Latest Odisha News

କବିତା : ବାଟ

ନାରାୟଣ ସାହୁ

ଏ କେଉଁ ବାଟରେ ମୁଁ ଅଛି !
ଯେଉଁ ବାଟରେ ଯୋଗୀରୂପ ନେଇ ଉଡୁଛନ୍ତି
ଦଳେ ପ୍ରଜାପତି,
ସେହି ବାଟରେ କିଛି ପିଣ୍ଡଙ୍କୁ
କିଛି ଭ୍ରମର କରୁଛନ୍ତି କ୍ଷତାକ୍ତ !

ଯେଉଁ ବାଟରେ ରଙ୍ଗ ଉଡେଇ ଚାଲି ଯାଉଛି ନାବାଳକଟି
ପବନରେ ଇନ୍ଦ୍ରଧନୁ ଆଙ୍କି,
ସେହି ବାଟରେ ରଙ୍ଗ ଭସେଇ ଲାଲ୍ କରୁଛି ପୃଥିବୀ
ଜଣେ ଆତ୍ମା ନଥିବା ପିଣ୍ଡ !

ଯେଉଁ ବାଟରେ ଦୁଇ ପ୍ରେମୀଯୁଗଳ ବଂଶୀ ବଜେଇ
ଦୂର କରୁଛନ୍ତି ପତିତଜନଙ୍କ ଦୁଃଖ,
ବଂଶୀର ସ୍ଵରରେ ପହଞ୍ଚାଉଛନ୍ତି ପ୍ରାର୍ଥନାକୁ ପତିତପାବନଙ୍କ ପାଖକୁ,
ସେହି ବାଟରେ ଶରୀର ଭୋଗରେ ଲିପ୍ତରହି
ବାଉଁଶ ହାଣୁଛନ୍ତି ଦଳେ ନରନାରୀ !

ଯେଉଁ ବାଟରେ ଧାଡ଼ିଧାଡ଼ି ହେଇ ଚାଲିଯାଉଛନ୍ତି
ଦଳେ ନାଲିପିମ୍ପୁଡ଼ି କେଉଁ ଏକ ଗୁମ୍ଫାକୁ
ସଞ୍ଚିବାକୁ ନିଜର ପାରିଶ୍ରମିକ ,
ସେହି ବାଟର ବରଗଛ ମୂଳେ ଅଲିଆ ପଡ଼ିଛନ୍ତି
କିଛି ଶରୀର ଓ ସ୍ଵପ୍ନ !

ଯେଉଁ ବାଟର ସକାଳରେ ଆହା.. ପଦଟି ଲାଗୁଥିଲା
ଭାରି କରୁଣ ଓ ଦରଦୀ
ସେହି ବାଟର ସଞ୍ଜରେ ମୁହଁ ଆଡେଇ ଚାଲି ଯାଉଛନ୍ତି
ଦଳେ କୋଳାହଳ ସେ ଆହା ପଦଠୁଁ ବହୁତ୍ ଦୂରକୁ !

ଯେଉଁ ବାଟରେ ପକ୍ଷୀଟିଏ ଉଡ଼ି ଯାଇ କହୁଅଛି
ଆକାଶରେ ଦୁଃଖ ନାହିଁ
ଯେତେ ଦୁଃଖ ମାଟିରେ ,
ଯେତେ ଦୁଃଖ ଧୂଳିରେ,
ଯେତେ ଦୁଃଖ ପଥର ଓ
ପ୍ରାଣୀମାନଙ୍କ ମଳିରେ!
ସେହି ବାଟରେ ଜିଆଟିଏ ମାଟିତଳେ ଥାଇ କହୁଛି
ଏ ମାଟି,ଧୂଳି ଓ ପଥରରେ ଦୁଃଖ ନାହିଁରେ ପକ୍ଷୀ
ଯେତେ ଦୁଃଖ ଖାଲି ଯାହା
ପ୍ରାଣୀଙ୍କର ମନରେ !

ଛାଡ଼ ଏ ସବୁ
ସକାଳୁ ପାଦ ଥୋଇଛି ଏ ବାଟରେ
ସଞ୍ଜ ହେଲାଣି, ମନ ମଲାଣି !

ପାଦ ଦେଖି ବାଟ ଚାଲିବା ଯତ୍ନ
ବାଟ ଦେଖି ପାଦ ଥୋଇବା ଦର୍ଶନ
ଯତ୍ନ ଆଉ ଦର୍ଶନ ହିଁ ଜୀବନ!

 

Leave A Reply

Your email address will not be published.