Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ମୋର ସନ୍ଦେହ ହେବାରୁ ପଚାରିଲି ନା… । ତୋ ବାହାଘର ପୂର୍ବରୁ ଆମେ ଭଞ୍ଜନଗର ଛାଡ଼ିଥିଲୁ । ଡାଡ଼ିଙ୍କ ବଦଳି ହୋଇଥିଲା । ତୋ ବାହାଘର ବେଳକୁ ମୁଁ ଦିଲ୍ଲୀରେ ପଢ଼ୁଥିଲି । ଆମ ସାଙ୍ଗରେ ଗୋଟେ ଝିଅ ପଢ଼ୁଥିଲା, ନିହାରୀକା, ଖୁବ୍ ଡ଼େଙ୍ଗୀ ଗୋରା ଓ ତନୁପାତଳୀ ଝିଅ… ମନେ ଅଛିନା… ? ତା’ ସହ ଦେଖାହୋଇଥିଲା ଗୋଟେ ଏକ୍‌ଜିବିସନ୍‌ରେ । ତା’ଠୁ ଯାହା ଶୁଣି ଥିଲି, ସେମିତି ତ ତୋ ଘରେ ଦେଖିଲିନି । ଅଥଚ ମୁଁ କେବଳ ସେଇ ଆଶା ନେଇ ଆସିଛି । ବିସ୍ମିତ ହେଲା ପଦ୍ମିନୀ ।- କାହିଁ, କେଉଁ ବିଷୟରେ ତୋ’ର ସନ୍ଦେହ ?

… ପଚାରୁନୁ ??

-କଥା କ’ଣ କି, ନିହାରୀକା ଯାହା କହୁଥିଲା, ତୋ ସ୍ୱାମୀ ଅଦ୍ୱିତୀୟ ସୁନ୍ଦର… ସୁପୁରୁଷ ବୋଲି । ଅଥଚ ଏବେ ତୋ ଘରେ ଯେଉଁ ପୁରୁଷ ଜଣକୁ ଦେଖିଲି, ସେ ଅସୁନ୍ଦର ନ ହେଲେ ମଧ୍ୟ ଅଦ୍ୱିତୀୟ ନୁହଁନ୍ତି ।
ପଦ୍ମିନୀକୁ ଅଚାନକ ହଲେଇ ଦେଇ କହିଲା- ଆରେ, ଏମିତି କ’ଣ ଠିଆହେଇ ଗପୁଥିବା !

ପଦ୍ମିନୀ ଏକରକମ ମୀନାକ୍ଷିକୁ କୋଳେଇ ଧରି ଶୋଇବା ଘରକୁ ଟାଣିନେଲା । ଉଭୟେ ସାମନାସାମନି ଖଟ ଉପରେ ବସି ପଡିଲେ । ମୀନାକ୍ଷି କିଛିକହିବା ପାଇଁ ଉଦ୍ୟତ ହେବା ସମୟରେ ହଠାତ ତା’ର ଦୃଷ୍ଟି ମୁଖସ୍ଥ କାନ୍ଥରେ ଟଙ୍ଗା ଯାଇଥିବା ଚନ୍ଦ୍ରଭାନୁଙ୍କର ଫଟୋ ଉପରେ ଅଟକିଗଲା । ପଦ୍ମିନୀ ତାକୁ ହଲାଇ ଦେବାରୁ ତତ୍‌କ୍ଷଣାତ୍‌ ସେ ବିଛଣାରୁ ଉଠିପଡ଼ି ଫଟୋ ପାଖରେ ପହଞ୍ଚି ଗଲା । ଉଭୟ କଣ୍ଠରେ ଓ ଆଖିରେ ଯୁଗଯୁଗର ବିସ୍ମୟ ଭରି ପଚାରିଲା- ପଦ୍ମିନୀ.. !

ଏ ଫଟୋ… ? ତୁ ତେବେ ଚିହ୍ନୁ .. ?

ପଦ୍ମିନୀ ମୂକ ବନିଗଲା । ଏଭଳି ଆକସ୍ମିକତା ପ୍ରତି ସେ ଆଦୌ ସଚେତନ ନଥିଲା । ମସ୍ତିଷ୍କରେ ଶତସର୍ପ ଦଂଶନର ଜ୍ୱାଳା ଅନୁଭବ କରି ଜୀବନ୍ମୃତ ଅବସ୍ଥାରେ ମୀନାକ୍ଷି ଆଡ଼କୁ ମୁହଁ ଘୂରାଇ ସେମିତି ଚାହିଁ ରହିଲା ।

ଗୋଲକଧନ୍ଦା ଭିତରେ ପଶିଯାଇ ମୀନାକ୍ଷି ତାକୁ ସଜୋରେ ଝୁଙ୍କାଇ ପୁଣି ଚାରିଲା- କହ ପଦ୍ମିନୀ, ତୁ କେଉଁଠୁ ଆଣିଲୁ ଏ ଫଟୋ ? ଚନ୍ଦ୍ରଭାନୁଙ୍କ ସହ ତୋର ପରିଚୟ କେବେଠୁ ? କେମିତି.. ?

ସ୍କୁଲ ସଙ୍ଗିନୀର ଏ ଭଳି ଅନାକାଂକ୍ଷିତ ପ୍ରଶ୍ନ ବାଣରେ ଅତିଷ୍ଠ ହୋଇ ଉଠିଲା ସେ । ମୁହ୍ୟମାନ ଅବସ୍ଥାରେ ମୀନାକ୍ଷିକୁ ଚାହିଁ ରହିଥିବା ସମୟରେ ହଠାତ୍ ବିଶ୍ୱାସ ଶୋଇବା ଘର ଭିତରକୁ ପଶିଆସିଲା ।

ଅଚାନକ ବଦଳିଗଲା ପରିସ୍ଥିତିର ମୋଡ଼ ।

କ୍ରମଶଃ

Leave A Reply

Your email address will not be published.