Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଅଜଣା ପ୍ରିୟଜନ

ପ୍ରଖ୍ୟାତ ସିନ୍ଧି କବି,ଗାଳ୍ପିକ ଏବଂ ନାଟ୍ୟକାର ଗୋବର୍ଦ୍ଧନ ଭାରତୀ ୧୯୨୯ ମସିହା ଜାନୁଆରୀ ୧୩ ତାରିଖ ଦିନ ଅବିଭକ୍ତ ଭାରତର ସିନ୍ଧୁ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସ୍ୱାଧୀନଚେତା ଗୋବର୍ଦ୍ଧନ ସାହିତ୍ୟ ରଚନାରେ ନିମଗ୍ନ ରହିଥିଲେ । ଦେଶ ବିଭାଜନ ତାଙ୍କ ମନରେ ଗଭୀର କ୍ଷୋଭ ପହଞ୍ଚାଇଥିଲା । ୧୯୫୦ ଦଶକ ଠାରୁ ସାହିତ୍ୟ ରଚନାରେ ନିଜକୁ ନିମଜ୍ଜିତ କରି ସେ ଗଳ୍ପ,କବିତା, ନାଟକ ଏବଂ ସିନେମା ଆଦି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ । ୧୯୯୦ ମସିହାରେ ତାଙ୍କୁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାରରେ ଭୂଷିତ କରାଯାଇଥିଲା ।

23ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୪

ମୂଳ କୋଙ୍କଣୀ: ଗୋବର୍ଦ୍ଧନ ଭାରତୀ 

ବୁବକ ଷ୍ଟେସନରେ ଟ୍ରେନ୍‌ଟା ଅଟକୁଣୁ ନ ଅଟକୁଣୁ ସେ ଦି’ହାତରେ ସୁଟ୍‌କେଶ୍ ଓ ବେଡ୍‌ରୋଲ୍କୁ ଧହି ପଦାକୁ ଓହ୍ଲେଇ ପଡ଼ିଲଲେ । ସେ ଜାଣିଥିଲେ ଯେ ଏଇ ଛୋଟିଆ ଷ୍ଟେସନରେ ତାଙ୍କୁ କେହି କୁଲି ମିଳିବେନି । ଗଲା ଦି’ବର୍ଷ ତଳେ ହୋଇଥିଲେ କୁଲି କାଶିମ ତାଙ୍କୁ ଦେଖିବା ମାତ୍ରେ ପାଖକୁ ଦୌଡ଼ି ଆସିଥାଆନ୍ତା ଓ ତାଙ୍କ ହାତରୁ ବ୍ୟାଗ୍‌ପତ୍ର ଛଡ଼େଇ ନେଇ ନିଜ ମୁଣ୍ଡରେ ଲଦିଥାଆନ୍ତା । ତଥାପି ଅଭ୍ୟାସ ବଶତଃ ସେ ସେଇଠାରେ କେଇ ମିନିଟ୍ ଠିଆ ହୋଇରହିଲେ, ଯେମିତି ସେ କାଶିମକୁ ମନେ ମନେ ଖୋଜୁଥିଲେ । ହଠାତ୍ ତାଙ୍କ ମନକୁ ଖିଆଲ ଆସିଲା ଯେ ସେଇଟା ତାଙ୍କର ମନର ଭ୍ରମ ।

ସେ ମନେମନେ ଭାବିଲେ: କାଶିମ ଏବେ କେଉଁଠି ଥିବ? ଗଲା ଦି’ବର୍ଷ ଭିତରେ ତ ଏତେ କିଛି ଘଟନା ଘଟିଯାଇଛି ଯେ ସାରା ଦୁନିଆ ବଦଳି ଗଲାପରି ଲାଗୁଛି । କୁଆଡ଼େ କିଛି ଚିହ୍ନି ହେଉନି । ନିଜ ଗାଆଁକୁ ସେ ଏବେ ଜଣେ ଅପରିଚିତ ଲୋକ ପରି ଫେରୁଥିଲେ – ଦେଶ ବିଭଜନ ହେବାପରେ ପ୍ରଥମ ଥର ପାଇଁ ।

ଏବେ ସେ ଡାହାଣ ହାତରେ ବ୍ରିଫ୍‌କେଶ୍ ଓ ବାଁ କାଖରେ ବେଡ୍‌ରୋଲଟିକୁ ଜାକିଧରି ଚାରିଆଡ଼େ ଥରେ ନଜର ଘୂରେଇ ଆଣିଲେ । କାହିଁ ପ୍ରାୟ ଗୋଟିଏ ମାଇଲ୍ ଦୂରରେ ତାଙ୍କ ଛୋଟ ଗାଆଁଟିର ଅସ୍ପଷ୍ଟ ଚିତ୍ରକୁ ସେ ଦେଖିପାରୁଥିଲେ । ତାଙ୍କ ଗାଆଁ ନାଁ ଅରାଜି । ଏବେ ତାଙ୍କ ଆଖି ଆଗରେ ଝଲମଲ ହୋଇ ଦୃଶ୍ୟ ହେଉଥିଲା । ସେ ଜାଣିପାରୁ ନ ଥିଲେ କେତେବେଳେ ତାଙ୍କ ଆଖି ଭାବାବେଗରେ ଲୁହ ଛଳଛଳ ହୋଇ
ସାରିଥିଲା । ଗାଆଁମୁଣ୍ଡ ମୁଣ୍ଡିଆ ଉପରୁ ମସଜିଦ୍ ଓ ମନ୍ଦିର ସ୍ପଷ୍ଟ ଦେଖାଯାଉଥିଲା, ସତେ ଯେମିତି କାନ୍ଧକୁ କାନ୍ଧ ମିଳେଇ ସେଠାରେ ଠିଆ ହୋଇଛନ୍ତି । କେବଳ ଯାହା ଦୁଇ ପୀଠ ମଝିରେ କେଇଟା ଅଶ୍ଚତ୍ଥ ଓ ଖଜୁରି ଗଛ କେଇଟା ଏକ ସୀମା ପ୍ରାଚୀର ଭଳି ମୁଣ୍ଡ ଟେକିଥିଲେ । ମସଜିଦ୍‌ର ଧଳା ଗମ୍ବୁଜ ଓ ମନ୍ଦିର ଚୂଡ଼ାର ଲାଲ କଳସ ପରସ୍ପରଙ୍କୁ କଛପରି ସେମିତି ଦୃଶ୍ୟ ହେଉଥିଲେ । ମନ୍ଦିର ମୁହଁ ପୂର୍ବକୁ, ଆଉ ମସଜିଦ୍ ମୁହଁ ପଶ୍ଚିମକୁ ।

ହଠାତ୍ ତା’ନାକରେ ଆସି ବାଜିଲା ଅଫିମ ଓ ଶୁଖୁଆପୋଡା ଗନ୍ଧ । ସତେକି ନାକପୁଡ଼ାକୁ ରୁନ୍ଧି ପକେଇଲା । ଏବେ ସେ ବାଁ ପଟକୁ ଚାହିଁଲେ । ମୁଣ୍ଡ ଉପରେ ଅଗ୍ନିବର୍ଷୀ ଖରା ତରଳ ନିଆଁ ପରି ଆକାଶରୁ ଖସି ପଡ଼ୁଥିଲା । ସେଥିରେ ବରଫ ତରଳି ଚାଲିଥିଲା ଓ ମାଛ ଟୋକେଇରୁ ସେ ବରଫ ପାଣି ତଳେ ପଡ଼ୁଥିଲା । ପ୍ଲାଟଫର୍ମର ପ୍ରଶସ୍ତ ଚଟାଉ ଉପରେ ଧୂଆଁପତ୍ର ଓ ଅଫିମଭରା ବସ୍ତାସବୁ ବିକ୍ଷିପ୍ତ ଭାବେ ପଡ଼ିଥିଲା । ପରିତ୍ୟକ୍ତ ଓ ଅଲୋଡ଼ା ଶବ ପରି । ପାଖକୁ ଲାଗି ଗୋଟିଏ ବଡ଼ ଓଜନ ଯନ୍ତ୍ର । ଆଗେ ଶୁଖୁଆ ଗନ୍ଧ ନାକରେ ବାଜିରେ ସେ ହସ୍ୟ କରିପାରୁ ନ ଥିଲେ । କିନ୍ତୁ ଆଜି କାହିଁକି କେଜାଣି ତାଙ୍କୁ ସେ ଗନ୍ଧ ସେମିତି ଖରାପ ଲାଗିଲାନି । ଧୂଆଁପତ୍ରର ସେଇ ଉଗ୍ର ଗନ୍ଧକୁ ସେ ମନଭରି ଶୁଙ୍ଘିଲେ । ତାଙ୍କ ତଣ୍ଟି ଭିତର କେମିତି ଶିର୍‌ଶିର୍‌ ହୋଇଉଠିଲା । ଆଉ ଅଫିମର ସେ ମତୁଆଲା ବାସ୍ନା ତାଙ୍କ ମନକୁ ହାଲକା କରିପକେଇଲା । ତାଙ୍କ ଅତୀତ ଜୀବନର ସ୍ମୃତିକୁ ମନେ ପକେଇ ଦେଉଥିଲା… ବୁବକ୍ ରୋଡ୍ ।

ସେ ସେଇ ଶବ୍ଦ ଦୁଇଟିକୁ ବାରମ୍ବାର ପଢ଼ିଲେ । ବତୀ ଖୁଣ୍ଟର ଉଜ୍ଜ୍ୱଳ ଆଲୋକ ପଡ଼ି ସେଇଟି ଝଲମଲ କରୁଥିଲା । ସେଇ ସାଇନବୋର୍ଡଟି ଉପରେ ହାତ ବୁଲେଇ ଆଣିବା ଲାଗି କାହିଁକି କେଜାଣି ତାଭ୍‌କ ମନ ଉଚ୍ଚାଟିତ ହୋଇଉଠିଲା । ମନ ଭିତରେ ଏକ ଅଜଣା ଶ୍ରଦ୍ଧା ଜାତହେଲା । ଯେମିତି ତାଙ୍କ ସାନପୁଅ କୁକୁର ମୁଣ୍ଡବାଳକୁ ସେ ସ୍ନେହରେ ସାଉଁଳେଇ ଆଣନ୍ତି, ଠିକ୍ ସେମିତି ।

ଆରେ ସବୁ କିଛି ତ ଠିକ୍ ସେମିତି ଲାଗୁଛି! ସେଇ ଷ୍ଟେସନ୍‌, ସେଇ ପ୍ଲାଟଫର୍ମ; ସେଇ ମାଛବଜାର, ସେଇ ସବୁ ଧୂଆଁପତ୍ର ଓ ଅଫିମଭରା ଅଖା ବସ୍ତା । ନିମଗଛରେ ତ ସେଇ ଘଣ୍ଟାଟା ସେମିତି ଟଙ୍ଗା ହୋଇଛି! ସେଇ ତାରଜାଲିଦିଆ ବାଡ଼ ଆଉ ସେଇ କାଠ ତିଆରି ଦରଜା ପାଖରେ ‘ପ୍ରସ୍ଥାନ’ ଲେଖା ହୋଇଛି…

‘ହେ ବାବୁ! ଟିକଟ… ଟିକଟ ଦେଖାଅ… ।’

ତାଙ୍କ ପାଦ ବରଫ ପାଲଟିଗଲା । ପୂର୍ବରୁ ଏଇ ଷ୍ଟେସନରୁ ବାହରିଲାବେଳେ ତାଙ୍କୁ କେହି କେବେ ଟିକେଟ ମାଗି ନ ଥିଲେ । କିନ୍ତୁ ଏବେ ଦାଢ଼ିଆ ପଞ୍ଜାବୀ ଅଧିକାରୀଟିଏର ଢେମା ଢେମା ଆଖି ତାଙ୍କର ଉପରେ ନିବଦ୍ଧ ଥିଲା । ସେ ନିଜ ବ୍ରିଫ୍‌କେଶ୍ ଓ ବେଡ୍‌ରୋଲକୁ ତଳେ ଥୋଇଦେଲେ ଓ ପକେଟରେ

ହାତ ପୂରେଇ ଟିକେଟଟିକୁ ଅଣ୍ଡାଳିଲେ । ତା’ପରେ ପକେଟରୁ ଟିକେଟଟି ବାହାରକରି ରେଳ କର୍ମଚାରୀଙ୍କ ଆଡ଼କୁ ବଢ଼େଇଦେଲେ ।

