲ ରେସ୍ତୁରାଣ୍ଟରେ ମୋଟା ଟଙ୍କା ଖର୍ଚ୍ଚକରି ଖୁଆଇଛ । ମୋ ବାର୍ଥ ଡେ ପାଳିଛ । ଦାମୀ ଗିଫ୍ଟ ଦେଇଛ । ମଲରେ ସପିଙ୍ଗ କଲାବେଳେ ଡ୍ରେସ କିଣିବାକୁ ମୁଁ ହଜାରେ କହିଲେ.. ଦୋକାନୀକି ଆଖିରେ ଠାରି ତିନିରୁ ପାଞ୍ଚହଜାରେ ଦେଇ କିଣେଇଛ । ମଲେଇ ଖୋଇଛ, କୋଲଡ଼ ଡ୍ରିଂକ୍ସ ପ୍ୟାଇଛ। ତମେ ତ ମୋତେ ଦାମିକା ସ୍ମାର୍ଟ ଫୋନ କିଣିଦେଇ ନିଜପକେଟରୁ ତିନି ମାସିଆ ରିଚାର୍ଜ କରି ନେଟିଂ, ଚାଟିଙ୍ଗ, ଭିଡିଓ କଲିଂ କରିବାକୁ ବାଧ୍ୟ କରେଇ ମୋ ମୁହଁ ବଢ଼େଇଛ । ରାତି ରାତି ଅନିଦ୍ରାହେଇ ମୋ ସହ ଗପିଛ । ଗଦା ଗଦା ସପନ.. କୁଢ଼ କୁଢ଼ ପ୍ରତିଶୃତି ଅଜାଡି ଦେଇଛ। ବାହାହବାକୁ ମନେଇ ବାଧ୍ୟ କରିଛ। ପାର୍ଲରେ ମୋ ଚୁଟିକାଟି ସଜେଇ ବିୟୁଟି ବନେଇଛ । ପାର୍କରେ ରୋମାନ୍ସ କରିଛ । ଆଇସକ୍ରିମ, ହଟ ପିଜା, ଚିକିନ ପକଡା, ମଟନ, ସୁପ, ଫଳ ଜୁସ ସବୁ ଖୁଆଇ ପିଆଇ ଖୁସିରେ ନାଚିଛ । ନଖାଇଲେ ନିଜ ଆଖିରୁ ରାଣପକେଇ ତମରି ହାତରେ ଖୋଇଦେଇଛ । ଯଦି କେବେ ଦୁଃଖ ଦେଖିଚ.. କେତେ ଗେଲକରି ପଚାରି ହସେଇଛ । ଆଉ କୋଉଠି ମୋ ବାହାଘର ନହଉ ବୋଲି ପ୍ରସ୍ତାବ ଭଙ୍ଗେଇଛ । କହିଛ… ମତେ ନପାଇଲେ ତମ ଜୀବନ ଅଧା ବାଟରେ ଅଟକିଯିବ । ନଲେ ଜୀବନ ଛାଡ଼ିଯିବ.. ମରିଯିବ । ଖାଲି ମତେ ବାହାହେବ ବୋଲି ମୋ ସାନ ଭଉଣୀ , ଭାଇଙ୍କ ଖୁସିପାଇଁ ମୁଠା ମୁଠା ଟଙ୍କା ସାରି ଦାମିକା ଚକଲେଟ.. ଦାମୀ ଡ୍ରେସ. କେତେ ଦାମୀଗିଫ୍ଟ ଦେଇଛ । ମୁଁ ତମ ବୁଦ୍ଧିରେ ତମ ଖୁସିପାଇଁ ପାଠପଢା ଭୁଲି ସାଥୀରେ ବୁଲି ଫାଷ୍ଟ ହେଉ ହେଉ ଫେଲ ହେଲି । ମାମ୍ମୀ ଡାଡିଙ୍କଠୁ କେତେ ଗାଳି ଖାଇଲି। ଶେଷରେ ତମ ହାତ ଧରି ବାହାହେଲି, ଏଥିପାଇଁ ଯେ ତମକୁ ମୁଁ ଧୋକାଦେଇଛି.. ଶୁଣିବିନିବୋଲି। ତା ଛଡା ତମ ସ୍ବପ୍ନ ସାକାର ହେବ… ତମଦିଆ ପ୍ରତିଶୃତି ଗୁଡାକ ପୂରଣହେବ… ଏଇ ଆଶା ଭରସାରେ।
