କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
– ଅବଶ୍ୟ ଯୁକ୍ତିଯୁକ୍ତ…. ତଥାପି !!!
– ତଥାପି କିଛି ନାହିଁ । ଜଣେ ଅପରିଚିତର ସବୁ ଦାୟୀତ୍ୱ ନିଜ ହାତକୁ ନେଇ, ତାର ଅଇଁଠା ବାସନ ନିଜ ହାତରେ ସଫା କରି, ତମେ ଛୋଟ ହେଇପାରିନ । ଅଥଚ ତମର ଦି’ଖଣ୍ଡ ଶାଢ଼ୀ ସଫାକରି ମୁଁ ଛୋଟ ହୋଇଯିବି ? ତମେ ଖୁବ୍ ଭାବପ୍ରବଣ ପଦ୍ମିନୀ… ତମକୁ ପାଇ ମି. ପ…ନାୟକ ଖୁବ୍ ଭାଗ୍ୟବାନ… !!
ସରୋଜଙ୍କ ପ୍ରଶସ୍ତି ପଦ୍ମିନୀକୁ ଭିତରେ ଭିତରେ ଦୋହଲାଇ ଦେଲା । ସବୁ ପ୍ରଶଂସାର ଅନୁଭବରେ ଆନନ୍ଦ ନଥାଏ । ‘ତାକୁ ପାଇ ଚନ୍ଦ୍ରଭାନୁ ଭାଗ୍ୟବାନ’- ଏ କଥା ସରୋଜ ଯେତେ ଶୀଘ୍ର ଅବଗତ ହୋଇଛନ୍ତି ; ଚନ୍ଦ୍ରଭାନୁଙ୍କୁ ପାଇ ସେ ଯେ ଆଜି ନିରିମାଖି- ଏ କଥା ବୁଝିବାକୁ ଆଉ ବେଶୀ ବିଳମ୍ବ ନାହିଁ । ରାଜଧାନୀରେ ଚନ୍ଦ୍ରଭାନୁଙ୍କ ପଦପାତ, ତା’ପାଇଁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟଠାରୁ କୌଣସି ଗୁଣରେ କମ୍ ନୁହେଁ । ଯେଉଁ ‘ଚନ୍ଦ୍ରଭାନୁ’ ନାମକୁ ପ୍ରଥମ ଥର ପାଇଁ ଭାଉଜଙ୍କ ମୁହଁରୁ ଶୁଣି ତା’ ମନରେ ପୂର୍ବରାଗର ରୋମାଞ୍ଚ ସୃଷ୍ଟି ହୋଇଥିଲା; ସେ ନାମ ଆଜି ତାହୃଦୟକୁ ମୁମୁର୍ଷୁ କୋହରେ ଭରିଦେଇଛି ।
ସେ ଅନୁଭବ କରୁଛି, ଏ ନାମଟି ହିଁ ତା’ ଜୀବନର ସର୍ବାପେକ୍ଷା ଦାରୁଣ ଯାତନା ।
– ପ୍ରସ୍ତୁତ ହୁଅ ପଦ୍ମିନୀ….. ଦେଖୁଛ, ସଂନ୍ଧ୍ୟା ଆସନ୍ନପ୍ରାୟ….. କେତେବେଳେ ଆଉ ଯିବା ? ସରୋଜଙ୍କ ଚେତବନୀରେ ସେ ଭାବନା ଜଗତରୁ ଲେଉଟି ଆସିଲା ।
ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ ।
ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ ଭିନ୍ନ ଭିନ୍ନ ଭାବନା ପକ୍ଷ ମେଲାଉଥିଲା । ବର୍ତ୍ତମାନ କିମ୍ବା ଭବିଷ୍ୟତର ବଳୟ ଭିତରକୁ ସେମାନେ ପ୍ରବେଶ କରିପାରୁ ନଥିଲେ । ଯଦିଚ ଉଭୟେ ନିଜ ନିଜ ଅତୀତଠାରୁ ଆଜି ସୁଦୂର ସ୍ଖଳିତ, ଉଲ୍କା ପିଣ୍ଡଟିଏ ଅନ୍ତରୀକ୍ଷରୁ ବିଚ୍ୟୁତ ହେଲାଭଳି ।
ଯାଉ ଯାଉ ଜନସମୁଦ୍ରଆଡ଼ୁ ଡ଼ୋଳା ଫେରାଇ ପଦ୍ମିନୀ ସରୋଜକୁ କଣେଇ ଚାହିଁଲା । ସେତେବେଳେ ସେ ରାଜପଥ ଉପରେ ଦୃଷ୍ଟି ରଖି ବିଶ୍ୱାସର ହାତକୁ ମୁଠେଇଧରି ଚାଲୁଥିଲେ ।
କ୍ରମଶଃ
Comments are closed.