କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ମୁହଁ ସଞ୍ଜ ବେଳକୁ ଏକ ଜଙ୍ଗଲିଆ ରାସ୍ତାଦେଇ ଗାଡ଼ି ଗତି କରୁଥିଲା । ଆଗରେ ବସିଥିବା ଦୁଇସାଙ୍ଗ ଗପର ପସରା ଖୋଲି ଦେଇଥିଲା । ସନ୍ଧ୍ୟା ଧୀରେ ଧୀରେ ଅପସରି ଯାଉଥିଲା । ଶୁନ୍ଶାନ୍ ରାସ୍ତାରେ କାଁ ଭାଁ ଗୋଟେ ଦି’ଟା ଯାନବାହାନଯିବା ଆସିବା କରୁଥିଲା । ରାସ୍ତାର ଗୋଟିଏ ପାଖରେ ଜଙ୍ଗଲ, ଅନ୍ୟ ପାଖରେ ସୁଗଭୀର ଖାଲ ।
ହଠାତ୍ ସେହି ଜାଗାରେ ପଛପଟୁ ଆଉ ଗୋଟିଏ ଗାଡ଼ି ପୂର୍ଣ୍ଣବେଗରେ ଛୁଟି ଆସୁଥିବା ଜାଣିପାରି ଡାକ୍ତର ଜଣକ ଗାଡ଼ିର ଗତି କମେଇ ସାଇଡ୍ ଦେଲେ । ପଛରୁ ଛୁଟି ଆସୁଥିବା ଗାଡ଼ିଟି ବିଜୁଳି ବେଗରେ ମାଡ଼ି ଆସି ଡାକ୍ତରଙ୍କ ଗାଡ଼ି ସ୧ୁଖରେ ରହିଗଲା । ରାସ୍ତା ସଂକୀର୍ଣ୍ଣ ହେତୁ ଆଗରେ ଥିବା ଗାଡ଼ିକୁ କ୍ରସ କରି ଯାଇ ନପାରି ସେ ଅଗତ୍ୟା ଗାଡ଼ି ବନ୍ଦ କରିଦେଲେ । ପଛରୁ ଆସିଥିବା ଗାଡ଼ି ଭିତରୁ ପାଂଚଜଣ ଛୁରୀ ଓ ପିସ୍ତଲ ଧରି ରାସ୍ତା ଉପରକୁ ଡେଇଁ ପଡ଼ିଲେ । ସେଇ ଦୁର୍ଦ୍ଦାନ୍ତ ପାଞ୍ଚ ଜଣ ଗାଡ଼ି ଭିତରେ ଥରୁଥିବା ତିନିଜଣ ନିରୀହ ମଣିଷଠାରୁ ମୁଦି, ଚେନ୍, ହାର, ଚୂଡ଼ି ଓ ଟଙ୍କା ଛଡ଼ାଇ ନେଇ ଅତି ନିର୍ମମ ଭାବେ ଡାକ୍ତରଙ୍କୁ ଭିଡି ଆଣି ଛୁରୀ ଭୁଷି ରାସ୍ତା କଡ଼କୁ ଠେଲି ଦେଲେ । ପଛ ସିଟ୍ରେ ବସିଥିବା ସୁଜାତାକୁ ତିନିଜଣ ରାସ୍ତା କଡ଼କୁ ଉଠାଇନେଲେ ।
ଆଉ ଦୁଇ ଜଣ ସରୋଜକୁ ଧକ୍କା ଦେଇ ଦେଇ ଗାଡ଼ିରୁ ଆଣି ରାସ୍ତା ଆରପାଖ ଜଙ୍ଗଲିଆ ବୁଦା ଭିତରକୁ ନେଇ ଏକ ରକମ ଫୋପାଡ଼ି ଦେଲେ । ସରୋଜ ଅଚେତ ହେବା ପୂର୍ବରୁ ଗାଡ଼ି ଷ୍ଟାର୍ଟ କରି ଚାଲି ଯାଉଥିବା ଶବ୍ଦ ମାତ୍ର ଶୁଣିଥିଲେ । ତାଙ୍କ ଚେତା ଫେରିଲାବେଳେ ଭୋର ହେଇ ଆସୁଥାଏ । ଅତି କଷ୍ଟରେ ଘୁଷୁରି ଘୁଷୁରି ସେ ରାସ୍ତା ଉପରକୁ ଆସି ଯାହା ଦେଖିଲେ ହତଚକିତ ହୋଇ ବଡ଼ପାଟିରେ ଚିତ୍କାର କଲେ । ରାସ୍ତା ଉପରେ ସୁଜାତାର ଭଙ୍ଗା ଚୂଡ଼ି ଛିନ୍ନଛତ୍ର ହୋଇପଡ଼ିଛି । ଏତିକି ଛଡ଼ା ସୁଜାତାର ଚିହ୍ନବର୍ଣ୍ଣ ନାହିଁ । ସେଇଠି ସେଇ ଅବସ୍ଥାରେ ସେ ପୁଣି ମୂର୍ଚ୍ଛା ଗଲେ । ଚେତା ଫେରିଲା ବେଳକୁ ସେ ଆଉ ସୁସ୍ଥ ମଣିଷ ହୋଇ ନଥିଲେ ।
କ୍ରମଶଃ
Comments are closed.