କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତା’ମାନେ ତୁ କ’ଣ କହୁଛୁ ନାରୀର ମନକୁ ବୁଝିପାରୁଥିବା ପୁରୁଷ ଏବଂ ନାରୀକୁ ସ୧ାନଦେଇ ଜାଣିଥିବା ପୁରୁଷ ହିଁ ପ୍ରକୃତରେ ବରଣୀୟ?
– ହଁ, ହଁ… ଆରେ, ମୁଁ ତ ଭାବିଥିଲି ତୁ ବୋକୀ ଝିଅଟେ ବୋଲି । ହଉ, ହେଲା… ତୋ ବାହାଘର ଭଲରେ ହେଉ, ଦି’ଗଣ୍ଡା ପୁଅ-ଝିଅଙ୍କୁ ନେଇ ତୁ ଅହି ସୁଲକ୍ଷଣୀ ହ, ତୋ’ର ହାତକାଚ ବଜ୍ର ହେଉ… ହସି ହସି ପଡ଼ିଯାଉଥିବା ମୀନାକ୍ଷିର କଥା ଶୁଣି ଅଳ୍ପସମୟ ତଳେ ଗଭୀର ଭାବନାରେ ବୁଡ଼ିରହିଥିବା ପଦ୍ମିନୀ ବି ନ ହସି ରହିପାରିଲାନି ।
ପଶ୍ଚିମ ଆକାଶରେ ଅପରାହ୍ନର ଆଲୋକ ଛିଟା ଧୀରେ ଧୀରେ ମଳିନ ପଡ଼ି ଆସୁଥିଲା । ଅସ୍ତାୟମାନ ସୂର୍ଯ୍ୟଙ୍କୁ ଚାହିଁ ଉଭୟେ ସଚେତନ ହୋଇପଡ଼ିଲେ । ସନ୍ଧ୍ୟା ଆସନ୍ନପ୍ରାୟ । ଏଇ ଶତାଧିକ ପାହାଚ ଅତିକ୍ରମ କରି ତଳେ ପହଁଚିଲା ବେଳକୁ ସହରର ବିଜୁଳିବତୀ ସବୁ ଜଳି ସାରିଥିବେ ।
ଯେଉଁ କେତେ ଲୋକ ଆଖ ପାଖରେ ପାହାଡ଼ ଉପରେ ବିଚରଣ କରୁଥିଲେ, ସମସ୍ତେ ତଳକୁ ଓହ୍ଲାଇବାରେ ଲାଗିଛନ୍ତି । ଅନ୍ଧାର ଯାଏ ପାହାଡ଼ ଉପରେ ରହିବା ନିରାପଦ ନୁହେଁ -ଭାବି ଦୁଇ ବାନ୍ଧବୀ ଉଠି ଛିଡ଼ା ହେଲେ । ହାତ ଧରାଧରି ହୋଇ ଉଭୟେ ପାହାଚ ପରେ ପାହାଚ ଅତିକ୍ରମ କରି ତଳକୁ ଓହ୍ଲାଉଥିଲେ ।
ପାହାଡ଼ର ପାଦଦେଶରେ ଥିବା ‘ଗଣେଶ ଟକିଜ୍’ରୁ ଚଳଚ୍ଚିତ୍ର ରେକର୍ଡର ସ୍ୱର ଶୁଭୁଥିଲା… ‘ଶ୍ରୀ ଗଣେଶା… ପାପ ବିନାଶା… କଇଳାଶ ବାସା… ।’
Comments are closed.