‘ହୁଁ…’ – ଲୋକଟି କେମିତି ଏକ ଘୃଣାଭରା ଦୃଷ୍ଟିରେ ଟିକେଟଟିକୁ ଚାହିଁ କହିଲା-

‘ତୁମ ବ୍ୟାଗ୍ ଓ ବେଡ୍‌ରୋଲ୍‌କୁ ସେ ନିକିତିରେ ଥୁଅ ।’ ସବୁ ଅପମାନକୁ ମନେମନେ ହଜମ କରି ସେ ସେଇ ପଞ୍ଜାବୀ ଅଧିକାରୀଙ୍କ ମୋଟା ନିଶ ହଳକୁ ଚାହିଁଲେ । ଲୋକଟା ଦେହ ଝାଳ ସରସର । ମୁହଁରେ କଠୋର ମୁଦ୍ରା । ଦେଖିବାକୁ ଶରୀରଟି ଯେତିକି ବିଚିତ୍ର, ବ୍ୟବହାର ସେତିକି ଅସ୍ୱାଭାବିକ ଲାଗୁଥିଲା । ସେ ଭଲଭାବେ ଅନୁମାନ କରିପାରୁଥିଲେ ଯେ ଏ ପଞ୍ଜାବୀ ଲୋକଟି ତାଙ୍କୁ ଅଯଥାରେ ହଇରାଣ କରିବାକୁ ଏମିତି ବ୍ୟବହାର କରୁଥିଲା । ତଥାପି ସେ ନାଚାର । ତେଣୁ ଅସହାୟ ଭାବେ ସେ ନିଜ ବେଡରୋଲ୍ ଓ ବ୍ୟାଗକୁ ପଲ୍ଲାରେ ରଖିଲେ ।

‘ହଉ ଉଠାଅ…’ ଏତିକି କହି ପଞ୍ଜାବୀ ଅଧିକାରୀଟି ବେଡ୍‌ରୋଲ୍‌ଟିକୁ ଗୋଡ଼ରେ ଗୋଇଠାଟିଏ ମାରିଲା ।

ସେ ମନେମନେ ଭୀଷଣ କ୍ଷୁବ୍ଧ ହେଲେ । ଇଚ୍ଛା ହେଉଥିଲା ବେଡ୍‌ରୋଲ୍‌ଟି ଧରି ପୁଣି ପ୍ଲାଟଫର୍ମକୁ ଲେଉଟି ପରବର୍ତ୍ତୀ ଟ୍ରେନ୍ ଧରି ଫେରିଯିବେ । ମାତ୍ର କେଇଟା ମୁହୂର୍ତ୍ତ ଆଗରୁ ସବୁକିଛି ‘ଆପଣାର’ ଭଳି ଲାଗୁଥିଲା । ଏବେ କିନ୍ତୁ ସେ ଭାବୁଥିଲେ, କିଛି ଜିନିଷ ନିଜର ହୋଇଥାଏ, ଆଉ କିଛି କଦାପି ନିଜର ହୋଇ ନ ଥାଏ । ତେଣୁୁ ଉଁ ଚୁଁ କିଛି ନ କହି ସେ ନିଜ ବ୍ୟାଗ୍ ଓ ବେଡ୍‌ରୋଲ୍ ଧରି ଉଦାସ ମନରେ ପଦାକୁ ବାହାରି ଆସିଲେ । ସାମ୍‌ନା ତେନ୍ତୁଳି ଗଇ ତଳେ ଧୂଳିଧୂଷର ଓ କାଦୁଅଲଗା ଟାଙ୍ଗାଟିଏ ଥୁଆ ହୋଇଥିଲା । ମଡଗାର୍ଡ ବି ଜଙ୍କ୍‌ଲଗା, ବଙ୍କା ଓ ଦଦରା । ସିଟ୍‌ଟି ଫଟା । ତା’ସାଙ୍ଗକୁ ସେଥିରେ ଯୋଚା ଯାଇଥିବା ଘୋଡ଼ାଟି ଯେତିକି ଦୁର୍ବଳ, ସେତିକି ବୁଢ଼ା ପରି ଲାଗୁଥିଲା । ‘ହାଜି… ହାଜି…!’

ସେ ଟାଙ୍ଗାବାଲାକୁ ଡାକ ଛାଡ଼ିଲେ । ବୁଢ଼ା ଟାଙ୍ଗାବାଲାଟି ଆରାମରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ଶୋଇ ଯାଇଥିଲା । ଡାକ ଶୁଣି ହାଜି ହଠାତ୍ ଚମକି ପଡ଼ିବା ପରି ଉଠି ବସିଲା । ଆଖି ମଳି ମଳି ହାଇ ମାରି ସେ ଚାହିଁଲା ।

‘ହାଜି, ତୁ ମନେ ଚିହ୍ନି ପାରୁଛୁ?’

‘ଓଃ… ଦେୱାନ ସା’ବ୍‌! ଆପଣ?’ ଆଖି ମଳି ମଳି ହାଜି ବଡ଼ ପାଟିରେ କହିଉଠିଲା । ସତେ ଯେମିତି ସେ ଦିନଟାରେ ଆଖି ମେଲାକରି ସ୍ୱପ୍ନ ଦେଖୁଥିଲା ।

‘ଆରେ, ମୋ ହାତରୁ ଏ ସାମାନ୍‌ସବୁ ଧର ।’ ହାଜି ତରତର ହୋଇ ରିକ୍ସାରୁ ଓହ୍ଲେଇଯାଇ ତାଙ୍କ ହାତରୁ ସୁଟ୍‌କେଶ୍ ଓ ବେଡ୍‌ରୋଲ୍ ଆଣି ଟାଙ୍ଗାରେ ଥୋଇଲା । ଏଥର ସେ ତାଙ୍କ ପାଦଧୂଳି ନେବାକୁ ନଇଁ ପଡ଼ିଲା ।

‘ଆରେ, ଆରେ… ତୁ କ’ଣ କରୁଛୁ?’ ନିଜ ଗୋଡ଼କୁ ପଛକୁ ନେଇଯାଇ ସେ କହିଲେ, ‘ଆଉ, ତୋର ସବୁ ଖବର କୁଶଳ ତ? ଅନ୍ୟମାନେ କେମିତି ଅଛନ୍ତି?’

ହାଜି ଗଳାରେ ସତେକି ପୁଳାଏ ଖଙ୍କାର ଅଟକିଗଲା । ସେ କିଛି କହିବାକୁ ଚାହୁଁଥିଲା । କିନ୍ତୁ ତୁଣ୍ଡରୁ ବାକ୍ୟ ବଦଳରେ ତା’ଆଖିରୁ ଧାର ଧାର ଲୁହ ବହିବାକୁ ଆରମ୍ଭ କଲା ଓ ପର ମୁହୂର୍ତ୍ତରେ ସେ ଲୁହ ଠୋପାସବୁ ତା ପାଚିଲା ଦାଢ଼ି ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ସେତେବେଳକୁ ତା’ଟାଙ୍ଗା ଖାଲ ଢିପଭରା କଚ୍ଚା ସଡ଼କରେ ଧୂଳି ଉଡ଼େଇ ଆଗକୁ ଦୌଡ଼ୁଥିଲା ।

କିଛି ସମୟ ପରେ ସେ ପୁଣି ପଚାରିଲା, ‘ହାଜି, ତୁମ ଟାଙ୍ଗାଟି ଯେମିତି ପୁରୁଣା ଲାଗୁଛି, ଘୋଡ଼ାଟା ତା’ଠୁ ଅଧିକ ଦୁର୍ବଳ ଦିଶୁଛି । କଥା କ’ଣ?’

‘କ’ଣ କରିବି ଦେୱାନ ସା’ବ୍‌? ଗାଆଁରୁ ତ ସବୁ ହିନ୍ଦୁ ଲୋକମାନେ ପଳେଇଗଲେ । ମୋ ଟାଙ୍ଗାରେ ଆଜିକାଲି ସବାରି କାହାନ୍ତି? କିଏ ବସୁଛି? ଆପଣମାନେ ଥିଲାବେଳେ ବେଶ୍‌ ଦି’ପଇସା କମଉଥିଲି । ଏବେ ତ ଦିନକୁ ଦି’ଓଳି ଖାଇବାକୁ ସୁଦ୍ଧା ରୋଜଗାର ମିଳୁନି । ଆଉ ଘୋଡ଼ାକୁ କ’ଣ ଖାଇବାକୁ ଦେବି?’

ଲେଭଲକ୍ରସିଂ ପାର ହୋଇ ଯିବାବେଳେ ଟାଙ୍ଗାର ବେଗ କମିଆସିଲା । ସେ ଅତି ନିବିଷ୍ଟ ଭାବେ ଥରେ ହାଜିକୁ ଓ ତା’ ଘୋଡ଼ାକୁ ନିରୀକ୍ଷଣ କଲେ । ଘୋଡ଼ାଟି କାନ୍ଧରେ ହୋଇଥିବା ଘାଆଟି ଉପରେ ପଞ୍ଝାଏ ମାଛି ବସିଥିଲେ । ତେଣୁ ଦୌଡ଼ିଲାବେଳେ ଧଇଁସଇଁ ହୋଇ ପଡ଼ୁଥିବା ଜୀବଟି ବିଚରା ବାରମ୍ବାର ନିଜ ଲାଞ୍ଜ ହଲାଇ ମାଛିଗୁଡ଼ାକୁ ଘଉଡ଼ାଇ ଦେବାଲାଗି ଚେଷ୍ଟା କରୁଥିଲା ।

‘ହାଜି, ଘୋଡ଼ାଟାକୁ କାଇଁକି ଚିକିତ୍ସା କରଉନୁ? ତା’ଦେହରେ ଘାଆ ହେଲାଣି ।’

‘ତା’ର କିଏ କରିବ ମତେ କହିଲେ ଦେୱାନ୍ ସା’ବ୍‌? ଖାନୁ ହକିମ ତ ଆପଣମାନଙ୍କ ସାଙ୍ଗରେ ଦେଶାନ୍ତ ହୋଇ ଚାଲିଗଲା ।’

‘କିନ୍ତୁ ଏତେ ବଡ଼ ଘାଆଟି ବାତିଗଲେ ବିଚରା ଜୀବଟା ମରିଯିବ ।’

‘କିଛି ଚିନ୍ତା କରନ୍ତୁନି ହଜୁର । ତା’ର କିଛି ହବନି । ଆମ ଦେଶ ଦେହରେ ପରା ଘାଆ ହୋଇ ବାତିଚି । ଆପଣ ଦେଖି ପାରୁନାହାନ୍ତି?’ ଦେୱାନ୍ ସା’ବ୍ କିଛି ଉତ୍ତର ଦେଲେନି – ଦେଇ ପାରିଲେନି ।

ଲେଭଲକ୍ରସିଂ ପାରହେବା ପରେ ହାଜି ତା’ ଚାବୁକ୍‌ଟା ପାଏଁ କରି ଘୋଡ଼ାଟା ପଠିରେ ବସେଇଦେଲା । ପୁଣି ଥରେ ଟାଙ୍ଗାର ବେଗ ବଢ଼ିଗଲା ।

‘ଦେୱାନ୍ ସା’ବ୍‌! ଆପଣ ତ ଯାଇ ଆଜମେରରେ ରହିଲେ ନା ନାଇ?’
‘ହଁ, ହାଜି ।’

‘ତା’ହେଲେ ଆପଣ ସତ କହନ୍ତୁ ସାଇଁ, ସେ ଦେଶରେ ରହିବାକୁ ଆପଣଙ୍କୁ ଭଲ ଲାଗୁଛି?’
‘ଆରେ, ସେଠି ତ ପାଣି ମୁନ୍ଦାଏ ସୁଦ୍ଧା ମିଳିବା କଷ୍ଟପର ।’

ହାଜି ମୁହଁରେ ଚେନାଏ ଶୁଖିଲା ହସ ଫୁଟେଇଲା । ‘ତୁ କାଇଁକି ହସୁଚୁ ହାଜି?’ ‘କିଛି ନୁହଁ ସାଇଁ । ଆଲ୍ଲାଙ୍କ ଖେଳ ବଡ଼ ବିଚିତ୍ର!

