କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ନୀରବତା ମଧ୍ୟରେ ପଦ୍ମିନୀର ହସିଲା ହସିଲା ମୁହଁକୁ ଚାହିଁ ପରିତୃପ୍ତିର ନଜର ଢ଼ାଳିଲା ସେ । କାଳ ବିଳମ୍ବ ନକରି ପଦ୍ମିନୀ କହି ପକାଇଲା-ଗତମାସରେ ପୁଅର ସ୍ୱନକ୍ଷତ୍ର ଗାଁରେ ଖୁବ୍ ଜାକଜମକରେ କରିବେ ବୋଲି ମୋର ତିନି ଦିନର ଛୁଟି ନେଲେ । ଏଇ ମାସରେ ଆପଣଙ୍କ ଜନ୍ମଦିନ ପାଇଁ ଗୋଟେ ଛୁଟି ଗଲା । ଆଉ ଆଜି କି ଖବର କହି ଆଉ କେତେ ଛୁଟି ନେବାକୁ ଚାହୁଁଛନ୍ତି?
ପ୍ରକାଶ ଏଥର ସହଜ ଭାବରେ ବସିଲା ।
ଦେଖ, ସଫା କଥା କହିବି! ନିରୂ ଯଦି ମୋର ସହଧର୍ମିଣୀ ହୋଇ ନଥା’ନ୍ତା, ତମେ କ’ଣ ମୋ ପୁଅର ସ୍ଵନକ୍ଷତ୍ର ପାଇଁ ତିନି ଦିନର ଛୁଟି ନେଇ ଆମ ଗାଁକୁ ଆସିଥା’ନ୍ତ? ଆସନ୍ତା ମାସରେ ବସନ୍ତବାବୁ ବାହା ହେବେ । ଦେଖିବିନିକି, ତମେ କେତେ ଦିନର ଛୁଟି ନେଇ ତାଙ୍କ ଗାଁକୁ ଯାଉଛ? ନିରୂ ତମର ପିଲାଦିନର ସାଙ୍ଗ ହୋଇଥିବାରୁ ସିନା…. ।
ପ୍ରକାଶର ପ୍ରକାଶଭଙ୍ଗୀକୁ ଅସମାପ୍ତ ରଖି ପଦ୍ମିନୀ କୋମଳ-ରୁଷ୍ଟା କଣ୍ଠରେ କହିଲା-ସେତିକି ଥାଉ । ଆପଣ ମିଛରେ ଏତେ ସମୟ ନଷ୍ଟ କରନ୍ତୁ ନାହିଁ । କୁହନ୍ତୁ, କ’ଣ ଆଜିର ଭଲ ଖବର? ମାନେ ନୂଆ ଖବର?
ଟେବୁଲ ଉପରୁ ଚେୟାର ଉପରକୁ ଖସି ଆସିଲା ପ୍ରକାଶ- ଆମ କମ୍ପାନୀର ଜେନେରାଲ ମ୍ୟାନେଜର ଚୈାହାନବାବୁ ପ୍ରମୋସନରେ ଦିଲ୍ଲୀ ଅଫିସକୁ ଯାଉଛନ୍ତି!
ଓହୋଃ….କେଉଁ ଦିନର ପୁରୁଣା ଖବର କହି ମିଛରେ ଆପଣ ପାଟିରୁ ଲାଳ ଗଡ଼ାଉଛନ୍ତି । କିଏ ନ ଜାଣେ, ଚୌହାନ ବାବୁ ପ୍ରମୋଶନରେ ଯାଉଛନ୍ତି ବୋଲି ?
ଭୃକୁଞ୍ଚିତ କଲା ପ୍ରକାଶ-ଏଇଠି ହିଁ ତମ ନାଁର ସାର୍ଥକତା ରହିଲା ନାହିଁ ।
ଧୈର୍ଯ୍ୟ ଧର । ଚୈାହାନବାବୁ ସିନା ପ୍ରମୋଶନରେ ଯିବେ । ତାଙ୍କ ଜାଗାକୁ ଆଉ କେହି ଆସିବେ ତ? ସୁତରାଂ ସେ ପୋଷ୍ଟକୁ ପୂରଣ କରିବା ପାଇଁ ସି ବି ପ…ନାୟକ ଆସୁଛନ୍ତି।
କ୍ରମଶଃ
Comments are closed.