Latest Odisha News

BREAKING NEWS

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ 

ଆକାଶରେ ମେଘର
ପ୍ରବଳ ଗର୍ଜନ ଓ ବାଣ
ଫୁଟିବା ପରି ଶବ୍ଦରେ
କାଲିଥିଲା ତୁମର ଜନ୍ମଦିନ ।

ଘର ଭିତରକୁ ବର୍ଷାର ଛିଟା
ଆସୁଥିଲେ ବି, ଝରକା ବନ୍ଦ କରିନି
ଆଲୁଅ ଲିଭି ଯାଇଥିବା ଅନ୍ଧାରରେ
ରହି ରହି ବିଦ୍ୟୁତର ଝଲକରେ
ମୁଁ ଦେଖି ପାରୁଥିଲି ତୁମର ମୁହଁ
ଆଉ ମଝିରେ ମଝିରେ
ପବନ ପଶି ଆସି
ତୁମକୁ ଭଲପାଇ ଦେଇଥିବା
ଓ ଟେବୁଲ ଉପରେ ରଖା।
ଫୁଲ ତୋଡ଼ାଟିକୁ ହଲାଇ ପକାଉଥିଲା।

କାଲି ରାତି କାହିଁକି
ମୁଁ ଶୋଇ ନାହିଁ
ସେଇଟା ତୁମକୁ କହିନାହିଁ ।

ମୋର ଲେଖା କାଗଜଟା
ଯାହାକୁ ଫୋପାଡ଼ି ଦେଇଥିଲି
ବଦମାସ ବିଲେଇଟା
ସେଇଟାକୁ ନେଇ
ଖେଳିଛି ସାରାରାତି ।

ତୁମକୁ କହିନି
ଦଗାଦିଆ ଘଡ଼ିଟା
ଦିନେ ନା ଦିନେ ମୋତେ
ବଜାଇ ଦେଖି ନେବ ବୋଲି
ଟିକ୍ ଟିକ୍ ଶବ୍ଦ କରି
ଚେତେଇ ଦେଇଛି ବାରବାର।

ତୁମକୁ କହିନି
ମାଟିରେ ମିଶିଯିବା ପରେ
ଆମେ ଦିହେଁ କେହି କାହାକୁ
ଚିହ୍ନି ପାରିବାନି ।

ଆଉ ଦେଖ ଏଇଟା ବି ତ
ତୁମକୁ କହିନି
ଏଥର ରଥଯାତ୍ରାରେ
କ’ଣ କ’ଣ କିଣିବି
ଝିଅ ପାଇଁ ତାଳପତ୍ରର ଝାମ୍ପି
ତୁମ ପାଇଁ ଫଳ ଫୁଲ ଗଛର ଚାରା
ଏବଂ ଘର ପାଇଁ
ଏକ ସୁନ୍ଦର ପିତ୍ତଳ ପଞ୍ଜୁରୀରେ
ଦୁଇଟି ବଦ୍ରିକା ପକ୍ଷୀ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.