କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଭୁବନେଶ୍ୱରରେ ରହୁଥିବା ଘରର ତାଲାଖୋଲି ଭିତରେ ପାଦ ଦେଉ ଦେଉ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲି । ସାରା ଘର ଚକ୍ରାକାରରେ ଘୂରିବାକୁ ଲାଗିଲା । ସବୁ ଜାଗାରେ ଚନ୍ଦ୍ରଭାନୁଙ୍କ ଅସ୍ତିତ୍ୱ ଚଳପ୍ରଚଳ ହେଉଥିଲା । ଏମିତିରେ ସେ ଘରେ ମୋର ରହିବାର ନଥିଲା । ଅନ୍ୟ ଏକ ନୂଆ ଜାଗାରେ ଘରଟିଏ ଖୋଜି ରହିଲି ।
ବର୍ଷେ ଖଣ୍ଡେ ଯଥା କଥା ଗୁଜୁରାଣ ମୋଇବାକୁ ପଡ଼ିଲା । ସେ ସମୟତକ ବଡ଼ ପୀଡ଼ାଦାୟକ ଥିଲା । କହିପାରୁଥିବା ପୀଡ଼ା ଯେତେକଷ୍ଟ ଦିଏନାହିଁ, ନ କହିପାରିବା ପୀଡ଼ାର ଜ୍ୱାଳା ବଡ଼ ଅସହ୍ୟ । ସମୟକୁ ସଲାମ କରି ସବୁ ସହିଲି । ବିଶ୍ୱାସକୁ ତିନିବର୍ଷ ପୂରିଗଲା । ରାଜଧାନୀରେ ଚାକିରି ଖଣ୍ଡେ ପାଇଁ ବୁଲୁବୁଲୁ ପିଲାଦିନର ସାଙ୍ଗ ନିରୂକୁ ଦେଖିଲି । ତା’ ସୌଜନ୍ୟରୁ ପ୍ରକାଶ ସହ ପରିଚୟ ଓ ଏ କମ୍ପାନୀରେ ଚାକିରି । ଏତେ ବେଳେ ଯାଇ ମୀନାକ୍ଷି ମୁହଁ ଖୋଲିଲା- ଆଉ ସେ ପଠାଇଥିବା ବିବାହ ବିଚ୍ଛେଦ ଦଲିଲକୁ କ’ଣ କଲୁ ? ତା’ ହାତକୁ ମୁଠେଇ ଧରିଲା ପଦ୍ମିନୀ- ଏଇ ଗୋଟିଏ ଭୁଲ କରିଛି ମୀନାକ୍ଷି ।
ଶତଚେଷ୍ଟା କରି ମଧ୍ୟ ସେଥିରେ ଦସ୍ତଖତ କରିବାକୁ ହାତ ମୋର ଗଲାନାହିଁ । ବାକ୍ସ ତଳେ କାଗଜ ଖଣ୍ଡିକ ସେମିତି ପଡ଼ି ରହିଛି । ଜୀବନର ପରାଜିତ ଅଧ୍ୟାୟକୁ ଏକ ନିଃଶ୍ୱାସରେ ଖୋଲି ଧରିବା ପରେ ପଦ୍ମିନୀ ଏକ ରକମ ସ୍ୱସ୍ତିର ଦୀର୍ଘଶ୍ୱାସଟିଏ ଛାଡ଼ିଲା । ମୁହଁ ଉଠାଇ ମୀନାକ୍ଷିକୁ ଚାହିଁଲା । ଏତେ ସମୟ ଧରି ନିଜକୁ ଅପରାଧି ଭାବୁଥିବା ତା’ର ସୁଢଳ ସୁନ୍ଦର ମୁହଁରେ ଆଉ ସରସତା ନଥିଲା । ମଉଳା ଫୁଲଟିଏ ଭଳି ସେ ମନେ
ହେଉଥିଲା ।
କ୍ରମଶଃ
Comments are closed.