Latest Odisha News

କବିତା : ଆସ ପ୍ରେମର ପୃଥିବୀଟିଏ ଗଢିବା

ପଦ୍ମଜା ଶରଣ 

ଏଠି ପ୍ରଜାପତି ନାହିଁ
ନଥାଉ
ଏଠି ଫୁଲ ନାହିଁ
ନଥାଉ
ନଥାଉ ମହୁ,ମହକ,ମହଲତ
ନଥାଉ ରଂଗ,ରସ, ରାହାସ
କିଛି ନଥାଉ
ନଥାଉ ପ୍ରେମ, ପରାଗ,ପରମ
ନଥାଉ କିଛି
ସବୁ ସରିଗଲା ପରେ
ପ୍ରଳୟଙ୍କରୀ ପ୍ରଳୟ
ତିନି ଭାଗ ସମୁଦ୍ର ମାଡିଆସୁ
ଲୁଚେଇ ଦେଉ ମାଟି
କେହି ଜଣେ
ଭାସୁଥିବା ପତ୍ରଖଣ୍ଡିକରେ
ଆଂକି ଦେବ
ପ୍ରଜାପତି ଆଉ ଫୁଲର ଚିତ୍ର
ମାତ୍ର ଧାଡିଏ ଲେଖି ଦେବ
ମୁଁ ପ୍ରେମ କରେ,
ଦେଖିବ
ପ୍ରଜାପତି ଛିଟ ଡେଣାରୁ
କେମିତି ରଂଗ ନେଇଯିବ
ମୟୂର,ମନ, ଇନ୍ଦ୍ରଧନୁ

ବ୍ୟସ୍ତ କାହିଁକି?????
ଫୁଲ ପାଖୁଡ଼ାରେ କଡ ଲେଉଟେଇବ
ଗୋଟେ ଆଦିମ ମାଟି ଗଂଧ
ଚିତ୍ର ଦୁଇଟି ଲାଗି ଆସିବେ ପାଖକୁ
ଭାସୁଥିବା ପତ୍ର ଉପରେ
ଉଇଁ ଆସିବ ପୃଥିବୀ ଟିଏ
ଫୁଲ ପ୍ରଜାପତି ଛଡା
କିଛି ନଥିବ କେଉଁଠି
ତୁମେ ଫୁଲ ହେବ ନା ପଜାପତି??
ତୁମେ ଚିତ୍ରକର ନା,କବି??
ତୁମେ ସବୁ
ଏବେ ପତ୍ରଖଣ୍ଡିକରେ ଫୁଲ ଶେଯର ମହକ

ଆସ !
ଫୁଲ ହବା
ପ୍ରଜାପତି ହେବା,
ପ୍ରେମ ର ପୃଥିବୀ ଟିଏ ଗଢିବା

ନୀଳକଣ୍ଠପୁର ,ଯାଜପୁର

Leave A Reply

Your email address will not be published.