କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଚନ୍ଦ୍ରଭାନୁଙ୍କ ଫେରିବା ପଥକୁ ଚାହିଁଚାହିଁ ଆଉ କିଛି ଦିନ ଚାଲିଗଲା । ଦିନେ ତାଙ୍କଠାରୁ ଖଣ୍ଡିଏ ଲଫାପା ପାଇଲି । ମନରେ ଯେତେ ଆନନ୍ଦ ନେଇ ଚିଠି ଖଣ୍ଡିକ ପଢ଼ିବାପାଇଁ ଖୋଲିଲି, ପଢ଼ିବାବେଳେ କାମଳରୋଗୀ ଭଳି ମୋର ମୁହଁ ଶେତା ପଡ଼ିଗଲା । ସେଥିରେ ଲେଖାଥିଲା – ପଦ୍ମିନୀ ! ଆଜି ତମଠାରୁ ସମ୍ପର୍କ ତୁଟାଇବା ମାନସିକତାରେ ଏ ଚିଠି ଲେଖିବାକୁ ଯାଉଛି । ସୁତରାଂ କି ପ୍ରକାର ଶୁଭେଚ୍ଛା ଅଥବା ଆଶୀର୍ବାଦ ଜଣାଇବି, ଭାବି ପାରୁନି । ଏସବୁ ଜଣାଇବା ବି ମୂଲ୍ୟହୀନ । ମୁଁ ଏକ ନୂଆ ପୃଥିବୀରେ ପାଦ ଦେଇ ସାରିଛି । ସେଠି ତମର ଆଉ କୌଣସି ଆବଶ୍ୟକତା ନାହିଁ ।ଏଥିସହ ପଠାଇଥିବା ବିବାହ ବିଚ୍ଛେଦ ଦଲିଲଟିରେ ଦସ୍ତଖତ କରି ନିମ୍ନ ଠିକଣାରେ ଫେରାଇ ଦେବ । – ଚନ୍ଦ୍ରଭାନୁ
ଚିଠି ପଢ଼ା ଶେଷ ବେଳକୁ ମୁଁ ପଥର ହୋଇଯାଇଥିଲି । କିଛିଦିନଯାଏ ମୁଁ ନିଜକୁ ଥଳକୂଳ ହରା, ଦୁର୍ଦ୍ଦିନ ଘେରା ଅସହାୟ ଡଙ୍ଗାଟିଏ ଭଳି ମନେକଲି । ଅନେକ ରାତି ଶୋଇ ପାରିଲି ନାହିଁ । ଦିନସବୁ ତ କଟିଯାଉଥିଲା ଘରକାମ, ପୁଅର କାମ ଭିତରେ । କ’ଣ କରିବି, କେମିତି ଏ କଥା ଶାଶୁ-ଶ୍ୱଶୁରଙ୍କୁ ଜଣାଇବି ? ବଡ଼ ଯା’ ସେତେବେଳେ ଡ଼େଲିଭେରୀ ପାଇଁ ତାଙ୍କ ବାପଘରେ ଥାଆନ୍ତି । ବାବା ବୋଉଙ୍କୁ କ’ଣ ବୋଲି ଚିଠିରେ ଲେଖି ଜଣାଇବି ? ବାପା ମା’ଙ୍କ ପାଖକୁ ଚାଲିଯିବି କି ? କିନ୍ତୁ କେତେଦିନ ପାଇଁ ? ତା’ପରେ ସେମାନଙ୍କୁ କ’ଣ କହିବି ? ନ କରିଥିବା ଅପରାଧର ଦଣ୍ଡକୁ କିପରି ଅହରହ ଅଙ୍ଗେ ଭୋଗିବାକୁ ହୁଏ; ତା’ର ପୀଡ଼ାକୁ ସେଇ
କେତେଦିନ ଦେହରେ, ମନରେ ମାରି ନେଇ ଚାଲିଲି । ମୃତ୍ୟୁ ଦଣ୍ଡ ଅପେକ୍ଷାରେ ଥିବା ଅପରାଧୀର ମଥା ଉପରେ ଉନ୍ମୁକ୍ତ ଖଣ୍ଡାଟିଏ ଅହରହ ଝୁଲି ରହିଥିବା ପରି, ମୋ ପାଇଁ ଦୁଇଟି କାମ ଅପେକ୍ଷା କରିଥିଲା । ଗୋଟିଏ ବିବାହ ବିଚ୍ଛେଦ ଦଲିଲରେ ଦସ୍ତଖତ କରିବା ଓ ଅନ୍ୟଟି ଦୁଇ ପରିବାରକୁ ଏ ଦାରୁଣ ସମ୍ବାଦ ଣାଇବା ।
ବିବାହିତା ନାରୀଟିଏ ପାଇଁ ଏ ଦୁଇଟି ଯାକ କାମ କେଡ଼େ ଦୁଷ୍ମର, ଅନୁଭବି ଛିଡ଼ା କିଏ ଜାଣିପାରିବ ?
କ୍ରମଶଃ
କ୍ରମଶଃ
Comments are closed.