Latest Odisha News

BREAKING NEWS

ଆଜି ବିଶ୍ଵ ପଖାଳ ଦିବସ; ଘରଠୁ ହୋଟେଲ ସବୁଠି ପାଳିବାକୁ ପ୍ରସ୍ତୁତି

ପଖାଳ ! ଓଡ଼ିଆ ଲୋକଙ୍କ ଜୀବନଧାରାରେ ପଖାଳ କେବଳ ଖାଦ୍ୟ ତ ନୁହେଁ, ପରିଚୟ। ଓଡ଼ିଆ ଜାତିର ପ୍ରାଣ ହେଉଛି ‘ପଖାଳ’। ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଶ୍ରୀମନ୍ଦିରରେ ବି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହୁଏ। ଓଡ଼ିଆଙ୍କ ସହ ପଖାଳର ସମ୍ପର୍କ ଯେ ଅତି ନିବିଡ଼ ଓ ଆପଣାର, କହିଲେ ଭୂଲ ହେବ ନାହିଁ । ତେଣୁ ଏହି ପ୍ରିୟ ଖାଦ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ, ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଆସୁଛନ୍ତି ଓଡ଼ିଆମାନେ।

ଆଜି କି କାଲି ନୁହେଁ, କାହିଁ କେଉଁ କାଳରୁ ଓଡ଼ିଆମାନେ ପଖାଳ ଖାଇଆସୁଛନ୍ତି। ଗରିବ ହେଉ କି ଧନୀ, ପଖାଳ ପ୍ରତି ଦୁର୍ବଳତା ରହିଛି ପ୍ରତ୍ୟେକ ଓଡ଼ିଆଙ୍କର। ତେବେ ଖରାଦିନେ ଘରେ ଘରେ ମହକେ ବାସି ପଖାଳ। ଓଡ଼ିଆମାନେ ବର୍ଷତମାମ୍‍ ପଖାଳ ଖାଉଥିଲେ ମଧ୍ୟ ବିଶ୍ୱବ୍ୟାପି ଏହାର ପ୍ରସାର କରିବା ଉଦ୍ଦେଶ୍ୟରେ ପଖାଳ ଦିବସ ପାଳନ କରାଯାଉଛି। ୨୦୧୧ରୁ କିଛି ଓଡ଼ିଆ ଲୋକ ଓ ସ୍ୱେଚ୍ଛାସେବୀ ସଂଗଠନ ପଖାଳ ଦିବସ ପାଳନ ପାଇଁ ସଚେତନତା ଆରମ୍ଭ କରନ୍ତି। ପରେ ଏହାକୁ ମିଳେ ବିପୁଳ ସମର୍ଥନ। ୨୦୧୫ରେ ଏହା ଟ୍ୱିଟରରେ ଖୁବ୍‍ ଟ୍ରେଣ୍ଡ୍‍ କରିଥିଲା। ଦେଶ ବିଦେଶରେ ରହୁଥିବା ଓଡ଼ିଆ ଲୋକ ଓ ପ୍ରବାସୀ ଓଡ଼ିଆ ସଂଗଠନ ମଧ୍ୟ ପାଳିବା ଆରମ୍ଭ କଲେ ପଖାଳ ଦିବସ । ଯାହାକି ପରବର୍ତ୍ତୀ ସମୟରେ ଅଘୋଷିତ ବିଶ୍ୱ ପଖାଳ ଦିବସ ଭାବେ ମାନ୍ୟତା ପାଇଛି ।

ପଖାଳ ଏପରି ଏକ ଖାଦ୍ୟ ଯାହା ପାଇଁ କିଛି ଦରକାର ନାହିଁ। କହିଲେ ଚଳେ ! ଖାଲି ଲଙ୍କା, ଲୁଣ ଲଗାଇ ଜଣେ ଆନନ୍ଦରେ ଏହାକୁ ଖାଇ ଆତ୍ମତୃପ୍ତି ପାଇପାରିବ। ଓଡ଼ିଶାରେ ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ବର୍ଷକୁ ବାରମାସ, କି ଶୀତ କି ବର୍ଷା ପଖାଳ ଖାଇ ଆସୁଛନ୍ତି। କାରଣ, ଏହାକୁ ବିଶ୍ୱର ସବୁଠୁଁ ଶସ୍ତା ଖାଦ୍ୟ କହିଲେ ଭୁଲ ହେବନି। ଖରାଦିନ ଦିନ ତ ସମସ୍ତଙ୍କ ପ୍ରଥମ ପସନ୍ଦ ପଖାଳ। ପଖାଳ କଂସା ସାଙ୍ଗକୁ ଶାଗଭଜା, ବଡ଼ିଚୂରା, ଆଳୁ ଚକଟା, ଉଲି ପିଆଜ ଓ କଞ୍ଚାଲଙ୍କା। ଏସବୁକୁ ଦେଖିଦେଲେ ଓଡ଼ିଆ ତୃପ୍ତ ଅନୁଭବ କରେ। ହୁଏତ ଏ ଅନୁଭବ ପ୍ରାୟ ପ୍ରତ୍ୟେକ ଓଡ଼ିଆଙ୍କର ଥିବ। ପଖାଳ ଖାଇ ଆପେ ଆପେ ପାଟିରୁ ବାହିରି ଆସେ, ଓଃ କି ଶାନ୍ତି ।

ତେବେ କେବଳ ଓଡ଼ିଶା ନୁହେଁ – ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମରେ ମଧ୍ୟ ପଖାଳ ଏକ ଲୋକପ୍ରିୟ ଖାଦ୍ୟ। ପଶ୍ଚିମବଙ୍ଗରେ ଏହାକୁ ‘ପାନ୍ଥଭାତ’, ଛତିଶଗଡ଼ରେ ‘ବୋଇଭାତ’, ବିହାର ଓ ଝାଡ଼ଖଣ୍ଡରେ ‘ପାନିଭାତ’, ଆସାମରେ ‘ପୋଇତାଭାତ’ କୁହାଯାଏ। ସେପଟେ ପଖାଳ ଦିବସକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ହୋଟେଲମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ତରଫରୁ ପଖାଳ ସାଙ୍ଗକୁ ନାନା ରକମର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ ହୋଇଛି

Leave A Reply

Your email address will not be published.