Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଜୋର୍ କରି ମୀନାକ୍ଷିର ହାତଧରି ଉଠାଇବାକୁ ଚେଷ୍ଟା କଲା ପଦ୍ମିନୀ ।

ମୀନାକ୍ଷି କିନ୍ତୁ ଶିରିସ ଫୁଲ ଭଳି କୋମଳ ଓ ପଥର ଭଳି କଠିନ ଉପାଦାନରେ ଗଢ଼ା ସାଙ୍ଗକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା । ଯା’ର ହିମାଦ୍ରୀ ପରି କଠୋର ବ୍ୟବହାର ପାଇଁ ପ୍ରତିଶୋଧ ମନୋଭାବ ଜାଗ୍ରତ ହୁଏ, ପୁଣି ଗଙ୍ଗାଜଳ ପରି ନିଷ୍ପାପ ସ୍ନେହଭାବକୁ ଦେଖିଲେ କ୍ରୋଧାଗ୍ନି ଆପେ ଆପେ ପ୍ରଶମିତ ହୋଇଯାଏ । ଏଇ ସେଇ ପଦ୍ମିନୀ… ଦିନେ ଶରତ ଆକାଶ ଭଳି ଯା’ର ଜୀବନ ଥିଲା, ଆଜି ଅମାବାସ୍ୟାର ଅନେକ ତମିସ୍ରା… ।

ଦେହକୁ ଦେହ ଲାଗିଥିବା… ମନକୁ ମନ ଛୁଇଁଥିବା ସାଙ୍ଗର ମନୋଦଶାକୁ ? ଅନୁଭବ କରି ସଙ୍କୁଚିତ ହୋଇଉଠିଲା ପଦ୍ମିନୀ । ତାକୁ ପୁଣି ଥରେ ବୁଝାଇଲା- ଜୀବନର ଦୁଃଖଭରା ସମସ୍ୟାର ସମାଧାନ ପାଇଁ କେବଳ ଭାବନା ଅପରିହାର୍ଯ୍ୟ ନୁହେଁ । ତୁ ମୋ ଦୁଃଖରେ ସମଭାବାପନ୍ନ ହୋଇ ସାରା ରାତି ଏଠି ଭାବନା ଭିତରେ ବିତେଇଦେଲେ ବି ମୋ ଅନ୍ତର୍ଦାହର ଉପଶମ ହେବନି । ତଳେ ପଡ଼ି ନଷ୍ଟ ହୋଇଯିବା ଯେଉଁ ତାରାର ନିୟତି, ଆକାଶର ଅସୀମତା ତା’ର କେଉଁ କାମରେ ଆସିବ ?

– ତେବେ ତୋ ଜୀବନର ଟ୍ରାଜେଡିକୁ ଏମିତି ଉପରୁ ଉପରୁ ଶୁଣି ମୁଁ ସାରା ଜୀବନ କଷ୍ଟ ପାଉଥିବି ? ତୁ ତ ଅନ୍ତତଃ ଏତିକି ଜାଣୁ, ତୋ’ର ଦୁଃଖ ଭରା ଜୀବନ ସହ ମୁଁ ବି ଯୋଡ଼ି ହୋଇଯାଇଛି ।

ମୀନାକ୍ଷିର କଣ୍ଠରେ ଅଜସ୍ର ଆଦ୍ରତା ସ୍ପଷ୍ଟ ବାରି ହୋଇଯାଉଥିଲା । ହାଲୁକା ସ୍ୱରରେ ଦୃଢ଼ତା ଭରି ପଦ୍ମିନୀ କହିଲା- ଧୈର୍ଯ୍ୟ ହରାଅନି ମୀନା । ଆରମ୍ଭ ଯେତେବେଳେ କରିଛି, ଶେଷ ତ କରିବି । ଦେଖିଲୁ, ଦର୍ଶକମାନେ ଜଣେ ଜଣେ ହୋଇ ଏ ଜାଗା ଛାଡ଼ିଲେଣି । ତୋ ଗାଡ଼ି ବ୍ୟତୀତ ସେଠି ଅନ୍ୟ କୌଣସି
ଗାଡ଼ି ନାହିଁ । ଶୀଘ୍ର ନଗଲେ ମୁଁ ମଧ୍ୟ ଟ୍ରେନ୍ ପାଇବିନି ।

ନିଦରୁ ଉଠିଲା ଭଳି ମୀନାକ୍ଷି ଉଠି ଠିଆ ହୋଇ ପଡ଼ିଲା ।

– ସତେ ତ; ସନ୍ଧ୍ୟାହେବାକୁ ଆଉ ଜମା ବିଳମ୍ବ ନାହିଁ । କେତେ ସମୟ ହେଲା ?

ପଦ୍ମିନୀର ମଣିବନ୍ଧକୁ ସେ ନିଜ ଆଡ଼କୁ ଟାଣି ଆଣିଲା । ଚିନ୍ତା ଶଙ୍କୁଳ ହେତୁ ନିଜ ହାତରେ ଘଡ଼ି ପିନ୍ଧିଥିବା କଥା ତା’ର ମନେପଡ଼ିଲାନି ।

କ୍ରମଶଃ…

Comments are closed.