ଆପଣଙ୍କୁ ସେଠାରେ ପାଣି ମୁନ୍ଦେ ମିଳୁନି । ଆଉ ଆମେ ଏଠି ଭୋକ ଉପାସରେ ଶୁଖି ଶୁଖି ମରୁଛୁ ।’ ହାଜି ତୁଣ୍ଡର ଏ କଥା ପଦକ ଦେୱାନ ସା’ବ୍‌ଙ୍କ ପିଠିରେ ଚାବୁକ ପାହାର ବସିଲାପରି ଲାଗିଲା । ଭାବାବେଗରେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ସେ ଏଣେତେଣେ ଚାହିଁଲେ । ତା’ପରେ ନିଜକୁ ସ୍ୱାଭାବିକ ବୋଲି ଜଣେଇବାକୁ ସୁସୁରି ମାରି ଚାଲିଲେ । କାଳେ ଆଖିରୁ ଦି’ଠୋପା ଲୁହ ନିଗିଡ଼ି ପଡ଼ିବ, ସେଇ ଭୟରେ ।

କଚ୍ଚା ସଡ଼କର ଦି’କଡ଼େ ବିସ୍ତୀର୍ଣ୍ଣ ଶୂନ୍ୟ କ୍ଷେତ । ଜୁଲାଇ ମାସର ଅସହ୍ୟ ଖରା ଓ ତାତିରେ ମାଟି ବି ଫାଟି ଆଁ ମେଲା କରିଥିଲା । ସେତେବେଳକୁ ରାସ୍ତାର ଧୂଳି ତାଙ୍କ ପୋଷାକ ଉପରେ ସରୁ ଆସ୍ତରଣଟିଏ ବସାଇ ସାରିଥିଲା । ତାଙ୍କୁ କେମିତି ଅଶ୍ୱସ୍ତି ବୋଧ ହେଉଥିଲା । ଏବେ କେନାଲ ଉପର ପୋଲଦେଇ ଟାଙ୍ଗାଟି ଆଗକୁ ଗଡ଼ି ଚାଲିଥିଲା । ପାଖ ଜଳାଶୟରେ ବି ଖୁବ୍ କମ୍ ପାଣି ଥିବାର ସେ ଲକ୍ଷ୍ୟ କଲେ । ସେଇ ଆଣ୍ଠୁ ବୁଡ଼ୁ
ନ ଥିବା ପାଣିରେ ପଞ୍ଝାଏ ମଇଁଷି ଲଟପଟ ହେଉଥିଲେ । ଦେଇ୍‌ବାନ ସା’ବ୍‌ଙ୍କର ମନେ ପଡ଼ିଗଲା ଅତୀତ ଦିନର କଥା । ସେଇ ପୋଲ ଉଦର ଦେଇ ଗଲାବେଳେ ସେ ଅନେକଥର ଦେଖିଛନ୍ତି – ପିଲାମାନେ ଜଳାଶୟ ପାଣିରେ ଖୁସିରେ ପହଁରି ବୁଲୁଥିବେ । ସେମାନେ ସେମିତି ପହଁରିଲାବେଳେ ତାଙ୍କୁ ଚିଡ଼ାଉଥିବେ, ‘ଦେୱାନ୍ ସା’ବ୍‌, ପଇସା
ଦିଅନ୍ତୁ, ପଇସା ।’

ବେଳେବେଳେ ଖୁସିରେ ସେ ତାଙ୍କ ପକେଟରୁ କେଇଟା ତମ୍ବା ପଇସା କାଢ଼ି ଉପରକୁ ଫିଙ୍ଗିଦିଅନ୍ତି । ପିଲାମାନେ ଡିଆଁଡ଼େଇଁ କରି ସେ ପଇସାକୁ ଧରିନିଅନ୍ତି । ଯଦି ସେଥିରୁ କେଇଟା ପାଣିରେ ପଡ଼େ, ତେବେ ପୁଣି ପାଣିକୁ ଡେଇଁ ତାକୁ ଖୋଜି ବାହାର କରନ୍ତି । ଇବ୍ରାହିବ୍ ଚଣ୍ଡିଆ ପୁଅ ସେରୁ ପୂରା ଲଙ୍ଗଳା ହୋଇ ପାଣି ସରସର ଦେହରେ ଟାଙ୍ଗା ପଛରେ ଗୋଡ଼ାଉଥିବ, ପୂରା ଗାଆଁମୁଣ୍ଡ ପର୍ଯ୍ୟନ୍ତ ।

ତା’ପରେ ଟାଙ୍ଗାରୁ ସବୁ ଜିନିଷପତ୍ର ଓହ୍ଲେଇବାରେ ସାହାଯ୍ୟ କରିବ ଓ ଦୁଆରମୁହଁରେ ସେସବୁକୁ ସଜେଇ ରଖିବ । ଆଜି ସେ ଜଳାଶୟରେ ଆଉ ପାଣି ନାହିଁ କି ଚଣ୍ଡିଆ ପିଲାଙ୍କର କୌଣସି ଚିହ୍ନବର୍ଣ୍ଣ ବି ନାହିଁ ।’
‘ହାଜି!’
‘ହଁ, ଦେୱାନ ସା’ବ୍ ।’
‘ଆରେ ସେ ବଗୁଲିଆ ପିଲାଗୁଡ଼ାକ କାଇଁକି ଦେଖାଯାଉନାହାନ୍ତି?’
‘ହଁ, ହଜୁର । ଅଛନ୍ତି ।’
‘ତା’ହେଲେ ଏ ଜାଗାଟା କାଇଁକି ଖାଁ ଖାଁ ଲାଗୁଛି?’
‘ସାଇଁ, ଦେଶ ବିଭଜନବେଳେ ସରକାରୀ ବାବୁ ଓ ରାଜନୀତିଆ ନେତାମାନେ ସେବାନଙ୍କୁ ଏତେ ଚିତ୍କାର ଛଡ଼େଇଛନ୍ତି ଯେ ଏବେ ସେମାନେ ହାଲିଆ ହୋଇ ତୁନି ପଡ଼ିଯାଇଛନ୍ତି ।’ ‘ତୁ କି କଥା କହୁଚୁ କିରେ?’
ହାଜି ପୁଣି ହୋ ହୋ ହୋଇ ହସି ଉଠିଲା । ସେ ହସ ଯେତିକି ଶାଣିତ ସେତିକି ତୀବ୍ର ଲାଗୁଥିଲା । ଏଥର ସେ କହିଲା, ‘ବୁଝିଲ ସାଇଁ, ଚଣ୍ଡିଆ ପିଲାଗୁଡ଼ାକ ଶ୍ରମିକ ଶ୍ରେଣୀର ।

ବଣିଆମାନେ ଗାଆଁ ଛାଡ଼ି ପଳେଇବା ପରେ, ବେପାରବଣିଜ ବି କମିଗଲା । ଲୁଗା ଗାଣ୍ଠିଲି ହେଉ କି ଧାନଚାଉଳ ବସ୍ତା ହେଉ, ସେସବୁ ଆଉ ଦେଖବାକୁ ସୁଦ୍ଧା ମିଳିଲାନି । ତେଣୁ ଏବେ ସେମାନେ ନିଜ ନିଜ ଦାରିଦ୍ର‌୍ୟ, ଅଭାବ ଓ ବେକାରିର ବୋଝକୁ ପିଠିରେ ପକେଇ ମୁଲୁଛନ୍ତି ।’

‘ହାଜି, ତୋର ଆଜି କ’ଣ ହେଇଚି କିରେ? ତୁ ତ ଭାରି ଦାର୍ଶନିକଙ୍କ ଭଳିଆ ଗପି ଚାଲିଛୁ ।!’

ସେତେବେଳକୁ ଟାଙ୍ଗା ଆସି ଗାଆଁ ମୁଣ୍ଡରେ ପହଞ୍ôଚ ସାରିଥିଲା । ରାସ୍ତାର ବାଁପଟକୁ ଲାଗି ପେରୁର ଚାଷଜମି । ଡାହାଣ ପଟକୁ ତନ୍ତୀ ଓ କମାରମାନଙ୍କ କେଇଟା କଚ୍ଚାଘର । ଆଉ ତା’ ପଛକୁ ଗୋଟିଏ ଭଙ୍ଗା ମସଜିଦ୍ ।
‘ହାଜି!’
‘ହଁ, ଦେୱାନ ସା’ବ୍ ।’
‘ଆରେ, ଏ ମସଜିଦ୍‌ଟା କେମିତି ଭାଙ୍ଗିଲା? କେବେ ଏମିତି ହେଲା?’
‘ଗଲା ବର୍ଷ ସାଇଁ, ଏଇ ବର୍ଷାଦିନେ ।’
‘ଏପର୍ଯ୍ୟନ୍ତ ତାକୁ କାଇଁକି ମରାମତି କରାହେଇନି?’

ହାଜିର ସ୍ୱର କେମିତି ବାଷ୍ପରୁଦ୍ଧ ହୋଇଆସିଲା, ନାଇଁ ସାଇଁ, ଇସଲାମିକ୍ ଆଇନ ଅନୁସାରେ ସବୁ ଆଲ୍ଲାଙ୍କ ଉପରେ… ।’

ଦେୱାନ ସା’ବ୍ ଜଣେ ସଚ୍ଚା ହିନ୍ଦୁ ଥିଲେ । କିନ୍ତୁ ଦେଶ ବିଭଜନ ବେଳେ ଗାଆଁ ଛାଡ଼ି ଆଜମେର ଯିବାରେ ସେ ପ୍ରଥମ ଲୋକ ଥିଲେ । ଆଜମେରରେ ଉତ୍ତ୍ୟକ୍ତ ଲୋକମାନେ ଯେତେବେଳେ ମସଜିଦଟିଏ ଭାଙ୍ଗି ପକେଇବା ତାଙ୍କ ନଜରରେ ପଡ଼ିଲା, ତାଙ୍କ ମନ ତିଳେହେଲେ ଦୁଃଖ ହୋଇ ନ ଥିଲା । କିନ୍ତୁ ଆଜି ଗାଆଁର ସେ ଛୋଟିଆ ମସଜିଦ୍‌ଟା ଭାଙ୍ଗିଥିବା ଦେଖି ତାଙ୍କ ଭିତରେ କାହିଁକି କେଜାଣି କେମିତି ଏକ ବେଦନା ସେ ଅନୁଭବ କରୁଥିଲେ । ନିଜ କପାଳର ଝାଳକୁ ହାତରେ ପୋଛି ଆଣୁ ଆଣୁ ତାଙ୍କ ଛାତିରୁ ଏକ ଦୀର୍ଘଶ୍ୱାସ ବାହାରି ଆସିଲା । ସେ ଚାରିଆଡ଼କୁ ଆଉ ଥରେ ଆଖବ ଘୂରେଇ ଆଣିଲେ ।

ଗାଆଁର ସେ ଛୋଟ ମାଛହାଟଟା ମଧ୍ୟ ଖାଁ ଖାଁ ଲାଗୁଥିଲା । ବରଂ ହାଟ ବାହାରେ ରକ୍ତ ନିଗିଡ଼ି ପଡ଼ୁଥିବା ଦିଓଟି ଜୀବଙ୍କ ଛାଲଛଡ଼ା ଶରୀର ଓହଳିଥିଲା । ଏମିତିକା ଅସହ୍ୟ ଖରାରେ ସୁଦ୍ଧା କେଇଟା କୁଆ ପାଖରେ ପଡ଼ିଥିବା ମାଂସ ଟୁକୁଡ଼ା ଓ ଅନ୍ତକୁ ତଳୁ ଖୁମ୍ପି ଖାଉଥିଲେ । ଟାଙ୍ଗାଟା ଧୀରେ ଆଗକୁ ଗଡ଼ି ଚାଲିଥିଲା । ରାସ୍ତାର ଡାହାଣ ପଟକୁ ଲାଗି ସ୍କୁଲ ଯେଉଁଠି ସେ ଦୀର୍ଘ ଆଠବଁ ଧରି ପାଠ ପଢ଼ିଥିଲେ । ପିଲାଦିନର ସବୁ ଦୁଷ୍ଟାମି, ସବୁ ଖେଳକୁଦ ତାଙ୍କ  ସ୍ମୃତିରେ ଗୋଟି ଗୋଟି ହୋଇ ଭାସି ଉଠିଲା ।