ତମେ କହିଥିଲ… ବାହାହେବା ପରେ ଆମେ ଗାଁ କି ଛୋଟିଆ ସହର ନୁହଁ, ବରଂ ମେଟ୍ରୋସିଟିରେ ରହିବା । ହନିମୁନ ପାଇଁ ମଦରଲ୍ୟାଣ୍ଡ ଛାଡି ନେଦରଲ୍ୟାଣ୍ଡରେ ରହିବା । ଆଉ ଏ ପୃଥିବୀ ନୁହଁ, ଚନ୍ଦ୍ର ରାଇଜରେ ଘର ତୋଳିବା । ଫୁଲ ଦୋଳିରେ ଝୁଲେଇବ…. ନନ୍ଦନ ବନରେ ବୁଲେଇବ । ହେଲେ କଣ ହେଲା? ବାହା ପରଠୁ କଥାହେବାକୁ ସମୟ ନାହିଁ । ପରିବା କିଣିବାକୁ ପଇସା ନାହିଁ । ଚନ୍ଦ୍ରଲୋକ ଛାଡ଼.. ଚନ୍ଦ୍ରଭାଗା ବୁଲିଯିବାକୁ ଫୁରସତ ନାହିଁ। ବରଂ ବାରମ୍ବାର କହୁଚ… ମୁଁ ତମକୁ ଚନ୍ଦେଇ ଚନ୍ଦେଇ ଚନ୍ଦା କରିଦେଲି ? ହୟୋ ! ନିତି ମୋ ନିନ୍ଦାକରି ଗୋଟେ ଧନ୍ଦା ଲଗେଇଛ? ଅନ୍ୟଦିନ ଛାଡ଼ , ସାବିତ୍ରୀ ଭଳିଆ ଓଷାରେ ସୋସିଆଲ ମିଡ଼ିଆରେ ମୋ ବିରୁଦ୍ଧରେ ଲେଖି ଲୋକହସା କରୁଚ ! ମୁଁ ତମକୁ କୁଆଡେ ଶୋଷଣ କରି କଷଣ ଦଉଛି… ନିର୍ଯାତନା ଦଉଛି ବୋଲି ଦୋଷ ଲଦୁଛ । ନିଜକୁ ପଚାର… ତେମେ ଭଲକାମ କାମ କରୁଛ ? ଦିନେ ମୋ ମନକଥା ବୁଝିବାକୁ ଚେଷ୍ଟାକରିଛ? ମୁଁ ତୁଣ୍ଡଖୋଲି ବରଷେ ହେଲାଣି କହିଲାଣି… ମୁଁ ହେବାକୁ ଚାହେଁ l ହୁଁ…ଶୁଣି ନଶୁଣିଲା ମୁହଁ ଆଡେଇ ପଳଉଛ l କୋଉଠି କି କାମ କରୁଛ କେଜାଣି ନିଇତି ରାତିଅଧରେ ଘରେ ଫେରୁଛ l ଖାଇବାକୁ ଡାକିଲେ ବୋତଲ ଚଢେଇ ବକୁଚ । ମନରେ କଣ ଅଛି କେଜାଣି ମୋ ଠୁ ଦୂରେଇ ଦୂରେଇ ରହୁଛ । ଅଲଗା ହେଇକି ଶୋଉଛ ।
ବାହାହବା ଆଗରୁ ମୁଁ ତମକୁ ଅପସରୀ ପରି ଦୁଶୁଥିଲି.. ମହ ମହ ଖାଲି ବାସୁଥିଲି । ଏବେ ମୋ ପାଖରୁ ଅପସରି ଯାଉଛ.. ଭୁଲ ବାଛୁଚ। ଯାହା ରାନ୍ଧିଲେ ଯାହା କହିଲେ.. ଯାଛା ତା କରି ଶୋଧୁଚ। ମୋ ମରମକୁ ଭାରି ବିନ୍ଧୁଚି.. କର୍ମକୁ ଆଦରି ଭାଗ୍ୟକୁ ମୋର ନିନ୍ଦୁଛି ।
ଦେଖ.. ସତ କହୁଛି ମୁଁ ସୀତା ସାବିତ୍ରୀ ଦେଶର ପତିବ୍ରତା ସତୀ ନାରୀ l ରାଗରେ ସିନା କେତେବେଳେ ଘରେ ତମକୁ ବାରକଥା କହିଛି । ହେଲେ ବାହାରେ କାହାଠୁ କଣ ମୁଁ ପତି ନିନ୍ଦା ସହି ପାରୁଛି?
