କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି, ସେ ବିବାହିତ କି ନା- ତାଙ୍କ ବିଷୟରେ କିଛି ବି ସେ କହିନାହାନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ
ହେବା ପରେ ପଦ୍ମିନୀ ଥରେ ତାଙ୍କୁ ପଚାରିଥିଲା । ସେ କିନ୍ତୁ ଉଦାସ ଆଖିରେ ଘରର ଛାତ ଆଡ଼କୁ ଚାହିଁ ବଡ଼ ଦରଦି କଣ୍ଠରେ ଉର ଦେଇଥିଲେ- ଚିକିତ୍ସକ କେବେ ରୋଗୀର କ୍ଷତ ସ୍ଥାନକୁ ଉଖୁରେଇ ରକ୍ତାକ୍ତ କରେନି । ତମେ ଯଦି ମୋ ବିଷୟରେ ଜାଣିବାକୁ ଚାହୁଁଛ; ତେବେ ଏତିକି ଜାଣ- ମୁଁ ଜଣେ ସର୍ବହରା ମଣିଷ । ସେଇ ଦିନଠୁ ସେ ତାଙ୍କୁ କେବେ କିଛି ପଚାରିନାହିଁ ।
ରାତ୍ରି କ୍ରମେ ଗଭୀର ହୋଇ ଆସୁଛି । ପଦ୍ମିନୀ ଧୀରେ ଧୀରେ ତା’ ହାତ ନେଇ ସରୋଜଙ୍କ କପାଳ ଉପରେ
ରଖିଲା । ତାଙ୍କ କପାଳ ସାରା ଖଇଫୁଟା ଉାପ । ଏଇ ଅବସ୍ଥାରେ ତାଙ୍କୁ ଛାଡ଼ି ଶୋଇବାକୁ ଯିବାପାଇଁ ତା’ର ମନ ବଳିଲା ନାହିଁ । ଖଟପାଖେ ପଡ଼ିଥିବା ଚେୟାରରେ ବସି ବସି ସେ ରାତି କଟାଇ ଦେଲା, ଅନେକ ଚିନ୍ତାର ଆର୍ବ ଭିତରେ ।
ସକାଳ ହେଲା । ପଦ୍ମିନୀ ଅଫିସ ଗଲା ନାହିଁ । ସରୋଜଙ୍କ ଜ୍ୱର ବେଳୁ ବେଳ ବୁଦ୍ଧି ପାଇବାକୁ ଲାଗିଲା । ତା’ ସାଙ୍ଗରେ ପ୍ରଳାପ । ପଦ୍ମିନୀ ଡାକ୍ତରଙ୍କୁ ଡାକି ଆଣିଲା । ସେ ଔଷଧ ଲେଖି, ଇଂଜେକ୍ସନ୍ ଦେଇ ଚାଲିଗଲେ । ସରୋଜଙ୍କ ପ୍ରଳାପ ଅବସ୍ଥା ଦେଖି କ’ଣ ହେବାକୁ ଯାଉଛି ଓ ଏଥିରେ ତା’ର କର୍ତ୍ତବ୍ୟ କ’ଣ ସେ ଭାବି ପାରୁ ନଥିଲା ।
ଦିନ ଯାଇ ରାତି ହେଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଦ୍ମିନୀ ପାଣିକନା ପଟି ସରୋଜଙ୍କ କପାଳରେ ରଖିବାପାଇଁ ତତ୍ପର ହୋଇଉଠିଲା । ପାଣି ପଟି କପାଳ ଉପରେ ରଖି ଓଦା ହାତକୁ ତାଙ୍କ ମୁହଁରେ ବୁଲାଇ ଆଣିବା ସମୟରେ ସେ ଶୁଣିଲା ସରୋଜ ଧୀରେ ଧୀରେ ଉଚ୍ଚାରଣ କରୁଛନ୍ତି…….
… ସୁଜାତା … ସୁଜାତା… ପାଣି… !!
ଇତଃସ୍ତତଃ ହୋଇଉଠିଲା ପଦ୍ମିନୀ । ପାଣି ଆଣି ସେ ତାଙ୍କୁ ପିଆଇ ଦେବା ସମୟରେ ସେ ତା’ ପାପୁଲିକୁ ମୁହଁ ଉପରେ ଚାପି ଧରିଲେ । ସମୟର ଚାବୁକ ପ୍ରହାରରେ ଅତୀତର ଯେଉଁ ପଥରୁ ସେ ବିଚ୍ଛିନ୍ନ ହୋଇଯାଇଥିଲେ; ଜ୍ୱରାକ୍ରାନ୍ତ ଦେହ ମନ ନେଇ ସେ ପଥରେ ଗତି କରୁକରୁ ସେ ପ୍ରଳାପ କରିବାକୁ ଲାଗିଲେ ।
Comments are closed.