ସ୍କୁଲରେ ଖେଳଛୁଟିବେଳେ ସେ କେମିତି ଲୁଚିଛପି ପାଖରେ ଥିବା ଫଳବଗିଚା ଭିତରେ ପଶି ପିଜୁଳି, କୋଳି, ଆମ୍ବସବୁ ଚୋରିକରି ଖାଉଥିଲେ । ଦିନେ ତ ବଗିଚା ଜଗୁଆଳି ହାତରେ ଧରାପଡ଼ି ବହେ ଛେଚା ଖାଇଥିଲେ । ପୁଣି ଘରକୁ ଫେରିବାପରେ ବୁଢ଼ିୀ ମା’ଆହୁରି ବାଡ଼େଇଥିଲେ । ବୁଢ଼ୀମା’ ଫଳବିକାଳୀ ନାରୁଠାରୁ ଗୁଡ଼ାଏ ଫଳ କିଣୁଥିଲେ । ହେଲେ ପଇସାଦେଇ ବୁଢ଼ୀମା’ କିଣୁଥିବା ଫଳ ତାଙ୍କୁ ସୁଆଦିଆ
ଲାଗୁ ନ ଥିଲା । ଚୋରିକରି ଆମ୍ବ କି କୋଳି ଖାଇଲେ ତା’ ସ୍ୱାଦ ଓ ମଜା ନିଆରା ।
‘ଦେୱାନ୍ ସା’ବ୍‌… ଦେୱାନ୍ ସା’ବ୍‌!’
‘ଆଃ…’ ଚମକିଉଠି ସେ ମୁଣ୍ଡ ଟେକି ଚାହିଁଲା ବେଳକୁ ଟାଙ୍ଗା ଆସି ରଘୁନାଥଙ୍କ କୂଅ ପାଖରେ ଅଟକି ସାରିଥିଲା ।

ସେଇଠୁ ଆଗକୁ ଆହୁରି ସରୁ ଟାଙ୍ଗା ବି ଯାଇ ପାରିବନି । ଦେୱାନ୍ ସା’ବ୍ ତଳକୁ ଓହ୍ଲେଇପଡ଼ି ନିଜ ପକେଟରୁ ଟଙ୍କାଟିଏ କାଢ଼ିଲେ ଓ ହାଜି ହାତରେ ଧରେଇଦେଲେ ।

‘ନାଇଁ ଦେୱାନ୍ ସା’ବ୍‌, ଏତେ ପଇସା କାଇଁକି ଦେଉଛନ୍ତି?’
‘ଖୁସିରେ… ଖର୍ଚ୍ଚ କରିବାକୁ ହାଜି । ବୋଧହୁଏ ତୋ ଟାଙ୍ଗାରେ
ଏଇଟା ମୋର ଶେଷ ବସିବା ।’

‘କାଇଁକି ସାଇଁ…? ଏମିତି କଥା କାଇଁକ କହୁଛନ୍ତି…? କିନ୍ତୁ ଏ ଟଙ୍କାଟା… ।’
‘ନାଇଁ, ନାଇଁ, ଏଇଟା ତୋ ବକ୍ସିସ୍ ।’

ଏତିକି କହି ସେ ହାଜି ହାତକୁ ସ୍ନେହରେ ଜାବୁଡ଼ି ଧେିରଲ ।

କିନ୍ତୁ ପର ମୁହୂର୍ତ୍ତରେ ଚମକି ପଡ଼ିଲେ । ହାତ ଦିଓଟି ସତେ ଯେମିତି ନିଆଁରେ ଜଳିଲାପରି ଉଷୁମ ଲାଗୁଥିଲା । ସେ ପଚାରିଲେ, ‘ହାଜି, ତୁମ ଦେହ ତ ଜରରେ ଖଇ ଫୁଟୁଛି!’
‘ହଁ, ସାଇଁ ।’

‘ତୁମେ ଟାଙ୍ଗା ନେଇ ସିଧା ଘରକୁ ଯାଅ । ମୁଁ ମୋ ଜିନିଷପତ୍ର ଧରି ଘରକୁ ଯିବା ବ୍ୟବସ୍ଥା କରିବି ।’ ହାଜି ଫେରିଯିବା ପରେ ତାଙ୍କୁ କେମିତି ଏକୁଟିଆ ଲାଗିଲା । କୂଅମୂଳେ ଠିଆ ହୋଇଥିବା ବୁଢ଼ା ଅଶ୍ୱତ୍ଥ ଗଛକୁ ସେ ଚାହିଁଲେ । ତାଙ୍କ ପିଲାଦିନ ସାଙ୍ଗ ହସୁ କହୁଥିଲା ସେ ଗଛରେ କାଳେ ସାତ ସାତଜଣ ଠାକୁରାଣୀ ଅଛନ୍ତି । କାର୍ତ୍ତିକ ମାସରେ ସେ ପ୍ରଭାତଫେରି ଯାତ୍ରାରେ ସାମିଲ ହେଉଥିଲେ । ପ୍ରାୟ କୋଡ଼ିଏଜଣ ସରିକି ପିଲା ଗୋଟିଏ ଗାଆଁରୁ ଅନ୍ୟ ଗାଆଁ ପର୍ଯ୍ୟନ୍ତ ପାହାନ୍ତିଆ ପହରରେ ଭଜନ କୀର୍ତ୍ତନ କରି ବୁଲି ଯାଉଥିଲେ । କିନ୍ତୁ ରଘୁନାଥଙ୍କ କୂଅମୂଳେ ପହଞ୍ôଚଲା ମାତ୍ରେ ସେମାନଙ୍କ ସ୍ୱର ଆପେ କ୍ଷୀଣ ହୋଇଯାଉଥିଲା । ସତେ ଯେମିତି ସେମାନଙ୍କ ଶରୀରରୁ କିଏ ପ୍ରାଣକୁ କାଢ଼ି ନେଇଛି! ଅବଶ୍ୟ ଥରେ ଅଧେ ତା’ପିଲାଳିଆମୀ ବୁଦ୍ଧିର ସେ ହସୁ ଆଗରେ ବାହାଦୁରୀ ମାରିଥିଲା ଯେ ସେ ଭୂତପ୍ରେତ ଠାକୁର ଠାକୁରାଣୀଙ୍କ ଡରେନି । ବାଜି ମାରିଲେ ସିଏ ଅମାବାସ୍ୟା ରାତିରେ ସେଇ ଅଶ୍ୱତ୍ଥ ଗଛରେ ଚଢ଼ି ସେଥିରୁ ଡାଳ ଭାଙ୍ଗି ଆଣିପାରିବ ।

ସେମିତି ଥରେ ଦୁଃସାହସ ଦେଖେଇ ହେଉ ଅବା ନିଜର ଅପରିଣାମଦର୍ଶୀତା ଯୋଗୁ ହୋଇଥାଉ, ସେଇ ଗଛ ଉପରେ ଚଢ଼ି ସିଏ ଗୋଟିଏ ଅନ୍ଧାର ରାତି ବିତେଇଥିଲା । କିନ୍ତୁ ଯେତେବେଳେ ଗଛରୁ ଡାଳଖଣ୍ଡେ ଭାଙ୍ଗି ସେ ତଳକୁ ଡେଇଁପଡ଼ି ବିଜୟ ଗର୍ବରେ ଦୌଡ଼ିଥିଲେ, ତାଙ୍କୁ ଲାଗିଥିଲା ସାତଜଣ ଯାକ ଠାକୁରାଣୀ ତାଙ୍କ ଉପରେ ଖପ୍ପାହୋଇ ଗାଳିଗୁଲଜ କରୁଛନ୍ତି ଓ ତାଙ୍କୁ ପଛରୁ ଗୋଡାଉଛନ୍ତି । ଭୟ ପାଇ ସେ ତିନିଦିନ ପର୍ଯ୍ୟନ୍ତ ଶେଯରେ କତରାଲଗା ହୋଇ ପଡ଼ିଥିଲେ ।

ଏବେ ଆସି ତାଙ୍କୁ ବତିଶ ହେଲାଣି । ମନରେ ଆଉ ପୂର୍ବର ଅନ୍ଧବିଶ୍ୱାସ ନାହିଁ କି ପିଲାଦିନର ସେ ଭୟ ଆଉ ନାହିଁ । ତଥାପି ଆଜି ସେ ଅଶ୍ୱତ୍ଥ ଗଛଟା ଯେମିତି ତାଙ୍କ ଉପରକୁ ନଇଁ ଆସିଲା ପରି ଲାଗୁଥିଲା ଓ ତାଙ୍କ ଉପରେ ନିଜର ଶାଖା ପ୍ରଶାଖା ମେଲେଇ ପକାଉଥିଲା!

ସୁଟ୍‌କେଶ୍ ଓ ବେଡରୋଲକୁଧରି ସେ ଶାହ ସା’ବ୍‌ଙ୍କ ଘରଆଡ଼େ ମୁହାଁଇଲେ । ଦେଶ ବିଭାଜନବେଳେ ଘରେ ତାଲାଠୁଙ୍କି ତାଙ୍କର ଜିମାରେ ସେ ଚାବିଦେଇ ଯାଇଥିଲେ । ସେତେବେଳେ ତାଙ୍କୁ ଲାଗୁଥିଲା ଏ ବିଭଜନ, ଦଙ୍ଗା, ହିଂସା ସବୁକିଛି ସାମୟିକ; ବର୍ଷେଖଣ୍ଡେ ଭିତରେ ସବୁକିଛି ପୁଣି ଶାନ୍ତ ପଡ଼ିଯିବ । ସେ ପୁଣି ସିନ୍ଧୁ ପ୍ରଦେଶକୁ ଫେରି ଆସିବେ; ପୁଣି ଥରେ ନିଜ ଗାଆଁ ଘରେ ସୁଖଶାନ୍ତିରେ ରହିପାରିବେ ।

ଏବେ ସେ ଚାଲିଥିବା ଗଳିଟି କେମିତି ନିର୍ଜନ ଲାଗୁଥିଲା । ସବୁ ଘରର ଦରଜା ବନ୍ଦ୍ ଥିଲା । ଏମିତିକା ମୁଣ୍ଡଫଟା ଖରାରେ କିଏ ଭଲା ଘରକୁ ଫେରିବ? ସେ ଯାଇ ଶାହ ସା’ବ୍‌ଙ୍କ ଘର ଦୁଆରମୁହଁରେ ପହଞ୍ଚିଲା । ଦାଣ୍ଡ ଦରଜା ବନ୍ଦ୍ ଥିଲା । କାହିଁ କୁଆଡ଼େ ମଣିଷଙ୍କ ଚିହ୍ନବର୍ଣ୍ଣ ସୁଦ୍ଧା ଦୃଶ୍ୟ ହେଉ ନ ଥିଲା । ଏବେ ସେ ପାହାଚ ଢ଼ିଯାଇ ଦୁଆର ମୁହଁ କଡ଼କୁ ଲାଗିଥିବା ବେଲ୍ ଟିପିଲା । କେଇ ମିନିଟ୍ ପରେ ଚାକର ଟୋକା
ଜମନ୍ ଆସି କବାଟ ଖୋଲିଲା ଓ ଆଶ୍ଚର୍ଯ୍ୟ ହେଲାଭଳି କହିଲା,

‘ଆରେ… ଦେୱାନ୍ ସା’ବ୍‌, ଆପଣ! ଆସନ୍ତୁ, ଆସନ୍ତୁ ।  ଭିତରକୁ ଆସନ୍ତୁ!’
: ‘ଶାହ ସା’ବ୍ ଘରେ ଅଛନ୍ତି?’

