Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ଅନେକ ଦିନ ପରେ ଆଜି ସେ ନିଜକୁ ଖୁବ୍ ହାଲୁକା ମନେ କରୁଛି । ଈଶ୍ୱରାନୁଭବ ଭିତରେ ଯେ ଏପରି କାଉଁରୀ ଶକ୍ତି ଥାଏ, ମନେ ମନେ ସେ ନିଜ ସହ କଥା ହେଲା । ଏବେ ତା’ ଭିତରେ ଏକ ପ୍ରସନ୍ନ, ପରିଚ୍ଛନ୍ନ ଭାବନା ଲହଡ଼ି ଭାଙ୍ଗୁଥିଲା । ଏବେ ସେ ନିଜକଥା ନୁହେଁ, ସରୋଜଙ୍କ ବିଷୟରେ ଭାବୁଥିଲା । ଭଲ ମଣିଷ ଜଣେ । କି’ ଦୁଃଖରେ ସେ ପୀଡ଼ିତ, ସେ ଜାଣେନା । ତାଙ୍କର ଦୁଃଖ, ପୀଡ଼ା ସେ ନଜାଣୁ । ଅନ୍ତତଃ ଈଶ୍ୱର ଏତିକି କରନ୍ତୁ, ସେ ତାଙ୍କ ଅତୀତକୁ ଫେରିଯାଆନ୍ତୁ । ତାଙ୍କ ଘର, ତାଙ୍କ ପିତା-ମାତା, ପୁତ୍ର କନ୍ୟା, ପତ୍ନୀ କେହି ଥାଆନ୍ତୁ ବା ନ ଥାଆନ୍ତୁ; ସେ ତାଙ୍କର ପରିଚିତ ଦୁନିଆକୁ ଫେରିଯାଆନ୍ତୁ, ଏକ ନିଷ୍କଳଙ୍କ ଜୀବନ ଓ ନିରାମୟ ଶରୀର ନେଇ ।

ଏଇ ଅଳ୍ପ କିଛି ଦିନର ରହଣି ଭିତରେ ସରୋଜ ଯେପରି ଏ ଘରର ଜଣେ ସଦସ୍ୟ ଭଳି ନିଜର ଲାଗୁଛନ୍ତି । ଘର ସାରା କେତେବେଳେ କେଉଁଠି ସେ କର୍ମରତ ଥାଆନ୍ତି । ସକାଳୁ ରାତିଯାଏ ଲୋଟଣି ପାରା ଭଳି ସେ ଚଳଚଞ୍ଚଳ ଥାଆନ୍ତି । ରାତିରେ କେବେ କେମିତି ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ, ସେ ଅନ୍ଧାର ମଝିରେ ଛିଡ଼ାହେଇ ପାଟି କରନ୍ତି- ଭୟ କରନି ପଦ୍ମିନୀ । ମୁଁ ମହମବତୀ ଲଗାଉଛି ।

ବିଶ୍ୱାସ କେଉଁଠି ଅଛି ?

ଏଇ କେତେ ପଦ କଥାରେ ପଦ୍ମିନୀ କୃତ୍ୟକୃତ୍ୟ ହୋଇଯାଏ । ଦିନେ ସେ ତାଙ୍କ ଜୀବନରକ୍ଷା କରିଥିଲା । ସେ କିନ୍ତୁ କଡାଗଣ୍ଡା ହିସାବ କରି ସେ ଋଣ ଶୁଝିବାରେ ଲାଗିଛନ୍ତି । ନିଷ୍ଠୁର ଭାନୁ ପାଇଁ ସେ ବିଷର୍ଣ୍ଣ ହୋଇ ଉଠିବାବେଳେ, ପିଲାଦିନର ସାଥିଟିଏ ଭଳି ସେ ତାକୁ ଆଶ୍ୱାସନା ଦେଇଛନ୍ତି । ଭାବନା ମଧ୍ୟରେ ହଠାତ୍ ପଦ୍ମିନୀ ଚମକିଉଠିଲା, ରୋଷେଇ ଘର ଛାତ ଉପରେ କଳା ବିରାଡ଼ିଏ ଦେଖି । ତା’ର ନୀଳ ନୀଳ ଆଖିକୁ ପ୍ରଜ୍ଜ୍ୱଳିତ କରି ସେ ତା’ ଆଡ଼କୁ ମାଡ଼ିଆସୁଛି । ଜୀବନରେ ଅନେକ ଘାତ ପ୍ରତିଘାତ ସହ୍ୟ କରିଥିଲେ ସୁଦ୍ଧା କି ଏକ ଦୁର୍ବଳ ଭାବନାରେ ଏ ଦୃଶ୍ୟ ଦେଖି ସେ ଡରିଗଲା । ତରତର ହୋଇ ସେ ଭିତରକୁ ଚାଲିଗଲା ।

କ୍ରମଶଃ

Comments are closed.