Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ସେଇଦିନଠାରୁ ଏଇ ମୂର୍ତ୍ତିଟି ତା’ ଜୀବନର ଏକ ଅବିଭାଜ୍ୟ ଅଂଶ ହୋଇ ରହିଯାଇଛି । ଆନନ୍ଦ ମୁର୍ହୂରେ ସେ ହସର ଶହଶହ ପାଖୁଡ଼ା ଝରାଇ ତା’ ଉପରେ ଲୋଟିଯାଇଛି । ବିଷାଦ ଲଗ୍ନରେ ଧାରଧାର ଲୁହ ତା’ ପାଦକୁ ସିକ୍ତ କରିଦେଇଛି । ସେ ନବବଧୂ ବେଶରେ ବିଦାୟ ହେବା ଦିନ ଫୁଲପତ୍ରରେ ସଜ୍ଜିତ ଗାଡ଼ି ଭିତରେ ବସିବା ପରେ, ସାନଭାଇ ଧଇଁସଇଁ ହୋଇ ଆସି ଏ ର୍ମୂିଟିକୁ ତା’ କୋଳରେ ଦେଇଥିଲା । ପାଖରେ ବସିଥିବା ଚନ୍ଦ୍ରଭାନୁ ତାକୁ କଣେଇ ଚାହିଁ ନିରବ ହସ ହସିଥିଲେ । ଗାଡ଼ି ଚାରିପାଖେ ଘେରିଥିବା ତାଙ୍କର ଚପଳ, ତରୁଣ ବନ୍ଧୁମାନେ ପରିହାସ ସୁଲଭ ମନ୍ତବ୍ୟମାନ ଛାଡ଼ିଥିଲେ । ଜଣେ କେହି ଗାଡ଼ି ଭିତରକୁ ମୁହଁ
ଗଳାଇ ଚନ୍ଦ୍ରଭାନୁଙ୍କ କାନରେ କହିଥିଲା- ଶ୍ରୀମତୀ ବୋଧହୁଏ କଣ୍ଢେଇ ଘରର ସାଥିକୁ ମଧ୍ୟ ଭୁଲିନାହାନ୍ତି ।

ଯାହାହେଉ, ଏଣିକି ବନ୍ଧୁଙ୍କ ବାସଭବନରେ ନିତିନିତି କଣ୍ଢେଇ ଖେଳ ଦେଖିବାକୁ ମିଳିବ । ତମେ କିନ୍ତୁ ସେ ଖେଳରେ ହାରିଯିବନି ବନ୍ଧୁ…. ।

ବନ୍ଧୁ ଜଣକର ଚପଳ ମନ୍ତବ୍ୟ ରେ ସେଦିନ ସେ ଲାଜେଇ ଯାଇଥିଲା । କିନ୍ତୁ ସେତେବେଳେ ଜାଣିନଥିଲା, କଣ୍ଢେଇ ଖେଳରେ ହାରି ନଯାଇ ଜୀବନ ଖେଳରେ ସେ ଏମିତି ଶୋଚନୀୟ ଭାବେ ହାରିଯିବ । ଯଦି ସେ ଆଗରୁ ଜାଣିଥାନ୍ତା ଜୀବନ ଖେଳରେ ଚନ୍ଦ୍ରଭାନୁ ଜଣେ ଅପ୍ରତିଦ୍ୱନ୍ଦ୍ୱୀ କ୍ରୀଡ଼ାବିତ୍ ବୋଲି, ତେବେ ଖେଳ ବିଷୟରେ ସମ୍ପୂର୍ଣ୍ଣ  ଅନଭିଜ୍ଞ ମନ ନେଇ ତାଙ୍କ ଜୀବନର ବିସ୍ତୀର୍ଣ୍ଣ ପ୍ରାନ୍ତରରେ ସେ କେବେ ଛିଡ଼ା ହୋଇ ନଥାଆନ୍ତା ।

ପୃଥିବୀ ବକ୍ଷରେ ଆଲୋଡ଼ନ ସୃଷ୍ଟି କରିବାପାଇଁ ଉଦ୍ଦିଷ୍ଟ ଥିବ ଝଡ଼ର ଆଗମନକୁ କେହି ବଳପୂର୍ବକ ବନ୍ଦ କରିପାରେ ନାହିଁ । ଯାହା ହେବାକୁ- ତାହା ନିଶ୍ଚୟ ହୁଏ ।ଦୁଇହାତରେ ମନୋଜ୍ଞ ର୍ମୂିଟିକୁ ଉଠାଇ ଆଣି ପଦ୍ମିନୀ ବକ୍ଷ ଉପରେ ଚାପି ଧରିଲା । ଏଇ ତା’ର ଶକ୍ତି, ସାହସ । ୟା’ର ପାଦପାତରେ ପୀଡ଼ାର ପାହାଡ଼ ଉପରେ ବି ଆନନ୍ଦର କଦମ୍ବ ଫୁଟିଉଠେ… ଇଏ ଛୁଇଁ ଦେଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ… ଇଏ ଅଚିନ୍ତ୍ୟ, ନିରାକାର, ଇଏ ପୁଣି ସର୍ବତ୍ର ବିରାଜିତ… ।

କ୍ରମଶଃ

Leave A Reply

Your email address will not be published.