: ‘ସାଇଁ ବାହାରକୁ ଯାଇଛନ୍ତି । ସନ୍ଧ୍ୟା ବେଳକୁ ଫେରିବେ । ଆପଣ ଭିତରକୁ ଆସୁନାହାନ୍ତି କାହିଁକି?’
: ‘ହଉ, ଠିକ୍ ଅଛି । ଏତକ ଜିନିଷପତ୍ର ରଖିଥାଅ ।’
: ‘ଆପଣ ଭିତରକୁ ଆସିବେନି? କିଛି ଖା’ପିଆ କରିବେନି?’
: ‘ନାଇଁ, ଧନ୍ୟବାଦ । ମତେ ଭୋକ ଲାଗୁନି ।’
: ‘ହେଲେ ଏ ମୁଣ୍ଡଫଟା ଖରାବେଳଟାରେ… ।’
: ‘ମୋ ଘର ଚାବିଟା ଦେଇପାରିବ? ପ୍ରଥମେ ଯାଇ ଘରଟାକୁ ଦେଖି ଆସେ ।’

ଜମନ୍ ହ୍ୟାଣ୍ଡ୍‌ବ୍ୟାଗ ଓ ବେଡରୋଲ ନେଇ ଘର ଭିତରକୁ ଚାଲିଗଲା ଓ ସଙ୍ଗେସଙ୍ଗେ ଦେୱାନ ସା’ବ୍‌ଙ୍କ ଘର ଚାବିଟା ଧରି ପୁଣି ଫେରିଆସିଲା ।
: ‘ମୁଁ ଆପଣଙ୍କ ସାଙ୍ଗରେ ଯିବା ଦରକାର ପଡ଼ିବ?’
: ‘ଆରେ ନା… ଦରକାର ନାହିଁ ।’
: ‘କିନ୍ତୁ…’ ଜମନ କେମିତି ଥଙ୍ଗମଙ୍ଗ ହେଲା । ‘ମୁଁ କ’ଣ କହୁଥିଲି କି ଉତ୍ତର ପ୍ରଦେଶରୁ ଆସିଥିବା ଗୋଟିଏ ଶରଣାର୍ଥୀ ପରିବାର ଆପଣଙ୍କ ଘରର ବାରଣ୍ଡାରେ ରହୁଛନ୍ତି ।’
‘ହୁଁ… ।’ ଗୋଟିଏ ମୁହୂର୍ତ୍ତ ପାଇଁ ସେ ଚୁପ୍ ପଡ଼ିଗଲେ ।

ତା’ପରେ ସ୍ୱାଭାବିକ ସ୍ୱରରେ କହିଲେ, ‘କିଛି ଅସୁବିଧା ନାହିଁ । ଅନ୍ତତଃ ପକ୍ଷେ ଘରଟିକୁ ତ… ।’

‘ହଜୁର । ସାଇଁ ଆପଣଙ୍କର ସବୁ ଆସବାବପତ୍ରକୁ ସୁରକ୍ଷିତ ରଖିଛନ୍ତି । ସେ ଲୋକମାନଙ୍କୁ ମଧ୍ୟ ବାରଣ୍ଡରେୁ ନେଇ ଘର ଭିତରେ ରହିବାକୁ କହିଛନ୍ତି । ଆପଣ ବୁଝିପାରୁଥିବେ, ଆମେ ଆଉ କ’ଣ କରିପାରିଥାଆନ୍ତୁ? ସରକାର ତ ନିୟମ କରିଛନ୍ତି… ।’

ନିଜ ଘର ଆଡ଼କୁ ଚାଲିଥିବାବେଳେ ତାଙ୍କ କାନରେ ଜମନ୍‌ର ସ୍ୱର ବାରମ୍ବାର ଗୁଂଜରିତ ହେଉଥିଲା । ତା’କଥାରେ ସେପରି ଆତ୍ମୀୟତା ନ ଥିବା ପରି ମନେହେଉଥିଲା । ଏପରିକି ତାଙ୍କୁ

ଘର ଭିତରକୁ ଡାକିବାରେ ମଧ୍ୟ ସେତେଟା ଆଗ୍ରହ ଥିବା ଜଣାପଡ଼ୁ ନ ଥିଲା । ତା’ର ଆତିଥେୟତା କେମିତି ଯାନ୍ତ୍ରିକ ପରି ଲାଗୁଥିଲା । ଶରଣାର୍ଥୀମାନଙ୍କୁ ତାଙ୍କ ବାରଣ୍ଡାଟି ଭଡ଼ାଦେଇ ଶାହ ସା’ବ୍ ତାଙ୍କ ପ୍ରତି ଜଣେ ଅଜଣା ଲୋକଙ୍କ ପରି ଆଚରଣ କରିଛନ୍ତି । ଏଇସବୁ କଥା ଚିନ୍ତାକରି ତାଙ୍କ ମନ ଭାରାକ୍ରାନ୍ତ ହୋଇଉଠିଲା । କେମିତି ଏକ ନିଛାଟିଆପଣ ତାଙ୍କୁ ଗ୍ରାସ କରି ପକାଇଲା ପରି ଲାଗିଲା ।

ଘର ପାଖରେ ପହଞ୍ଚିବା ପରେ ସେ ଦଣ୍ଡେ ଠିଆହେଲେ ଓ ଚାରି ଆଡ଼କୁ ଲକ୍ଷ୍ୟ କଲେ । ଘରର କାନ୍ଥକୁରା ଓ ଥାକରେ ଉଈ ଲାଗିଗଲେଣି । ଦୀପାବଳୀବେଳେ କାନ୍ଥରେ ଅଙ୍କାଯାଇଥିବା ରଙ୍ଗୀନ ଚିତ୍ରସବୁ ବର୍ଷାରେ ଧୋଇ ଯାଇସାରିଥିଲା ।
: ‘ହେ ବାବୁ, କାହାକୁ ଏମିତି ଆଁ ମେଲାକରି ଚାହିଁଛ?’ ଚମକିଉଠି ସେ ପଛକୁ ବୁଲିପଡ଼ି ଚାହିଁଲେ । ତାଙ୍କରି ଘର ବାରଣ୍ଡାରେ କେମିତି ଏକ ପାଣ୍ଡୁର ବର୍ଣ୍ଣର ଅଚିହ୍ନା ଲୋକଟିଏ ଠିଆ ହୋଇଥିଲା । ତାଙ୍କର ଆଉ ବୁଝିବାକୁ ବାକିରହିଲାନାହିଁ ଯେ ଉର୍ଦ୍ଦୁ କହୁଥିବା ସେ ଲୋକଟି ଭଡ଼ାଟିଆ । କ୍ଷଣକ ଲାଗି ତାଙ୍କର ଇଚ୍ଛା ହେଉଥିଲା ଲୋକଟିର ବହପକୁ ଜବତ କରିବା ସକାଶେ ତା’ଗାଲାରେ ଶକ୍ତ ଚଟକଣାଟିଏ ବସେଇ ଦେବାକୁ ଓ ପଚାରିବାକୁ, ‘ବଦମାସ୍‌, ମୋରି ଘର ବାରଣ୍ଡାରେ ଠିଆହୋଇ ମୋତେ ଏମିତିକା ପ୍ରଶ୍ନ ପଚାରିବାକୁ ତୋର ସାହସ ହେଲା କେମିତି? ଭାବିଲୁ କ’ଣ ଏ ଘର ତୋ ବୋପାଅଜାଙ୍କର?’

କିନ୍ତୁ ତାଙ୍କ ତୁଣ୍ଡରୁ ଉଁ ଚୁଁ କିଛି ଶବ୍ଦ ବାହାରିଲେନି । ସେ ଆଉ କେଇ କାହୁଣ୍ଡ ଆଗକୁ ଗଲେ ଓ ଚୁପ୍‌ଚାପ୍ ତାଲା ଖୋଲି ଘର ଭିତରେ ପଶି ଭିତରପଟୁ କବାଟ କିଳିନେଲେ ।

ହଠାତ୍ କେମିତି ତାଙ୍କ ମୁଣ୍ଡ ରୁନ୍ଧିହେଲା ପରି ଲାଗିଲା ଓ ସେ  ଲମ୍ବା ପାହୁଣ୍ଡ ପକେଇ ଘରର ଅଗଣା ପର୍ଯ୍ୟନ୍ତ ଚାଳିଗଲେ । ଅଗଣାରେ ଖଟ ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା ଖଣ୍ଡସବୁ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା । ଚଉରାରେ ଥିବା ତୁଳସୀ ଗଛଟି ପାଣି ଅଭାବରୁ କେଉଁଦିନୁ ନାରାୟଣ ପ୍ରାପ୍ତ ହୋଇ ସାରିଥିଲେ । ତାଙ୍କ ବୁଢ଼ୀମା’ସବୁଦିନ ଗାଆଁ ପୁଷ୍କରିଣୀକୁ ଗାଧୋଇବାକୁ ଯାଉଥିଲେ । ଗାଧୋଇସାରି ହାତରେ ଜଳପୂର୍ଣ୍ଣ ଗଡ଼ୁଟିଏ ଧରି ଆସି ତୁଳସୀ ଚଉରାରେ ପାଣି ଢାଳୁଥିଲେ ।

ସନ୍ଧ୍ୟାବେଳେ ସେ ସେଇ ଚଉରାମୂଳେ ଛୋଟ ସଳିତାଟିଏ ଜାଳୁଥିଲେ । ସେ ଆଉ କେଇପାଦ ଆଗକୁ ବଢ଼ିଲେ ଓ ଗୋଟିକ ପରେ ଗୋଟିଏ କରି କୋଠରୀର ତାଲାମାନ ଖୋଲିଲେ । ସବୁ ଘର ଧୂଳି ଓ ଆବର୍ଜନାରେ ଭରପୂର ଥିଲା । ଚାରିଆଡ଼େ ଜିନିଷପତ୍ର ବିକ୍ଷିପ୍ତଭାବେ ପଡ଼ିଥିଲା । କାନ୍ଥସାରା ବୁଢ଼ିଆଣୀ ଜାଲ ଭର୍ତ୍ତି । ରୋଷେଇଘର, ଭଣ୍ଡାରଘର ସବୁଠାରେ ଅଳିଆ । ପିଣ୍ଡା ଉପରେ ଥାକମାରି ଗଦା ହୋଇଥିବା ଜାଳେଣିକାଠ ଓ ଘଷିସବୁ ରହିଥିଲା । ଗାଧୁଆଘର, ବୈଠକଖାନା, ଭିତର ଶୋଇବାଘର, ଦୋଳି, ଆଲମାରୀ, କାଠର ଛୋଟ ଦିଅଁ ବିମାନ, ବୁଢ଼ୀମା’ର ପୂଜା ପିଢ଼ା, ତାଙ୍କ ଅନ୍ଧୁଣୀ ଖୁଡ଼ିଙ୍କ ଅନ୍ଧାରୁଆ ଗନ୍ଧିଆ କୋଠରି – ସେଇ କୋଠରୀ ଭିତରେ ପଶିବା ମାତ୍ରେ ସତେକି ଅନ୍ଧାର ତାଙ୍କୁ ଗୋଟାପଣେ କାବୁ କରିବସିଲା! ଚଟାପଟ ସେ ସେଠାରୁ ପଦାକୁ ବାହାରି ଆସିଲେ । ଏଥର କିଛି ନ ଭାବି ଆଖିବୁଜି ଦୋଳିଟା ଉପରେ ବସିପଡ଼ିଲେ ।
ପ୍ରାୟ ଘଣ୍ଟେ କି  ଅଧିକ ସମୟ ସେମିତି ବସିରହିଲାପରେ ସେ ହଠାତ୍ ଉଠିପଡ଼ିଲେ ଓ ସବୁ ଘରର କବାଟରେ ପୁଣି ତାଲା ପକେଇ ପଦାକୁ ବାହାରି ଆସିଲେ । ସେତେବେଳକୁ ସୂର୍ଯ୍ୟ ଅସ୍ତ ହୋଇ ସାରିଥାଆନ୍ତି । ସେ ସେଇ ଗଳିରାସ୍ତାରେ ଚାଲି ଚାଲି ଯାଇ ହ୍ରଦ ପାଖରେ ପଦଚାରଣ କଲେ । କିଛି ସମୟ ପରେ ଆଞ୍ଜୁଳାଏ ପାଣି ଆଣି ମୁହଁରେ ଛାଟିଲେ । ତା’ପରେ ପାଦରୁ ଜୋତା, ମୋଜା କାଢ଼ି ପାଣିରେ ପାଦ ବୁଡ଼ାଇଲେ । ଏବେ ତାଙ୍କ ମନ ଭାରି ହାଲୁକା ଲାଗିଲା । ହ୍ରଦ ପୂଳକୁ ଲାଗି ନିମ୍ବ ଓ ଅନ୍ୟ ଅନେକ ପ୍ରକାର ଗଛ ଭର୍ତ୍ତି ।

ପିଲାଦିନେ ସେ ଆସି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଗଛ ଛାଇରେ ବସୁଥିଲେ; ପାଖଆଖର ପିଲାମାନଙ୍କ ସାଙ୍ଗରେ ଖେଳୁଥିଲେ । ଥରେ ତ ଏଇଠି ମିଛିମିଛିକ ବାହାଘର ବି କରିଥିଲେ । ସେ ହୋଇଥିଲେ ବର ଆଉ ରଜତର ଝିଅ ହୋଇଥିଲା କନିଆଁ । ମିଛିମିଛିକା ବେଦୀରେ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗାଆଁସାରା ପିଲାମାନେ ବରଯାତ୍ରୀ ଦଳ ସାଜି ପରିକ୍ରମା କରିଥିଲେ । ସବୁପିଲା ଟିଣ ଡବା ବଜେଇଥିଲେ, ମିଠେଇ
ବାଣ୍ଟିଥିଲେ ଓ ଆମ ବାହାଘର କଥା ସମସ୍ତଙ୍କୁ ଜଣେଇଥିଲେ: ‘ଜିନତ ଓ ଗିରିଧରଙ୍କର ବାହାଘର ହେଲା ।’ ପିଣ୍ଡାରେ ବସି ତାଙ୍କ ବାପା ଓ ଜିନତ୍‌ର ମା’ ଆମର ଏସବୁ ତାମସାକୁ ମନଭରି ଉପଭୋଗ କରିଥିଲେ ।