କିଏ ତମକୁ ମଦୁଆ.. କୋଡ଼ିଆ.. ବେକାରିଆ.. ବେରୋଜଗାରିଆ.. ପରଘର ପଶା ଦରିଦ୍ର ନକହନ୍ତୁ ବୋଲି ଭଲ ଶାଢ଼ୀ, ଗହଣା ପାଇଁ ଜିଦିକରେ.. ଖାସ ତମରି ପ୍ରଶଂସା ଅନ୍ୟଠୁ ଶୁଣିବିବୋଲି କିଛି ନବୁଝି ମତେ ଅପନିନ୍ଦା ଦଉଚ.. ନା ନିଜ ମହତ ସନମାନ ସାରୁଛ..? ହେଇଟି ଶୁଣ, କେତେବେଳେ ସିନା କଣ ହେଇଯାଇଥିଲା, ଏବେପରା ଆମେ ଅରଜିନାଲ ହାଜବ୍ୟାଣ୍ଡ.. ୱାଇଫ । ମାନେ ଖାଣ୍ଟି ପତି.. ପତ୍ନୀ l ନଖକୁ ମାଉଁସ ଯୋଡ଼ିଲା ବାଗିଆ ସ୍ୱାମୀ ସ୍ତ୍ରୀ । ଏ କଥାକୁ ମଥାରେ ପୂରେଇ ବଚନ କଅଁଳ କର। ମୋତେ ଭଲ କହି ମୋ ଗୁଣଗାନ କର। ମୋ ରାଣ ମତେ ଭଲପାଅ। ନଇଲେ ଯୋଉ ନାରୀ ସାଵୀ ବୁଦ୍ଧି ବଳ କୌଶଳ ରେ ଯମଠୁ ଜୀବନ ଫେରେଇଆଣିଥିଲା… ସେଇ ନାରୀ ଥରେ ରାଗି ନିଆଁ ହେଇଗଲା ନା ତେବେ ସଂସାର ଜାଳିଦେବ। ଯୋଉ ସୋସିଆଲ ମିଡିଆରେ ତେମେ ଲେଖୁଛ , ସେଇଥିରେ ତମେ ନିର୍ଯାତନା ଦେଉଛବୋଲି ଚାରିଧାଡି ଯଦି ଲେଖି ଛାଡିଦେବୁ ତେବେ ହାଜତ ଭିତରେ ପଶି ବସି ବସି ରାତିସାରା ମଶା ମାରୁଥିବ… ଗୁଣ କୁ ଆମର ଭଜୁଥିବ।
ଶେଷଥରପାଇଁ କହୁଛି ଶୁଣ, ତେମେ ମୋର ଏକମାତ୍ର ଜୀବନ ଧନ, ମୋ ସୁନା, ମୋ ହୀରl, ମୋ ଗେଲୁ, ମୋ ପୁଚୁ । ଆଜିଠୁ ତମ ପାଟି ଚୁପୁ । କହିଲାମାତ୍ରେ ବୁଲେଇନବ। ଯାହା କହିବି କିଣେଇଦବ । ମୋ ଦୋଷ ନଧରି ଦୋସା ଗୁପୁଚୁପ ଖୁଆଇବ। ମୋ ମୁଣ୍ଡ ଥାପୁଡ଼େଇ ଶୁଆଇଦେବ । ଦୋଷଦେବା ସବୁଠୁ ବଡଦୋଷ.. ଆଜିଠୁ ଛାଡିବ ।
ବୁଝିଲ, ତେମେ ଯେତିକି ବଦନାମ କରିଛ.. ମୁଁ ଆତ୍ମହତ୍ୟା କରି ମର୍ଡନ ମରଣକୁ ବରଣ କରିସାରନ୍ତାଣି। ମରିନି କାହିଁକି ଜାଣ? ଯେବେ ପିଲାପିଲି ହେବ… ମୋବିନା ତେମେ କଲବଲ ହେବ l ପିଲା ନକଲେ ସରଗରେ ଥାଇ ଅଣପୂ୍ରୁଷl ବୋଲି ତମ ବଦନାମ ଶୁଣିଲେ କି ବନ୍ଧ୍ୟl ଦୋଷ ମତେ ଲାଗିଲେ ଭାରି ବାଧିବ। ତେଣୁ ନମରି ଜିଇଁଛି l ତମ ଧମକକୁ ଧର୍ଯ୍ୟଧରି ସହିଛି। ସତୀ ନାରୀ କଣ ପତି ନିନ୍ଦା ଶୁଣିପାରେ? ରହୁଛି । ପତ୍ନୀ ଦୋଷ.. ସର୍ବକାଳେ ମାର୍ଜନୀୟ l l
Comments are closed.