Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

– ହୁସିଆର ହେଇ ଯିବ ମିନୀ !… ଚନ୍ଦ୍ରଭାନୁ ଛୁଟିରେ ଭଞ୍ଜ ନଗର ଆସିଛନ୍ତି । କାଳେ ରାସ୍ତାରୁ ତମକୁ ଉଠେଇ ନେଇ ଯାଆନ୍ତି ତ, ସବୁ ଗୋଳମାଳ ହେଇଯିବ ।

ଲାଜମିଶା ହସର ଧାରେ ସେ ଭାଉଜଙ୍କ ଉପରକୁ ଛାଟି ଦେଇ ସାନ ଭାଇର ହାତ ଧରି ରାସ୍ତା ଉପରେ ପାଦ ଦେଲା ।

ଲଳିତା ଘରେ ପହଞ୍ଚିଲା ବେଳକୁ ଅପରାହ୍ନ ତିନିଟା ବାଜି ସାରିଥାଏ । କଲୋନୀର ଅନ୍ୟ ପିଲାମାନଙ୍କ ସହ ଖେଳିବା ଉଦ୍ଦେଶ୍ୟରେ ସାନ ଭାଇ ବାହାରକୁ ଚାଲିଗଲା । ଲଳିତା ତାକୁ କୁଣ୍ଢେଇ ଧରି ଘର ଭିତରକୁ ନେଲା । ପଦ୍ମିନୀକୁ ଖଟ ଉପରେ ବସେଇ ଦେଇ, ହାତରେ ଖଣ୍ଡେ ମାଗାଜିନ ଜବରଦସ୍ତ ଧରାଇ ଦେଲା

ଦୁଷ୍ଟାମୀ ହସରୁ ମୁଠେ ତା’ ଉପରକୁ ଫୋପାଡ଼ି ବାହାରକୁ ଗଲା ବେଳେ କହି କହି ଗଲା – ତୁ ଏଇଠି ବସି ମାଗାଜିନ୍ ପଢ଼ୁଥା । ମୁଁ ପକୋଡ଼ି ଛାଣି ଆଣୁଛି । ଚା’ ପକୋଡ଼ି ଖାଇ ଖାଇ ସେଇ କଥା ହେବା ?
– କେଉଁ କଥା ?
– ଏତେ ଉଚ୍ଛନ୍ନ କାହିଁକି ହେଉଛୁ ? ରହ, ଏଇନେ ସବୁ ବୁଝିଯିବୁନିକି ?

ପଦ୍ମିନୀ କିଛି ବୁଝିବା ଅଥବା ପଚାରିବା ପୂର୍ବରୁ ଛନକା ହରିଣୀର ଚଂଚଳ ଚାଲି ନେଇ ଲଳିତା ସେଠାରୁ ଚାଲିଯାଇଥିଲା ।

ଅଗତ୍ୟା ପଦ୍ମିନୀ ମାଗାଜିନ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲା । ମନ ଭିତରେ କିନ୍ତୁ ରହି ରହି ଦକ ପଶୁଥାଏ । ଭାଉଜଙ୍କ କଥା ବାରମ୍ବାର କାନରେ ବାଜୁଥାଏ । ଚନ୍ଦ୍ରଭାନୁ ତେବେ ଭଞ୍ଜନଗର ଆସିଛନ୍ତି ! ଆମ ଘର ଆଡ଼େ ଆଉ ଥରେ ଆସିବେ କି ?

ଭାବୁ ଭାବୁ ପଦ୍ମିନୀର ଛାତି ଭିତରେ ଚାଉଁ ପଶିଗଲା ।

ଅନୂଢ଼ା ବୟସରେ ଭାବିପତିର ସ୍ମୃତି ରୋମନ୍ଥନ ପ୍ରତି କୁମାରୀ କନ୍ୟା ମନକୁ ଏଇଭଳି ଉଚ୍ଚାଟ କରିଥାଏ । ପଦ୍ମିନୀ ବା ସେଥିରୁ ବାଦଯିବ କିପରି ? ସହଜରେ ଚନ୍ଦ୍ରଭାନୁ ତା’ ଜୀବନର ପ୍ରଥମ ପ୍ରିୟପୁରୁଷ, ଯା’ ସହ ସେ ସଂସାର ରଚିବା ସ୍ୱପ୍ନରେ ବିଭୋର ।

ଠିକ୍ ଏତିକିବେଳେ ପଦ୍ମିନୀର ଅନ୍ୟମନସ୍କତାକୁ ମୃଦୁ କରାଘାତ କରି, ଦୁଇହାତରେ ଦୁଇପ୍ଲେଟ ପକୋଡ଼ି ସହ ଲଳିତା ରୁମ୍ ଭିତରକୁ ପଶି ଆସିଲା । ଲଳିତାକୁ କିଛି କହିବାକୁ ଉଦ୍ୟତ ଥିବା ପଦ୍ମିନୀର ମୁହଁ ସେମିତି ଖୋଲା ରହିଗଲା।

 

କ୍ରମଶଃ

Leave A Reply

Your email address will not be published.