ଆମର ଏଭଳି ନିଷ୍ପାପ ମିଛିମିଛିକା ବାହାଘର ହିନ୍ଦୁ ଧର୍ମକୁ କୌଣସି ଆଞ୍ଚ ପହଞ୍ଚାଇ ନ ଥିଲା କି ଏହା ଦ୍ୱାରା ଇସଲାମ ଧର୍ମର କ୍ଷତି କରି ନ ଥିଲା । ବରଂ ଗାଆଁର ସଭିଏଁ ଏଭଳି ଘଟନାକୁ ଖୁସିରେ ଉପଭୋଗ କରିଥିଲେ । କିନ୍ତୁ ଯଦି ଆଜିକାଲିର ପିଲାଏ ଏମିତି ଖେଳ ଖେଳନ୍ତି… ସେକଥା ଚିନ୍ତା କଲାବେଳକୁ ତାଙ୍କ ମେରୁଦଣ୍ଡ ଭିତରେ କେମିତି ଏକ ବିଚିତ୍ର କମ୍ପନ ସୃଷ୍ଟି ହେଲା । ସେ ପାଣି ଭିତରୁ ନିଜ ପାଦ ଉଠେଇ
ଆଣିଲେ । ନିଛାଟିଆପଣ… ଅଣନିଃଶ୍ୱାସ… କ୍ଳାନ୍ତି ତାଙ୍କୁ ଗୋଟାପଣେ ଆଚ୍ଛନ୍ନ କରିପକାଇଲା ।

ଏଠାକୁ ଆସି ସେ ଏକ ମସ୍ତବଡ଼ ଭୁଲ୍ କରିବସିଛନ୍ତି ବୋଲି ତାଙ୍କର ମନେ ହେଲା । ଏଠାରେ ପଦ କଥା ହେବାଲାଗି ସୁଦ୍ଧା କେହି ନାହାନ୍ତି । ନା ପରିବାର, ନା ସମ୍ପର୍କୀୟ, ନା ସାଙ୍ଗସାଥୀ, ନା କେହି ଆତ୍ମୀୟ । ଆଜି ତାଙ୍କ ନିଜ ଗାଆଁ ଆଉ ତାଙ୍କର ହୋଇ ନାହିଁ । ତାଙ୍କ ନିଜ ଘର ବି ତାଙ୍କର ନୁହେଁ । ଅସ ଏକୁଟିଆ, ସମ୍ପୂର୍ଣ୍ଣ ଏକାକୀ!

ହଠାତ୍ ଗୋଟିଏ କୁକୁରର ବିକଟ ଚିତ୍କାରରେ ସେ ଚମକିପଡ଼ିଲେ । ଯଦିବା କୁକୁରଟି ତାଙ୍କ ପଛପଟେ ଭୁକୁଥିଲା, ତାଙ୍କୁ ଲାଗିଲା ସେ କୁକୁରଟି ତାଙ୍କରି ଆଡ଼କୁ ଦୌଡ଼ି ଆସୁଛି । ସେ ହଠାତ୍ ଠିଆ ହୋଇଗଲେ ଓ ନିଜର ଭାରସାମ୍ୟ ରକ୍ଷାକରି ନ ପାରି ପାଣି ଭିତରକୁ ଗଡ଼ିପଡ଼ିଲା ପରି ହେଲେ । ଏବେ ସେ ପାଣିରେ ଠିଆ ହୋଇଥିଲେ । କୁକୁରଟିକୁ ସାମ୍‌ନା କରିବାକୁ ମନେ ମନେ ପ୍ରସ୍ତୁତ ହୋଇଯାଇଥିଲେ । କିନ୍ତୁ ସେଭଳି ପ୍ରସ୍ତୁତିର କୌଣସି ଆବଶ୍ୟକତା ନ ଥିଲା । କାରଣ, ଯେଉଁ କୁକୁରଟି ତାଙ୍କ ସାମ୍‌ନାରେ ଠିଆ ହୋଇଥିଲା, ସେ ଥିଲା ତାଙ୍କ ନିଜ ପୋଷା କୁକୁର – ପପି । ଏତେ ଦିନପରେ ମୁନିବକୁ ଦେଖି ସେ ଖୁସିରେ ଭୁକି ଉଠିଥିଲା । ଏବେ ସେ ଭୁକା ବନ୍ଦ୍‌କରି ଦେୱାନ୍ ସା’ବ୍‌ଙ୍କ ପାଖକୁ ଆସି ନିଜର ଲାଞ୍ଜ ହଲେଇ ଚାଲିଲା । ସ୍ନେହଭରା କଣ୍ଡରେ ସେ ତାକୁ ଡାକିଲେ, ‘ପପି, ପପି! ଆ’, ପାଖକୁ ଆ’ ।’ପପି କିନ୍ତୁ ସେମିତି ନିଜର ଲାଞ୍ଜକୁ ହଲାଇ
ତା’ମନର ଖୁସି ବ୍ୟକ୍ତ କରିଚାଲିଥିଲା । ଦେୱାନ୍ ସା’ବ୍ ପାଣିରୁ ଉପରକୁ ଉଠି ଆସିଲେ । ତାଙ୍କ ପ୍ୟାଣ୍ଟରୁ ସରସର ହୋଇ ପାଣି ନିଗିଡ଼ି ପଡ଼ୁଥିଲା । ଉପରକୁ ଉଠିଆସି ସେ ନିଜ ପ୍ୟାଣ୍ଟରୁ ପାଣି ଝାଡ଼ିହେବା ମାତ୍ରେ ପପି ତାଙ୍କ ଆଣ୍ଠୁକୁ କୁଣ୍ଡେଇ ଧରିଲା । ସ୍ନେହରେ ସେ ପପିର ପିଠିକୁ ଆଉଁଷିଦେଲେ । ପପି କୁଁ କୁଁ ହୋଇ ନିଜର କୃତଜ୍ଞତା ବ୍ୟକ୍ତ କଲା ଓ ନିଜ ଦେହକୁ ଝାଡ଼ିହେଲା ।

ଦେୱାନ୍ ସା’ବ୍ ତା’ପିଠିକୁ ଆଉ ଥରେ ଥାପୁଡ଼େଇ ଦେଇ କହିଲେ, ‘ଦୁଷ୍ଟ କୋଉଠିକାର!’ ପପି କିନ୍ତୁ ବାରମ୍ବାର ତାଙ୍କ ଦି’ଗୋଡ଼ ମଝିରେ ମୁହଁ ଗୁଞ୍ଜି ଚାଲିଥିଲା । ଅଚାନକ ତାଙ୍କ ମନରେ ଏକ ବିଚିତ୍ର ଆଶ୍ୱସ୍ତି ଅନୁଭବ କଲେ । ସେ ନିଜ ପ୍ୟାଣ୍ଟ ତଳକୁ ଯଥାସାଧ୍ୟ ଚିପୁଡ଼ି ଫେରିବାକୁ ଆରମ୍ଭ କଲେ । ଖୁସି ମନରେ ସେ ସୁସୁରି ମାରୁଥିଲେ । ଲାଞ୍ଜ ହଲେଇ ହଲେଇ ପ୍ରଭୁଭକ୍ତ ଶ୍ୱାନଟି ତାଙ୍କ ପଛେ ପଛେ ଅନୁଧାବନ କରୁଥିଲା । ଏବେ ତାଙ୍କ ମନରୁ ସେ ଏକାନ୍ତବୋଧ, ନିଛାଟିଆପଣ କୁଆଡ଼େ ଉଭେି ସାରିଥିଲା ।

ବାଧାରେ ତାଙ୍କ ଦେହମୁଣ୍ଡ ବିନ୍ଧୁଥିଲା, ତଥାପି ସେ ହ୍ରଦର ଆରପଟ ପର୍ଯ୍ୟନ୍ତ ଚାଲି ଚାଲି ଗଲେ । ତାଙ୍କ ଆଗେ ଆଗେ ଦୁଇଟି ଛାଇ ଚାଲି ଥାଆନ୍ତି – ଗୋଟିଏ ତାଙ୍କର ଓ ଅନ୍ୟଟି ପପିର ।

ତାଙ୍କୁ ଲାଗିଲା ଏବେ ସେ ଦି’ଜଣ ନୁହନ୍ତି ଚାରିଜଣ ଏକାସଙ୍ଗେ ଚାଲିଛନ୍ତି । କେନାଲ, କ୍ଷେତ, ଗଛବୃଚ୍ଛ, ବଗିଚା – ସେସବୁ ଅତିକ୍ରମ କରି ସେ ଯାଇ ପହଞ୍ଚିଲେ ଗାଆଁ ଶେଷମୁଣ୍ଡରେ ଥିବା ମଶାଣିପଦା ନିକଟରେ । ସେଇଠି ଠିଆହୋଇ ସେ ଭାବୁଥିଲେ – ଏଇ ମଶାଣିରେ ତାଙ୍କ ମା’, ଭାଉଜ, ସାନଭାଇ ଓ ଆଉ କେତେଜଣ ସାଙ୍ଗଙ୍କ ମର ଶରୀର ଚିତାରେ ଭସ୍ମୀଭୂତ ହୋଇଥିଲା । ସେଇ ସ୍ଥାନରେ ଦିନେ ତାଙ୍କ ନିଜ ପ୍ରାଣହୀନ ଶରୀର ଚିତାରେ ଜଳିବ ବୋଲି ସେ ମନେମନେ ଭାବିଥିଲେ । ମାଟିରୁ ସୃଷ୍ଟି ଏ ଶରୀର ଦିନେ ପୁଣି ସେଇ ମାଟିରେ ଲୀନ ହୋଇଯିବ । ନିଜ ପୂର୍ବଜମାନଙ୍କ ସହ ପୁଣି ଥରେ ମିଳିତ ହେବେ ।

ଏବେ କିନ୍ତୁ ସେକଥା ଘଟିବା ଅସମ୍ଭବ । ଏବେ ତାଙ୍କ ବାସସ୍ଥାନ କାହିଁ ହଜାର ହଜାର ମାଇଲ୍ ଦୂରରେ । ସିନ୍ଧୁର ଏଇ କର୍ଦ୍ଦମାକ୍ତ ମୃତ୍ତିକା ପରିବର୍ତ୍ତେ ରାଜସ୍ଥାନର ଶୁଷ୍କ ବାଲୁକା ଭିତରେ କେଉଁଠି ତାଙ୍କ ଚିତାଭସ୍ମ ବିଲୀନ ହେବ । ଛଳଛଳ ଆଖିରେ ସେ ମଶରଣିପଦାର ସେଇ ଭଙ୍ଗା ଦଦରା ଦାହଗୃହର ଛାତକୁ ଚାହିଁଲେ । ସେଇ ଦାହଗୃହ ଚାରିକଡ଼େ ପାଉଁଶ ଓ ଅଙ୍ଗାରସବୁ ଗଦା ହୋଇଥିଲା ।କେଉଁଠି ଖଣ୍ଡେ ଦରପୋଡ଼ା କାଠ, ଆଉ କେଉଁଠି ପୁଳାଏ ଅଙ୍ଗାର । ସେ ମନେମନେ ଭାବିଲେ- ସବୁକିଛି ପୋଡ଼ିଜଳି ପାଉଁଶ ହୁଏନି, କିଛି ରହିଯାଏ – ଯେମିତି ଏ ଦରପୋଡ଼ା କାଠ!

ତାଙ୍କ ମନରେ ଆଶାର କ୍ଷୀଣ ଆଲୋକ ରେଖାଟିଏ ସୃଷ୍ଟି ହେଲା । ନଇଁପଡ଼ି ତଳୁ ମୁଠାଏ ପାଉଁଶ ଉଠାଇ ଆଣି ସେ କପାଳରେ ମାରିଲେ । ଅଜାଣତରେ ଆଖିରୁ ଦି’ଧାର ଲୁହ ଗଡ଼ିଆସିଲା । ସତେ ଯେମିତି ସେ ପାଉଁଶ ତାଙ୍କ ଭିତରେ କିଛି ଗୋଟିଏ ବିଚିତ୍ର ଭାବନା, ଶିହରଣ ଜନ୍ମାଇଲା! ଏଥର ସେ ତଳେ ଆଣ୍ଠୁମାଡ଼ି ବସିପଡ଼ି ଅବୋଧ ଶିଶୁଟିଏ ପରି କଇଁକଇଁ ହୋଇ କାନ୍ଦିଲେ । ତାଙ୍କୁ ଜଣା ନ ଥିଲା ସେଇଠି ସେଇ
ଶ୍ମଶାନଭୂଇଁରେ ମୁହଁମାଡ଼ି ବସି ସେ କେତେ ଘଣ୍ଟା  କାନ୍ଦିଥିଲେ । ପାଖରେ ଠିଆ ହୋଇଥିବା ପ୍ରଭୁଭକ୍ତ ଶ୍ୱାନ ପପି ମୁନିବଙ୍କ ହାତକୁ ଶ୍ରଦ୍ଧାରେ ଚାଟି ଚାଲିଥିଲା । ଅନ୍ୟ ବେଳ ହୋଇଥିଲେ ସେ ହୁଏତ ତାକୁ ଘଉଡ଼ାଇ ଦେଇଥାଆନ୍ତେ । କିନ୍ତୁ ଏବେ ପପିର ଆଚରଣ ତାଙ୍କୁ ବେଶ୍ ଆଶ୍ୱସ୍ତ କରୁଥିଲା, ଭଲ ଲାଗୁଥିଲା । ସ ନିଜ ହାତକୁ ରାମଲରେ ପୋଛିନେଲେ ଓ ପପି ମୁଣ୍ଡକୁ ସ୍ନେହରେ ଥାପୁଡ଼େଇଲେ ।

ସେତେବେଳକୁ ଛାଇ ବି ଅପସରି ଯାଇ ସାରିଥିଲା । ଏଥର ସେ ଉଠିଲେ କିନ୍ତୁ ନିଜ ଘରକୁ ଫେରିବା ପରିବର୍ତ୍ତେ ବଜାର ଆଡ଼େ ଚାଲିଲେ । ତାଙ୍କ କଛେକଛେ ପପି ଲାଞ୍ଜ ହଲେଇ ଚାଲିଥାଏ । ଗାଆଁ ଲୋକମାନେ ଯେଉଁମାନେ ଖରାବେଳେ ନିଜ ନିଜ ଘରେ ବିଶ୍ରାମ ନେଉଥିଲେ ଏବେ ସେମାନେ ପଦାକୁ ବାହାରିବା ଆରମ୍ଭ କରିଥିଲେ । ସେ ଆସି ବଜାରରେ  ପହଞ୍ଚିବା ମାତ୍ରେ କଂସେଇ ରମଜାନ ତାଙ୍କୁ ପଛରୁ ନାଁ ଧରି ଡାକ
ଛାଡ଼ିଲା, ‘ଦେୱାନ ସା’ବ୍‌! କେତେବେଳେ ଆସିଲେ?’ ତନ୍ତୀ ଛୁଟୁ ବି ତା’ଦୋକାନରୁ ବାହାରି ଆସି ଆଶ୍ଚର୍ଯ୍ୟ ହେଲାପରି ପଚାରିଲା, ‘ଆରେ! ଆପଣ ଆସିଛନ୍ତି?’

ଦରଜୀ ୟୁକୁବ୍ ତା’ସିଲେଇ ଦୋକାନ ଛାଡ଼ି ପଦାକୁ ଦୌଡ଼ିଆସି ବଡ଼ ପାଟିରେ ଚିଲ୍ଲେଇ ଉଠିଲା, ‘ସ୍ୱାଗତ ସା’ବ୍‌! ଆପଣଙ୍କୁ ସ୍ୱାଗତ! ଆପଣଙ୍କୁ ଦେଖିବା ଲାଗି ଏ ଆଖି କେତେ ଦିନୁ ଅପେକ୍ଷା କରିଥିଲା… ।’
ଏମିତି ଏମିତି କେଇଟା ମିନିଟ ଭିତରେ ସମସ୍ତେ ବଜାର ମଝିରେ ରୁଣ୍ଡ ହୋଇଗଲେ । ଭିଡ଼ ଜମିଗଲା । ସମସ୍ତେ ଖୁସିରେ, ଭାବବିହ୍ୱଳ ହୋଇ ଦେୱାନ ସା’ବ୍‌ଙ୍କୁ କେତେ କେତେ କଥା ପଚାରି
ଚାଲିଥାଆନ୍ତି ।
: ‘ଆମ୍ମା ଭଲ ଅଛନ୍ତି ତ ସା’ବ୍‌?’
: ‘ମାଷ୍ଟର ସା’ବଙ୍କ ଦେହ କେମିତି ଅଛି?’
: ‘ଆପଣଙ୍କ ପିଲାମାନେ ଏବେ ହିନ୍ଦୀ ପଢ଼ୁଥିବେ ନା?’
: ‘ଆଉ ସାଇଁ, ଆମମାନଙ୍କ କଥା ମନେପଡ଼ୁଛି ନା ନାଇଁ?’
: ‘ଆଲ୍ଲାଙ୍କ ନାଁରେ କସମ୍ ଖାଇଚୁ, ଆପଣଙ୍କ ବିନା କେମିତ ଏ
ଗାଆଁ ଅଧୁରା ଲାଗୁଛି ।’
: ‘ଅଧୁରା ନୁହେଁ ସାଇଁ, ଆମେ ନିଜକୁ ଛେଉଣ୍ଡ ମଣୁଛୁ ।’

ଭାବ, ଶବ୍ଦ, ଆବେଗ, ଲୁହ ଆଉ କଥାବାର୍ତ୍ତା ସବୁ ଯେମିତି ଏକାକାର ହୋଇଯାଇଥିଲା । ଯେତେବେଳେ ସେ ସେଠାରୁ ଫେରିବାକୁ ବାହାରିଲେ, ତାଙ୍କ ମନ ଭିତରଟା କେମିତି ହାଲୁକାଲାଗୁଥିଲା । ତାଙ୍କ ପାଖରେ ପପି କିନ୍ତୁ ସେମିତି ଲାଗି ଲାଗି ରହିଥିଲା । ଏବେ ସେ ଚାଲିଚାଲି ଯାଇ ବଜାରର ଶେଷ ମୁଣ୍ଡରେ ପହଞ୍ଚି ସାରିଥିଲେ । ଜାନ୍ ମହମ୍ମଦର ବିଠା ଦେକାନ ବାହାରେ ଫକୀରଟିଏ ଏକତାରା ବଜେଇ ଗୀତ ବୋଲି ଚାଲିଥିଲା: “ମହଲ ତୋହର ଚାହେଁନି ଉମର୍‌ ଜନମ ଭୂଇଁ ମୋ ଲୋଡ଼ା ଦେଶସାବୀ ପାଇଁ ପ୍ରାଣ ମୋ କାନ୍ଦୁଛି ଏ ଶରୀରଟା ଖାଲି ତୁଚ୍ଛା…” ହଠାତ୍ କ’ଣ ହେଲା କେଜାଣି ଫକୀର ତୁଣ୍ଡର ଗୀତ ସହିତ ଏକତାରାର ତାରଟା ବି ନୀରବିଗଲା । ‘ଆରେ ଦେୱାନ, ତୁମେ ଆସିଛ!’ଏକତାରାଟିକୁ ତଳେ ଥୋଇଦେଇ କେମିତି ବିସ୍ମୟ ଓ ସ୍ନେହଭରା ଦୃଷ୍ଟିରେ ସେ ତାଙ୍କ ଆଡ଼େ ଚାହିଁଲେ । : ‘ଆରେ ବନ୍ଦ୍ କଲ କାହିଁକି? ଗାଅ, ତୁମ ସୁର୍ ଜାରି ରଖ ।’

‘ସତେ ନା କ’ଣ?’ ଏତିକି ପଚାରି ଫକୀର ପୁଣି ତାଙ୍କ ସୁର୍‌ ତୋଳିଲେ । କାନରେ ହାତଦେଇ ସେ ଆହୁରି ଉଚ୍ଚ ସ୍ୱରରେ ଗାଇବାକୁ ଲାଗିଲେ । ଏଥର ସେ ଗୋଟିଏ ଦୋହା ଗାଉଥିଲେ ।
: ‘ଦେଶ ମୋର ନେଇ ଯାଉ ଏଇ ପ୍ରାଣବାୟୁ…’ ତା’ପର ଦୋହାଟି ଥିଲା –
‘ଖାଁ ଖାଁ ଗାଆଁଦାଣ୍ଡ, ଶୂନ୍ୟ ମୋ ଦୁଆର… କେହି ନାହିଁ କେଉଁଆଡ଼େ ମୃତ୍ୟୁର ଜୁଆର… ଦୋହା ମଝିରେ ଫକୀରଟି ଉଠି ଠିଆହୋଇ ପଡ଼ିଲା ଓ କେମିତି ଭାବବିହ୍ୱଳ ହୋଇ ନାଚିବାକୁ ଲାଗିଲା ।
‘ଦୁଆରମୁହଁକୁ ଆଜି ଆସିଛି ମୋ ବନ୍ଧୁ…’

ଦେୱାନ୍ ସା’ବ୍ ଭାବି ଚାଲିଥିଲେ – ସତରେ, ସବୁକିଛି ବଡ଼ ବିଚିତ୍ର ଲାଗୁଛି । ସେଇ ଏକା ଗୀତ, ସେଇ ଏକା ସୁର୍ । କିନ୍ତୁ ଏଠି ଫକୀର ଗାଉଛି, ଆଉ କାଳୁ ଭଗତ ସେଠାରେ ଗାଉଛି । ସେମାନଙ୍କର ଶାହ, ସଚଳ ଓ ଶାମୀ ସେମାନଙ୍କର, ଆଉ ଆମର ବି । ଦେଶ ବଣ୍ଟା ଏ ଗୀତ କିନ୍ତୁ ବର୍ତ୍ତିଯାଇଛି । ଭାଗ ଭାଗ ହୋଇଯାଇନି ।

ଖୁସିରେ ଗଦ୍‌ଗଦ୍ ହୋଇ ସେ ନିଜ ପକେଟରୁ ଟଙ୍କିକିଆ ମୁଦ୍ରାଟିଏ ବାହାରକଲେ ଓ ଫକୀରର ଗୀତ ଶେଷ ହେଲାପରେ ତା’ହାତରେ ଥାପି ଦେଉ ଦେଉ କହିଲେ, ‘ଫକୀର, ମୋର ପ୍ରିୟ ଭାଇ, ତୁମକୁ ଧନ୍ୟବାଦ । ଆଜି ଶୁଖିଲା କ୍ଷତକୁ ତୁମେ ପୁଣି ଉଖାରିଦେଲ । ସେ କ୍ଷତକୁ ପୁଣି ରକ୍ତାକ୍ତ କରିଦେଲ ।’

ଏକଥା ଶୁଣି ହାତରେ ଧରିଥିବା ଟଙ୍କାଟିକୁ ଜାନ୍ ମହମ୍ମଦ୍‌ ଆଡ଼େ ଫିଙ୍ଗିଦେଇ ଫକୀର ହସିହସି କହିଲେ, ‘ଜାନ୍‌, ଆଜି ଏ

ଟଙ୍କାରେ ମତେ କବାବ ଆଉ ରୁଟି ଦେ’ ।’

ଏଥର ସେ ଦୋକାନ ସାମ୍‌ନାରେ ତଳେ ଚେକା ପକେଇ ବସିପଡ଼ିଲେ ଓ ହାତ ବଢ଼େଇ ଜାନ୍ ମହମ୍ମଦଠାରୁ ରୁଟି କବାବ ଆଣିଲେ । ଏବେ ସେ ଦେୱାନଙ୍କ ଆଡ଼କୁ ଚାହିଁ ତାକୁ ସେଇ ରୁଟି ଓ କବାବ୍‌ ଯାଚିଲେ – “ଆସ, ଏଇଠି ତଳେ ବସିପଡ଼ । ଦିହେଁ ଏକାଠି ବସି ଖାଇବା ।’

ମୁହୂର୍ତ୍ତକ ପାଇଁ ଦେୱାନ ହଡ଼ବଡ଼େଇଗଲେ । ଦ୍ୱନ୍ଦ୍ୱରେ ପଡ଼ିଗଲେ । ସେ ସମ୍ପୂର୍ଣ୍ଣ ଶାକାହାରି ନୁହନ୍ତି ସତ । କିନ୍ତୁ ମାଛମାଂସ ଖାଇବାକୁ ଭଲ ପାଆନ୍ତିନି । ବିଶେଷ କରି କବାବ୍ ।

କବାବ୍‌ର ବାସ୍ନା ସେ ଆଦୌ ସହ୍ୟ କରିପାରନ୍ତିନି । କିନ୍ତୁ ଭଗବାନଙ୍କୁ ଜଣା ତାଙ୍କର କ’ଣ ହେଲା କେଜାଣି, ଫକୀରର ଏମିତିକା ସ୍ନେହପୂର୍ଣ୍ଣ ଆମନ୍ତ୍ରଣକୁ ସେ ଏଠାଇ ପାରିଲେନି ।

ଫକୀରଙ୍କ ହାତରୁ ଖଣ୍ଡିଏ ରୁଟି ଛିଣ୍ଡେଇନେଇ ସେ ପ୍ରଥମେ ପପିକୁ ଖାଇବାକୁ ଦେଲେ ଓ ଆଉ ଖଣ୍ଡିଏ ନେଇ ନିଜେ ଚୋବାଇଲେ ।

ତା’ପରେ ଯେତେବେଳେ ସନ୍ଧ୍ୟାରେ ସେ ଶାହ ସା’ବ୍‌ଙ୍କ ଘରକୁ ଲେଉଟିଲେ, ତାଙ୍କ ମନ କେମିତି ଖୁସିରେ କୁଣ୍ଢେମୋଟ ଲାଗୁଥିଲା । ଶାହ ସା’ବ୍ ଖଟ ଉପରେ ବସି ହୁକା ଟାଣୁଥିଲେ । ତାଙ୍କୁ ଦେଖି ହୁକା ଟଣା ବନ୍ଦ୍ କରି ତାଙ୍କୁ କୁଣ୍ଢେଇ ପକେଇ କହିଲେ, ‘ସ୍ୱାଗତ ଦେୱାନ୍‌, ସ୍ୱାଗତ । ତୁମେ ଆଜି ଆମ ଘରକୁ ଆସି ଆମ ମାନସମ୍ମାନ ଇଜ୍ଜତ ବଢ଼େଇ ଦେଇଛ!’

ଦେୱାନ୍ ବି ଖୁସିରେ କୁରୁଳି ଉଠୁଥିଲେ । ଶାହ ସା’ବ୍ ତାଙ୍କ ମୁହଁକୁ ଚାହିଁ ରହିଥାଆନ୍ତି । ହାତକୁ କୁଣ୍ଢେଇ ଧରିଥାଆନ୍ତି । ଗୁଣୁଗୁଣୁ ହୋଇ କହି ଚାଲିଥାନ୍ତି, ‘ଇଏ କେମିତି କଥା? ମାତ୍ର ଦି’ଟା ବର୍ଷ ଭିତରେ ତୁମ କପାଳରେ ଏମିମତି ଚିନ୍ତାର ଶିରା ବାହାରି ପଡ଼ିଲାଣି! କଅଣ ଚିନ୍ତା କରୁଛ ଏମିତି ଯେ? ଆଉ ମୁଣ୍ଡରେ ବି ବାଳ ପାଚିବାକୁ ବସିଲାଣି!’

‘ହେଲା, ଶାହ ସା’ବ୍‌! ମୁଣ୍ଡ ବାଳରେ ପରା ଶିରା ଟାଣି ଦି’ଭାଗnହୋଇଗଲା!’ଦୀର୍ଘଶ୍ୱାସଟିଏ ଛାଡ଼ି ଦେୱାନ୍ ସା’ବ୍ କହିଲେ । ଶାହ ଏହାର କି ଉତ୍ତର ଦେବେ ଭାବିପାରୁ ନ ଥିଲେ । ତା’ପରେ ଦୂରକୁ ଚାହିଁ ଅସ୍ପଷ୍ଟ ସ୍ୱରରେ କହିଲେ, ‘ହୁଏତ ବର୍ଷ ବର୍ଷ ଲାଗିଯାଇପାରେ, କିନ୍ତୁ ଦିନେ ନା ଦିନେ ତ ସବୁ ବାଳ ବାଚି ଧଳା ହୋଇଯିବ ।’ ପୁଣି ଥରେ ଦୁହେଁ ଦୁହିଁଙ୍କୁ କୋଳାଗ୍ରତ କଲେ ।

‘ଗୁଲାମ ହୁସେନର ବାହାଘର କଥା ଜଣେଇ ମୁଁ ତୁମ ପାଖକୁ ଚିଠି ଦେଇଥିଲି’ ଖଟ ଉପରେ ବସି ପଡ଼ୁ ପଡ଼ୁ ଶାହା ସା’ବ୍‌ ଅଭିଯୋଗଭରା କଣ୍ଠରେ କହିଲେ ।
: ‘ହଁ, ମତେ ଚିଠି ମିଳିଥିଲା ।’
: ‘ତା’ହେଲେ ଆସିଲନି କାହିଁକି?’ ସିଏ ଭଲା ଏ ପ୍ରଶ୍ନର କି ଉତ୍ତର ଦେବେ?
: ‘କିଛି ନ ହେଲେ ଚିଠି ପାଇଛ ବୋଲି ତ ଜଣେଇ ପାରିଥାଆନ୍ତ ।’ ତାଙ୍କ ମନ ହଠାତ୍ ଅନୁଶୋଚନା ଓ ଲଜ୍ଜାରେ ଭରି ଉଠିଲା ।

ଜମନ୍‌ର ଶ୍ରଦ୍ଧାକୁ ସେ ସନ୍ଦେହ କରୁଥିଲେ । ଶାହ ସା’ବ୍‌ଙ୍କ ପ୍ରତିଶ୍ରୁତିକୁ ବି ସନ୍ଦେହ କରୁଥିଲେ । ତାଙ୍କୁ କିଛି ଗୋଟିଏ କାରଣ ଦର୍ଶାଇବାକୁ ପଡ଼ିବ ।
: ‘ଜମନ କହୁଥିଲା, ତୁମେ କାଳେ ଆଜି ଉପରବେଳା ଆମ ଘରେ କିଛି ନ ଖାଇ ଚାଲିଗଲ । କାହିଁକି?’
: ‘ନାଇ, ମତେ ଭୋକ ଲାଗୁ ନ ଥିଲା । ଏବେ ବି ନାହିଁ । କିଛି ସମୟ ପୂର୍ବରୁ ପରା ସେ ଫକୀର ସାଭ୍‌ଗରେ ରୁଟି ଆଉ କବାବ ଖାଇଛ ।’
: ‘ସତେ ନା କ’ଣ? ତୁମେ ସତରେ କେତେ ସ୍ୱାର୍ଥପର । ମୁଁ ଯଦି ତୁମ ସାଥିରେ ଥାଆନ୍ତି ମୁଁ ବି ଖାଇ ଥାଆନ୍ତି ।’ କିଛି ସମୟ ଏମିତି ବିତିବା ପରେ ଦେୱାନ ସା’ବ୍ କହିଲେ, ‘ଶାହ ସା’ବ୍ । ଏମେ ମୁଁ ଯାଉଛି ।’

: ‘ବାଃ! ତୁମର ଜିଦ୍‌କୁ ମାନିବାକୁ ପଡ଼ିବ । ହେଲେ ମୁଁ ତୁମକୁ କେମିତି ଯିବାକୁ ଦେବି? ଅନ୍ତତଃ ପକ୍ଷେ ଆଜି ରାତିଟା ତ ଆମ ଘରେ ରହିଯାଅ ।’
: ‘ନାଇଁ ଭାଇ, ନାଇଁ… ସେକଥା ତୁଣ୍ଡରେ ଧରନା । ଏଇଟା ତୁମ ଗାଆଁ, ତୁମ ଘର, ତୁମର ସବୁ ଜିନିଷପତ୍ର ସୁରକ୍ଷିତ । ତୁମେ ଯେତେବେଳେ ଚାହିଁବ, ସବୁ ସାମାନ ନେଇଯାଇପାରିବ ।’ ଦେୱାନ ସା’ବ୍ ପୁଣି ଷ୍ଟେସନକୁ ଫେରିଲେ । ଶାହା ସା’ବ୍‌ଙ୍କ ଚାକର ତାଙ୍କର ଏକା ବାଟ ଦେଇ ସେ ଫେରିଲେ । ଏକା ଗଳି, ଏକା କୂଅ, ଏକା ବଗିଚା ଓ କ୍ଷେତ – ସବୁ କିଛି ଆପଣାର ଲାଗୁଥିଲା । ଚାକର ପିଲାଟି ଆଗରେ ଚାଲିଥିଲା । ତା’ ପଛକୁ ଦେୱାନ ସା’ବ୍ ଓ ପପି ।

ହ୍ରଦ ପାଖରେ ପହଞ୍ଚିବା ପରେ ପପି ହଠାତ୍ ଗୁଁଁ ଗୁଁ ଶବ୍ଦ କଲା । ସେତେବେଳକୁ ସେ ପଛରେ ପଡ଼ିଯାଇଥିଲା । ଦେୱାନ ସା’ବ୍‌ ତାକୁ ହାତ ହଲେଇ ଇସାରା କରି ଡାକିଲେ । ପପି କିନ୍ତୁ ସେଠାରୁ ଆଗକୁ ଚଙ୍କିଲାନି । ଦେୱାନ ସା’ବ୍ ନଇଁପଡ଼ି ତା’ପିଠିକୁ ଆଉଁଷିଦେଲେ । ତା’ର ଆଗ ଗୋଡ଼ ଦୁଇଟିକୁ ଧରି କୁଣ୍ଢେଇଲେ । ପପି କିନ୍ତୁ ପଛକୁ ବୁଲି ପଡ଼ିଲା ।

ଦେୱାନ ସା’ବ୍‌ଙ୍କ ଦୁଃଖରେ ଭରି ଉଠିଲା । ତାଙ୍କୁ ଲାଗିଲା, ତାଙ୍କ ଆଙ୍ଗୁଠି ଫାଙ୍କ ଦେଇ କିଛି ଗୋଟିଏ ମୂଲ୍ୟବାନ୍ ବସ୍ତୁ ଖସିଯାଇଛି । ସେ ପୁଣି ଥରେ ଜିଭରେ ଇସାରା କରି ‘ପପି, ପପି’ ମୋଲି ଡାକିଲେ । ପପି କିନ୍ତୁ ଦୌଡ଼ି ପପି, ପପି ବୋଲି ଠାକ ଛାଡ଼ିଲେ । ପପି ଆହୁରି ଜୋର୍‌ରେ ଦୌଡ଼ିଲା । ଗାଆଁ ମୁଣ୍ଡ ପର୍ଯ୍ୟନ୍ତ ସେ ତା’ପଛରେ ଦୌଡ଼ିଲେ । କିନ୍ତୁ ପପି ହଠାତ୍ ଆଖି ପିଛୁଡାକେ ଅଦ୍ୟଶ୍ୟ ହୋଇଗଲା । ଧଇଁସଇଁ ହୋଇ ଦେୱାନ ସା’ବ୍ ସେଠାରେ କେମିତି ଅସହାୟ ଭାବେ ଠିଆ ହୋଇପଡ଼ିଲେ । ନିଜ ଓଠକଡ଼କୁ କାମୁଡ଼ି ଧରି ସେ କପାଳରୁ ଝାଳ ପୋଛିନେଲେ । ତାଙ୍କ ହୃଦୟ ସେତେବେଳକୁ ଦୁଃଖରେ ଭରି ଉଠିଥିଲା । କେମିତି ଏକ ଫାଙ୍ଗା ଦୃଷ୍ଟିରେ ସେ ଚାରିଆଡ଼କୁ ଚାହିଁଲେ । ତାଙ୍କୁ ଲାଗିଲା ଏ ସ୍ଥାନ ଅପରିଚିତ, ଏ ମାର୍ଗ ବି ଅଜଣା, ଏ ଭୂଇଁ ମଧ୍ୟ ଅଚିହ୍ନା । କ୍ଷେତ, ଗାଆଁ ସବୁକିଛି ଅଜଣା, ଅଚିହ୍ନା । ସେ ଆଗକୁ ଆଉ କିଛି ଭାବିପାରୁ ନ ଥିଲେ ।

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩

Leave A Reply

Your email address will not be published.